ନବମାନବର ସୃଷ୍ଟି

 

 

 

 

 

 

 

 

 

 

 

ନବ ମାନବର ସୃଷ୍ଟି

ଶ୍ରୀ ଗୁରୁଚରଣ ପଟ୍ଟନାୟକ

 

 

 

 

ସେହିମାନଙ୍କ ହାତରେ

ଯେଉଁମାନେ

ନୂତନ ସମାଜ, ନୂତନ ନୈତିକତା ଓ ନବ ମାନବର

ସୃଷ୍ଟି ଲାଗି

ରଙ୍ଗ ପ୍ରାଙ୍ଗଣରେ ଦଣ୍ଡାୟମାନ

 

-ଲେଖକ

 

ଆରମ୍ଭରୁ କହିରଖେ

 

ସାତବର୍ଷ ପରେ, ଏବେ ପୁଣି ଥରେ ରୁଷ ଯିବାର ସୁଯୋଗ । ଏଥର ଯିବାର ଉଦ୍ଦେଶ୍ୟ ପୂରାପୂରି ଭିନ୍ନ, କେବଳ ଦେଶ ଭ୍ରମଣ । ତାହା ହିଁ ଏକମାତ୍ର କାର୍ଯ୍ୟ । ଯାଉଛି ସାମ୍ୱାଦିକ ଭାବରେ, ରୁଷ କମ୍ୟୁନିଷ୍ଟ ପାର୍ଟିର ମୁଖପତ୍ର ‘ପ୍ରଭଦା’ ର ନିମନ୍ତ୍ରଣରେ । ସାମ୍ୱାଦିକ ହେଲେ ବିଶେଷ ସୁବିଧା ମିଳେ, ଚାରିଆଡ଼େ ବୁଲିବା ଓ ଦେଖିବା ଲାଗି । ସେମାନେ ଯେତେ ପାରିବେ ତୁମକୁ ଦେଖାଇବାକୁ ଚାହିଁବେ, ଆଉ ତମେ ଯାହା ଦେଖିବାକୁ ଚାହିଁବ, ତା’ ଭାଙ୍ଗିଦେବା ସେମାନଙ୍କ ପକ୍ଷରେ ସମ୍ଭବ ନୁହେଁ । ତେଣୁ ସେଠାରେ ଆମର ଗସ୍ତ ପ୍ରୋଗାମ ସ୍ଥିର ହେଲା–ନିମନ୍ତ୍ରିତ ଓ ନିମନ୍ତ୍ରଣକାରୀ ଉଭୟ ପକ୍ଷଙ୍କ ମିଳିତ ଆଲୋଚନାରେ । ତା’ପରେ ଆଉ ବିଶ୍ରାମ କାହିଁ ? ସକାଳେ ଉଠିଲା ମୁହୂର୍ତ୍ତରୁ ରାତିରେ ପୁଣି ବିଛଣା ଧରିଲା ଯାଏ ଫୁରସତ ନାହିଁ । ପଛକୁ ପଛ ଲାଗି ରହିଛି କାର୍ଯ୍ୟକ୍ରମ; ଆଉ ଆମେ ଘଣ୍ଟାକଣ୍ଟା ସହିତ ଘୂରିବାରେ ଲାଗିଛୁ । ଦିନେ ଅଧେ ନୁହେଁ, ପୁରା ମାସେ କାଳ କଟିଛି ଏଇପରି ।

 

ଆକାରରେ ରୁଷ ପୃଥିବୀର ସବୁଠାରୁ ବଡ଼ ଦେଶ । ଏସିଆ ଓ ୟୁରୋପ ଦୁଇ ମହାଦେଶକୁ ବ୍ୟାପିଛି । ଆମେ ସେ ଉଭୟ ଅଞ୍ଚଳକୁ ଯାଇଛୁ । ସୁଦୂର ‘‘ନିପଟ ମଫସଲ’’ ଠାରୁ ଆରମ୍ଭ କରି ସୁବିଶାଳ ଆଧୁନିକ ନଗରୀ ପର୍ଯ୍ୟନ୍ତ ସବୁଆଡ଼େ ବୁଲିଛୁ । ତା’ର ନରମ ସୂର୍ଯ୍ୟର କିରଣ, ଅଶାନ୍ତ ତୁଷାରର ଝଡ଼, ଶାଶ୍ୱତ ବରଫର ଶୈତ୍ୟ–ସବୁ ଉପଭୋଗ କରିଛୁ, ତା’ ସଙ୍ଗେ ସଙ୍ଗେ ଭେଟିଛୁ ସବୁପ୍ରକାର ବୃତ୍ତିର ଲୋକଙ୍କୁ–ଚାଷୀ ଶ୍ରମିକଙ୍କଠାରୁ ଆରମ୍ଭ କରି ରାଜ୍ୟର ସଭାପତିଙ୍କ ପର୍ଯ୍ୟନ୍ତ । କେବଳ ବାଦ ପଡ଼ିଯାଇଛି ଗୋଟିଏ ଅଞ୍ଚଳ–ସାଇବେରିଆ, କାରଣ ପ୍ରବଳ ଶୀତ, ଅତିରକ୍ତ ଥଣ୍ଡା, ବୁଲାବୁଲି ପାଇଁ ଅବସ୍ଥା ଆଦୌ ଅନୁକୂଳ ନୁହେଁ ।

 

ଆମ ଭାରତ ପରି ଦେଶ ରୁଷ, ବହୁ ଭାଷା, ବହୁ ଜାତିର ଲୋକଙ୍କର ବାସଭୂମି । ମାସକ ମଧ୍ୟରେ ସାରା ଦେଶଟା ଘୂରି ଆସିବା, ତାକୁ ପୂରାପୂରି ଜାଣି ନେବା କେବେ ସମ୍ଭବ ନୁହେଁ-। କିନ୍ତୁ କେହି ତ ଭାତ ହାଣ୍ଡିରୁ ସବୁ ଚିପେ ନାହିଁ । ତେଣୁ ଯାହା ଦେଖିଛି, ସେଥିରୁ ଦେଶ ସମ୍ୱନ୍ଧରେ ସଠିକ ଧାରଣା କରିବା ଆଦୌ କଷ୍ଟକର ନୁହେଁ । ବିଶେଷକରି ରୁଷ ଭଳି ସମାଜବାଦ ଦେଶ କ୍ଷେତ୍ରରେ ଏହା ପୂରାପୂରି ସମ୍ଭବ । ତାହା ତ ଆମ ଦେଶପରି ନୁହେଁ ଯେ ଜଣେ ଟ୍ରାକ୍ଟରରେ ଚାଷ କଲାବେଳେ, ଆଉ ଜଣେ ମାନ୍ଧାତା ଅମଳର କାଠଲଙ୍ଗଳ ଓ ହଡ଼ାବଳଦ ନେଇ ଜମି ତାଡ଼ୁଛି; ଆଉ କେଉଁଠି ବା ଆଦିମ ଯୁଗର ପୋଡ଼ୁଚାଷ ପ୍ରଚଳିତ । କିଏ ପାଞ୍ଚମହଲା ଉପରେ ଅୟସରେ ଶୋଇଛି ତ କିଏ ତଳେ ଫୁଟ୍‍ପାଥରେ ଗଡ଼ୁଛି । କେଉଁଠି ଚାଉଳ କିଲୋ ଟଙ୍କାଏ ହେଲାବେଳେ କେଉଁଠି ବା ଚାରିଟଙ୍କା । କାହା ସହିତ କାହାର ମେଳ ନାହିଁ । ସମାନ ବୋଲି କିଛି ନାହିଁ । ସେଠି କିନ୍ତୁ ସମସ୍ତଙ୍କ ଲାଗି ସମାନ ବ୍ୟବସ୍ଥା, ସମାନ ସୁଯୋଗ । କୌଣସି ଗୋଟାଏ ସ୍ଥାନରେ ହାତଦେଇ ମଣିଷ ସାରା ଦେଶଟାର ସ୍ପର୍ଶ ଅନୁଭବ କରେ । ତା’ ଜଣାଇଦିଏ, ରୁଷର ଲୋକେ ଯେତେ ଭିନ୍ନ ଭିନ୍ନ ହେଲେ ବି ସେମାନେ ସମସ୍ତେ ଏକ, ଗୋଟାଏ । ସମାନ ସେମାନେ, ସେମାନଙ୍କ ଭିତରେ ବଡ଼, ସାନ, ଉଚ୍ଚ, ନୀଚର ଫରକ ନାହିଁ ।

 

ମୁଁ ଏକା ନୁହେଁ । ଆମର ୧୪ ଜଣିଆ ଏକ ସାମ୍ୱାଦିକ ଦଳ । ଭାରତର ସବୁ ରାଜ୍ୟ, ସବୁ ଭାଷାର ଲୋକ ସେଥିରେ । ଜଣଙ୍କ ଆଖି ଯଦି କିଛି ଛାଡ଼ିଗଲା, ଅନ୍ୟ ଜଣେ ତା’ ଦେଖୁଛି । ଜଣକ ମନରେ ଯଦି କିଛି ଗୋଟାଏ ପ୍ରଶ୍ନ ନ ଜାଗିଲା, ଅନ୍ୟ ଜଣେ ତା ପଚାରିଲାଣି । ସବୁଠାରେ ପ୍ରଶ୍ନର ବାଣ । ସମୟେ ସମୟେ ତାହା ଏକପ୍ରକାର ଜେରାରେ ପରିଣତ ହୋଇଯାଏ । ମନେହୁଏ, ଆମ ସହିତ କଥାବାର୍ତ୍ତା କରିଥିବା ରୁଷ ଲୋକଟି ସତେ ଯେପରି କାଠଗଡ଼ାରେ ଠିଆ ହୋଇଛି ।

 

ସମସ୍ତଙ୍କଠାରୁ ମୋର ଦୃଷ୍ଟିଟା ଟିକିଏ ଫରକ । ମୁଁ ଦେଖିବାକୁ ଚେଷ୍ଟା କରେ ଗତ ସାତ ବର୍ଷର ପାର୍ଥକ୍ୟ, ପରିବର୍ତ୍ତନ ମାତ୍ରା, ଉନ୍ନତିର ବେଗ । ଏଇ ଗତିବେଗ ଅନୁସାରେ ପୃଥିବୀର, ପ୍ରତ୍ୟେକ ଦେଶ, ପ୍ରତ୍ୟେକ ମଣିଷର ଗଣତି । ଅନ୍ତରୀକ୍ଷ ଅଭିଯାନ, ସମାଜର ଉନ୍ନତି, ସମସ୍ତେ ମପା ହୁଅନ୍ତି ଏଇ ଗତିବେଗ ନେଇ ।

 

ରୁଷ ସମ୍ୱନ୍ଧରେ ଇତିମଧ୍ୟରେ ବେଶି ନ ହେଲେ ବି କେତେ ଖଣ୍ଡ ବହି ଓଡ଼ିଆରେ ପ୍ରକାଶ ପାଇଛି । ତେବେ ଗୋଟିଏ ବିଷୟରେ ପୂରା ଅଭାବ ରହିଛି–ତା’ର ପାପ, ପ୍ରେମ, ପ୍ରଣୟ, ପରିବାର–ମୋଟରେ କହିବାକୁ ଗଲେ ଆମେ ଯାହାକୁ କହୁ ସାମାଜିକ ନୈତିକତା । ଏହାର ଅପର ଦିଗଟି ହେଲା ସାମାଜିକ ପାପାଚାର, ଯଥା: ଉଚ୍ଛୃଙ୍ଖଳ ଯୌନ ସମ୍ପର୍କ, ଗଣିକାପ୍ରଥା, ମଦ୍ୟପାନ, ଗର୍ଭପାତ, ଛାଡ଼ପତ୍ର ଇତ୍ୟାଦି । ଏ ସମ୍ପର୍କରେ ନାନା ଲୋକ ନାନା କଥା ପ୍ରଚାର କରନ୍ତି–ନାନା ମତଲବରେ । ପ୍ରକୃତ ବିଷୟ ଅଧିକାଂଶ ଲୋକ ଜାଣନ୍ତି ନାହିଁ । ପ୍ରଶ୍ନ ହେଉଛି, ରୁଷ ନୂଆ ସମାଜ ଗଢ଼ିଲା ବେଳେ ମଣିଷକୁ କିପରି ନୂଆ କରି ଗଢ଼ୁଛି ?

 

ଏଇ ସାମାଜିକ କଳଙ୍କ ଓ ବ୍ୟଭିଚାର, ଯାହା ସବୁଠି ସବୁ ଯୁଗରେ ରହିଛି, ତାହା ସେଠାରେ ଅଛି କି ନାହିଁ ? ଯଦି ଥାଏ, କିପରି ରହିଛି ? ଯଦି ଲୋପ ପାଇଛି, ତା’ ହୋଇଛି କିପରି-? ଏଇ ସାମାଜିକ କଳଙ୍କ ଓ ବ୍ୟଭିଚାରକୁ ଲୋପ ନ କରି କ’ଣ କେବେହେଲେ ପ୍ରକୃତ ସୁସ୍ଥ ସମାଜ ଗଢ଼ାଯାଇପାରେ ? ନୂଆ ମଣିଷ ସୃଷ୍ଟି ହୋଇପାରେ ? ସାମାଜିକ ପାପ, କଳଙ୍କ ଓ ବ୍ୟଭିଚାର; ଯାହା ଭିତରେ ଭିତରେ ମଣିଷକୁ କୋରିଦିଏ, ତା’ ଜାଣିବା ହେଉଛି ମୋର ଦ୍ୱିତୀୟ ଉଦ୍ଦେଶ୍ୟ । ଆଉ ଏଇ କଥାଟା ଏବେ ପାଠକମାନଙ୍କୁ ଆଗ କହିବି ।

 

ତୃତୀୟରେ, ମୋର ଇଚ୍ଛା ପାଠକଗଣକୁ ସଙ୍ଗରେ ଘେନିଯିବି । ମୁଁ ଯୁଆଡ଼େ ଯୁଆଡ଼େ ଯାଉଛି, ଯାହା ଦେଖିଛି, ଯାହା ଶୁଣିଛି ଓ ଅନୁଭବ କରିଛି, ସେଥିରେ ସେମାନଙ୍କୁ ପୂରା ଅଂଶୀଦାର କରାଇବି । ଅନେକ ସମୟରେ ଭ୍ରମଣ କାହାଣୀରୁ ଯାହା ମିଳେ, ଗୁରୁତ୍ୱପୂର୍ଣ୍ଣ ଅଧ୍ୟୟନରୁ ତା’ ମିଳେ ନାହିଁ । ବୁଲିବା ଭିତରେ ମଣିଷ ବିମୂର୍ତ୍ତ ମଣିଷ ନୁହେଁ, ରକ୍ତମାଂସର ଦେହଧାରୀ ମଣିଷଙ୍କୁ ଭେଟେ ମିଶିଯାଏ ସେମାନଙ୍କ ସଙ୍ଗରେ । ଗୋଟାଏ ଦେଶ ଓ ଜାତିର ଜୀବନ ଭିତରେ ପ୍ରବେଶ କରେ । ସୁଯୋଗ ପାଏ ସେମାନଙ୍କୁ ଆଖିରେ ଦେଖିବାର–ହୃଦୟ ଦେଇ ଅନୁଭବ କରିବାର, ଆଉ ତାକୁ ସେମିତି ମେଲିଦିଏ କାହାଣୀ ଆକାରରେ ।

 

ସେଇ ଦୃଷ୍ଟି, ସେଇ ଚେଷ୍ଟାରେ ଏହା ଲିଖିତ । କଥାକୁ ବିଚାର କରି, ବାଛି, କାଟି ଛାଣ୍ଟି, ତଉଲ କରି ରଖିବାର ଚେଷ୍ଟା ଏଠାରେ ନାହିଁ । ନାହିଁ ଏଠାରେ ଗବେଷଣାର ଗାମ୍ଭୀର୍ଯ୍ୟ ବା ଅଧ୍ୟୟନର ଅଧ୍ୟବସାୟ । ଏହା କେବଳ ସେଇ ଭ୍ରମଣ ସ୍ମୃତିର ସ୍ୱତଃସ୍ଫୁର୍ତ୍ତ ପ୍ରକାଶ ମାତ୍ର–ଅଯତ୍ନରେ ବିକଶିତ ଅରଣ୍ୟର ବୃକ୍ଷଲତା ଭଳି । ତେବେ ତାହା ସୁନ୍ଦର, ସବୁଜ, ମନମୁଗ୍ଧକର ହେଲେ ହେଲା–ତାର ବିଚାରକ ପାଠକମାନେ ।

 

ତେବେ ଦେଖେ ତ, ଲେଖାଟା ଶେଷ କଲାବେଳକୁ, ତାହା ଗୋଟାଏ କଡ଼ ମାଡ଼ିଯାଇଛି-। ସେ ଆଉ ଭ୍ରମଣ କାହାଣୀ ହୋଇ ନାହିଁ । ଭ୍ରମଣ କାହାଣୀ ଭିତରେ ଗୋଟାଏ ନିର୍ଦ୍ଦିଷ୍ଟ ବିଷୟର ଆଲୋଚନା ହୋଇ ଉଠିଛି । ଉକ୍ତ ବିଷୟଟି ସମ୍ୱନ୍ଧରେ ଯା ଶୁଣିଛି, ଦେଖିଛି ଓ ଅନ୍ୟମାନଙ୍କ ସହିତ ଆଲୋଚନାରେ ଯା ପାଇଛି ଓ ପଢ଼ିଛି, ତା’ ଉପସ୍ଥାପିତ କରିଛି । ଅତୀତ କଥା ବର୍ଣ୍ଣନା କଲାବେଳେ କେତେକ ପୁସ୍ତକର ମଧ୍ୟ ସାହାଯ୍ୟ ନେଇଛି, ବିଶେଷକରି ଶ୍ରୀ ଏସ. ଏ. ଡାଙ୍ଗେଙ୍କ ଲିଖିତ–‘‘ଇଣ୍ଡିଆ ଫ୍ରମ ପ୍ରିମିଟିଭ୍ କମ୍ୟୁନିଜିମ୍ ଟୁ ସ୍ଲେଭାରୀ’’ ପୁସ୍ତକଟିର ଆଶ୍ରୟ ନେବାକୁ ହୋଇଛି-। ପ୍ରାଚୀନ ଭାରତୀୟ ବିବାହ ଧାରା ସମ୍ପର୍କରେ । କେତେକ କ୍ଷେତ୍ରରେ ସାମାନ୍ୟ ପୁନରାବୃତ୍ତି ଘଟିଥାଇପାରେ । ବିକ୍ଷୟଟିରେ ପରିପ୍ରେକ୍ଷୀରେ ତାହା ଏଡ଼ିବା ସମ୍ଭବ ନୁହେଁ । ଆଲୋଚ୍ୟ ବିଷୟଟି ଏପରି ଗୁରୁତ୍ୱପୂର୍ଣ୍ଣ ଓ ସେ ସମ୍ପର୍କରେ ଏତେ ଦୂର ମତ ଭିନ୍ନତା ରହିଛି ଯେ ସେ ସବୁର ପୁଙ୍ଖାନୁପୁଙ୍ଖ ବିଚାର ଲାଗି ଏଠାରେ ସ୍ଥାନ ନାହିଁ । ଏଠାରେ ତା’ର ଗତିଧାରା ଓ ସମାଧାନ ପନ୍ଥାର କେବଳ ସୂଚନା ଦିଆହୋଇଛି । ସେ ସମ୍ପର୍କରେ ମତ ଅନୈକ୍ୟର ପ୍ରଶ୍ନ ନାହିଁ ଯେହେତୁ ରୁଷରେ କାର୍ଯ୍ୟକ୍ଷେତ୍ରରେ ତାହା ଆଜି ପ୍ରମାଣିତ ।

Image

 

ଓହ୍ଲାଇଲି ରୁଷ ଦେଶରେ

 

ଅକ୍ଟୋବର ମାସର ଶେଷ, ଦିଲ୍ଲୀରେ ଗରମ ଛାଡ଼ି ନାହିଁ, ରାତିରେ ବି ପଙ୍ଖା ଘୂରୁଛି, ସେଦିନ ମଙ୍ଗଳରାତି ବୁଧ ପାହାନ୍ତି, ବଡ଼ିଭୋରରୁ ପାଲାମ ବିମାନ ଘାଟିରେ ପହଞ୍ଚିଗଲୁ । ଅଳ୍ପ ସମୟ ଭିତରେ ପାସପୋର୍ଟ ତନଖି କାର୍ଯ୍ୟ ଶେଷ ହେଲା । ଅଫିସର ଜଣକ ତାଙ୍କର ଶେଷ ମୋହରଟା ବାଡ଼େଇଦେଇ କହିଲେ, ୟେସ୍ ସାର୍,-‘ଉଇସ୍ ୟୁ ହାପି ଜର୍ନି’ ।

 

ଆମର ବିମାନ ଉପରକୁ ଉଠିଲା, ମସ୍କୋ ଅଭିମୁଖରେ । ସେ ଏକ ବିରାଟ ଜେଟ୍ ବିମାନ । ରାସ୍ତା ମଝିରେ ତା’ର କୌଣସି ବିଶ୍ରାମର ଆବଶ୍ୟକତା ନାହିଁ । ଅକ୍ଳାନ୍ତ ତା’ର ଗତି । ଗତଥର ତାସ୍‍କନ୍ଦରେ ପ୍ରାୟ ଘଣ୍ଟାଏ ରହିବାକୁ ପଡ଼ିଥିଲା । ଏଥର ସିଧା ଦିଲ୍ଲୀରୁ ମସ୍କୋ । ମାତ୍ର ୬ଘଣ୍ଟାର ରାସ୍ତା ।

 

ମସ୍କୋ ପାଖ ହୋଇ ଆସିଲା । ସୂର୍ଯ୍ୟଦେବଙ୍କ ତେଜ ଊଣା ହେବାରେ ଲାଗିଛି । ଶେଷରେ କିଛି ସମୟ ପରେ ସୂର୍ଯ୍ୟଦେବ ମସ୍କୋ ଆକାଶରେ କୁଆଡ଼େ ଉଭେଇ ଗଲେଣି । ମେଘ ଉପରୁ ବିମାନଟା ତଳକୁ ଖସୁଛି, ଚାରିଆଡ଼େ ବରଫ ଆଉ ବରଫ, ବରଫର ଝଡ଼ । ସେ ଝଡ଼ ମଧ୍ୟରେ ବିମାନ ତଳକୁ ଖସି ଖସି ଶେଷରେ ଥମିଗଲା ଭୂଇଁ ଉପରେ । ଆମେ ଗୋଡ଼ ଚିପି ଚିପି ବାହାରିଲୁ ପଦାକୁ । ବରଫ ଉପରେ ଚାଲିବାର ଅଭ୍ୟାସ ନାହିଁ, ଗୋଡ଼ ଖସିବାର ଆଶଙ୍କା ପଦେ ପଦେ, ବିମାନରୁ ଓହ୍ଲାଇ ମଟରକୁ ଯିବା–ଏଇ ଅଳ୍ପକ୍ଷଣ ମଧ୍ୟରେ ଆମ ଉପରେ ବରଫଗୁଡ଼ାକ ବେଶ ଜମିଗଲାଣି । ପୋଷାକପତ୍ର ସବୁ ଧଳା ପାଲଟିବାରେ ଲାଗିଛି । ନୂତନ ଅନୁଭୂତି ବେଶ୍‍ ଭଲ ଲାଗେ । ମଣିଷ ପିଇଯିବାକୁ ଚେଷ୍ଟା କରେ । କିନ୍ତୁ ବେଶି ସମୟ ରହେନାହିଁ । ମନ ପୁଣି ଆକୁଳ ହୋଇଉଠେ ନିଜର ସେଇ ଚିହ୍ନା ଚିରପରିଚିତ ପାଣି ପବନ ପାଇଁ ।

 

ହେମାଳିଆ ପବନ, ଦେହର ମଞ୍ଜ ଥରିଯାଉଛି । ମାତ୍ର ୬ ଘଣ୍ଟାର ବ୍ୟବଧାନ । ୬ ଘଣ୍ଟା ତଳେ ଏମାନେ ଖୋଜୁଥିଲେ ଥଣ୍ଡା ହାଓ୍ୱା । ଏବେ ଅଧୀର ହୋଇ ପଡ଼ିଛନ୍ତି ସେଇ ଥଣ୍ଡାରୁ କିପରି ତ୍ରାହି ପାଇବେ । କି ଫରକ ! ହେଲେ ଗରମର ଅଭାବ ନାହିଁ । କାର, ମଟର, ଘର, ଦୋକାନ, ସିନେମା, ଥିଏଟର ଯାହା ଭିତରେ ପଶୁ, ସବୁ ଗରମ, ବେଶ୍ ଆରାମଦାୟକ । ଉତ୍କଟ ଥଣ୍ଡାରେ ଭରିରହିଛି ଉଷ୍ମତା, ମଣିଷ ସବୁ ଥଣ୍ଡାକୁ ଭାଙ୍ଗି ଦେଇପାରେ । ଆଜି ଗରମ ହୋଇ ଉଠିଛି, ଏଇ ରୁଷଭଳି ବିରାଟ ଥଣ୍ଡା ଦେଶଟା । ସବୁ ଘରେ ଖଞ୍ଜା ଲୁହାର ପାଇପ ଆଉ ତା’ ଭିତରେ ଚାଲିଛି ଗରମପାଣି । ସେଇଥିରେ ଘରଦ୍ୱାର ସବୁ ଗରମ । ଆମ ଦେଶରେ ପିଇବାପାଣି କଥା କହି ଭୋଟ ନିଆଯାଇପାରେ । ନିର୍ବାଚନ ଜିତା ହୁଏ । କିନ୍ତୁ ପିଇବାକୁ ପୋଖରୀପାଣି ମୁନ୍ଦାଏ ମଧ୍ୟ ଅନେକଠି ମିଳେ ନା । ସବୁ ଘରକୁ ପାଇପ ପକାଇବା ପୁଣି ସବୁବେଳେ ପାଣିକୁ ଗରମକରି ରଖିବା କି ବ୍ୟୟସାପେକ୍ଷ ! କେତେ ଜାଳ ବା ଉତ୍ତାପ ଖର୍ଚ୍ଚ ହେଉ ନ ଥିବ ? ହଁ, ମଣିଷର ହୃଦୟ ଗରମ ହେଲେ ସେ ସବୁକିଛି କରିପାରେ, ତରଳାଇ ଦେଇପାରେ ହିମାଳୟକୁ ବରଫକୁ ।

 

ମାତ୍ର ୬ ଘଣ୍ଟାର ଫରକ । ଏଇ ବ୍ୟବଧାନ ମଧ୍ୟରେ ଲୁଚିଯାଉଛି ୫ ହଜାର କିଲୋମିଟର ଦୂରତ୍ୱ । ମଣିଷ କେବଳ ହିମାଳୟ ସୀମା, ଭୂଗୋଳକୁ ଡେଇଁ ନାହିଁ; ସେଥି ସହିତ ଡେଇଁ ପଡ଼ିଛି ମାନବ ଇତିହାସର, ମଣିଷ ସମାଜର ଗୋଟାଏ ଯୁଗକୁ । ଯେଉଁ ଯୁଗ ଭିତରେ କି ଭାରତବାସୀ ଏବେ ବି ଆବଦ୍ଧ, ଯେଉଁଠି ମଣିଷ ଦ୍ୱାରା ମଣିଷକୁ ଶୋଷଣଟା ହେଉଛି ଧର୍ମ; ଆଇନ ଦ୍ୱାରା ସୁରକ୍ଷିତ ।

ମଣିଷ ଜନ୍ମ ଦିନୁ କେତେ ପଥ ଅତିକ୍ରମ କରି ନାହିଁ ? ଏଇ ଆଗେଇଲା ଭିତରେ ସେ କେତେ କେତେ ଜାତି, ବର୍ଣ୍ଣ, ଧର୍ମ, ଶ୍ରେଣୀ, ସମ୍ପ୍ରଦାୟ ସୃଷ୍ଟି ନ କରିଛି ? ନିଜ ଭିତରେ କେତେ ବା ପାହାଚ ନ ଗଢ଼ିଛି ? ସବୁବେଳେ କହି ଆସିଛି ମଣିଷକୁ ଆଗେଇବାକୁ ହେଲେ ସେ ପାହାଚ ଦରକାର । ତା’ ନ ହେଲେ ସେ ଉପରକୁ ଉଠିପାରିବ ନାହିଁ । ଥୋଡ଼ାଏ ଲୋକ ତଳେ ନ ପଡ଼ିଲେ, ପଦଦଳିତ ନ ହେଲେ, ସେ କାହା ଉପରେ ଗୋଡ଼ଦେଇ ଉପରକୁ ଉଠିବ ? ଆବହମାନକାଳରୁ ସେଥିଲାଗି ମଣିଷ ବହୁ ଆଇନକାନୁନ ଗଢ଼ିଛି–ବହୁ ନିୟମ ଶୃଙ୍ଖଳା ବାନ୍ଧିଛି, ଯୁଦ୍ଧ, ହତ୍ୟା ଭିଆଇଛି-। ଏବେ ବି ପୃଥିବୀରେ, ଆମ ଦେଶରେ ବହୁଲୋକ ଅଛନ୍ତି, ଯେଉଁମାନେ କି ଏହାର ସପକ୍ଷରେ-। ସେମାନଙ୍କ ମତ ମଣିଷ ଭିତରେ ପାହାଚ ନ ରହିଲେ, ମଣିଷ ଉପରେ ମଣିଷ ନ ଚଢ଼ିଲେ, ସମାଜ ଚଳି ପାରିବ ନାହିଁ । ତେଣୁ ସେ ପାହାଚ ରଖିବାକୁ ସେମାନେ ବଦ୍ଧପରିକର । ସେହି ବାଟରେ ତ ମଣିଷ ସମାଜ ବଡ଼ ହୋଇଛି !

ଆଜି ଅସମ୍ଭବକୁ ସମ୍ଭବ କରିଛି ଏଇ ମଣିଷ, ରୁଷ ଦେଶରେ; ଲୋପ କରିଛି ମଣିଷ ଭିତରେ ସ୍ତରର ଭେଦ, ବଡ଼ ସାନର ପାର୍ଥକ୍ୟ । ଲୋପ କରିଛି, ମଣିଷ ସମାଜ ଭିତରେ ଥିବା ସବୁ ପାହାଚକୁ । ପ୍ରମାଣ କରିଛି, ମଣିଷ ମଣିଷର ସମ୍ପର୍କ–ଖାଦ୍ୟ ଖାଦକର ସମ୍ପର୍କ ନୁହେଁ । ଘୋଷଣା କରିଛି–ମଣିଷକୁ ଆଗକୁ ଯିବାକୁ ହେଲେ ସେ ପାହାଚର ଲୋପ ଦରକାର । ସବୁ ମଣିଷ ଜାତି ସମାନ । ବିମାନରୁ ଓହ୍ଲାଇଲା କ୍ଷଣି ଗୋଟାଏ ବିରାଟ ଲେଖା ଆଖିରେ ପଡ଼େ, ‘‘ମଣିଷ ମଣିଷର ଭାଇ, ବନ୍ଧୁ ଓ ସାଥୀ ।’’

‘‘ୟେସ୍ ସାର’’ ପରିବର୍ତ୍ତେ ଶୁଣିବାକୁ ମିଳିଲା,–‘‘ପଜାଓ୍ୟାସ୍ତା, ତୋଭାରିସ୍ ।’’

Image

 

ପାଦ ମିଳାଅ

 

ଆମର ମଟର ଛୁଟିଛି । ଚାରିଆଡ଼େ ବରଫର ଶୁଭ ଆସ୍ତରଣ । ଏକମାତ୍ର ଆରମ୍ଭ ହୋଇଛି ବରଫ ପଡ଼ିବା । ସେଗୁଡ଼ାକ ଭଲକରି ଜମିନାହିଁ, ଜମାଟ ବାନ୍ଧିବାକୁ ଆହୁରି ସମୟ ଲୋଡ଼ା, ଆହୁରି ଥଣ୍ଡା ଦରକାର । ତେଣୁ ଜମି ସବୁ କାଦୁଆ କାଦୁଆ, ବିଲବାଡ଼ି ସବୁ ନିଶନ....କେହି ଲୋକ ନାହାନ୍ତି, କିଛି କାମଦାମ ନାହିଁ । ବରଫରେ ବା କି ଫସଲ ହେବ ? କେବଳ ଛୁଟିଛନ୍ତି ମଟର ଗାଡ଼ି, ଆଉ ଶୁଣାଯାଉଛି ନିର୍ମାଣରତ କ୍ରେନ୍‍ଗୁଡ଼ାକର ଘର୍ଘର ଶବ୍ଦ ।

 

ବିମାନଘାଟୀରୁ ଆମ ହୋଟେଲ ପ୍ରାୟ ୨୦ମାଇଲ । ଅଧାରାସ୍ତା ଆସି ଗଲୁଣି-ରାସ୍ତାକଡ଼ରେ ଗୁଡ଼ାଏ ‘‘ଟ୍ୟାଙ୍କ-ଆଗୁଳ’’ । ଗତ ବିଶ୍ୱଯୁଦ୍ଧ ବେଳର ଚିହ୍ନ । ଫାସିଷ୍ଟ ସୈନ୍ୟବାହିନୀ ସେଇ ପର୍ଯ୍ୟନ୍ତ ମାଡ଼ି ଆସିଥିଲେ । ମସ୍କୋ ରକ୍ଷା ଉଦ୍ଦେଶ୍ୟରେ ଏ ଟ୍ୟାଙ୍କ ଆଗୁଳ ସେତେବେଳର ତିଆରି । ତାର ନମୁନା ସେଗୁଡ଼ାକ, ଏକ ଐତିହାସିକ ନିଦର୍ଶନ ରୂପେ ସୁରକ୍ଷିତ । ଦେଖିଲେ ଜଣାଯାଏ, ଜର୍ମାନୀମାନେ ସହର ତଳିରେ ପ୍ରାୟ ପଶି ଯାଇଥିଲେ । ଆଉ ଟିକିଏ ଆଗେଇଥିଲେ ସମସ୍ତ ମସ୍କୋ ସହର । ଏଇ ଟିକକ ଭିତରେ ରହିଗଲା ଏକ ବିରାଟ ଫରକ । ଇତିହାସର ଦୁଇଟା ଯୁଗ । ସେଇ ଟିକକ ବଦଳାଇ ଦେଲା ଇତିହାସର ଗତି । ଏଇଠୁ ଆରମ୍ଭ ହେଲା ଫାସିଷ୍ଟ ଜର୍ମାନୀର ପଛଘୁଞ୍ଚା, ଶେଷରେ ତା’ର ପତନ । ରକ୍ଷା ପାଇଲା ସ୍ୱାଧୀନତା, ଧ୍ୱଂସ ହେଲା ଦାସତ୍ୱ । ସୋଭିଏତର ସେଇ ବିଜୟ ସୃଷ୍ଟି କଲା ସାରା ଦୁନିଆର ସ୍ୱାଧୀନତା ଜାଗରଣ–ଏଇ ସେଇ ଟିକକ ସ୍ଥାନ–ଏଇଠି ନିଷ୍ପତ୍ତି ହୋଇଛି ମଣିଷ ଜାତିର ଭାଗ୍ୟ ।

 

ଫାସିଷ୍ଟମାନେ ଚେଷ୍ଟା କରିଥିଲେ ସେଇଠୁ ମସ୍କୋକୁ ଉଡ଼ାଇଦେବେ । ବିରାଟ ବିରାଟ ତୋପ କମାଣ ନେଇ ଆସିଥିଲେ । କିନ୍ତୁ ଗୋଳାବର୍ଷଣ କରିବା ତ ଦୂରର କଥା, ତା ବସାଇବାକୁ ବି ଫୁରସତ ପାଇଲେ ନାହିଁ–ତାଙ୍କର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଗଲା, ଜଣେ ସାଧାରଣ ଚାଷୀର ତତ୍ପରତା ଯୋଗୁଁ । ସେ ଶତ୍ରୁର ଅବରୋଧ ଭେଦ କରି ରୁଷ ସେନାପତିଙ୍କୁ ଜଣାଇଦେଲା–ଜର୍ମାନୀମାନେ କମାଣ ଖଞ୍ଜୁଛନ୍ତି, ମସ୍କୋ ସହରକୁ ଧ୍ୱଂସ କରିବେ– । ସଙ୍ଗେ ସଙ୍ଗେ ରୁଷର ବିମାନ ବାହିନୀ ଆସିଗଲେ । ତାଙ୍କର ବୋମାବର୍ଷଣ ଫଳରେ ଜର୍ମାନମାନଙ୍କ ଉଦ୍ୟମ ପଣ୍ଡ ହୋଇଗଲା, ମସ୍କୋ ରକ୍ଷା ପାଇଲା । ଦେଶକୁ ରକ୍ଷା କରିବା ଦିଗରେ ଏଠି ପ୍ରତ୍ୟେକ ଲୋକ ସଚେତନ ଆଉ ସକ୍ରିୟ ।

 

ହୋଟଲରେ ପହଞ୍ଚିଲା କ୍ଷଣି ଆଗ ଦୃଷ୍ଟି ପଡ଼ିଗଲା କାନ୍ଥରେ ଝୁଲୁଥିବା ଘଣ୍ଟା ଉପରେ । ଆମ ସମସ୍ତଙ୍କ ଘଣ୍ଟାକୁ ଅନାଇ ଦେଖୁ ତ, ସେ ସବୁଗୁଡ଼ାକ ପ୍ରାୟ ତିନି ଘଣ୍ଟା ଲେଟ୍ ବା ପଛରେ । ଏଇଠୁ ଆରମ୍ଭ ହେଲା ସମୟର ‘ଗଲତି’ ବା ନିର୍ଭୁଲ ଗଣନା, (ପ୍ରକୃତ ବୈଜ୍ଞାନିକ ଭାବେ ଦେଖିଲେ ସବୁ ଜାଗାର ସମୟ ସମାନ ନୁହେଁ । କାହା ସମୟ କାହା ସହିତ ମିଳିବ ନାହିଁ । କଲିକତାରେ ୫ଟା ବାଜିଲାବେଳେ ଲଣ୍ଡନରେ କେବେହେଲେ ୫ଟା ହେବ ନାହିଁ । କଟକ ସମୟ ସହିତ ଦିଲ୍ଲୀ ସମୟ କେବେହେଲେ ସମାନ ନୁହେଁ ।) ଯେତେ ଯେତେ ପଶ୍ଚିମକୁ ଯିବ ସମୟଟା ସେତେ ପଛକୁ ଘୁଞ୍ଚି ଘୁଞ୍ଚି ଯାଉଥିବ । ଆମ ଭାରତ ପାଇଁ ଗୋଟାଏ ସମୟ ଧରାହୋଇଛି । ତେଣୁ ଆମ ଦେଶରେ ତା’ ଜାଣି ହୁଏନାହିଁ । ରୁଷରେ କିନ୍ତୁ ତା’ ନୁହେଁ । ସବୁ ସ୍ଥାନର ସମୟ ଠିକ୍ ବୈଜ୍ଞାନିକ ଭାବେ ନିରୂପିତ-। ତେଣୁ କାହା ସଙ୍ଗେ କାହାର ମେଳ ନାହିଁ । ସବୁ ସ୍ଥାନରେ ଏହା ଭିନ୍ନ ଭିନ୍ନ । ଏହାପରେ ଆମେ ଯେତେ ସ୍ଥାନ ବୁଲିଛୁଁ, ଆମର ପ୍ରଥମ କାମ ହୋଇଛି ଘଣ୍ଟା ମୋଡ଼ିବା, ସେଇ ସମୟ ସହିତ ନିଜକୁ ମିଶାଇ ନେବା । ବାସ୍ତବିକ, ସମୟ ସହିତ ଚାଲି ନ ପାରିଲେ ମଣିଷ ପଡ଼ିଯାଏ ପଛରେ-! ସେଥିଯୋଗୁଁ ଆମ ଦେଶଟା ଆଜି ପଛୁଆ ! ଯେତେ ଯେତେ ଯୋଜନା ହେଲେ ସମୟକୁ ଛୁଇଁ ପାରୁନାହୁଁ ଆମେ । ସମୟ ସହିତ ପାଦ ନ ମିଳାଇ କିଏ ଆଗେଇଲାଣି ? –ଆମଠାରୁ ଦିନେ ପଛୁଆ ଥିବା ରୁଷ ଆଜି ବହୁ ଆଗରେ-ବହୁ ଉଚ୍ଚରେ । କାରଣ ସେ ସମୟ ସହିତ ପାଦ ମିଳାଇଛି-। ତା’ର ସେ ଉପଲବ୍‍ଧିକୁ ଘୋଷଣା କରୁଛନ୍ତି ସେଇ ଘଣ୍ଟାଗୁଡ଼ାକ । କହିବାରେ ଲାଗିଛନ୍ତି, ‘‘ଉଠିବାକୁ ହେଲେ, ଆଗେଇବାକୁ ହେଲେ ମୋ ସହିତ ପାଦ ମିଳାଅ–ପାଦ ମିଳାଅ’’–ସବୁ କ୍ଷେତ୍ରରେ ।

Image

 

ପରମାଣୁଠାରୁ ଅଧିକ ଶକ୍ତିଶାଳୀ

 

ରାତି କେତେବେଳୁ ୧୧ଟା ଡେଇଁଗଲାଣି । ସମୟର ଧାର କାଟି ଚାଲିଛି କଥାର ସୁଅ-। ନଜରଟା ପଡ଼ିଗଲା ଘଣ୍ଟା ଉପରେ, ହଠାତ୍ । ଟିକିଏ ବିଚଳିତ ସ୍ୱରରେ ପ୍ରଶ୍ନ କଲି, ‘‘ଆପଣ ଯିବେ କେମିତି ?’’

 

‘‘କାହିଁକି, ମେଟ୍ରୋ, (ଭୂଇଁତଳ ରେଳଗାଡ଼ି) ବସ୍ ? ନ ହେଲେ ଟ୍ୟାକ୍‍ସି ତ ସବୁବେଳେ ରହିଛି–ଅସୁବିଧା କ’ଣ ?’’ ଉତ୍ତର ଦେଲେ ମୋର ବନ୍ଧୁ ।

 

‘‘ଏତେ ରାତିରେ ଟ୍ୟାକ୍‍ସିରେ, ଏକାକୀ ?’’ ବାହାରି ପଡ଼ିଲା ମୋର ମୁହଁରୁ ଛାଏଁ ଛାଏଁ-

 

‘‘ବିପଦ ଆପଦ କଥା କହୁଛନ୍ତି, ଆପଣ’’ ? ଉତ୍ତର ଦେଲେ ସେ, ଟିକିଏ ହସିଦେଇ ।

 

ବାସ୍ତବିକ ତାହାହିଁ ଥିଲା ମୋର ମନ ଭିତରର ଭାବ । କାରଣ, ମୋର ବନ୍ଧୁ ଜଣକ ଜଣେ ମହିଳା । ଉଚ୍ଚ ଡିଗ୍ରୀଧାରିଣୀ, ଦୁଇଟି ସନ୍ତାନର ମା, ବୟସ ବେଶି ନୁହଁ । ଖୁବ୍ ସୁନ୍ଦରୀ ନ ହେଲେ ବି ଆଦୌ ଅସୁନ୍ଦରୀ ନୁହନ୍ତି । ତାଙ୍କ ରହିବା ଜାଗା ମସ୍କୋ ବିଶ୍ୱବିଦ୍ୟାଳୟ ନିକଟରେ । ଆମ ହୋଟେଲଠାରୁ ପ୍ରାୟ ୬ ମାଇଲ, ଏତେ ରାତିରେ ଜଣେ ସ୍ତ୍ରୀଲୋକ ଏକାକୀ ଟ୍ୟାକ୍‍ସିରେ ଯିବ ? ସନ୍ଧ୍ୟା ହେଲେ କଲିକତାର ଟ୍ୟାକ୍‍ସି ଡ଼୍ରାଇଭର ନିଜେ ଅନ୍ୟ ଜଣଙ୍କୁ ସାଙ୍ଗରେ ନ ଧରିଲେ ବାହାରେ ନାହିଁ । ଟ୍ୟାକ୍‍ସି ଡ୍ରାଇଭରକୁ ମାରି ପଇସାପତ୍ର ଛଡ଼ାଇ ନେବା ବିଷୟ ମଝିରେ ମଝିରେ ଖବରକାଗଜରେ ପ୍ରକାଶ ପାଇଥାଏ । ଆଉ ମଧ୍ୟ ଦେଖାଯାଏ, କେଉଁଠି ସ୍ତ୍ରୀଲୋକଙ୍କୁ ଏକାକୀ ଦେଖି ଟ୍ୟାକ୍‍ସି ଡ୍ରାଇଭର ସଙ୍ଗରେ ନେଇ ପଳାଇଲାଣି । ଟ୍ୟାକ୍‍ସି ଖରାପ ହେଲା ବୋଲି ବାହାନା କରି କେଉଁଠି ବା ଡ଼୍ରାଇଭର ତମକୁ ପଛରୁ ଠେଲିବାକୁ ହେବ କହେ, ତେଣେ ଟ୍ୟାକ୍‍ସିରେ ଥିବା ସ୍ତ୍ରୀଲୋକଙ୍କୁ ଧରି ଚମ୍ପଟ କରେ । ବଡ଼ ବଡ଼ ସହରରେ ଏହା ସମୟେ ସମୟେ ଘଟେ, ଆମ ଦେଶରେ; ଏଠାରେ କ’ଣ ସେପରି ବିପଦର ଆଶଙ୍କା ନାହିଁ ?

 

‘‘ମୋତେ ଜଣେ ନାରୀ ଦେଖି ବୋଧହୁଏ ବିପଦର ଆଶଙ୍କା କଥା ଭାବୁଛନ୍ତି ।’’ ଆରମ୍ଭ କଲେ ମୋର ବନ୍ଧୁ ଜଣଙ୍କ । ‘‘ଏଠି ନାରୀ ଦୁର୍ବଳ ଅସହାୟ ନୁହେଁ ଯେ ଜଣେ ତା’ର ସୁଯୋଗ ନେବ । ସେ ସବୁ କ୍ଷେତ୍ରରେ ପୁରୁଷ ସହିତ ସମାନ । ସେ ଯଦି ନିଜକୁ ନିଜେ ଅର୍ପଣ ନ କରେ, କେହି ତାକୁ ସ୍ପର୍ଶ କରି ପାରିବ ନାହିଁ । ତା’ପରେ ଅନ୍ୟ ପକ୍ଷ ପୁଣି ତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ଦରକାର । ଯେଉଁ ନାରୀ ଥରେ ଆତ୍ମସମ୍ମାନ, ସ୍ୱାଧୀନତା ଲାଭ କରିଛି, ସାମାଜିକ ମର୍ଯ୍ୟାଦା ଉପଭୋଗ କରିଛି, ସେ ପୁଣି ନିଜକୁ ଅପମାନିତ କରିବାକୁ ଯିବ କାହିଁକି ? ତା’ପରେ ପୁରୁଷ, ଯିଏ ପ୍ରକୃତ ଆତ୍ମସମ୍ମାନର ଅଧିକାରୀ, ସେ ପୁଣି ତାକୁ ବଳି ଦେବ କିଆଁ ?’’

 

କଥାଗୁଡ଼ାକ ଠିକ୍ ହୋଇପାରେ; ମୋତେ କିନ୍ତୁ କିମିତି କିମିତି ଲାଗିଲା ! ସବୁ ଦେଶରେ ଏମିତି କେତେ ସାଧୁ ସଚୋଟ ଚରିତ୍ରବାନ୍ ବ୍ୟକ୍ତି ଯେ ନାହାନ୍ତି, ତା’ ନୁହେଁ । ୟା’ ବୋଲି ଦେଶଟା ଯାକର ଲୋକ କ’ଣ ଏମିତି ? ରୁଷରେ କ’ଣ ସତରେ ଏହା ଘଟିଛି ? ଏଠାରେ କ’ଣ କୌଣସି ପାପାଚାର, ବ୍ୟଭିଚାର ଆଦି ନାହିଁ ? ଆମ ମଣିଷଙ୍କ କଥା ଛାଡ଼, ଆମର ଦେବତାମାନେ ମଧ୍ୟ ଏଇ ପାପାଚାରରୁ ମୁକ୍ତ ନୁହନ୍ତି, ସ୍ୱର୍ଗରେ ବି ତା’ ରହିଛି । ରୁଷ ସମାଜ କ’ଣ ଆମର ପରିକଳ୍ପିତ ସ୍ୱର୍ଗର ଊର୍ଦ୍ଧ୍ୱରେ ? ଏମିତି କେତେ ପ୍ରଶ୍ନ ଉଠିଲା ମନରେ । ଏବେ ବଦଳିଗଲା ଆମ କଥାର ମୋଡ଼ ।

 

ଆଲୋଚନା ଚାଲିଲା–ପାପ ପ୍ରେମ, ପାପାଚାର, ବ୍ୟଭିଚାର, ନୈତିକତା ଅନୈତିକତା ଘେନି । ବେଶ୍ ଖୋଲାଖୋଲି ସେ ଆଲୋଚନା । ତା’ ମୋତେ ଟାଣିନେଲା ରୁଷର ଭିତର ଜୀବନ ଭିତରେ ଅଧିକ ଅଧିକ ପ୍ରବେଶ କରିବା ଦିଗରେ । ତା’ର ସବିଶେଷ ଅନୁସନ୍ଧାନ ହେଲା ମୋର ଉଦ୍ଦେଶ୍ୟ । ଏହା ପରେ ଯୁଆଡ଼େ ଯାଇଛି, ଯେତେ ଲୋକଙ୍କୁ ଭେଟିଛି, ଏ ବିଷୟଟି ବୁଝିବା ହୋଇଛି ମୋର ଏକ ପ୍ରଧାନ କାମ । ତେଣୁ ମୋର ଆଖି ଖୋଜି ବୁଲିଛି ସମାଜର ନାଳ ନର୍ଦ୍ଦମାକୁ-। ସେମାନେ କିପରି ତା’ ପରିଷ୍କାର କରିଛନ୍ତି, ତାହା ଜାଣିବା ପାଇଁ ।

 

ରୁଷର ଏଇ ସାମାଜିକ ଜୀବନ ନେଇ ଆମ ଦେଶରେ କୁତ୍ସା ଓ ମିଥ୍ୟା ପ୍ରଚାର ସବୁଠାରୁ ଅଧିକ । କାରଣ ରୁଷର ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ଶୋଷଣହୀନ ସାମାଜିକ ବ୍ୟବସ୍ଥାର କୃତିତ୍ୱ ଅତି ସ୍ପଷ୍ଟ । ତା’ର ସଫଳତା ସ୍ୱୀକୃତ, ତାକୁ ଅସ୍ୱୀକାର କରିବାକୁ କାହାର ଚାରା ନାହିଁ । ଶତ ମିଥ୍ୟା ଓ କୁତ୍ସା ପ୍ରଚାର ଦ୍ୱାରା ତାକୁ ଉଡ଼ାଇ ଦିଆଯାଇ ନ ପାରେ । ପୃଥିବୀର ଯେତେ ସବୁ ଦେଶ ନୂଆହୋଇ ସ୍ୱାଧୀନ ହୋଇଛନ୍ତି, ଯେଉଁମାନେ ନିଜକୁ ପ୍ରକୃତ ଅଗ୍ରସର କରିବାକୁ ଚାହାନ୍ତି, ସେ ସମସ୍ତଙ୍କ ଆଖି ଆଜି ରୁଷ ଉପରେ । ସେମାନେ ବିଭିନ୍ନ ବିଭିନ୍ନ ବିଷୟରେ ରୁଷ ଉପରେ ନିର୍ଭରଶୀଳ, ତାର ସାହାଯ୍ୟପ୍ରାର୍ଥୀ । ଆଉ ସାଧାରଣ ଲୋକେ ତା’ର ସମାଜବାଦ ପ୍ରତି ଆକୃଷ୍ଟ; କିନ୍ତୁ ଅଭାବ ରହିଯାଇଛି ଗୋଟିଏ ବିଷୟରେ, ତାର ଭିତିରି ଜୀବନ ସମ୍ପର୍କରେ ଧାରଣା ନେଇ । ଯାହାକୁ କି ଆମ ଦେଶରେ ପାପ, ବ୍ୟଭିଚାର ସାମାଜିକ କଳଙ୍କ, ଅନୈତିକତା ବୋଲି କୁହାଯାଏ । ସେ ସବୁ ଜିନିଷ ରୁଷରେ ଅଛି କି ନାହିଁ, ଥିଲେ କେତେ ମାତ୍ରାରେ ରହିଛି ? ଯଦି ନାହିଁ ତା’ ଦୂର ହେଲା କିପରି ? ସେ ବିଷୟରେ ସାଧାରଣ ଜ୍ଞାନ ଅତି ଊଣା, ନାହିଁ କହିଲେ ଚଳେ । ଅନେକଠାରେ ଅତି ବିକୃତ ଧାରଣା ରହିଛି । ତେଣୁ ରୁଷ ବିରୋଧୀ ପ୍ରଚାରର ତାହାହିଁ ହୁଏ ମୁଖ୍ୟ ଅସ୍ତ୍ର, ପ୍ରଧାନ ଆଧାର ।

 

ଦିନେ ଆମେ ଶୁଣୁଥିଲୁ–ରୁଷରେ ବୁଢ଼ାଲୋକଙ୍କୁ ମାରି ଦିଆହୁଏ । (ଏବେ ଭାରତର ଲୋକେ ରୁଷର ବହୁ ବୁଢ଼ାଲୋକଙ୍କୁ ଦେଖିବାର ସୁଯୋଗ ପାଇଲା ପରେ ସେ ପ୍ରଚାର ଆଉ ନାହିଁ-।) ସେଠାରେ ପରିବାର ବୋଲି କିଛି ନାହିଁ । ସବୁ ସ୍ତ୍ରୀଲୋକଙ୍କୁ କୋଠ କରାଯାଉଛି-। ପ୍ରତ୍ୟେକ ପୁରୁଷ ଯେକୌଣସି ସ୍ତ୍ରୀଲୋକକୁ ଭୋଗ କରିପାରେ । ଯିଏ ଯାହାକୁ ଇଚ୍ଛା କଲା ଘେନି ଯାଇପାରେ । ସରକାରର–ବାପାମା’ଙ୍କ ସହିତ ତାଙ୍କର ସମ୍ପର୍କ ନାହିଁ । ସରକାର ସେମାନଙ୍କୁ ଲାଳନପାଳନ କରେ । ବିବାହ ବୋଲି କିଛି ଗୋଟାଏ ଧରାବନ୍ଧା ଜିନିଷ ନାହିଁ । ଇଚ୍ଛା ହେଲେ ଛାଡ଼ପତ୍ର ହେଲା । ସେ ଦିଗରେ କୌଣସି ବାଧା, କିଛି କଟକଣା ମୁକ୍ତ ଅବାଧ ଯୌନ ସମ୍ପର୍କ ପ୍ରଚଳିତ । ମାଛ ପାଣିରେ ରହିଲା ପରି ରୁଷରେ ଯୌନ ଉଚ୍ଛୃଙ୍ଖଳତା, ବ୍ୟଭିଚାର ଓ ଯାବତୀୟ ପାପ କଳଙ୍କ ଆଦି ବିଦ୍ୟମାନ । ରୁଷ ସମାଜ ଅନୈତିକତା ଓ ପାପାଚାରରେ ପରିପୂର୍ଣ୍ଣ-। ଏ ସବୁ ପ୍ରଚାର ଏପରି ନୀଚ ଓ ଜଘନ୍ୟ ଯେ ଶୁଣିଲା ଲୋକ କାନରେ ହାତ ଦେବ ।

 

ତେଣୁ ଏ ସମ୍ପର୍କରେ ସାଧାରଣ ଲୋକଙ୍କ ମନରେ ବହୁ ପ୍ରଶ୍ନ, ବହୁ ସନ୍ଦେହ, ନାନାପ୍ରକାର ବିକୃତ ଧାରଣା ଜମାଟ ବାନ୍ଧିଛି । ଏହା କେବଳ ଏକ କୌତୂହଳର ପ୍ରଶ୍ନ ନୁହେଁ, ଏହା ଏକ ବିରାଟ ସାମାଜିକ ବିଷୟ । ଏହାର ସମାଧାନ, ଏହାର ଉତ୍ତର ରୁଷ ଭଳି ସମାଜବାଦୀ ସମାଜ ଛଡ଼ା ଅନ୍ୟ କୌଣସି ସମାଜ ଦେବାକୁ ଅସମର୍ଥ ।

 

ଏ ସବୁ ସାମାଜିକ ପାପ, ବ୍ୟଭିଚାର ଅନୈତିକତା ଆଜିର କଥା ନୁହେଁ, କୌଣସି ଗୋଟିଏ ଦେଶର ଖାସ ବିଷୟ ନୁହେଁ, ମଣିଷ ସମାଜର ସୃଷ୍ଟି ଦିନୁ ତା’ ତାହାକୁ ଗୋଡ଼ାଇଛି । ବହୁ ସ୍ତ୍ରୀ ବିବାହ, ବହୁ ପୁରୁଷ ଗମନ, ଗଣିକାପ୍ରଥା, ଅସଂଯତ ଯୌନ ସମ୍ପର୍କ, ପାପଗର୍ଭ, ବ୍ୟଭିଚାର, ଗର୍ଭପାତ, ଛାଡ଼ପତ୍ର, ଯୌନବ୍ୟାଧି, ମାତଲାମି ଇତ୍ୟାଦି ସବୁ ଦେଶରେ, ସବୁ କାଳରେ ରହି ଆସିଛି । କେଉଁଠି ବିଭିନ୍ନ ପ୍ରଥା ପରମ୍ପରା ଦ୍ୱାରା ଏହା ଅନୁମୋଦିତ, କେଉଁଠି ଧର୍ମ ନାମରେ ଏହା ସମର୍ଥିତ, କେଉଁଠି ବା ପରୋକ୍ଷରେ, କେଉଁଠି ବା ଖୋଲାଖୋଲି ଏହା ପ୍ରଚଳିତ । ଆଉ ପ୍ରତ୍ୟେକଠାରେ ନୈତିକତାର ଆବରଣ ତଳେ ଆତ୍ମପ୍ରକାଶ କରିଛି ଜଘନ୍ୟ ପାପ ଓ ବ୍ୟଭିଚାର । ସମାଜକୁ ଟିକିଏ ଉଖାରି ଦିଅ, ଦେଖିବ ଭିତରଟା କିପରି ପୂତିଗନ୍ଧରେ ପୂର୍ଣ୍ଣ, ପଚା ପୂଜରକ୍ତରେ ଭରା ! ଏହାକୁ ଧୋଇବା ଲାଗି ବହୁ କାଳରୁ ଚେଷ୍ଟା ହେଉଛି । ଉପରକୁ ସଭ୍ୟଜଗତରେ ଏହା ସବୁ ଘୃଣ୍ୟ ଓ ନିନ୍ଦନୀୟ । ବହୁ ବହୁ ମୁନି, ଋଷି, ବହୁ ପଣ୍ଡିତ, ଦାର୍ଶନିକ, ବହୁ ଧର୍ମ ପ୍ରଚାରକ ଓ ସମାଜ ସଂସ୍କାରକଗଣ ତେଣୁ ଲାଗିପଡ଼ିଛନ୍ତି ଏହାକୁ ପରିଷ୍କାର କରିବା ଲାଗି । ବହୁ ଉପଦେଶ ଦେଇଛନ୍ତି ଅସତ୍‍ପଥରୁ ନିବୃତ୍ତ ହେବାପାଇଁ । ଅନେକ ଧର୍ମବାଣୀ ଶୁଣାଇଛନ୍ତି, କେତେ କେତେ ସମାଜିକ ନିୟମଶୃଙ୍ଖଳା ବାନ୍ଧିଛନ୍ତି, କିନ୍ତୁ ଏସବୁର ଅବସାନ ଘଟିନାହିଁ । ପ୍ରତିଦିନ ତା’ ବୃଦ୍ଧି ପାଉଛି, ବ୍ୟାପିବାରେ ଲାଗିଛି । ତା’ ଏତେ ପ୍ରବଳ ହୋଇଛି ଯେ ଆଧୁନିକ ସରକାରମାନେ ବି ଅସ୍ଥିର ହୋଇପଡ଼ିଛନ୍ତି ! ଗଣିକାପ୍ରଥାକୁ ରୋକିବା, ବିବାହ ଛାଡ଼ପତ୍ରକୁ ନିୟନ୍ତ୍ରଣ କରିବା, ନିଶା ନିବାରଣ ଗର୍ଭପାତ ଓ ବଳାତ୍କାର ଆଦି ସମ୍ପର୍କରେ ନାନା ଆଇନ ପ୍ରଣୟନ କରିଛନ୍ତି । ଏଥିଲାଗି ଜେଲ, ଜୋରିମାନା ଦଣ୍ଡର ବ୍ୟବସ୍ଥା ମଧ୍ୟ କରୁଛନ୍ତି । ଏହାର ମୂଳକାରଣ ଖୋଜି ବାହାର କରିବା ଓ ତାକୁ ଦୂର କରିବା ପାଇଁ ବହୁ ବିଶେଷଜ୍ଞ, ମନସ୍ତତ୍ତ୍ୱବିତ୍, ଡାକ୍ତର ଓ ସମାଜବିଶାରଦମାନଙ୍କୁ ନିଯୁକ୍ତି କରୁଛନ୍ତି; ଗବେଷଣା ଚାଲିଛି, ସରକାରଙ୍କ ପକ୍ଷରୁ କମିଟି, କମିଶନମାନ ଗଢ଼ା ହେଉଛି, କେତେ କେତେ ସଂସ୍ଥା-ସମିତି ପ୍ରତିଷ୍ଠା ହେଉଛି–କିନ୍ତୁ ଶେଷଫଳ କ’ଣ ?

 

ସବୁଠାରୁ ଉନ୍ନତ ଦେଶ ଆମେରିକା । ସେଠାରେ ଏଇସବୁ ସାମାଜିକ କଳଙ୍କ ଓ ପାପାଚାର ସବୁଠାରୁ ଭୟାନକ ଆକାର ଧାରଣା କଲାଣି । ଏ ସମ୍ପର୍କରେ ବହୁ ତଥ୍ୟ, ଘଟଣାମାନ ପ୍ରାୟ ପ୍ରତିଦିନ ଖବରକାଗଜରେ ପ୍ରକାଶ ପାଏ । ଆମ ଦେଶରେ ଗୋଟିଏ ବିଷୟ ନିଶା ନିବାରଣ ଉପରେ ଜୋର ଦିଆ ହେଉଥିଲା । ମହାତ୍ମାଗାନ୍ଧୀଙ୍କଠାରୁ ଆରମ୍ଭ କରି କଂଗ୍ରେସ ସରକାର ଯାଏ, ସମସ୍ତେ ଲାଗିପଡ଼ିଥିଲେ ନିଶାପାନ ବିରୁଦ୍ଧରେ । ଖୁବ୍ ପ୍ରଚାର ଚାଲିଲା, କଡ଼ା ଆଇନ କଟକଣାମାନ ମଧ୍ୟ ହେଲା, କିନ୍ତୁ ଏବେ ୨୨ବର୍ଷ ପରେ, ମଦ୍ୟପାନ କମିବା ବଦଳରେ ଆହୁରି ଅଧିକ ବଢ଼ିଲା । ଆଗେ ଯେଉଁ ସ୍ତରରେ ନ ଥିଲା, ସେଠି ତା’ ପହଞ୍ଚି ଗଲାଣି । ଶେଷରେ ରାଜ୍ୟ ସରକାରମାନେ ନିଶା ବିବାରଣକୁ କାର୍ଯ୍ୟତଃ ଛାଡ଼ି ସାରିଲେଣି, ଅଧିକ ଟିକସ ଲାଭ ଆଶାରେ ।

 

ସେମିତି ଆଉ ସବୁ କଥା । ଗଣିକାପ୍ରଥା ଆଜି କୌଣସି ଏକ ପଡ଼ା ବା ବସ୍ତିରେ ଆବଦ୍ଧ ନାହିଁ, କେତେକ ହତଭାଗ୍ୟ ସ୍ତ୍ରୀଲୋକଙ୍କଠାରେ କେବଳ ସୀମାବଦ୍ଧ ନୁହେଁ । ତା’ ଅତି ପ୍ରଚ୍ଛନ୍ନ ଭାବରେ ସମାଜର ଅତି ଗଭୀର ପ୍ରଦେଶକୁ ବ୍ୟାପିଲାଣି । ଏପରିକି ଅନେକ କ୍ଷେତ୍ରରେ ତା’ କୁଟୀରଶିଳ୍ପରେ ପରିଣତ ହୋଇଛି । ଯେଉଁ ସମାଜରେ ବହୁ ବିବାହ ପ୍ରଥା ପ୍ରଚଳିତ, ଗଣିକା ବୃତ୍ତି ବିଦ୍ୟମାନ, ନାରୀ ସବୁଠାରୁ ଅସହାୟ ଓ ସ୍ୱାଧୀନତାହୀନ, ବଜାରରେ ଖରିଦବିକ୍ରୀର ସାମାଗ୍ରୀ, ସେଠାରେ ନୈତିକତାର ଆଲୋଚନା ନିଷ୍ପ୍ରୟୋଜନ । ଆମର ସାମାଜିକ ଅନୈତିକତା ଊଣା ଅଧିକେ ସମସ୍ତେ ଜାଣନ୍ତି । ତାହା ଏତେ ଦିହସୁହା ହୋଇଗଲାଣି ଯେ ତା’ ଆଉ କାହାକୁ ବାଧେ ନାହିଁ । ଯେଉଁମାନେ ଭାରତୀୟ ସଭ୍ୟତା, ନୈତିକତା କଥା କହିଥାନ୍ତି, ସେମାନଙ୍କ ଭିତରୁ ଅନେକ ପ୍ରଚ୍ଛନ୍ନ ଭାବେ ଭିତରେ ଭିତରେ ଏଇ ସବୁ ପାପଚାରରେ ଲିପ୍ତ ଓ ତା’ର ସମର୍ଥକ । ଅନେକ କ୍ଷେତ୍ରରେ ପ୍ରଥା, ପରମ୍ପରା, ଧର୍ମ ବା ବିଧିର ଲିଖନ ବୋଲି ତାକୁ ମାନି ନିଆଯାଏ !

 

ପ୍ରଶ୍ନ ହେଉଛି, ଯାହା ସବୁ ସମାଜରେ ଘୃଣ୍ୟ, ନିନ୍ଦନୀୟ; ଯାହା ବିରୁଦ୍ଧରେ ଏତେ ଶିକ୍ଷା, ଉପଦେଶ ଓ ପ୍ରଚାର, ଯାହାକୁ ଆୟତ୍ତ କରିବା ପାଇଁ ଏତେ ଆଇନକାନୁନର କଠୋର ବ୍ୟବସ୍ଥା, ତା’ ପୁଣି ଯୁଗ ଯୁଗ ଧରି ଚଳି ଆସୁଛି, ବୃଦ୍ଧି ପାଉଛି କିପରି ? କିଏ ଏଥିପାଇଁ ଦାୟୀ ? ଏହାକୁ ଦୂର କରିବା ଦିଗରେ ମଣିଷର ଅସମର୍ଥତାର ଭିତ୍ତି କେଉଁଠି ? ଆଜି ମଣିଷ ବିରାଟ କାର୍ଯ୍ୟମାନ ସମ୍ପନ୍ନ କରୁଛି, ଅସମ୍ଭବକୁ ସମ୍ଭବ କରୁଛି, ଗ୍ରହ ଉପଗ୍ରହ ଯାତ୍ରା କରୁଛି, ଚନ୍ଦ୍ରରେ ଅବତରଣ କରୁଛି; ଆଉ ଏପରି ମାରଣାସ୍ତ୍ର ଗଢ଼ିଛି, ଯାହାଦ୍ୱାରା ଏ ପୃଥିବୀରେ ମାନବସତ୍ତାକୁ ଏକାଥରକେ ଲୋପ କରିଦେଇପାରେ । ଅଥଚ ଏହି ସାମାଜିକ କଳଙ୍କକୁ ଲୋପ କରିବାକୁ ସେ ଅକ୍ଷମ କାହିଁକି ? କେଉଁଠି ତା’ର ଦୁର୍ବଳତା ? ଯିଏ ପରମାଣୁକୁ ଆୟତ୍ତ କରେ, ସେ ପାପକୁ ଆୟତ୍ତ କାରିବାକୁ ଅସମର୍ଥ ? କ’ଣ ଏହାର କାରଣ ?

 

ଏହାର ଉତ୍ତର ଦେଇଛି ସୋଭିଏତ ରୁଷ । ଯୁଗ ଯୁଗ ହେଲା ମଣିଷ ଯାହା କରିପାରି ନ ଥିଲା, ସେ ତାହା ସାଧନ କରିଛି । ଅନେକେ ଅଛନ୍ତି, ଯେଉଁମାନେ ରୁଷରେ ଏଇସବୁ ସାମାଜିକ ମଇଳା, ଆବର୍ଜନା ଦେଖିବାକୁ ଭାରି ବ୍ୟାକୁଳ । ତାକୁ ପ୍ରଚାର କରିବାକୁ ଅତି ବ୍ୟଗ୍ର । ଅଥଚ ନିଜର ଆବର୍ଜନା ବିଷୟରେ ସେମାନେ ଟିକିଏ ହେଲେ ଚିନ୍ତିତ ନୁହନ୍ତି । ତାକୁ ଘୋଡ଼ାଇବା ବା ଭିତରେ ଭିତରେ ବୃଦ୍ଧି କରିବାରେ ହିଁ ତାଙ୍କର ଆନନ୍ଦ । କିନ୍ତୁ ରୁଷ କେବେ ହେଲେ ଏ ସାମାଜିକ କଳଙ୍କ ଆବର୍ଜନାକୁ ଘୋଡ଼ାଇବାକୁ ଚେଷ୍ଟା କରିନାହିଁ, ସେଠି ଶଠ କପଟତାର ସ୍ଥାନ ନାହିଁ । ଲେନିନ୍ କହିଥିଲେ, ‘‘ଏ କ୍ଷେତ୍ରରେ ରୁଷ ଓ ଅନ୍ୟ ଦେଶମାନଙ୍କ ଭିତରେ ଏକମାତ୍ର ଫରକ ହେଲା ଯେ ଆମର ଆଇନକାନୁନ କପଟ, ପ୍ରତାରଣା, ନାରୀ ଓ ତା’ର ଶିଶୁମାନଙ୍କର ଚରିତ୍ରହୀନତାକୁ ସୁପବିତ୍ର ବୋଲି ଘୋଷଣା କରେ ନାହିଁ, ସରକାର ନିଜେ ନିଜ ଆଡ଼ୁ ସମସ୍ତ କପଟ ପ୍ରତାରଣା ଓ ଚରିତ୍ରହୀନତା ବିରୁଦ୍ଧରେ ଧାରାବାହିକ ବିଧିବଦ୍ଧ ଯୁଦ୍ଧ ଘୋଷଣା କରେ ।’’ ତେଣୁ ସେ ତାକୁ ଖୋଲି ଦେଇଛି, ତନ୍ନତନ୍ନ କରି ମେଲିଦେଇଛି ସମସ୍ତଙ୍କ ଆଗରେ, ତା’ ସଙ୍ଗେ ସଙ୍ଗେ ଉଦ୍‍ଘାଟନ କରିଛି ତା’ର ଯୁଗ ଯୁଗର ବଦ୍ଧମୂଳ ଭିତ୍ତିକୁ । କାରଣ, ସକଳ ପାପ, ବ୍ୟଭିଚାର ଅନ୍ଧାରି ଜଗତର କାମ; ତା’ ଅନ୍ଧାରରେ, ସମାଜର ତଳେ ତଳେ ଜନ୍ମ ନିଏ; ସେଇ ଅନ୍ଧାର ଭିତରେ ହିଁ ଆପଣାକୁ ବୃଦ୍ଧି କରେ । ତେଣୁ ତାକୁ ସେ ଘେନି ଆସିଛି ଆଲୁଅକୁ, ସମସ୍ତଙ୍କ ସମ୍ମୁଖକୁ, ଆଲୋଚନା କରିଛି ତା’ର କାରଣ, ତାକୁ ଲୋପକରିବା ଦିଗରେ ନେଇଛି ଦୃଢ଼ ପଦକ୍ଷେପ; ଧ୍ୱଂସ କରିଦେଇଛି ତାର ସାମାଜିକ ଭିତ୍ତିକୁ ଚିରଦିନ ପାଇଁ ।

 

ସେ ସବୁ କଳଙ୍କ ଆବର୍ଜନା ଆଜି ରୁଷ ସମାଜରୁ ବିଲୁପ୍ତ, ଇତିହାସର ବସ୍ତୁ । ଯେଉଁମାନେ ରୁଷରୁ ଆବର୍ଜନା ଉପଭୋଗ କରିବାକୁ ଚାହାନ୍ତି; ସେମାନେ ନିଶ୍ଚୟ ଏଥିରେ ଦୁଃଖିତ ଓ ହତାଶ ହେବେ । ଯେଉଁମାନେ ସାମାଜିକ ଆବର୍ଜନା ସାଫ୍ କରିବାର ପକ୍ଷପାତୀ, ସୁସ୍ଥ ସୁନ୍ଦର ନୈତିକ ଜୀବନ ଗଠନ ଯେଉଁମାନଙ୍କର ଉଦ୍ଦେଶ୍ୟ, ସେମାନେ ଦେଖିବେ, ତା’ର ସମାଧାନର ବାଟ-। ରୁଷର ଲୋକମାନେ ଦେବତା ନୁହନ୍ତି । ସେମାନେ ଆମରି ଭଳି ଦିନେ ସମସ୍ତ ସାମାଜିକ କଳଙ୍କ ଆବର୍ଜନାପୂର୍ଣ୍ଣ ସମାଜରେ ପଡ଼ିଥିଲେ । ଆମଠାରୁ ଅଧିକ ପାପ ବ୍ୟଭିଚାର କଳଙ୍କରେ ନିମଗ୍ନ ଥିଲେ । କିନ୍ତୁ ସେ ସମାଜ ଆଜି ନାହିଁ, ନାହିଁ କାହିଁକି ? ତା’ ହେଲା କିପରି ?

 

ସମସ୍ତେ ପାପ, ବ୍ୟଭିଚାର, ସାମାଜିକ କଳଙ୍କ ଅନୈତିକତା କଥା କହନ୍ତି । ତା’ ବିରୁଦ୍ଧରେ ମତ ପ୍ରକାଶ କରନ୍ତି । ପାପୀ ଧରାପଡ଼ିଲେ, ତାକୁ ଘୃଣା କରନ୍ତି । ଏପରିକି ତା’ ପ୍ରତି ଶାସ୍ତି ବିଧାନ କରିଥାଆନ୍ତି । ଅଥଚ ଯେଉଁ ସମାଜ, ସାମାଜିକ ବ୍ୟବସ୍ଥା ପାପ ବ୍ୟଭିଚାରକୁ ଜନ୍ମଦିଏ, ତାକୁ ଯତ୍ନର ସହିତ ଲାଳନ ପାଳନ କରେ, ତାକୁ ବୃଦ୍ଧି ଓ ବିକାଶ କରାଏ, ସେମାନେ ତାକୁ ଆଘାତ କରନ୍ତି ନାହିଁ, ବରଂ ସମସ୍ତ ପ୍ରକାର ସାହାଯ୍ୟ କରନ୍ତି ଓ ତାକୁ ସମସ୍ତ ଶକ୍ତିଦେଇ ରକ୍ଷାକରନ୍ତି । କାରଣ ସେଇ ସାମାଜିକ ବ୍ୟବସ୍ଥା ସହିତ ତାଙ୍କର ସ୍ୱାର୍ଥ ଯେଉଁ ସମାଜରୁ ଉଦ୍ଭବ ସେ ସମାଜକୁ ଆଗ ଲୋପ କରିବାକୁ ହେବ; କିନ୍ତୁ ସେମାନେ ଚାହାନ୍ତି ଠିକ୍‍ ସେଇ ସାମାଜିକ ବ୍ୟବସ୍ଥାର ସୁରକ୍ଷା । ତାଙ୍କର ସବୁ ଆଇନକାନୁନ ଉଦ୍ୟମ ପ୍ରଚେଷ୍ଟା ସେଇ ସମାଜକୁ ଧରିରଖିବା ଯେତେ ପାପକୁ ଆକ୍ରମଣ କଲେ ବି ତା’ ଭିତରେ ଭିତରେ ବଢ଼ିବାରେ ଲାଗିଥାଏ । ଶେଷରେ ତା ସମାଜର ଗୋଟାଏ ଅଙ୍ଗ ହୋଇଉଠେ । ଏଇଟି ହେଲା ଅସଲ ମୌଳିକ ବିଷୟ । ଏହାକୁ କେତେ ଜଣ ଦେଖନ୍ତି ?

 

ରୁଷ ଧ୍ୱଂସ କରିଛି ସେଇ ଅନ୍ୟାୟ ଅତୀତର ସମାଜକୁ–ପାପ ବ୍ୟଭିଚାର ଓ ଅନୈତିକତାର ମୂଳଭିତ୍ତିକୁ । ମୂଳ ଛିଣ୍ଡିଗଲା ପରେ ତେଣିକି ଡାଳକୁ କାଟିବା ସହଜ । ତା କେବଳ ସମୟସାପେକ୍ଷ ମାତ୍ର । ତାହା ସମ୍ଭବ ହୋଇଛି, କାରଣ ସେ ଅସ୍ତ୍ର ପରମାଣୁଠାରୁ ଅଧିକ ଶକ୍ତିଶାଳୀ-

Image

 

ପୂର୍ବତନ ରୁଷରେ ପାପାଚାର

 

ସେ ବହୁଦିନ ତଳର କଥା, ପ୍ରାୟ ୩୬ ବର୍ଷ ହେବ । କଲିକତାର ସହରତଳ, ହାଉଡ଼ାର ଏକ ବସ୍ତି ଭିତର ଦେଇ ଆମେ ଯାଉଛୁ । ମୋ ସାଙ୍ଗରେ ଥାନ୍ତି ଶ୍ରମିକନେତା କୃପାସିନ୍ଧୁ ଖୁଣ୍ଟିଆ । ସେ ଏବେ ପରଲୋକରେ, ସେତେବେଳେ କଲିକତାର ଶ୍ରମିକ ଆନ୍ଦୋଳନରେ ଲାଗିଥାନ୍ତି । ସେ ଗଲେଣି ରହିଛି କେବଳ ତାଙ୍କର ସ୍ମୃତି ।

 

ସେଇ ସ୍ମୃତିର ଗୋଟାଏ ଖିଅ ଏଇଟା । ସେଇଟା ଶ୍ରମିକ ବସ୍ତି କି ଗଣିକାପଡ଼ା କହିବା କଷ୍ଟ । ମଣିଷ ସବୁ ଆବର୍ଜନାକୁ ଗୋଟାଏ ଠେଇଁ ଗଦେଇ ଦିଏ । ସମାଜ ସବୁ ପତିତ, ପରିତ୍ୟକ୍ତ ଓ ସର୍ବହରାଙ୍କୁ ଜମେଇ ଦେଇଛି ଏଇଠି, ଏକାଠି କରି । ଜଣେ ନିଜର ଦେହ ବିକେ, ଅନ୍ୟ ଜଣେ ବିକେ ନିଜ ଦେହର ଶ୍ରମ କରିବାର ଶକ୍ତିକୁ । ସବୁ କିନ୍ତୁ ସେଇ ଦେହର ରକ୍ଷାଲାଗି । ମଣିଷ ନିଜର ଦେହ, ସବୁଠାରୁ ଯାହାକୁ ବେଶି ଭଲ ପାଏ, ତାକୁହିଁ ବିକ୍ରି କରେ–ତା’ରି ରକ୍ଷାଲାଗି ବୀଭତ୍ସ ଏ ସମାଜର କି ବୀଭତ୍ସ ପରିହାସ । ଏଇଠି ପ୍ରକାଶ ପାଏ ଦ୍ୱନ୍ଦ୍ୱ–ମଣିଷରୁ ମଣିଷର ନିର୍ବାସନ–ଅତି ପାଖା ପାଖି ସେମାନେ, ଜଣକୁ ଭେଟିବାକୁ ଗଲେ ଭେଟ ପାଇବ ଅନ୍ୟ ଜଣଙ୍କର ।

 

ସନ୍ଧ୍ୟା ସମୟ, ଖୋଲିଛି ଦେହ କିଣାବିକାର ବଜାର । ‘‘ଆଠଅଣା ମେ ହୋଇ ?’’ ଉତ୍ତର ଆସିଛି ‘‘ନା ହୋଇ’’,‘‘ଦଶଅଣା ମେ ହୋଇ’’–‘‘ନା ହୋଇ’’ । ବିଚ୍ ରାସ୍ତାରେ, ଠିକ୍ ହାଟରେ ମୂଲେଇଲା ଭଳି । ଦର ପଟୁନାହିଁ ଗରାଖ ଫେରି ଆସୁଛି । ପୁଣି ଟିକିଏ ବୁଲିପଡ଼ି କଣେଇ କଣେଇ ଚାହୁଁଛି, ଆଉ ଗୋଟାଏ ଦାମ କହୁଛି । ଏଇ ଭିଡ଼ା ଓଟରା ଭିତରେ ଛିଣ୍ଡୁଛି ଦର । ଏ ସମାଜରେ ମଣିଷର କି ଅବାଧ ସ୍ୱାଧୀନତା ! ସେ ନିଜକୁ ବି ବିକ୍ରି କରି ଦେଇପାରେ ସ୍ୱଇଚ୍ଛାରେ-। କୌଣସି ବାଧ୍ୟ ବାଧକତା ନାହିଁ ! ସମ୍ପୂର୍ଣ୍ଣ ସ୍ୱାଧୀନ ସିଏ । ଆମ ସମାଜର କି ମହାନ୍ ନୈତିକତା !

 

ଶେଷରେ କ’ଣ ହେଲା ଜାଣୁ ନାହିଁ । ସେତେବେଳକୁ ଆମେ ବହୁ ଦୂରକୁ ଆଗେଇ ଗଲୁଣି । ତେବେ ସେଇଦିନୁ କଥାଟା ଜମାଟ ବାନ୍ଧିଗଲା ମନରେ । ଦୁହେଁ ଭେଟାଭେଟି ହେଲେ ଅନେକ ସମୟରେ ‘‘ହୋଇ’’, ‘‘ନା ହୋଇ’’ କହି ପରସ୍ପରକୁ ଥଟ୍ଟା କରିଥାଉଁ । ସଦିନ କିନ୍ତୁ ହସି ନ ଥିଲୁ । ଚାଲିଲା ଭିତରେ ଦୁହେଁ ଆଲୋଚନାରେ ଲାଗିପଡ଼ିଥିଲୁ କିପରି ଗଣିକାପ୍ରଥା ଲୋପ କରିବାକୁ ହେବ । ଚାଷୀ ମୂଲିଆ ସରକାର ହେଲେ ଆମେ ସଙ୍ଗେ ସଙ୍ଗେ ଏହାକୁ ଲୋପ କରିଦେବା, କଡ଼ା ଆଇନ୍‍ କରି ଜବରଦସ୍ତି ବନ୍ଦ କରିଦେବା; ଏହା ହିଁ ଥିଲା ଆମର ନିଷ୍ପତ୍ତି । ଉଦ୍ଦାମ ଯୌବନର ଆଦର୍ଶଗତ ଭାବପ୍ରବଣତା ମାତ୍ର । ତାହା ଯେ କି ଭୟାନକ ସାମାଜିକ ବ୍ୟାଧି, ତା’ ଦୂର କରିବା ଯେ କେଡ଼େ ଦୁରୁହ ବ୍ୟାପାର, ସେତେବେଳେ ତା’ ଆମ ମୁଣ୍ଡକୁ ଢୁକି ନ ଥିଲା । ବାସ୍ତବିକ ମୁଁ ବି ଏହାର ଗୁରୁତ୍ୱ ବୁଝି ନ ଥିଲି ରୁଷର ସେ ପରୀକ୍ଷା ଭିତରେ ନ ପଶିଲା ଯାଏ ।

 

ଏ ଗଣିକାପ୍ରଥା କେବଳ ଆମର ମର୍ତ୍ତ୍ୟରେ ନାହିଁ, ସ୍ୱର୍ଗ ରାଜ୍ୟରେ ବି ପ୍ରଚଳିତ । ଅନେକେ ମର୍ତ୍ତ୍ୟର ପାପ କଳଙ୍କରେ ବ୍ୟତିବ୍ୟସ୍ତ ହୋଇ ତ୍ରାହି ପାଇବା ପାଇଁ ସ୍ୱର୍ଗକୁ ଅନାନ୍ତି । କେମିତି ସ୍ୱର୍ଗକୁ ଯିବେ, ସେଥିଲାଗି ନାନାଦି ଉପାୟ କରନ୍ତି, ଦେବାଦେବୀଙ୍କୁ ଲାଞ୍ଚ ଯାଚନ୍ତି କିନ୍ତୁ ମର୍ତ୍ତ୍ୟର ପାପ କଳଙ୍କରୁ ସ୍ୱର୍ଗରାଜ୍ୟ ମୁକ୍ତ ନୁହେଁ, ତା’ ସ୍ୱର୍ଗରେ କେବଳ ସ୍ୱର୍ଗୀୟ ରୂପ ନେଇଛି, ରମ୍ଭା, ମେନକା, ଉର୍ବଶୀ ପ୍ରଭୃତି ସେଠି ବିରାଜମାନ, ଗଣିକାପ୍ରଥା ପ୍ରଚଳିତ । ଯେହେତୁ ସେମାନେ ଦେବଭୋଗ୍ୟା, ତେଣୁ ସେମାନେ ପବିତ୍ର । ତାଙ୍କ ପାଖକୁ ଯିବାରେ କୌଣସି ପାପ ନାହିଁ, ବରଂ ସେଥିଲାଗି ବହୁ ପୁଣ୍ୟ, ବହୁ ତପସ୍ୟା ଲୋଡ଼ା । ଆଗେ ଅନେକ ସମୟରେ ସ୍ୱର୍ଗରୁ ଏମାନେ ମର୍ତ୍ତ୍ୟକୁ ଆସୁଥିଲେ କିନ୍ତୁ ସାଧାରଣ ଲୋକେ ତାଙ୍କର ସ୍ପର୍ଶ ପାଉ ନ ଥିଲେ, ସେମାନେ ଯାଉଥିଲେ ବଡ଼ବଡ଼ ରାଜା, ମୁନି ଋଷି ପ୍ରଭୃତି ବିଶିଷ୍ଟ ଲୋକଙ୍କ ପାଖକୁ । ସ୍ୱର୍ଗର ରାଜା ଇନ୍ଦ୍ର ବି କାର୍ଯ୍ୟ ସିଦ୍ଧି ଲାଗି ଏମାନଙ୍କୁ ପ୍ରେରଣ କରୁଥିଲେ । ଯେଉଁମାନେ ତାଙ୍କର ଇନ୍ଦ୍ରପଦ ନେବାପାଇଁ ତପସ୍ୟା କରୁଥିଲେ, ଏ ଗଣିକାମାନେ ଯାଇ ତାଙ୍କ ତପସ୍ୟା ଭଗ୍ନ କରୁଥିଲେ । ରାଜାମାନଙ୍କ ରାଜତ୍ୱ ରକ୍ଷାଲାଗି ମଧ୍ୟ ଗଣିକା ମାନଙ୍କର ଆବଶ୍ୟକତା । ଏଇ ଆବଶ୍ୟକତା ଏକ ନୀତିଗତ ଭାବେ ସ୍ୱୀକୃତ ହୋଇଛି କୌଟିଲ୍ୟ ଅର୍ଥଶାସ୍ତ୍ରରେ । କୌଟିଲ୍ୟ ରାଷ୍ଟ୍ର ଗଠନର ସର୍ବପ୍ରଥମ ପ୍ରଧାନ ନିୟାମକ । ରାଷ୍ଟ୍ରଶାସନ ବିଷୟରେ ଯେଉଁ ନିୟମ ସେ ବାନ୍ଧିଛନ୍ତି ସେଥିରେ ରାଜା ଓ ରାଜ୍ୟଶାସକ ଦୃଷ୍ଟିରୁ ଗଣିକାମାନଙ୍କୁ ବ୍ୟବହାରର ନୀତି ଉଲ୍ଲେଖ କରିଛନ୍ତି । ଏହା ଏବେ ଆଉ ରାଷ୍ଟ୍ର ସ୍ତରରେ ନାହିଁ, ବ୍ୟକ୍ତିଗତ ସ୍ତରକୁ ଆସି ଗଲାଣି । ପରିମିଟ୍, ଲାଇସେନ୍‍ସ, ପଦୋନ୍ନତି ଇତ୍ୟାଦି ହାସଲ ଲାଗି ଏମାନଙ୍କୁ ବ୍ୟବହାର କରିବା ଆଜି ସମାଜରେ ଗୋଟାଏ ରୀତି ହୋଇଗଲାଣି । ଲୋକ ଅଛନ୍ତି ଯିଏ କି ସ୍ୱାର୍ଥଲାଗି ଆପଣା ଝିଅବୋହୂକୁ ମଧ୍ୟ ଲଗାଇଦିଅନ୍ତି ।

 

ଏଥିରେ ବା ଦୋଷ କେଉଁଠି ? ତା’ର ସ୍ୱର୍ଗୀୟ ଚଳଣି । ମର୍ତ୍ତ୍ୟରେ କାହିଁକି ବା ସେସବୁ ପାପ ବ୍ୟଭିଚାର ବୋଲି ଗଣ୍ୟ ହେବ । ଯେତେ ଇନ୍ଦ୍ର ଗଲେ ବି ଶଚୀ ହେଲା ଜଣେ । ତାଙ୍କର ଆଉ ବଦଳି ନାହିଁ । ମର୍ତ୍ତ୍ୟରେ ବହୁ ପୁରୁଷ ଗମନ ବା କାହିଁକି ଦୋଷାବହ ହେବ ? ଦେବତା ଅଛନ୍ତି, ଯାହାଙ୍କର ସ୍ତ୍ରୀ ସଂଖ୍ୟା ଏକାଧିକ । ସେଥିରେ ବି ସେମାନେ ସନ୍ତୁଷ୍ଟ ନୁହନ୍ତି, ଅନ୍ୟ ସ୍ତ୍ରୀ ହରଣ କରିଥା’ନ୍ତି । ମର୍ତ୍ତ୍ୟକୁ ଆସି ମାନବଙ୍କ ସ୍ତ୍ରୀଙ୍କୁ ମଧ୍ୟ ସମ୍ଭୋଗ କରନ୍ତି । କଳିଯୁଗରେ ଏ ସବୁ ଦେବତା କାଠ ପଥର ପାଲଟି ଗଲେ । ହେଲେ ବି ତାଙ୍କର ସେ ଗୁଣ ଗଲା ନାହିଁ । ସେମାନେ ଯେତେବେଳେ କେଉଁଆଡ଼େ ଯାଇ ଆସି ପାରିଲେ ନାହିଁ, ସେତେବେଳେ ତାଙ୍କ ଲାଗି ଦେବଦାସୀ ଖଞ୍ଜାଗଲେ, ତା’ ନ ହେଲେ ସେମାନେ ପୁଣି ଚଳିବେ କିପରି । ତାକୁ ଆଶ୍ରା କରୁଥିବା ଏ ସମାଜଟା ପୁଣି ଚଳିବ କିମିତି ?

 

ଏହା ହେଲା ସ୍ୱର୍ଗର ଚଳଣି, ସ୍ୱର୍ଗୀୟ ନୀତି-ପାପ, ବ୍ୟଭିଚାର ନୁହେଁ, ଅତୀବ ପବିତ୍ର । ସ୍ୱର୍ଗ ସମାଜରେ ଯାହା ଅପରିହାର୍ଯ୍ୟ, ମର୍ତ୍ତ୍ୟରେ ତା ପରିତ୍ୟଜ୍ୟ ହେବ କାହିଁକି ? ତାକୁ ମର୍ତ୍ତ୍ୟରେ ବା ଚଳାଇବାରେ ଆପତ୍ତି କ’ଣ ? ଯାହା ସ୍ୱର୍ଗରେ ଦୂର ହୋଇ ନାହିଁ, ତା’ ମର୍ତ୍ତ୍ୟରେ ଲୋପ ହେବ କିପରି ? ଯାହାକୁ ଛାଡ଼ିବା ଦେବତାଙ୍କ ପକ୍ଷରେ ସମ୍ଭବ ନୁହେଁ, ତା’ ପୁଣି ମାନବ ପକ୍ଷରେ କିପରି ବା ସମ୍ଭବ ହେବ ? ରୁଷରେ ଏହା ଲୋପ ହୋଇଛି, କିଏ ବା ୟାକୁ ସହଜରେ ବିଶ୍ୱାସ ଯିବ । ତା’ପରେ ପୁଣି ମଣିଷର ପ୍ରବୃତ୍ତି ବିଶେଷ କରି ଯୌନ ପ୍ରବୃତ୍ତି । ଏହା କ’ଣ ବଦଳିପାରେ ? କଥାରେ ଅଛି ମଣିଷ ପ୍ରକୃତି ମଲେ ଯାଏ । ତା’ ପୁଣି ଜୀଇଲା ଅବସ୍ଥାରେ ଯିବ ? ବାସ୍ତବିକ ବଡ଼ ଚରିତ୍ର, ବଡ଼ ଆଶ୍ଚର୍ଯ୍ୟ ସେ କଥା ! ରୁଷରେ ଗଣିକାପ୍ରଥା ନାହିଁ, ଏଇଟା ଯେତେ ବଡ଼ କଥା ନୁହେଁ, ପ୍ରଧାନ ବିଷୟ ହେଲା ସେ ତା’ ହାସଲ କରିଛି କିପରି ? –ସେଥିଲାଗି ସେ କରିଛି କଅଣ ? ବଡ଼ କୌତୂହଳପୂର୍ଣ୍ଣ ସେ ବିଷୟ ! ବଡ଼ ବିସ୍ମୟକର ସେ ପରୀକ୍ଷା, ଶିକ୍ଷଣୀୟ ତା’ର ଅଭିଜ୍ଞତା–ଆମ ସମସ୍ତଙ୍କ ପାଇଁ–ଆମର ସମାଜ ଲାଗି ।

Image

 

ସ୍ୱର୍ଗରେ ସମ୍ଭବ ନୁହଁ, ମର୍ତ୍ତ୍ୟରେ

 

ରୁଷ କିଛି ମାନବ ସମାଜରୁ ବାହାର ନୁହେଁ । ସବୁ ଦେଶପରି ଦିନେ ସେଠି ବି ଗଣିକାପ୍ରଥା, ପାପ, ବ୍ୟଭିଚାର ଆଦି ରହିଥିଲା । ଜମାଟ ବାନ୍ଧିଥିଲା ସମସ୍ତ ପ୍ରକାର ସାମାଜିକ କଳଙ୍କ । ତାହା ସାରା ଦେଶଟାକୁ ଗ୍ରାସି ଦେଇଥିଲା । କେବଳ ପେଟ୍ରୋଗ୍ରାଦ (ବର୍ତ୍ତମାନର ଲେନିନଗ୍ରାଦ) ସହରରେ ୬୦ ହଜାର ଗଣିକା ବାସ କରୁଥିଲେ । ଏମାନେ ହେଲେ ଲାଇସେନ୍‍ସକାରିଣୀ । ବିନା ଲାଇସେନ୍‍ସରେ ବ୍ୟବସାୟରତ ସ୍ତ୍ରୀଲୋକଙ୍କ ସଂଖ୍ୟା ଏହାଠାରୁ ଢେର୍‍ ବେଶି । ଏମାନଙ୍କ ମଧ୍ୟରେ ଅଳ୍ପ ବୟସର ବାଳିକାମାନଙ୍କ ସଂଖ୍ୟା ପୁଣି ଅଧିକ । ଅଠର ବର୍ଷ ନ ପୁରୁଣୁ ଏମାନଙ୍କ ମଧ୍ୟରୁ ଅଧିକାଂଶ ପାପାଳୟରେ ପହଞ୍ଚି ଯାଉଥିଲେ । ଏପରିକି ୧୪ବର୍ଷର ଝିଅକୁ ବି ରାସ୍ତାକଡ଼ରେ ଠିଆହେବାର ଦେଖାଯାଇଥିଲା । ଊଣା ଅଧିକେ ଏଇ ଥିଲା ସବୁ ସହର ମଫସଲର ଅବସ୍ଥା । ଏହା ସାଙ୍ଗକୁ ପ୍ରବଳଭାବେ ବ୍ୟାପିଥିଲା ମଦର କାରବାର । ସାନ ସାନ ପିଲା, ଯୁବକସବୁ ଅଧିକ ସଂଖ୍ୟାରେ ସୁରାସକ୍ତ ଥିଲେ । ମଦ ଓ ଗଣିକା ସାଙ୍ଗକୁ ପୁଣି ଆନୁଷଙ୍ଗିକ କାମ–ଗୁଣ୍ଡାମି, ଚୋରି, ଡକାୟତି ଲାଗିଥିଲା । ରୁଷ ବିପ୍ଳବ ପୂର୍ବର ୨୦ ବର୍ଷ ଭିତରେ କେବଳ ଯୌନ ଅପରାଧୀ ସଂଖ୍ୟା ବୃଦ୍ଧି ପାଇଥିଲା ୩ ଗୁଣ । ମୋଟିମୋଟି ଏହା ଥିଲା ସେ ସମୟରେ ରୁଷର ସାମାଜିକ ଚିତ୍ର । ଏହା ୧୯୧୭ ବିପ୍ଳବ ପୂର୍ବର କଥା ।

 

ସେତେବେଳେ ଜାର ସମ୍ରାଟଙ୍କ ଶାସନ । ପ୍ରତ୍ୟେକ ଲୋକକୁ ଗୋଟାଏ ଚିହ୍ନଟ କାର୍ଡ଼ ନେବାକୁ ପଡ଼ୁଥାଏ । ତା’ ପୋଲିସ ନିକଟରୁ ସେମାନେ ନିଅନ୍ତି । ସେଇଟା ବାଧ୍ୟତାମୂଳକ । ସେ କାର୍ଡ଼କୁ ସଦାସର୍ବଦା ପାଖରେ ରଖିବାକୁ ହେବ, ନ ହେଲେ ଦଣ୍ଡ ଭୋଗିବାକୁ ପଡ଼ିବ । ବିପ୍ଳବୀ ଲୋକଙ୍କୁ ଧରିବା ଲାଗି ଏହା ଥିଲା ଗୋଟାଏ ଉପାୟ । ଯେପରି କେହି ନାମ ଠିକଣା ବଦଳାଇ ଲୁଚି ଖସିଯାଇ ପାରିବ ନାହିଁ । ଗଣିକାମାନଙ୍କ ଲାଗି ଠିକ୍ ଏଇପରି ଏକ କାର୍ଡ଼ର ବ୍ୟବସ୍ଥା ଥିଲା । କିନ୍ତୁ ତା’ର ରଙ୍ଗ ହଳଦିଆ । ‘‘ହଳଦିଆ କାର୍ଡ଼’’ ମାନେ ଗଣିକା, ସେତେବେଳେ ସେ ଶବ୍ଦଟା ଗୋଟାଏ ରୂଢ଼ ପ୍ରୟୋଗରେ ପରିଣତ ହୋଇଥିଲା । ପ୍ରତ୍ୟେକ ଦେହ ବିକ୍ରୟକାରୀ ସ୍ତ୍ରୀଲୋକ ଏହା ନିଜ ପାଖରେ ରଖିବାକୁ ବାଧ୍ୟ, ନ ହେଲେ ଦଣ୍ଡ ଭୋଗିବ ।

 

ସାଧାରଣ ଲୋକଙ୍କ ଲାଗି ଚିହ୍ନଟ କାର୍ଡ଼ ଗୋଟାଏ ପରମିଟ୍ । ଗଲା ଆଇଲା ବେଳେ ପୋଲିସ ତାକୁ ଦେଖେ । ଚାକିରିବାକିରି ପ୍ରତ୍ୟେକ କ୍ଷେତ୍ରରେ ତା’ର ଦରକାର । ଏ କାର୍ଡ଼ ବିନା ଲୋକର କୌଣସି ନାଗରିକ ଅଧିକାର ନାହିଁ । ତା’ର କୌଣସି କଥା ଗ୍ରାହ୍ୟ ନୁହେଁ । ସେଇପରି ନାଗରିକ ଅଧିକାରହୀନ ହେଲେ ସେଇ ‘‘ହଳଦିଆ କାର୍ଡ଼ବାଲିମାନେ’’, ଯିଏ ଥରେ ତା’ ଗ୍ରହଣ କଲା, ଇହଜନ୍ମରେ ସେଥିରୁ ଆଉ ତା’ର ଉଦ୍ଧାର ନାହିଁ । ଯିଏ ଥରେ ଦେହ ବିକ୍ରି କଲା ସେ ବଞ୍ଚିଥିଲା ଯାଏ, ତା’ କରିବାକୁ ବାଧ୍ୟ । ଏହା ହେଲା ଏ ଆଇନର ପରିଣତି । ଦେହ ବିକ୍ରୟର ଲାଇସେନ୍‍ସ ‘‘ହଳଦିଆ କାର୍ଡ଼’’ । ଏହାଦ୍ୱାରା ସରକାର ଜଣାଇଦିଏ ଗଣିକାବୃତ୍ତି ସମାଜର ଏକ ଆବଶ୍ୟକତା । ସମାଜର ମଙ୍ଗଳ ଓ ହିତ ଦୃଷ୍ଟିରୁ ବାଞ୍ଛନୀୟ । ତା’ ବିନା ସମାଜ ଚଳି ନ ପାରେ । ତେଣୁ ଲାଇସେନ୍‍ସ ନେଇ ବ୍ୟବସାୟ କର । ଉକ୍ତ ବ୍ୟବସାୟ ଆଇନ ଦ୍ୱାରା ନିୟନ୍ତ୍ରିତ । ତା’ ଯେପରି ସବୁବେଳେ ଲାଗି ରହିଥାଏ, ସେଥିଲାଗି ଉକ୍ତ ଲାଇସେନ୍‍ସ ଓ ନିୟମ ।

 

ଆଇନ ଅନୁସାରେ ସମାଜରେ ଏମାନଙ୍କର କୌଣସି ଦାବି ବା ଅଧିକାର ନାହିଁ । ସେମାନେ ମଣିଷ ବୋଲି ଗଣ୍ୟ ହୁଅନ୍ତି ନାହିଁ । ଚିରଦିନ ସେଇପରି ନର୍କକୁଣ୍ଡରେ ଘାଣ୍ଟି ହେବାକୁ ବାଧ୍ୟ । ଚାହିଁଲେ ସେମାନେ ଗଣିକା ବୃତ୍ତି ଛାଡ଼ିଦେଇ ଅନ୍ୟ ସମ୍ମାନଜନକ କାର୍ଯ୍ୟ ଗ୍ରହଣ କରିପାରିବେ ନାହିଁ । ଆଇନଗତ ଭାବେ ସେ ବାଟ ସେମାନଙ୍କ ପାଇଁ ନିଷିଦ୍ଧ । ଏହାଛଡ଼ା ଆହୁରି କେତେ ପ୍ରକାରର ଆଇନ କଟକଣା ରହିଥାଏ ।

 

କେଉଁ ଅଞ୍ଚଳରେ ଏମାନେ ବାସ କରିବେ, ଘର ଆଗରେ କିପରି ନିଜ ନିଜର ନାମ ଓ ବ୍ୟବସାୟ ଆଦି ଲେଖିବେ, ତା’ ସବୁ ଆଇନ ଦ୍ୱାରା ନିର୍ଦ୍ଧାରିତ । ସରକାର କହନ୍ତି, ଏସବୁ ନିୟମ ହେଲା ପାପ ବ୍ୟଭିଚାର ଆଦିକୁ ରୋକିବା ଲାଗି, ଯେପରି ଅନ୍ୟ କୌଣସି ସ୍ତ୍ରୀଲୋକ ପାପପଥରେ ଗୋଡ଼ ନ ଦିଏ । ପୋଲିସ ଆଖିରେ ଧୂଳିଦେଇ, ଲାଇସେନ୍‍ସ ନ କରି ଗଣିକା ବୃତ୍ତି କରେ, ତାକୁ ଧରିବା ଲାଗି । କିନ୍ତୁ ପ୍ରକୃତରେ ପାପ, ବ୍ୟଭିଚାର ଓ ଅନୈତିକତା ଦୂର କରିବା ଏପରି ଆଇନର ଉଦ୍ଦେଶ୍ୟ ନୁହେଁ, କାର୍ଯ୍ୟତଃ ଏହାର ଫଳ ହେଲା, ସେ ସବୁକୁ ସ୍ଥାୟୀ ଓ ସୁଦୃଢ଼ କରିବା ।

 

ପୋଲିସ ବି ଏମାନଙ୍କର ଶ୍ରେଣୀ ବିଭାଗ କରିଦିଏ । ସେଇ ଅନୁସାରେ ସେମାନଙ୍କର ଦର ଯେଉଁମାନଙ୍କ ଧନ, ଯୌବନ, ରୂପ ଲାବଣ୍ୟ ଅଛି, ସେମାନେ ସାଧାରଣତଃ ଧନୀ ପୁଞ୍ଜିପତି ସମ୍ଭ୍ରାନ୍ତ ବ୍ୟକ୍ତିଙ୍କର ଅଙ୍ଗଲାଗି ହୁଅନ୍ତୁ । ସେମାନଙ୍କ ଘରେ ପୋଲିସ ପଶେ ନାହିଁ । କାରଣ ତାଦ୍ୱାରା ବଡ଼ଲୋକେ, ବିଶିଷ୍ଟ ଲୋକେ ଧରାପଡ଼ି ଯିବେ, ଅପମାନିତ ହେବେ । ତା’ କ’ଣ ହୋଇପାରେ ? (ଆମ ଦେଶରେ ମଧ୍ୟ ଏହା ଘଟେ, ନିକଟରେ ଏକ ସମ୍ୱାଦ ପ୍ରକାଶ ପାଇଛି–ଜଣେ ପୁଞ୍ଜିପତି ବହୁ ସହରରେ ପାପାଳୟ ଖୋଲିଛନ୍ତି । ତା’ ତାଙ୍କର ବ୍ୟବସାୟ । କଳିକତାର ଏକ ବିରାଟ କୋଠାଘରୁ ୩୩ ଜଣ ହତଭାଗିନୀ ସ୍ତ୍ରୀଲୋକଙ୍କୁ ପୋଲିସ ଉଦ୍ଧାର କରିଛି । କିନ୍ତୁ ଉକ୍ତ ପୁଞ୍ଜିପତିଙ୍କ ନାମ ପ୍ରକାଶ କରାଯାଇ ନାହିଁ) । ପୋଲିସର ସବୁ କୋପଦୃଷ୍ଟି ପଡ଼େ ବସ୍ତିରେ ପଡ଼ିଥିବା ସ୍ତ୍ରୀଲୋକଙ୍କ ଉପରେ । ଅଧିକାଂଶ ପଡ଼ିଥାନ୍ତି ଏଇଠି । ତା’ ପୁଣି ଚୋର ଗୁଣ୍ଡା ଡାକୁମାନଙ୍କର ଅଡ଼୍‍ଡ଼ାସ୍ଥଳୀ । ପୋଲିସ ସେମାନଙ୍କ ଘରେ ପଶେ । ସେମାନଙ୍କ ଉପରେ ହାକିମି କରେ । ସେଇମାନଙ୍କୁ ପୋଲିସର ଅତ୍ୟାଚାର ସହିବାକୁ ହୁଏ । ଏଠି ବି ଶ୍ରେଣୀ ବିଭାଗ, ଧନୀକୁ ଜୁହାର ଆଉ ନିର୍ଦ୍ଧନକୁ ପ୍ରହାର, ସବୁଠି ।

 

ପୋଲିସଦ୍ୱାରା ବି ଏଇ ପାପାଳୟ ପାଇଁ ସ୍ତ୍ରୀଲୋକ ସଂଗୃହୀତ ହୋଇ ଆସନ୍ତି । ସାମରିକ ଅଫିସରମାନେ ବେଳେବେଳେ ଆପତ୍ତି କରନ୍ତି ଯେ ଯୌନବ୍ୟାଧି ପ୍ରବଳ ହୋଇଗଲା । ସୈନ୍ୟମାନଙ୍କ ଭିତରେ ବ୍ୟାପୁଛି । ତେଣୁ ପୋଲିସ୍ ସଙ୍ଗେ ସଙ୍ଗେ ତତ୍ପର ହୋଇଉଠେ । ଆଇନ ଲାଗୁ କରିବା ଆଳରେ ବ୍ୟାପକ ତଲାସି ଆରମ୍ଭ କରିଦିଏ । ବିଭିନ୍ନ ଘର, ବସ୍ତି, ହୋଟେଲ, ଆମୋଦସ୍ଥଳ, ଶ୍ରମିକ ଅଞ୍ଚଳ ଘେରାଉ କରେ, ଘରେ ପଶି ଯୁବତୀ ସ୍ତ୍ରୀଲୋକ ଓ ସୁନ୍ଦର ସୁନ୍ଦର ବାଳିକାମାନଙ୍କୁ ଦେଖି ଗିରଫ କରିଆଣେ । ଏଥିରେ ବିବାହିତ ଅବିବାହିତ ପ୍ରଶ୍ନ ନାହିଁ । ଏପରିକି ଦୁଧଖିଆ ପିଲାର ମା’ମାନେ ଧରାହୋଇ ଆସନ୍ତି । ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ହୁଏ ଯେ ସେମାନେ ‘‘ହଳଦିଆ କାର୍ଡ଼’’ ନ ଦେଇ ବିନା ଲାଇସେନ୍‍ସରେ ଚୋରାରେ ବ୍ୟବସାୟ କରୁଥିଲେ । ଏହା ଅତି ମାରାତ୍ମକ ଅପରାଧ । ଏଥିଲାଗି ଦଣ୍ଡ ହେଉଛି, ଜୋରିମନା ୫୦୦ ରୁବଲ । ଏହା ଏତେ ବେଶି ଯେ ତା’ କୌଣସି ସ୍ତ୍ରୀଲୋକ ପକ୍ଷରେ ଦେବା ଆଦୌ ସମ୍ଭବ ନୁହେଁ । ଯିଏ ଜୋରିମାନା ନ ଦେଇ ପାରିବ, ତା’ ପାଇଁ ଅନ୍ୟ ବାଟ ଅଛି, ସେ ନିଜର ଚିହ୍ନଟ କାର୍ଡ଼ ଦେଇ ‘‘ହଳଦିଆ କାର୍ଡ଼’’ ଗ୍ରହଣ କରିବ । ପୋଲିସ ଏ ସାଧାରଣ ସମ୍ମାନିତ ସ୍ତ୍ରୀଲୋକଙ୍କ ସାଙ୍ଗରେ ଗଣିକାମାନଙ୍କୁ ମଧ୍ୟ ଧରି ଆଣିଥାଏ । ସେମାନେ ହୁଅନ୍ତି ପୋଲିସଙ୍କ ସାହାଯ୍ୟକାରିଣୀ । ଏବେ ସେଇ ଦରିଦ୍ର ଅଥଚ ସମ୍ମାନିତ ସ୍ତ୍ରୀଲୋକସବୁ ଜୋରିମାନା ଦେଇ ନ ପାରି ପଡ଼ନ୍ତି କଳଙ୍କର ଗହ୍ୱରରେ ଚିରଦିନ ଲାଗି–ଗଣିକା ବୃତ୍ତି ଗ୍ରହଣ କରିବାକୁ ବାଧ୍ୟ ହୁଅନ୍ତି । ଆଇନର ଆବରଣ ତଳେ ପୋଲିସ ହୁଏ ପାପ ଓ ବ୍ୟଭିଚାର ବୃଦ୍ଧିର ବାହକ, ପାପାଳୟର ରିକୃଟିଙ୍ଗ ଅଫିସର । ଏ ଥିଲା ଜାର ଶାସନର ନିୟମ ।

 

ଗଣିକାଳୟର ବୃଦ୍ଧି ସାଙ୍ଗକୁ ତେଣେ ବୃଦ୍ଧିପାଏ ଯୌନବ୍ୟାଧି-ସଫସଲ ଗନୋରିଆ ଆଦି । ତା’ ଧନୀ, ପୁଞ୍ଜପତି, ସମ୍ଭ୍ରାନ୍ତ ଓ ଜମିଦାର ଶ୍ରେଣୀର ଲୋକଙ୍କୁ ବି ଧରେ । ସାରାଦେଶ ଆକ୍ରାନ୍ତ ହୋଇଉଠେ ସେଥିରେ । ଏବେ ପୋଲିସର ଆଖି ପଡ଼େ ପୁଣି ସେଇ ହତଭାଗ୍ୟ ସ୍ତ୍ରୀଲୋକଙ୍କ ଉପରେ । ଏଥିଲାଗି ଦାୟୀ କରାଯାଏ ପୁଣି ସେଇମାନଙ୍କୁ । ପୋଲିସ ଦଳ ଦଳ କରି ସେମାନଙ୍କୁ ଧରିଆଣେ ଡାକ୍ତରଙ୍କ ପାଖକୁ–ପରୀକ୍ଷା କାରିବା ପାଇଁ । ଯୌନବ୍ୟାଧି ନିରାକରଣ ପାଇଁ ଡାକ୍ତର ନିଯୁକ୍ତ ହୁଅନ୍ତି ସରକାରଙ୍କ ପକ୍ଷରୁ । ଏମାନେ ଅଧିକାଂଶ ଡାକ୍ତର-ନାମଧାରୀ ଲୋକ; ପ୍ରକୃତ ଡାକ୍ତର ନୁହନ୍ତି । ଯେତେଲୋକଙ୍କୁ ପରୀକ୍ଷା କରିବେ ସେମାନଙ୍କ ସଂଖ୍ୟା ଅନୁସାରେ ଏମାନେ ପଇସା ପାଇବେ । ତେଣୁ ପୋଲିସଙ୍କ ସହିତ ଏମାନଙ୍କର ସଲା; ଯେତେ ବେଶି ସ୍ତ୍ରୀଲୋକ ପୋଲିସ ଧରି ଆଣିବ, ସେତେ ବେଶି ଲାଭ ତାଙ୍କର । ଏତେ ସଂଖ୍ୟାରେ ସ୍ତ୍ରୀଲୋକଙ୍କୁ ପୁଲିସ ଧରିଆଣେ ଯେ ଏମାନେ ଘଣ୍ଟା, ମଧ୍ୟରେ ୪୦୦ ପର୍ଯ୍ୟନ୍ତ ସ୍ତ୍ରୀଲୋକଙ୍କୁ ପରୀକ୍ଷାକରି ଦିଅନ୍ତି-। ଏଥିରୁ ଜଣାଯିବ ବାସ୍ତବିକ କିପରି ସେ ଡାକ୍ତରୀ ପରୀକ୍ଷା, ଯଦି କାହାର ଯୌନବ୍ୟାଧି ବାହାରିଲା, ତେବେ ସେ ବିଚାରୀର କଥା ଶେଷ । କାରଣ ଚିକିତ୍ସାର ଖର୍ଚ୍ଚ ଭାର ତାକୁ ହିଁ ବହନ କରିବାକୁ ହେବ । ସରକାରଙ୍କ ଆଡ଼ୁ କୌଣସି ବ୍ୟବସ୍ଥା ନାହିଁ । ଏଣେ ବ୍ୟବସାୟ ବନ୍ଦ । ତେଣେ ବହୁ ଅର୍ଥର ଆବଶ୍ୟକତା । ସେଥିରୁ ମୁକ୍ତି ପାଇବାର ଏକମାତ୍ର ବାଟ ହେଲା ପୋଲିସ ଓ ଡାକ୍ତରଙ୍କ ଅଣ୍ଟାରେ କିଛି ଗୁଞ୍ଜିଦେବା । ପୋଲିସ୍‍ ଡାକ୍ତରଙ୍କ ଲାଗି ଏହା ବେଶ୍ ଏକ ଉପାର୍ଜନର ଉପାୟ; ଫଳରେ ଗଣିକାପ୍ରଥା କି ଯୌନବ୍ୟାଧି କିଛି କମେ ନାହିଁ; ଯାହା ଥାଏ, ତା’ ଅପେକ୍ଷା ଦିନକୁ ଦିନ ଅଧିକ ବଢ଼ିବାରେ ଲାଗେ ।

 

ଶେଷରେ ପାପ, ବ୍ୟଭିଚାର ଓ ଯୌନବ୍ୟାଧି ପ୍ରବଳ ହୋଇଉଠିଲା । ସମାଜର ସମସ୍ତ ସ୍ତରକୁ ସଞ୍ଚରିଗଲା । ଧନୀ, ପୁଞ୍ଜିପତି, ସମ୍ଭ୍ରାନ୍ତ, ଜମିଦାର ଶ୍ରେଣୀ ଲୋକେ ବି ସେଥିରେ ଆକ୍ରାନ୍ତ ହେଲେ, ବିଚଳିତ ହୋଇପଡ଼ିଲେ, ସରକାର ମଧ୍ୟ ଶଙ୍କିତ ହୋଇଉଠିଲା । ତେଣୁ ସେମାନେ ସ୍ଥିର କଲେ ଏ ପାପ, ବ୍ୟଭିଚାର ଓ ଅନୈତିକତା ବିରୁଦ୍ଧରେ ଅଭିଯାନ କରିବାକୁ ହେବ । ଏବେ ସେମାନେ ଏକ ବିରାଟ ସମ୍ମିଳନୀ ଆହ୍ୱାନ କଲେ । ସେଠାରେ ଆଲୋଚନା ହେବ ଯେ ଏ ପାପ ବ୍ୟଭିଚାର ଅନୈତିକତାର କାରଣ କ’ଣ ଓ ତାକୁ କିପରି ଦୂର କରାଯାଇପାରେ । ସେଇ ବିଷୟ ଉପରେ ବକ୍ତୃତା ଚାଳିଲା । କାର୍ଯ୍ୟତଃ କିଛି ତ ହେଲା ନାହିଁ । ଶେଷରେ ସ୍ଥିର ହେଲା ଧରାବକ୍ଷରେ ମାନବ ସମାଜ ଥିବା ପର୍ଯ୍ୟନ୍ତ ଏ ପାପ, ବ୍ୟଭିଚାରର ବିଲୋପ ନାହିଁ । ଆଉ ଏସବୁ ପାଇଁ ସ୍ତ୍ରୀଲୋକମାନେ ହିଁ ଦାୟୀ ।

 

ସେତେବେଳେ ଜାର ଶାସନର ନିରଙ୍କୁଶ ଦମନଲୀଳା । ତା’ ସତ୍ତ୍ୱେ ଶ୍ରମିକ ଅନୁଷ୍ଠାନ, ଟ୍ରେଡ଼ ୟୁନିୟନ ଏଥିପ୍ରତି ଗୁରୁତ୍ୱ ଦେଇଥିଲା । ପୋଲିସର କଟକଣାକୁ ଭାଙ୍ଗି ତା’ର ପ୍ରତିନିଧି ଏଥିରେ ଯୋଗଦେଇଥିଲେ । ସେମାନେ ଘୋଷଣା କଲେ, ସବୁ ପାପ, ବ୍ୟଭିଚାର, ଅନୈତିକତା ଲାଗି ଜାର ଶାସନହିଁ ଏକମାତ୍ର ଦାୟୀ । ତା’ର ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ଦୁର୍ନୀତି ଯୋଗୁଁ ସେ ସବୁ ଘଟୁଛି । ଜାର ଶାସନ କସ୍ମିନକାଳେ ଗଣିକାପ୍ରଥା ଓ ଯୌନବ୍ୟାଧି ଲୋପକରି ପାରିବ ନାହିଁ । ତା’ କରିବାକୁ ହେଲେ ସର୍ବପ୍ରଥମେ ଜାର ଶାସନର ଧ୍ୱଂସ ଆବଶ୍ୟକ ।

 

ବାସ୍ତବିକ ଜାର ଶାସନ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ କରିବାକୁ ଅକ୍ଷମ । କାରଣ ତା’ ତିଷ୍ଠି ରହିଥିଲା ପୋଲିସ ଅଫିସରଙ୍କ ସମର୍ଥନ ଉପରେ । ସେ ପୋଲିସ ଅଫିସରମାନେ ଗଣିକାଙ୍କ ରୋଜଗାରରୁ ରୀତିମତ ଗୋଟାଏ ବଡ଼ ଭାଗ ପାଉଥିଲେ । ତେଣୁ ଉକ୍ତ ପ୍ରଥାକୁ ଆକ୍ରମଣ କରିବା ଅର୍ଥ ପୋଲିସ ଅଫିସରଙ୍କ ସ୍ୱାର୍ଥକୁ ଆକ୍ରମଣ କରିବା, ତାଙ୍କର ରୋଜଗାର ଉପରେ ଆଞ୍ଚ ଆଣିବା, ସେମାନଙ୍କୁ ଅସନ୍ତୁଷ୍ଟ କରିବା । ତାହା କରିବା ଜାର ପକ୍ଷରେ ଆଦୌ ସମ୍ଭବ ନୁହେଁ । ତେଣୁ ଯେତେ ଯେତେ ଆଇନ କଟକଣାମାନ ଜାରୀ ହେଉଥିଲା, ସେଥିରେ ସେ ପାପବୃତ୍ତି ଟିକିଏ ହେଲେ ବି କମୁ ନଥିଲା । ତା’ କେବଳ ବୃଦ୍ଧି କରୁଥିଲା ପୋଲିସ ଅଫିସରଙ୍କ ଉପରି ଆୟକୁ ।

 

ପୁଣି ଧନୀ, ଜମିଦାର ଓ ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନଙ୍କ ପାଇଁ ସେ ପ୍ରଥାର ପ୍ରଚଳନ ଗୋଟାଏ ନିହାତି ଆବଶ୍ୟକତା । ନ ହେଲେ ସେମାନେ ଯିବେ କୁଆଡ଼େ ? ତାଙ୍କ ନିଜର ଝିଅବୋହୂ ରକ୍ଷା ପାଇବେ କିପରି ? ହଜାର ହଜାର ସ୍ତ୍ରୀଲୋକଙ୍କୁ କଳଙ୍କର କୁଣ୍ଡରେ ନିକ୍ଷେପ କରି ସେମାନେ ଚେଷ୍ଟା କରନ୍ତି ନିଜର ଘରକୁ ନିଷ୍କଳଙ୍କ କରିବା ଲାଗି, କିନ୍ତୁ ତା’ କ’ଣ ହୁଏ ? ସେମାନେ ହୁଅନ୍ତି ଅଧିକ କଳଙ୍କିତ । ନାନାପ୍ରକାରର ସାମାଜିକ ଚଳଣି, ସଭ୍ୟତା ଓ ଆଧୁନିକତାର ଆବରଣ ତଳେ ଚେଷ୍ଟା କରନ୍ତି ତାହା ଢାଙ୍କିବାକୁ । ତାର ମୂଳକାରଣ ଭିତରେ ସେମାନେ ପଶନ୍ତି ନାହିଁ । ତାକୁ ମଣିଷର ପ୍ରକୃତିଗତ କହି ଛାଡ଼ି ଦିଅନ୍ତି । ଛିଣ୍ଡାଲୁଗାରେ ତାଳିଦେଲାପରି ସେଇ ପାପର ଆବରଣକୁ କେବଳ ସିଇଁବାରେ ଲାଗିଥାନ୍ତି । ଏଥିପାଇଁ କେତେ ନୈତିକସଂସ୍ଥା, ପତିତା ଉଦ୍ଧାର ସମିତି ଗଠନ କରାଯାଇଥାଏ । ସେଥିରେ ଆଗୁଆ ହୋଇପଡ଼ନ୍ତି ସେହି ଧନୀକ ଶ୍ରେଣୀର ସ୍ତ୍ରୀଲୋକେ–ଯାହାଙ୍କର ବ୍ୟଭିଚାର, ଅନୈତିକତା ଅର୍ଥର ଆବରଣରେ ଢଙ୍କା–

 

ଏ ଗଣିକାପ୍ରଥା ମଣିଷର ଯୌନ ପ୍ରକୃତିରୁ ଜାତ ନୁହେଁ । ତାହା ଏକ ସାମାଜିକ, ଅର୍ଥନୈତିକ ବ୍ୟାଧି । ସାମାଜିକ, ଅର୍ଥନୈତିକ ଅବସ୍ଥା ମଧ୍ୟରୁ ତା’ର ଉଦ୍ଭବ । ତାହା ଲୋପ କରାବାକୁ ହେଲେ, ଯେଉଁ ସାମାଜିକ ଓ ଅର୍ଥନୈତିକ ଅବସ୍ଥା ତାକୁ ଜନ୍ମଦିଏ, ତା’ର ପରିବର୍ତ୍ତନ ଦରକାର । ତାର ବିଲୋପ ସର୍ବପ୍ରଥମ ଆବଶ୍ୟକ; କିନ୍ତୁ ଯେଉଁ ଶାସନ, ଯେଉଁ ସରକାର, ସେଇ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ଉପରେ ପ୍ରତିଷ୍ଠିତ; ସେ ପୁଣି ତାକୁ ଲୋପ କରିବ କିପରି ? ତାହା ହେବ ତା’ ନିଜର ଆତ୍ମହତ୍ୟା । ତେଣୁ ତା’ ନିଜକୁ ରକ୍ଷା କରିବା ପାଇଁ ଯାହାସବୁ କରେ, ତା’ ଅନ୍ୟ ଦିଗରେ ବୃଦ୍ଧି କରେ–ପାପ, ବ୍ୟଭିଚାର ଓ ଅନୈତିକତାକୁ–ସମସ୍ତ ସାମାଜିକ କଳଙ୍କକୁ । ଏଇ ଥିଲା, ଜାର ଅମଳର ମୋଟାମୋଟି ଅବସ୍ଥା । ତାକୁ ଧ୍ୱଂସ କରିବା ହେଲା ବ୍ୟଭିଚାର, ଅନୈତିକତା ଲୋପର ସର୍ବପ୍ରଥମ କର୍ତ୍ତବ୍ୟ ।

Image

 

ରୁଷ ବିପ୍ଳବ:–ଯୌନ ସମ୍ପର୍କ ପ୍ରତି ନୂତନ ଦୃଷ୍ଟିକୋଣ

 

୧୯୧୭ ରୁଷ ବିପ୍ଳବ, ସର୍ବହରାର ବିପ୍ଳବ । ଭୁଷଡ଼ିପଡ଼ିଲା ଜାର ଶାସନ । ତାପରେ ଧ୍ୱଂସ ହେଲା ପୁଞ୍ଜିପତିଙ୍କ ସରକାର ଓ ଶାସନ । ଯାହା କେବେ ଦେଖା ନାହିଁ, ଶୁଣା ନାହିଁ, ତା’ ଏବେ ଘଟିଗଲା । ଯାହା ଦିନେ ଅତି ମହତ ପବିତ୍ର ବୋଲି ଗଣ୍ୟ ହେଉଥିଲା, ତାହା ଏବେ ଧୂଳିସାତ୍ ହେଲା । ଲୋପ ପାଇଲା ବ୍ୟକ୍ତିଗତ ସମ୍ପତ୍ତି, ମଣିଷକୁ ମଣିଷର ଶୋଷଣ କରିବାର ଉପାୟ । ଲୋପ ହେଲା ମଣିଷ ଉପରେ ମଣିଷର ଶୋଷଣର ଅଧିକାର । ମୁଣ୍ଡଟେକି ଠିଆ ହେଲା ଯୁଗ ଯୁଗର ଶୋଷିତ, ନିର୍ଯ୍ୟାତିତ ମଣିଷ । ଏବେ ସବୁ ଦିଗରୁ ସେ ମୁକ୍ତ ଓ ସ୍ୱାଧୀନ ।

 

ଆଉ ଏ ଗଣିକାପ୍ରଥା, ମଣିଷ ସମାଜର ଚରମ ଅଧୋଗତି, ନାରୀର ଜଘନ୍ୟ ଦାସତ୍ୱ, ତାକୁ ସହ୍ୟ କରିବ କିଏ ? ଯିଏ ସକଳ ଦାସତ୍ୱର ଶୃଙ୍ଖଳ ଛିନ୍ନ କରିଛି, ସେ କ’ଣ ଏହାକୁ ପ୍ରଶୟ ଦେଇପାରେ ? ନା, ତା’ ହୋଇପାରେ ନା ।

 

ସଙ୍ଗେ ସଙ୍ଗେ ଘୋଷଣା କରାହେଲା, ନାରୀ ପୁରୁଷ ସହିତ ସବୁ କ୍ଷେତ୍ରରେ ସମାନ, ସମାଜରେ ସମାନ ଅଧିକାର ତାର । ତେଣୁ ଏ ଦିଗରେ ସୋଭିଏତ ସରକାରର ଏକ ପ୍ରଥମ କାର୍ଯ୍ୟ ହେଲା–ସେଇ ଘୃଣ୍ୟ ‘ହଳଦିଆ କାର୍ଡ଼’ ପ୍ରଥାର ବିଲୋପ । ତାକୁ ଏକବାରେକେ, ଲୋପ କରି ଦିଆହେଲା । ସୋଭିଏତ ଯେତେ ଯେତେ ଅଞ୍ଚଳକୁ ବ୍ୟାପିଲା, ‘ହଳଦିଆ କାର୍ଡ଼’ ଉଠି ଉଠି ଗଲା ସେଠୁ । ସେଇ ହତଭାଗ୍ୟ ସ୍ତ୍ରୀଲୋକସବୁ ସ୍ୱାଧୀନ ହେଲେ, ପୋଲିସର ଅତ୍ୟାଚାରରୁ ରକ୍ଷା ପାଇଲେ, ପୂର୍ଣ୍ଣ ନାଗରିକ ଅଧିକାର ଲାଭ କଲେ । ଏବେ ସେମାନଙ୍କୁ ଆଉ ଲାଇସେନ୍‍ସ କରିବାକୁ ପଡ଼ିଲା ନାହିଁ । ପୋଲିସ୍ ଅଫିସରକୁ କୌଣସି ପାଉଣା ଦେବାକୁ ହେଲା ନାହିଁ । ସର୍ବହରା ସରକାର ଏମାନଙ୍କ ଉପରୁ ସବୁ ଜୁଲୁମ ଅତ୍ୟାଚାର ଲୋପ କଲା, ସେମାନଙ୍କୁ ନାଗରିକ ସ୍ୱାଧୀନତା ପ୍ରଦାନ କଲା । ସମାଜରେ ସାଧାରଣ ସମ୍ମାନାସ୍ପଦ ମଣିଷ ରୂପେ । ଏମାନଙ୍କୁ ଗଢ଼ିବା ଦିଗରେ ଏହା ହେଲା ତା’ର ପ୍ରଥମ ପଦକ୍ଷେପ । ସାଧାରଣତଃ ଏମାନେ ହେଲେ ସମାଜର ପତିତ ନିର୍ଯ୍ୟାତିତ ମଣିଷ, ଏମାନଙ୍କ ଭିତରୁ ଅଧିକାଂଶ ଆସିଥାନ୍ତି, ସେଇ ଦଳିତ, ନିର୍ଯ୍ୟାତିତ ଶ୍ରେଣୀ–ଚାଷୀ, ଶ୍ରମିକ, ଦରିଦ୍ର ଲୋକଙ୍କ ମଧ୍ୟରୁ । ସର୍ବହରା ସରକାରର କର୍ତ୍ତବ୍ୟ ହୋଇଛି ଏମାନଙ୍କୁ ମୁକ୍ତ କରିବା । ତା’ପରେ ସୁସ୍ଥ ସମାଜ ଗଠନର ସ୍ୱାର୍ଥ ଦୃଷ୍ଟିରୁ ଏମାନଙ୍କର ମୁକ୍ତି ଆହୁରି ଆବଶ୍ୟକ ।

 

ରୁଷ ବିପ୍ଳବ ସଙ୍ଗେ ସଙ୍ଗେ ଆରମ୍ଭ ହୋଇଗଲା ଗୃହଯୁଦ୍ଧ । ବାହାରୁ ସବୁ ସାମ୍ରାଜ୍ୟବାଦୀ ଦେଶ ରୁଷ ଉପରେ ଚଢ଼ାଉ କଲେ । ଚତୁର୍ଦ୍ଦିଗରୁ ଏକାବେଳକେ ତା’ଉପରେ ଆକ୍ରମଣ । ଘରେ, ଦେଶ ଭିତରେ ପୁଞ୍ଜିପତି ଜମିଦାରମାନେ ସରକାର ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କଲେ, ତାକୁ ଭାଙ୍ଗିବାକୁ ଲାଗିଗଲେ । ସୋଭିଏତ ରୁଷର ଧ୍ୱଂସ ସାଧନ ହେଲା ଏମାନଙ୍କର ଏକମାତ୍ର ଲକ୍ଷ୍ୟ । ତେଣୁ ରୁଷ ଲାଗି ପଡ଼ିଲା ନିଜ ଆତ୍ମରକ୍ଷା କରିବାରେ । ତାହାହିଁ ହେଲା ସବୁଠାରୁ ପ୍ରଧାନ କାର୍ଯ୍ୟ । ସେତେବେଳକୁ କ୍ରମାଗତ ଯୁଦ୍ଧ ଓ ଗୃହଯୁଦ୍ଧ ଫଳରେ ସମସ୍ତ ଦେଶ ଛାରଖାର । କଳକାରଖାନା ଧ୍ୱସ୍ତ ବିଧ୍ୱସ୍ତ, ସବୁ ଅଚଳ, ଉତ୍କଟ ଖାଦ୍ୟଭାବ । ଚାରିଆଡ଼େ ଦୁର୍ଭିକ୍ଷ ଅନାହାରର କରାଳ ଛାୟା । ଏ ଅବସ୍ଥାରେ ରୁଷ ପକ୍ଷରେ ଏ ସମସ୍ୟା ପ୍ରତି ଧ୍ୟାନ ଦେବା ସମ୍ଭବ ନୁହେଁ । ଆଗ ନିଜକୁ ରକ୍ଷା କରିବାକୁ ହେବ । ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ପଡ଼ିବ ।

 

ବର୍ତ୍ତମାନ ତ ହଳଦିଆ କାର୍ଡ଼ ପ୍ରଥା ଗଲା । ଗଣିକା ବୃତ୍ତି ଉପରେ ଆଉ କିଛି ବାଧା କଟକଣା ନାହିଁ । ସର୍ବହରାର ବିପ୍ଳବ ପରାଧୀନତାର ସବୁ ବନ୍ଧନ ଭାଙ୍ଗିଛି, ସାରା ଦେଶରେ ସ୍ୱାଧୀନତାର ଜୁଆର । ବନ୍ୟାର ପ୍ରଥମ ପ୍ରବାହରେ ଭାସି ଆସେ, ବହୁଦିନ ଧରି ଜମି ରହିଥିବା ମଇଳା, ଆବର୍ଜନା । ଏବେ ସମାଜର ଯୁଗ ଯୁଗର ସେଇ ଆବର୍ଜନା ଆତ୍ମପ୍ରକାଶ କରି ଭାସିଉଠିଲା ଉପରକୁ ।

 

ଆରମ୍ଭ ହେଲା ପାପ, ପ୍ରେମ, ନୈତିକତା, ଅନୈତିକତା ବିଷୟରେ ଆଲୋଚନା । ଗୋଟାଏ ମତ ହେଲା, ମଣିଷ ଆଜି ସ୍ୱାଧୀନ, ତା’ର ପ୍ରେମ ବି ସ୍ୱାଧୀନ ହେବା ଉଚିତ । ପ୍ରେମ ଦିଗରେ ସମସ୍ତ ବାଧା ପ୍ରତିବନ୍ଧକ ଦୂର କରିବାକୁ ହେବ । ସେ ସବୁ ବାଧା ପ୍ରତିବନ୍ଧକ ବୁର୍ଜୁଆ ପୁଞ୍ଜପତି ନୈତିକତା । ସେ ବୁର୍ଜୁଆ ନୈତିକତାର ଧ୍ୱଂସ ଦରକାର । ମଣିଷର ଯୌନ ପ୍ରବୃତ୍ତି, କ୍ଷୁଧା ତୃଷ୍ଣା ଭଳି ଏକ ବିଷୟ । ଖାଦ୍ୟ ଓ ପାନୀୟ ଦ୍ୱାରା କ୍ଷୁଧା ତୃଷ୍ଣା ନିବାରିତ ହୁଏ । ସେ ଦିଗରେ କୌଣସି ବାଧା କଟକଣା ନାହିଁ । ସେମିତି ଯୌନ ତୃଷ୍ଣା ନିବାରଣରେ କୌଣସି ବାଧା କଟକଣା ରହିବା ଉଚିତ ନୁହେଁ । ଯୌନ ପିପାସା ପରିତୃପ୍ତି ଦିଗରେ ସକଳ ପ୍ରତିବନ୍ଧକ ହଟାଇବାକୁ ହେବ । ସମାଜର ସମସ୍ତ ପାପ, ବ୍ୟଭିଚାର, ଅନୈତିକତା ଦୂର କରିବାର ଏହାହିଁ ଏକମାତ୍ର ପନ୍ଥା । ସେଥିଲାଗି ଦରକାର, ବ୍ୟଭିଚାର, ଅନୈତିକତା ଦୂର କରିବାର ଅଖଣ୍ଡ ସ୍ୱାଧୀନତା । ଶୋଷ ହେଲେ ପାଣି ପିଇଲା ଭଳି ଏ ଶାରୀରିକ ପିପାସାକୁ ମଣିଷ ନିବାରଣ କରିବ । ଏ ଦିଗରେ କୌଣସି ପ୍ରକାର ବାଧା, ନିୟମ, ପ୍ରତିବନ୍ଧକ ରହିବା ଅର୍ଥ ସ୍ୱାଧୀନତାକୁ ଖର୍ବ କରିବା । ତା’ ଅନୈତିକତା ଓ ପାପଚାରକୁ ଆହ୍ୱାନ କରିବ, ବ୍ୟଭିଚାରକୁ ଡାକି ଆଣିବ ଓ ବୃଦ୍ଧି କରିବ । ଏ ପ୍ରକାର ମତବାଦୀମାନେ ସଂଖ୍ୟାରେ ଅଳ୍ପ ହେଲେ ବି ଏ ମତ ସେତେବେଳେ ରୁଷରେ ଉଠିଥିଲା ବେଶ୍ ଦୃଢ଼ଭାବରେ ।

 

ଏହା ବିରୁଦ୍ଧରେ ଅନ୍ୟ ଏକ ମତ ପ୍ରକାଶ ପାଇଲା । ସେମାନେ କହିଲେ, ଏ ‘‘ତୃଷ୍ଣା ନିବାରଣ ତତ୍ତ୍ୱ’’ ହେଲା ଚରମ ବ୍ୟଭିଚାର, ଜଘନ୍ୟ ଅନୈତିକତା, ସବୁ ନୈତିକତାର ବିଲୋପ । ଯୌନ ରାଜ୍ୟରେ ସ୍ୱାଧୀନତା, ଅବାଧ ଯୌନଚର୍ଚ୍ଚା ହେଲା ବାସ୍ତବରେ ସବୁ ସ୍ତ୍ରୀଲୋକଙ୍କ ଲାଗି ବିନା ପଇସାରେ ଗଣିକା ବୃତ୍ତି–ଚରମ ଯୌନ ଉଚ୍ଛୃଙ୍ଖଳତା । ତା’ ମାନେ, ଯାହାର ଯେତେବେଳେ ଯାହା ପ୍ରତି ଇଚ୍ଛା ହେଲା, ସେ ତାକୁ ଉପଭୋଗ କରିବ । ଏଥିରେ ନାରୀର ସ୍ୱାଧୀନତା ନାହିଁ କି ମୁକ୍ତ ପ୍ରେମ ନାହିଁ । ସେ ହେବ ପୁରୁଷର କ୍ରୀଡ଼ନକ । ତା’ର କୌଣସି ସ୍ୱାଧୀନ ଇଚ୍ଛା ବା ମତ ରହିବ ନାହିଁ । ତା’ ହେବ ମୂଲ୍ୟହୀନ–ସେ ବାସ୍ତବରେ ମୁକ୍ତି ନାମରେ ଦାସତ୍ୱକୁ ହିଁ ଗ୍ରହଣ କରିବ । ପୁରୁଷ କେବଳ ଲାଭ କରିବ ପ୍ରତ୍ୟେକ ସ୍ତ୍ରୀଲୋକକୁ ଭୋଗ କରିବାର ଅବାଧ ଅଧିକାର । ଏହା ସ୍ତ୍ରୀଲୋକଙ୍କୁ କୋଠ କରିବା ନୀତି ସହିତ ସମାନ । ଏହା ଫଳରେ ବିବାହ ବୋଲି ଆଉ କିଛି ରହିବ ନାହିଁ । କିଏ କାହାର ସନ୍ତାନ, ତା’ର ପରିଚୟ ଲୁଚିଯିବ, ଲୋପ ହେବ ପାରିବାରିକ ଜୀବନ ।

 

ଏହା ସମାଜ ଉପରେ କି ପ୍ରଭାବ ପକାଇବ, ସାମାଜିକ ଅବସ୍ଥା କ’ଣ ହେବ, ତା’ ମୁକ୍ତ ପ୍ରେମର ପ୍ରଚାରକମାନେ ବିଚାର କରନ୍ତି ନାହିଁ । ସାମାଜିକ ସ୍ୱାର୍ଥ ପ୍ରତି ସେମାନେ ଅନ୍ଧ । ମୁକ୍ତ ପ୍ରେମ କଥାଟା ଯେତେ ଭାବପ୍ରବଣ ହେଉ, ହୃଦୟରେ ଯେତେ ଆବେଗ ଆଲୋଡ଼ନ ସୃଷ୍ଟି କରୁ ପଛେ ତା’ ସମାଜ ବିରୋଧୀ, ଚରମ ଅନୈତିକ, ସମାଜବାଦ ଗଠନ ପଥରେ ଏକ ବିରାଟ ପ୍ରତିବନ୍ଧକ । ରୁଷର ବିରୋଧୀମାନେ ଯେଉଁ ପ୍ରଚାର କରନ୍ତି, ତାହା ସେଇ ପ୍ରଚାରକୁ ହିଁ ବଳିଷ୍ଠ କରିବ ।

 

ଏ ଦୁଇ ମତର ଆଲୋଚନା ସେ ସମୟରେ ବେଶ୍ ଜମି ଉଠିଥିଲା । ଏ ସମ୍ପର୍କରେ ଲେନିନ ତାଙ୍କ ମତ ବ୍ୟକ୍ତ କରିଥିଲେ । ତୃଷ୍ଣା ନିବାରଣ ଭଳି ଯୌନ ତୃଷ୍ଣା ନିବାରଣ, ଯେଉଁଠି ସେଠି ଯେ କୌଣସି ଗ୍ଲାସରେ ମୁହଁ ଲଗାଇ ପାଣି ପିଇଦିଅ, ଏଇ ଅବାଧ ମୁକ୍ତ ପ୍ରେମକୁ ଲେନିନ ତୀବ୍ର ସମାଲୋଚନା କରିଥିଲେ । ସେ କହିଲେ, ସାଧାରଣ ଅବସ୍ଥାରେ ଶୋଷ ହେଲା ବୋଲି କିଏ କ’ଣ ଆଣ୍ଠେଇପଡ଼ି ନର୍ଦ୍ଦମାରୁ ଜଳପାନ କରେ ? ତା’ପରେ ବହୁ ଲୋକେ ଯେଉଁ ଗ୍ଲାସରେ ଯେଉଁ ମୁହଁ ଲଗାଇ ପାଣି ପିଅନ୍ତି, ବହୁ ଓଠ ଲାଗି ଯେଉଁ ଗ୍ଲାସ କଳଙ୍କିତ ଓ ମିଳନ, ସେଥିରେ କ’ଣ କିଏ ମୁହଁ ଲଗାଇ ପାଣି ପିଏ ? ତା’ପରେ ଅବାଧ ମୁକ୍ତପ୍ରେମର ଆଉ ଗୋଟିଏ ଦିଗ ରହିଛି, ସାମାଜିକ ଦିଗ । ତା’ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଜଳପାନ ବ୍ୟକ୍ତିଗତ ବିଷୟ, ଜଣକର ତୃଷ୍ଣା ନିବାରଣ; କିନ୍ତୁ ପ୍ରେମ ତା’ ନୁହେଁ । ସେଥିରେ ଦୁଇଟି ଜୀବନ ସମ୍ପୃକ୍ତ, ପୁଣି ତାଦ୍ୱାରା ଆଉ ଏକ ତୃତୀୟ ଜୀବନର ଆର୍ବିଭାବ ଘଟେ । ଏହାହିଁ ପ୍ରେମର ସାମାଜିକ ଦିଗ, ତାର ସାମାଜିକ ଗୁରୁତ୍ୱ, ସମାଜ ଓ ଗୋଷ୍ଠୀ ପ୍ରତି କର୍ତ୍ତବ୍ୟ ।

 

ପ୍ରେମର ସ୍ୱାଧୀନତା କିଛି ନୂଆ କଥା ନୁହେଁ କି ସେଥିରେ କମ୍ୟୁନିଷ୍ଟ ବୋଲି କିଛି ନାହିଁ-। ପୂର୍ବେ ରୋମାଣ୍ଟିକ ସାହିତ୍ୟରେ ହୃଦୟର ମୁକ୍ତି ଭାବରେ ତା’ ପ୍ରଚାରିତ ହେଉଥିଲା । ‘‘ପ୍ରେମର ପରିତୃପ୍ତି’’ ବେଶ୍ ଏକ ସୁନ୍ଦର ଶବ୍ଦ । କିନ୍ତୁ ସେ ଦୃଢ଼ଭାବରେ ଘୋଷଣା କରିଥିଲେ ଯେ ‘‘ପାଣିଗ୍ଲାସ’’ ବା ତୃଷ୍ଣା ନିବାରଣ ତତ୍ତ୍ୱ ପ୍ରତି ତାଙ୍କର ଟିକିଏ ହେଲେ ସମର୍ଥନ ବା ସହାନୁଭୂତି ନାହିଁ ।

 

ଅବାଧ ପ୍ରେମକୁ ସମାଲୋଚନ କରୁଥିଲେ ବୋଲି ଲେନିନ ଯେ ଚାହୁଁଥିଲେ ସମସ୍ତେ ସନ୍ନ୍ୟାସୀ ବା ବୈଷ୍ଣବ ହୁଅନ୍ତୁ ତା’ ନୁହେଁ । ସେ କହିଲେ, ସମସ୍ତେ ସନ୍ନସ୍ୟାବ୍ରତ ଗ୍ରହଣ କରନ୍ତୁ, ତା’ କହିବା ଆଦେ ମୋର ଉଦ୍ଦେଶ୍ୟ ନୁହେଁ । କମ୍ୟୁନିଷ୍ଟବାଦ ସନ୍ୟାସବାଦ ଆଣେ ନାହିଁ, ତା ଜୀବନକୁ ଆନନ୍ଦମୟ କରିବ, ଜୀବନର ଶକ୍ତି ଆଣିଦେବ, ପରିତୃପ୍ତ ପ୍ରେମ ଆଣିବାରେ ସାହାଯ୍ୟ କରିବ ।

 

ଲେନିନଙ୍କ ମତ ହେଲା, ଯୌନ ବିଷୟ ପ୍ରତି ଅଧିକ ଜୋରଦେବା ଦ୍ୱାରା ଜୀବନରେ ଆନନ୍ଦ ଆସେ ନାହିଁ, ଜୀବନରେ ଶକ୍ତି ଆସେ ନାହିଁ । ତା ଜୀବନର ଆନନ୍ଦ, ଜୀବନର ଶକ୍ତିକୁ ନଷ୍ଟ କରିଦିଏ । ବିରାଟ ପରିବର୍ତ୍ତନ ଯୁଗରେ ତାହା ଅତୀବ ଗର୍ହିତ, ଖରାପ ଓ ନିନ୍ଦନୀୟ । ମନୁଷ୍ୟ ବିଶେଷକରି ଯୁବକ ଚାହେ ଜୀବନରେ ଆନନ୍ଦ, ଜୀବନରେ ଶକ୍ତି, ଶିକ୍ଷା, କ୍ରୀଡ଼ା, କୌତୁକ, ଓ ସାଂସ୍କୃତିକ କାର୍ଯ୍ୟ । ନାନାପ୍ରକାର ବୌଦ୍ଧିକ ଆଗ୍ରହ ପୂରଣ, ଶିକ୍ଷାପ୍ରଦ ଗବେଷଣା, ସବୁ ବିଷୟ ଜାଣିବା ଦିଗରେ ପ୍ରବଳ ପ୍ରଚେଷ୍ଟା ଇତ୍ୟାଦି । ଏହା ସବୁ ଯୌନ ଆଲୋଚନା ଅପେକ୍ଷା ଓ ତଥାକଥିତ ‘‘ପୂର୍ଣ୍ଣ ଜୀବନ ଯାପନ’’ ଅପେକ୍ଷା ଊର୍ଦ୍ଧ୍ୱରେ, ଅଧିକ ଆନନ୍ଦ ପ୍ରଦାନ କରେ, ତାଙ୍କର ଶେଷକଥା ହେଲା ‘‘ସୁସ୍ଥ ଶରୀର ଓ ସୁସ୍ଥ ମନ’’ ।

 

ଲେନିନଙ୍କର ଏଇ ଉକ୍ତି ହୋଇଛି ସୋଭିଏତ ସରକାରଙ୍କ ଆଭିମୁଖ୍ୟ । ତାଙ୍କର ସେଇ କେତୋଟି କଥା ଭିତରେ ସବୁ ବିଷୟ ନାହିଁ ତ । ତା’ ଜୀବନର ଆନନ୍ଦ ଉପଭୋଗ ଦିଗରେ ଯୌନ ବିଷୟକୁ ଗୌଣ କରି ଦେଖେ । ତା’ ଆନନ୍ଦର ଆଧାର ନୁହେଁ । ଯୌନ ସମସ୍ୟା ବିଷୟରେ କେବଳ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ ନାହିଁ, ତାହା ଆହୁରି ଭିତରକୁ ଘେନି ଯାଏ,–ବିଷୟବସ୍ତୁର ମୂଳକୁ ଘେନିଯାଏ । ତା’ ହେଲା ମାନବ ପ୍ରକୃତିର ପରିବର୍ତ୍ତନ । ତା କହେ, ମାନବ ପ୍ରକୃତି ନ ବଦଳିଲେ ଉକ୍ତ ସମସ୍ୟାର ସମାଧାନ ନାହିଁ ।

 

ମାନବ ପ୍ରକୃତିର ପରିବର୍ତ୍ତନ, ଏହା ନୂଆ କଥା ନୁହେଁ । ଯୁଗ ଯୁଗଧରି ବହୁ ପଣ୍ଡିତ, ମନୀଷୀ, ମହାତ୍ମାମାନେ ଏଇ କଥା ପ୍ରଚାର କରିଛନ୍ତି । ବହୁ ମହତ୍ ଉପଦେଶ ବାଣୀ ଶୁଣାଇଛନ୍ତି । କିନ୍ତୁ ମଣିଷର ପ୍ରକୃତି ବଦଳିଲା ନାହିଁ । ପାପ ବ୍ୟଭିଚାର ଅନୈତିକତାର ଉପଶମ ଘଟିନାହିଁ, ବରଂ ବଢ଼ିଛି । ଏହାକୁ ଦେଖି ଅନେକ କହନ୍ତି ମଣିଷ ପ୍ରକୃତି ବଦଳିବାର ନୁହେଁ, ତା’ ଯେମିତି ଅଛି ଚିରଦିନ ସେମିତି ଥିବ–ତା’ ଅପରିବର୍ତ୍ତନୀୟ ।

 

କିନ୍ତୁ ଲେନିନ କହନ୍ତି, ତାକୁ ବଦଳାଇବାକୁ ହେବ । ମଣିଷ ମଧ୍ୟରେ ପାଶବିକ ପ୍ରବୃତ୍ତି ଥିଲା ପର୍ଯ୍ୟନ୍ତ ତା’ ପୁଣି ପ୍ରକୃତ ମଣିଷ ହେବ କିପରି ? ମଣିଷକୁ ପ୍ରକୃତ ମଣିଷ କରିବାକୁ ହେଲେ ତାର ପରିବର୍ତ୍ତନ ଆବଶ୍ୟକ । ଆଉ ମଣିଷ ଅଲବତ ବଦଳିବ, ତା’ର ପରିବର୍ତ୍ତନ ସୁନିଶ୍ଚିତ । ସେ ପ୍ରଥମେ ଯାହା ଥିଲା, ଆଜି ତା’ ନାହିଁ, ସେ ତ ବଦଳି ଆସିଛି, ତା’ ପୁଣି ନ ବଦଳିବ କାହିଁକି ? ଅବଶ୍ୟ ତା’ର ସେ ପରିବର୍ତ୍ତନ ବୈଜ୍ଞାନିକ ଭିତ୍ତିରେ ହେବା ଦରକାର । ସେଥିପ୍ରତି ସେ ସଚେତନ ହେବା ଉଚିତ, ସେ ଦିଗରେ ସଚେତନ ପଦକ୍ଷେପ ଆବଶ୍ୟକ ।

 

ଲେନିନଙ୍କ ମତ ହେଲା କେବଳ ବାଣୀବଚନ ଉପଦେଶରେ ମଣିଷର ପ୍ରକୃତି ବଦଳିବ ନାହିଁ । ଯେଉଁ ଅବସ୍ଥା ମଣିଷର ପ୍ରକୃତିକୁ ଜନ୍ମ ଦିଏ, ସେ ଅବସ୍ଥାର ପରିବର୍ତ୍ତନ ଦ୍ୱାରା କେବଳ ମଣିଷ ପ୍ରକୃତିର ପରିବର୍ତ୍ତନ ସମ୍ଭବ । ତେଣୁ ମୂଳ ଅବସ୍ଥାକୁ ବଦଳାଇବାକୁ ହେବ । ସେ ମୂଳ ଅବସ୍ଥା ହେଲା ମଣିଷର ଏଇ ସମାଜ । ତେଣୁ ଆଗ ସମାଜର ପରିବର୍ତ୍ତନ ଦରକାର । ବୈଜ୍ଞାନିକ ଭିତ୍ତିରେ ତାର ପୁନର୍ଗଠନ ଆବଶ୍ୟକ । ସମାଜର ସେ ବୈଜ୍ଞାନିକ ପୁନର୍ଗଠନ ବିନା ମଣିଷ ପ୍ରକୃତିର ପରିବର୍ତ୍ତନ ଅସମ୍ଭବ ।

 

ବିଜ୍ଞାନର ମୂଳ ବିଷୟ ହେଲା, ତା’ ଅତି ନିର୍ଦ୍ଦିଷ୍ଟ ଓ ନିର୍ଭୁଲ । ସବୁ ସ୍ଥାନରେ ସବୁ କ୍ଷେତ୍ରରେ ତା’ ନିର୍ଭୁଲଭାବେ କାର୍ଯ୍ୟ କରେ । ପଜିଟିଭ ନେଗେଟିଭ ତାର ଥିଲେ, ବିଜୁଳି ସବୁ କ୍ଷେତ୍ରରେ ଜଳିଲାଭଳି ତା’ ସବୁଦେଶରେ ସବୁ, ସମାଜରେ ଚାଲିପାରେ । ବୈଜ୍ଞାନିକ ନିୟମର ବ୍ୟତିକ୍ରମ ନାହିଁ । ଆମେ ପରେ ଦେଖିବା ରୁଷ ବୈଜ୍ଞାନିକ ଭିତ୍ତିରେ ତା’ର ସମାଜ ଗଢ଼ିଛି କିପରି ? କିପରି ସେହି ସାମାଜିକ ପରିବର୍ତ୍ତନ ସହିତ ଯୌନ ସମସ୍ୟାକୁ ସମାଧାନ କରି କରି ଚାଲିଛି । ସମାଜର ପୁନର୍ଗଠନରେ ରୁଷ ଯେପରି ବୈଜ୍ଞାନିକ ଦୃଷ୍ଟିକୋଣ ଗ୍ରହଣ କରିଛି, ସେଇପରି ବୈଜ୍ଞାନିକ ଦୃଷ୍ଟିରେ ଦେଖିଛି ଯୌନସମସ୍ୟାକୁ, ପାପ, ପ୍ରେମ, ନୈତିକ ଓ ଅନୈତିକତାର ପ୍ରଶ୍ନକୁ । ଏହାହିଁ ହେଉଛି ରୁଷର ପାର୍ଥକ୍ୟ ଅନ୍ୟ ସବୁ ଦେଶ ଓ ଜାତିମାନଙ୍କଠାରୁ ଅତି ମୌଳିକ ଫରକ । ସମାଜବାଦୀ ଦେଶକୁ ଛାଡ଼ିଦେଲେ ଅନ୍ୟ କେହି ବୈଜ୍ଞାନିକ ଦୃଷ୍ଟିନେଇ ଯୌନ ବିଷୟକୁ ଦେଖିବାକୁ ସମର୍ଥ ହୋଇ ନାହାନ୍ତି କି ହୋଇ ପାରିବେ ନାହିଁ ।

 

ତା’ ହେଲେ ସେ ବୈଜ୍ଞାନିକ ଦୃଷ୍ଟିକୋଣ କ’ଣ ସୋଭିଏତ୍ ତାକୁ କାର୍ଯ୍ୟକାରୀ କରିଛି କିପରି ?

Image

 

ଯୌନ ସମ୍ପର୍କ ଓ ବିବାହର ଐତିହାସିକ ବିକାଶ

ନବମାନବର ସୃଷ୍ଟି

 

ଆମେ ଦେଖୁ ପ୍ରତ୍ୟେକ ପ୍ରାଣୀଠାରେ ଯୌନ ପ୍ରବୃତ୍ତି ରହିଛି । ପଶୁ ଓ ମଣିଷ ଉଭୟଙ୍କଠାରେ ଉକ୍ତ ପ୍ରବୃତ୍ତି ବିଦ୍ୟମାନ । କିନ୍ତୁ ସେ ଦୁହିଁଙ୍କର ସେ ପ୍ରବୃତ୍ତି ସମାନ ନୁହେଁ । ପ୍ରଥମ କଥା ମଣିଷ ଉତ୍ପାଦନ କରେ, ପଶୁ କରେ ନାହିଁ । ମଣିଷର ଇତିହାସ ଅଛି, ପଶୁର ଇତିହାସ ନାହିଁ-। ମଣିଷର ସେ ଇତିହାସର ବିକାଶ ଓ ପରିବର୍ତ୍ତନ ସହିତ ତା’ର ସବୁ ବିଷୟର ପରିବର୍ତ୍ତନ ଘଟୁଛି, ତାହା କିନ୍ତୁ ପଶୁ କ୍ଷେତ୍ରରେ ନାହିଁ ।

 

ଦ୍ୱିତୀୟରେ ମଣିଷର ଅନ୍ୟାନ୍ୟ ସମସ୍ତ ବିଷୟ ଯଥା: ଶିକ୍ଷା, ସାହିତ୍ୟ, ଧର୍ମ, ସଂସ୍କୃତି, ଆଚାର ବ୍ୟବହାର ଇତ୍ୟାଦି ଗୋଟିଏ ଗୋଟିଏ ସ୍ୱତନ୍ତ୍ର ବିଷୟ ହେଲେ ବି ସେମାନେ ପରସ୍ପର ସହିତ ଘନିଷ୍ଠଭାବେ ସଂପୃକ୍ତ । ଗୋଟିକର ପ୍ରଭାବ ଅନ୍ୟ ଉପରେ ପଡ଼େ । ସେଇପରି ଯୌନ ସମ୍ପର୍କ ମଧ୍ୟ ଏକ ବିଚ୍ଛିନ୍ନ ବିଷୟ ନୁହେଁ, ତା’ ମଧ୍ୟ ସମାଜର ଅନ୍ୟାନ୍ୟ ବିଷୟ ସହିତ ସଂପୃକ୍ତ, ସମସ୍ତ ସାମାଜିକ ଜୀବନର ଗୋଟାଏ ଅଂଶ ମାତ୍ର । ତେଣୁ ତାକୁ ଅଲଗା କରି ଦେଖାଯାଇ ନ ପାରେ । ତେଣୁ ତାକୁ ସ୍ୱତନ୍ତ୍ରଭାବେ, ଅନ୍ୟ ସବୁଠାରୁ ବିଚ୍ଛିନ୍ନ କରି ସମାଧାନ କରିବା ଲାଗି ଚେଷ୍ଟା କରିବା ନିର୍ବୋଧତା ।

 

ଏଇ ହେଲା ସୋଭିଏତ୍ ବୈଜ୍ଞାନିକ ଦୃଷ୍ଟିର ମୂଳଭିତ୍ତି । ତେଣୁ ସେମାନେ ଯୌନ ସମସ୍ୟାର ଜନ୍ମ ଓ ବିକାଶ ଇତିହାସ ଆଲୋଚନା କରିଛନ୍ତି, ଖୋଜିଛନ୍ତି ତା’ର ପରିବର୍ତ୍ତନ କାରଣ । ସେଇଥିରୁ ପାଇଛନ୍ତି ତାକୁ ସଠିକ ମାର୍ଗରେ ନିୟନ୍ତ୍ରଣ କରିବାର ଉପାୟ । ସେମାନେ ଦେଖିଛନ୍ତି ଯୌନ ସମସ୍ୟା, ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସମସ୍ୟା ସହିତ ଘନିଷ୍ଠଭାବେ ଜଡ଼ିତ, ତା’ଉପରେ ନିର୍ଭରଶୀଳ । ତେଣୁ ଯୌନ ସମସ୍ୟାର ପରିବର୍ତ୍ତନ କରିବାକୁ ହେଲେ ସେହି ଅନୁସାରେ ସେ ସବୁର ଆଗ ପରିବର୍ତ୍ତନ ଦରକାର । ତାହା ହେଲା ଯୌନ ସମସ୍ୟାର ମୂଳଭିତ୍ତି । ସେଇ ଭିତ୍ତିକୁ ସର୍ବପ୍ରଥମେ ପ୍ରସ୍ତୁତ କରିବାକୁ ହେବ । ନ ହେଲେ ଭଲ ହୁଅ, ମହତ ହୁଅ, ପାପ ପଥରୁ ନିବୃତ୍ତ ହୁଅ ଆଦି ଯେତେ ଧର୍ମବାଣୀ ଢାଳିଲେ ବି କିଛି ଫଳ ହୋଇନାହିଁ, କି ହେବ ନାହିଁ । କାରଣ, କେବଳ ମଞ୍ଜି ଭଲ ହେଲେ ଗଛ ହୁଏ ନାହିଁ, ସେଥିଲାଗି ଉପଯୁକ୍ତ କ୍ଷେତ୍ର ଆବଶ୍ୟକ । ଆଗ ଭୂଇଁକୁ ଦୋରସ୍ତ କରିବାକୁ ହେବ । ଏଇ ଭୂଇଁକୁ ଦୋରସ୍ତ ନ କରି ସମସ୍ତେ ଚେଷ୍ଟା କରିଛନ୍ତି ଗଛ ଉତ୍ତାରିବାକୁ । ଫଳରେ ବିଫଳତା ହୋଇଛି ଅନିବାର୍ଯ୍ୟ । ରୁଷ କିନ୍ତୁ ଏଥିପ୍ରତି ଆଗ ଦୃଷ୍ଟି ଦେଇଛି । ତାହା ସାମାଜିକ, ଅର୍ଥନୈତିକ ଅବସ୍ଥାରେ ପ୍ରଥମେ ପରିବର୍ତ୍ତନ ଆଣିଛି । ଏହି ପରିବର୍ତ୍ତନ ସହିତ ତେଣେ ପରିବର୍ତ୍ତନ କରିଛି ଯୌନ ସମସ୍ୟାକୁ । ତା’ ସହିତ ସମତାଳରେ ପାଦମିଳାଇ ଚାଲିଛି ସଚେତନଭାବେ । ଏହାହିଁ ହୋଇଛି ତା’ର ସଫଳତାର ମୁଖ୍ୟ କାରଣ ।

 

ସମାଜର ଇତିହାସରୁ ଜଣାଯାଏ ଯୌନ ସମ୍ପର୍କ ବଦଳୁଛି । ମଣିଷ ବିଭିନ୍ନ ଅବସ୍ଥାରେ ବିଭିନ୍ନ ଯୌନନୀତି ଅନୁସରଣ କରିଛି । ଯାହା ଦିନେ ପୁଣ୍ୟ ପବିତ୍ର ଥିଲା, ତାହା ପରେ ଘୃଣ୍ୟ ପରିତ୍ୟକ୍ତ ହୋଇଛି । ପୁରାଣ ଯୁଗରେ ଦିନେ କୁନ୍ତୀ, ମନ୍ଦୋଦରୀ, ତାରା ପ୍ରଭୃତି, ଯେଉଁମାନଙ୍କର ଏକାଧିକ ପତି, ସେମାନେ ସତୀ ବୋଲି ଗଣ୍ୟ ହେଉଥିଲେ । ପରବର୍ତ୍ତୀ ଯୁଗରେ ସତୀର ବ୍ୟାଖ୍ୟା ତା ରହିଲା ନାହିଁ । ତାହା ଏବେ ଘୃଣ୍ୟ ଅପବିତ୍ର ଓ ଚରମ ଅନୈତିକ । ମଣିଷର ଆଧୁନିକ ଯୌନ ସମ୍ପର୍କ ନୀତି ତା’ର ଅତୀତଠାରୁ ଭିନ୍ନ । ଆଗେ ପୁରୁଷ ପକ୍ଷରେ ଏକାଧିକ ବିବାହ ବେଶ ପବିତ୍ର, ନୈତିକ, ସାମାଜିକ ନିୟମ ଦ୍ୱାରା ଅନୁମୋଦିତ, ଏବେ ତା’ ପରିତ୍ୟକ୍ତ । ଆମ ଦେଶରେ ନିକଟରେ ଏକାଧିକ ବିବାହ ଆଇନ ଦ୍ୱାରା ନିଷିଦ୍ଧ । ତେଣୁ ଏହା ବଦଳିବାରେ ଲାଗିଛି । ଭବିଷ୍ୟତରେ ମଧ୍ୟ ବଦଳିବା ଅତି ସ୍ୱାଭାବିକ ।

 

ପ୍ରବୃତ୍ତି ଦିଗରୁ ବିଚାର କଲେ ମାନବର ଯୌନ ପ୍ରବୃତ୍ତି, କ୍ଷୁଧା ତୃଷ୍ଣାଭଳି ଏକ ସରଳ ବିଷୟ ନୁହେଁ; ତାହାଠାରୁ ମୌଳିକଭାବେ ପୃଥକ । ମଣିଷର ଏ ପ୍ରବୃତ୍ତି ତା’ର ଜନ୍ମବେଳେ ନ ଥାଏ-। ଅଥଚ କ୍ଷୁଧା ତୃଷ୍ଣା ସବୁବେଳେ ରହିଛି । ବୟସ ହେଲେ ଏ ପ୍ରବୃତ୍ତି ଆସେ । ଶାରୀରିକ ପରିବର୍ତ୍ତନ ଘଟେ; ମାନସିକ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ । ଆଉ ବି ଏହାର ପରିତୃପ୍ତି କ୍ଷୁଧା ତୃଷ୍ଣା ଭଳି ହୁଏ ନାହିଁ । କାରଣ ଯୌନ ପରିତୃପ୍ତି ମଣିଷର କେବଳ ଶାରୀରିକ ନୁହେଁ; ମାନସିକ ମଧ୍ୟ । ତାହା ନିର୍ଭର କରେ ତା’ର ମନ, ଚିନ୍ତା ଓ ଭାବନା ଉପରେ–ମଣିଷ ଯେଉଁ ସ୍ୱପ୍ନ ଦେଖେ, ତାର ସଫଳତା ଉପରେ, ତେଣୁ ତାହା ତା’ର ମନ, ରୁଚି, ଚିନ୍ତା, ଅଭିଳାଷ ଅନୁଯାୟୀ ହେବା ଉଚିତ; ସେ ଯାହା କାମନା କରେ, ତାହା ସେ ଯେପରି ପାଇପାରେ ।

 

ପଶୁ ମଣିଷ ଦୁହିଁଙ୍କର ଯୌନ ପ୍ରବୃତ୍ତି ରହିଛି ସତ କିନ୍ତୁ ଦୁହେଁ ସମାନ ନୁହନ୍ତି । ପଶୁର ଯୌନ ସମ୍ପର୍କ ନିର୍ବିଚାର । ରୁଚି, ଅଭିଳାଷ, ସ୍ୱପ୍ନ ଓ କାମନାର ପ୍ରଶ୍ନ ନାହିଁ ସେଠି । କାରଣ ପଶୁର ମନ ବା ଭାବନାର ବିକାଶ ନାହିଁ । ମଣିଷର ମନ ଓ ବିଚାର ରହିଛି । ଏଇ ବିଚାରର ପରିବର୍ତ୍ତନ ଅନୁସାରେ ଯୌନ ସମ୍ପର୍କରେ ପରିବର୍ତ୍ତନ ଘଟୁଛି–ଯୁଗେ ଯୁଗେ ଘଟି ଆସିଛି ।

 

ତା’ପରେ ଜୀବନରକ୍ଷା ଲାଗି ମଣିଷ କ୍ଷୁଧାତୃଷ୍ଣା ନିବାରଣ କରେ । କିନ୍ତୁ ଯୌନସମ୍ପର୍କ କେବଳ ସେପରି ଏକ ନିବାରଣ ନୁହେଁ । ତାଠାରୁ ଆହୁରି ଅଧିକ, ଆହୁରି ଗୁରୁତ୍ୱପୂର୍ଣ୍ଣ । ମଣିଷର ବଂଶରକ୍ଷା ନିର୍ଭର କରେ ତାରି ଉପରେ । ଯୌନ ସମ୍ପର୍କ ପଛରେ ଏଇ ମହତ ଉଦ୍ଦେଶ୍ୟ ନିହିତ । ତା ମଣିଷକୁ ପିତାମାତା ହେବାର ସୁଖ, ସମ୍ମାନ ପ୍ରଦାନ କରେ, ତେଣୁ ବ୍ୟକ୍ତିଗତ ଭାବେ ମଣିଷର ଏଇ ଆକାଙ୍କ୍ଷା, ଜୀବନର ଏକ ଶ୍ରେଷ୍ଠ ଅଭିଳାଷ ସହିତ ଜଡ଼ିତ । ସାମାଜିକ ଦୃଷ୍ଟିରୁ ଦେଖିଲେ ମଣିଷ ସମାଜକୁ ବଞ୍ଚାଇ ରଖିବା ଲାଗି ଏହା ଏକାନ୍ତ ପ୍ରୟୋଜନ । ତା’ ବିନା ଧରାବକ୍ଷରୁ ମଣିଷ ଜୀବନ ପୂରାପୂରି ଲୋପ ପାଇଯିବ । ତେଣୁ ଏଥି ସହିତ ବିବାହ, ପରିବାର, ସନ୍ତାନପାଳନ–ମଣିଷ ସମାଜର ଭବିଷ୍ୟତ ବଂଶରକ୍ଷା–ଏବଂ ସାମାଜିକ, ନୈତିକତା ଆଦି ବହୁ ବିଷୟ ସଂପୃକ୍ତ । ଆଉ ମଣିଷର ଚିନ୍ତା, ଭାବନା, ବିଚାର, ସ୍ୱପ୍ନ, ରୁଚି, ଅଭିଳାଷ ଆଦି ବହୁ ବିଷୟ ଦ୍ୱାରା ତାହା ପ୍ରଭାବିତ ଓ ନିୟନ୍ତ୍ରିତ । ଯୌନ ସମସ୍ୟା, ତୃଷ୍ଣା ନିବାରଣ ଭଳି ଏକ ଅତି ସରଳ ସହଜ ପ୍ରଶ୍ନ ନୁହେଁ-। ଏହା ଅତ୍ୟନ୍ତ ଜଟିଳ । ଏହା ଯେପରି ବିଚିତ୍ର, ସେଇପରି ବହୁ ରଙ୍ଗିନ ସ୍ୱପ୍ନର ଆବରଣରେ ଆବୃତ–ହୃଦୟର ସେଇ ଆବେଗର ନାମ ପ୍ରେମ ।

 

ପ୍ରେମହିଁ ସର୍ବଶ୍ରେଷ୍ଠ ଆନନ୍ଦପ୍ରଦ ଆକାଙ୍‍କ୍ଷା । କୁହାଯାଏ ପ୍ରେମର ବନ୍ଧନ ସବୁଠାରୁ ଟାଣ । ପ୍ରେମର ଗୁଣ, ମହାତ୍ମ୍ୟ ଗାନରେ ମଣିଷ ସମାଜର ସାହିତ୍ୟ ମୁଖରିତ । ଏହା ଏକ ମହାନ୍, ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ, ଯାହାକି ପଶୁଠାରେ ଅଭାବ । ପଶୁର ଯୌନ ସମ୍ପର୍କରେ ପ୍ରେମର ସ୍ଥାନ ନାହିଁ । ଏ କ୍ଷେତ୍ରରେ ମଣିଷ ପଶୁ ମଧ୍ୟରେ ଏହା ଏକ ପ୍ରଧାନ ପାର୍ଥକ୍ୟ । ଏଇ ପ୍ରେମ ଯୋଗୁଁ ମଣିଷ ଯେ କି ଅସାଧ୍ୟ ସାଧନ କରେ, କିପରି ଆତ୍ମଉତ୍ସର୍ଗ କରେ, ତା’ର ଭୁରି ଭୁରି ଦୃଷ୍ଟାନ୍ତ କାବ୍ୟକବିତା ଓ ଇତିହାସରେ ଲିପିବଦ୍ଧ । ଯୌନକ୍ଷେତ୍ରରେ ଏହା ଯଦି ମଣିଷକୁ ପଶୁଠାରୁ ପୃଥକ୍‍ କରେ, ତେବେ ତା’ ନିଶ୍ଚୟ ଏକ ମାନବିକ ବିଷୟ, ଏକ ମହାନ ପ୍ରଗତିଶୀଳ ବିଷୟ । କହିବାକୁ ଗଲେ ପ୍ରେମ ଏକ ବୈପ୍ଳବିକ ବିକାଶ । ତାହାହେଲେ ଉକ୍ତ ବିକାଶକୁ ଆଗେଇନେବା, ତାକୁ ସମ୍ପୂର୍ଣ୍ଣ କରିବାକୁ ହେବ । ତାହା ଯଦି ଏକ ମାନବିକ ବିଷୟ, ତେବେ ତା’ର ପରିପୂର୍ଣ୍ଣ ପରିତୃପ୍ତି ମଣିଷକୁ ଅଧିକ ମାନବିକ, ଯୌନ ସମ୍ପର୍କ ଦୃଷ୍ଟିରୁ ତାକୁ ପ୍ରକୃତରେ ମଣିଷରେ ପରିଣତ କରିବ । ତେବେ ସମସ୍ତ ନୈତିକତା ସେଇ ପ୍ରେମ ଉପରେ ପ୍ରତିଷ୍ଠିତ ହେବା ଉଚିତ । ପ୍ରେମ ହିଁ ହେବ ସବୁ ନୈତିକତାର ମାପକାଠି ।

 

ପାପ ଓ ପ୍ରେମ ଦୁହେଁ ଦୁହିଁଙ୍କର ବିପରୀତ । ପାପର ବିକଳ୍ପ ପ୍ରେମ, ତେଣୁ ପାପକୁ ବିଚାର କରିବାକୁ ହେଲେ ପ୍ରେମକୁ ଦେଖିବାକୁ ହେବ । ପାପକୁ ଲୋପ କରିବାକୁ ହେଲେ ପ୍ରେମକୁ ଆଶ୍ରା କରିବାକୁ ପଡ଼ିବ । ପ୍ରେମହିଁ ହେଉଛି ପାପର ଏକମାତ୍ର ପ୍ରତିଷେଧ, ଏକମାତ୍ର ଔଷଧ, ଏ ପ୍ରେମ କିନ୍ତୁ ସ୍ଥାଣୁ, ଅଚଳ ବା ଗତିହୀନ ନୁହେଁ, ତା’ ପରିବର୍ତ୍ତନଶୀଳ । ଗୋଟାଏ ଅବସ୍ଥାରେ ମଣିଷ ସମାଜରେ ପ୍ରେମ ବୋଲି କିଛି ନଥିଲା । ତା’ ଗୋଟାଏ ଅବସ୍ଥାରେ ଜାତ ହୋଇଛି ଓ ବିକାଶ ଲାଭ କରିଛି । ଏହାକୁ ଆଲୋଚନା କରିଛନ୍ତି ରୁଷର ବୈଜ୍ଞାନିକଗଣ । ତାକୁ ସେମାନେ କବି ସାହିତ୍ୟକର ଦୃଷ୍ଟିରୁ, ହୃଦୟର ଆବେଗ ବା ଭାବପ୍ରବଣତା ଓ କଳ୍ପନାର ଦୃଷ୍ଟିକୋଣରୁ ଦେଖିନାହାନ୍ତି-। ସେମାନେ ତାକୁ ଆଲୋଚନା କରିଛନ୍ତି ବୈଜ୍ଞାନିକ ଦୃଷ୍ଟିରୁ । ଅନୁସରଣ କରିଛନ୍ତି ସମାଜରେ ତାର ବିକାଶର ଧାରାକୁ । ପାପ, ବ୍ୟଭିଚାର ଓ ଅନୈତିକତାକୁ ଲୋପ କରିବାକୁ ହେଲେ ଏହାର ବୈଜ୍ଞାନିକ ଆଲୋଚନା ଏକାନ୍ତ ଆବଶ୍ୟକ ।

 

ଏଇ ଯୌନ ସମସ୍ୟା ଓ ବିବାହ ସମ୍ପର୍କରେ ସର୍ବପ୍ରଥମେ ଫ୍ରେଡ଼୍ରିକ ଏଙ୍ଗେଲସ ହିଁ ବୈଜ୍ଞାନିକ ଦୃଷ୍ଟିକୋଣ ପ୍ରଦାନ କରିଛନ୍ତି । ସେ ଦର୍ଶାଇଛନ୍ତି ସାଧାରଣ ମଣିଷ ତିନୋଟି ସ୍ତର ଦେଇ ବିକାଶ ଲାଭ କରିଛି–ଯଥା ଅରଣ୍ୟ ଅବସ୍ଥା (ସାଭେଜରି), ବର୍ବର ଅବସ୍ଥା (ବାର୍ବାରିଜିମ୍) ଆଉ ସଭ୍ୟ ଅବସ୍ଥା (ସିଭିଲିଜେସନ୍) ।

 

ଉପରୋକ୍ତ ୩ ଟି ସ୍ତରରେ ମୋଟାମୋଟି ୩ ପ୍ରକାରର ଯୌନ ସମ୍ପର୍କ ବା ବିବାହ ଅବସ୍ଥା ଦେଖାଦେଇଛି । ଅରଣ୍ୟ ଅବସ୍ଥାରେ ଗୋଷ୍ଠୀ ବିବାହ, ବର୍ବର ଅବସ୍ଥାରେ ଯୁଗଳ ବିବାହ ଆଉ ସଭ୍ୟ ଅବସ୍ଥାରେ ଏକକ ବିବାହ । ଏଇ ଏକକ ବିବାହ ସହିତ ଏକ ସଙ୍ଗରେ ଚଳି ଆସିଛି ବ୍ୟଭିଚାର ଓ ଗଣିକାପ୍ରଥା । ଯୁଗଳ ବିବାହ ଓ ଏକକ ବିବାହର ମଧ୍ୟବର୍ତ୍ତୀ କାଳରେ ବହୁ ବିବାହ, ଦାସୀ, ରକ୍ଷିତା ପ୍ରଥା ଆଦି ମଧ୍ୟ ପ୍ରଚଳନ । ଏହା ହେଲା ଯୌନ ସମ୍ପର୍କର ମୋଟାମୋଟି ବିକାଶର ଧାରା ।

 

ଆଦିମ ଅବସ୍ଥାରେ ମଣିଷ ବାସ କରୁଥିଲା ଅରଣ୍ୟରେ । ଅରଣ୍ୟ ଅବସ୍ଥାରେ ସେ ଥିଲା ପଶୁଠାରୁ ଟିକିଏ ଉଚ୍ଚରେ । ନିର୍ବିଚାର ଥିଲା ତା’ର ଯୌନ ସମ୍ପର୍କ । ତା’ପରେ ଗୋଷ୍ଠୀ ବିବାହ, ଏଠାରେ ଗୋଟିଏ ଗୋଷ୍ଠୀ ବା ଦଳର ସବୁ ପୁରୁଷ ସବୁ ସ୍ତ୍ରୀଙ୍କର ସ୍ୱେମୀ । ସବୁ ବା ଅଧିକାଂଶ ପୁରୁଷଙ୍କର ସବୁ ବା ପୁତ୍ର, ପିତାକନ୍ୟା ମଧ୍ୟରେ କୌଣସି ବାରଣ ନ ଥିଲା । ଏହାର ଦୃଷ୍ଟାନ୍ତ ଆମ ହିନ୍ଦୁ ଶାସ୍ତ୍ରରେ ମଧ୍ୟ ରହିଛି । ବ୍ରହ୍ମା ଆଦିଦେବତା, ସମସ୍ତ ଜଗତର ସୃଷ୍ଟିକର୍ତ୍ତା । ଅଥଚ ଦେବତାଙ୍କ ମଧ୍ୟରେ ସେହି ହିଁ ଅପୂଜିତ । ସୃଷ୍ଟିକର୍ତ୍ତାଙ୍କ ଲାଗି କେଉଁଠି ହେଲେ ଗାଁ ମୁଣ୍ଡରେ ଖଣ୍ଡେ ଚାଳିଆ ଘର ସୁଦ୍ଧା ନାହିଁ କି କେଉଁଠି ଭୁଲରେ କିଏ ପାଣି ମୁନ୍ଦାଏ ବି ଟେକେ ନାହିଁ । ତା’ର କାରଣ ସେ ଘୋର ଅବୈଧ ଯୌନ ସମ୍ପର୍କ ଦୋଷରେ ଦୋଷୀ । ଆଦିମ ଅବସ୍ଥାରେ ତାହା ଦୋଷାବହ ନ ଥିଲା, ତାହା ଥିଲା ସମାଜର ଚଳଣି । ତେଣୁ ଆଦିମ ଅବସ୍ଥାରେ ଜଗତର ସୃଷ୍ଟିକର୍ତ୍ତା ପରବର୍ତ୍ତୀ ଅବସ୍ଥାରେ ପରିତ୍ୟକ୍ତ ।

 

ଏ ଗୋଷ୍ଠୀ ବିବାହ କାଳରେ ମଣିଷ ଜାଣି ନ ଥିଲା ନାରୀ କାହିଁକି ଗର୍ଭବତୀ ହୁଏ । ତେଣୁ ସନ୍ତାନର ବାପମା’ ର ଆବଶ୍ୟକତା ସମ୍ପର୍କରେ ସେ ଥିଲା ଅଜ୍ଞ । ସେଠାରେ ଗୋଷ୍ଠୀର ସମସ୍ତ ପୁରୁଷ ହେଉଛନ୍ତି ସବୁ ସନ୍ତାନଙ୍କର ପିତା ସବୁ ସ୍ତ୍ରୀ ତାଙ୍କର ମାତା । ସେମାନେ ସମସ୍ତ ଗୋଷ୍ଠୀର ସନ୍ତାନ ।

 

ଏ ଅବସ୍ଥାରେ କେହି ଜଣେ କାହାର ଜୀବନର ସଙ୍ଗୀ ବା ସଙ୍ଗିନୀ ନୁହେଁ । ଯୌନ ସମ୍ପର୍କରେ କୌଣସି ବାଧା, ପ୍ରତିବନ୍ଧକ ନାହିଁ । ସମସ୍ତେ କଠୋର ଜୀବନ ସଂଗ୍ରାମରେ ବ୍ୟସ୍ତ । କିପରି ନିଜକୁ ବଞ୍ଚାଇବେ, ତାହାହିଁ ହେଲା ଏକମାତ୍ର ଲକ୍ଷ୍ୟ । ସେ ସମାଜରେ ପ୍ରେମର ପ୍ରଶ୍ନ ନାହିଁ । ସେତେବେଳେ ମଣିଷ ମନରେ କୌଣସି ରୋମାଣ୍ଟିକ ଭାବ ଉଦ୍ରେକ ହୋଇ ନାହିଁ, କି ହେବା ଅବସ୍ଥାରେ ମଣିଷ ନ ଥିଲା ।

 

ସାମାଜିକ ବିକାଶ ଘଟିଛି, ଆସିଛି ବର୍ବର ସମାଜ । ଏବେ ଉତ୍ପାଦନ ପୂର୍ବ ଅପେକ୍ଷା ବୃଦ୍ଧି ପାଇଛି । ଆଗ ଅପେକ୍ଷା ଅଧିକ ଖାଦ୍ୟ ଉତ୍ପାଦନ କରିବାକୁ ସମର୍ଥ ହୋଇଛି ମଣିଷ । ଫଳରେ ମଣିଷ ପାଇଛି ବିଶ୍ରାମ କରିବା ଲାଗି ଅବସର, ଚିନ୍ତା କରିବାର ସୁଯୋଗ । ତାର ଭାବନାର ଗତି ହୋଇଛି ସକଳ ରହସ୍ୟ ଉଦ୍‍ଘାଟନ ଦିଗରେ । ଏତେବେଳେ ସେ ବୁଝିଛି ସନ୍ତାନ ଜନ୍ମର ରହସ୍ୟ–ନାରୀପୁରୁଷର ମିଳନରେ ନୂତନ ଏକ ଜୀବନର ସୃଷ୍ଟି ।

 

ସେଇ ଗୋଷ୍ଠୀ ବିବାହ ଭିତରେ ଦେଖାଦେଇଛି ଯୁଗଳ ବିବାହ । ଏ ବିବାହରେ ନାରୀ ପୁରୁଷ କେତେଠି ଅଳ୍ପ, କେତେଠି ବା ବହୁ ସମୟ ଧରି ଏକାଠି ବାସ କରିଛନ୍ତି । ପୁଣି ପୁରୁଷର ବହୁ ସ୍ତ୍ରୀ ମଧ୍ୟରେ ରହିଛି ଜଣେ ପ୍ରଧାନ ସ୍ତ୍ରୀ । ଯାହାକି ପରବର୍ତ୍ତୀ ଅବସ୍ଥାରେ ପାଟରାଣୀରେ ପରିଣତ ହୋଇଛି । ସେମିତି ସ୍ତ୍ରୀର ବହୁ ସ୍ୱାମୀ ମଧ୍ୟରେ ଜଣେ ପ୍ରଧାନ ସ୍ୱାମୀ ମଧ୍ୟ ରହୁଛି । ପରେ ଦୁଇ ଦୁଇଜଣ ଏକାଠି ବାସ କରିବାକୁ ଆରମ୍ଭ କରିଛନ୍ତି । ହେଲେ ବି ସେତେବେଳେ ବ୍ୟଭିଚାର ଲାଗି ରହିଛି । ପୁରୁଷ ଦାବି କରିଚି, ଅନ୍ୟ ସ୍ତ୍ରୀ ସମ୍ଭୋଗ ତା’ର ଜନ୍ମଗତ ଅଧିକାର । ଆଜି ଭଳି ସେତେବେଳେ ଏଥିଲାଗି ପଇସାପତ୍ରର କାରବାର ନ ଥିଲା । ଅର୍ଥନୈତିକ କାରଣ ଯୋଗୁଁ କେହି ଦେହ ବିକ୍ରୟ କରୁ ନ ଥିଲା । ଅଥଚ ଅନ୍ୟ ଦିଗରେ ପୁରୁଷ ନାରୀଠାରୁ ଦାବି କରୁଥିଲା, ପୂର୍ଣ୍ଣ ସତୀତ୍ୱ ବା ଅନୁରକ୍ତି । ଏହାପରେ ସ୍ତ୍ରୀଲୋକ ପକ୍ଷରେ ଅନ୍ୟତ୍ର ଗମନ ହେଲା ବ୍ୟଭିଚାର, ତା’ ହେଲା ଦଣ୍ଡନୀୟ । ଏ ଅବସ୍ଥାରେ ବିବାହ ଭାଙ୍ଗିଦେବା ବା ଛାଡ଼ପତ୍ର ଦେବା ଥିଲା ଅତି ସହଜ ବ୍ୟାପାର, କିନ୍ତୁ ପୂର୍ବପରି ସନ୍ତାନ ଉପରେ ରହୁଥିଲା ମା’ର ପୂର୍ଣ୍ଣ ଅଧିକାର ।

 

ସେ ଅବସ୍ଥାରେ ପ୍ରେମ ବୋଲି କିଛି ନ ଥିଲା । ଏକ ଦୃଢ଼ ସ୍ଥାୟୀ ପରିବାର ଗଠନ ମଧ୍ୟ ସମ୍ଭବ ନ ଥିଲା । ପରିବାର ବନ୍ଧନ ଥିଲା ଅତି ଦୁର୍ବଳ–କାରଣ, ଏତେବେଳ ଯାଏ ଗୋଷ୍ଠୀ ସମାଜ ରହିଛି, ତାର ପତନ ଘଟିଲା ନାହିଁ । ତେଣୁ ପ୍ରତ୍ୟେକ ଲୋକର ଏକ ସ୍ୱାଧୀନ ସ୍ୱତନ୍ତ୍ର ଅର୍ଥନୈତିକ ସଂସ୍ଥା ବା ଜୀବନ ଗଢ଼ି ଉଠି ନାହିଁ । ସମସ୍ତେ ସେଇ ଏକ ଗୋଷ୍ଠୀ ଭିତରେ ବନ୍ଧାହୋଇ ରହିଛନ୍ତି ।

 

ଧୀରେ ଧୀରେ ଗୋଷ୍ଠୀ ସମାଜ ଭାଙ୍ଗିଲା । ପୂର୍ବେ ଗୋଷ୍ଠୀ ସମାଜରେ ନାରୀର ଯେଉଁ ପ୍ରାଧାନ୍ୟ ଥିଲା, ତାହା ମଧ୍ୟ ତା’ ସହିତ ଭାଙ୍ଗିଲା । ପୂର୍ବେ ମଣିଷ ଜାଣି ନ ଥିଲା, ସନ୍ତାନ ଜନ୍ମର କାରଣ, ତା’ର ପ୍ରକୃତ ପିତା କିଏ ? ତେଣୁ ସନ୍ତାନ ଉପରେ ଥିଲା ମା’ର ପୂର୍ଣ୍ଣ ଅଧିକାର । ଘରେ ଥିଲା ନାରୀର ଅଖଣ୍ଡ ପ୍ରାଧାନ୍ୟ–ଘରେ, ସମାଜରେ ତାର ଆସନ ଥିଲା ଉଚ୍ଚରେ । ସେ ସବୁଠାରେ ସମ୍ମାନିତା ।

 

ଉତ୍ପାଦନରେ ବୃଦ୍ଧି ସହିତ ବୃଦ୍ଧି ପାଇଲା ଧନ ସମ୍ପଦ । ଏବେ ପ୍ରଶ୍ନ ଉଠିଲା, ତା’ର ସେ ଧନ ସମ୍ପଦର ଉତ୍ତରାଧିକାରୀ ହେବ କିଏ ? ଏଇଠୁ ଆସିଲା ପୁରୁଷର ଆଧିପତ୍ୟ, ଅର୍ଥନୈତିକ କ୍ଷେତ୍ରରେ ପୁରୁଷର ଆଧିପତ୍ୟ ବୃଦ୍ଧି ପାଇଲା, ସମାଜରେ ନାରୀର ଅଧିକାର, ମାତୃତ୍ୱର ସମ୍ମାନ ଧ୍ୱଂସ ପାଇଲା । ଏଙ୍ଗେଲସଙ୍କ ଭାଷାରେ, ‘‘ଏଇ ମାତୃ ଅଧିକାର ଧ୍ୱଂସ, ନାରୀ ଜାତିର ଏକ ବିଶ୍ୱବ୍ୟାପୀ ପରାଜୟ’’ ।

 

ଉପରୋକ୍ତ ଯୁଗଳ ବିବାହରୁ ଏକକ ବିବାହ (ମନୋଗାମି) ପ୍ରଥାର ଉଦ୍ଭବ । ଏହାର ମୂଳଭିତ୍ତି ହେଲା ପୁରୁଷର ପୂର୍ଣ୍ଣ ଅଧିକାର । ଲକ୍ଷ୍ୟ ରହିଲା, ସନ୍ତାନର ପିତୃତ୍ୱ ସମ୍ପର୍କରେ ଯେପରି ଆଉ କୌଣସି ବିବାଦର ପ୍ରଶ୍ନ ନ ରହେ । ପ୍ରତ୍ୟେକ ଯେପରି ତାର ବାପାର ପୁଅ ବୋଲି ନିଧାର୍ଯ୍ୟଭାବେ ପରିଚିତ ହେବେ, ପିତୃତ୍ୱ ପରିଷ୍କାର ହେବା ଦରକାର । କାରଣ ବାପାର ପୁଅ କେବଳ ହେବ ତା’ର ସମ୍ପତ୍ତିର ଉତ୍ତରାଧିକାରୀ, ସମ୍ପତ୍ତିର ମାଲିକ । ନିଜର ସମ୍ପତ୍ତିକୁ ଅନ୍ୟ ଜଣେ ଘେନିଯିବ, ତାକୁ କ’ଣ କିଏ ସହ୍ୟ କରିପାରେ ?

 

ଏଇ ଏକକ ବିବାହରେ ଯୌନ ପ୍ରେମର ପ୍ରଶ୍ନ ନାହିଁ । ଏହା ପ୍ରେମର ଫଳ ନୁହେଁ, ଏହାର ମୂଳଭିତ୍ତି ହେଲା ଅର୍ଥନୈତିକ ଭିତ୍ତି । ଯେତେବେଳେ ଜଣେ ଜଣେ ବ୍ୟକ୍ତିଙ୍କ ହାତରେ ଧନସମ୍ପତ୍ତି ଠୁଳ ହେଲା, ସେ ବ୍ୟକ୍ତି ବା ପୁରୁଷ ଚାହିଁଲା କେବଳ ତାର ସନ୍ତାନକୁ ଦେବ, ଆଉ କାହାକୁ ନୁହେଁ । ଏଥିଲାଗି ଯିଏ ସନ୍ତାନ ପ୍ରସବ କରେ, ସେ ନାରୀ ଏକାକୀ ତାରି ହେବା ଦରକାର-। ତେଣୁ ନାରୀଜାତି ପକ୍ଷରେ ଏକକ ବିବାଦ ନିହାତି ଆବଶ୍ୟକ । ତା ନ ହେଲେ ସନ୍ତାନ ତାର ପିତାର ସନ୍ତାନ ବୋଲି ପରିଚିତ ହେବ କିପରି ! ପୁରୁଷ ପକ୍ଷରେ ଯେପରି ଅସୁବିଧା ନାହିଁ ପୁରୁଷ ଏକକ ବିବାହରୁ ମୁକ୍ତ, ତେଣୁ ପୁରୁଷ ପକ୍ଷରେ ବହୁ ସ୍ତ୍ରୀ ବିବାହ, ବହୁ ରକ୍ଷିତା ରଖିବାରେ ବା ଅନ୍ୟତ୍ର ଗମନ କରିବାରେ କୌଣସି ଆପତ୍ତି ନାହିଁ । ଏହା ହେଲା ସାମାଜିକ ନିୟମ ଓ ନୈତିକତା-

 

ଏଇ ଏକକ ବିବାହ ଯେ ନାରୀପୁରୁଷ ମଧ୍ୟରେ ପ୍ରକୃତ ବନ୍ଧୁତ୍ୱ, ପ୍ରାଣର ମିଳନ ବା ପ୍ରେମ ଫଳରେ ଉଦ୍ଭବ, ତା’ ନୁହେଁ, ଏହା ହେଉଛି ଠିକ୍ ତା’ର ଓଲଟା । ଏହା ହେଲା ନାରୀ ଉପରେ ପୁରୁଷର ଅଧିପତ୍ୟ, ନାରୀପୁରୁଷ ମଧ୍ୟରେ ସମାନ ଅଧିକାର ଲୋପ, ନାରୀ ହେଲା ପୁରୁଷର ଦାସୀ, ଦାସତ୍ୱ ଯୋଗୁଁ ନାରୀପୁରୁଷ ମଧ୍ୟରେ ଦ୍ୱନ୍ଦ୍ୱ କଳହ, ବିବାଦ ଦେଖାହେଲା, ଯାହାକି ପୂର୍ବରୁ ଇତିହାସରେ କେବେ ଦେଖା ନ ଥିଲା । ତାକୁ ଲକ୍ଷ୍ୟ କରି ଏଙ୍ଗେଲସ କହିଥିଲେ, ‘‘ପୂର୍ବରୁ ଇତିହାସରେ ଦେଖା ନ ଥିବା ଶ୍ରେଣୀ ବିରୋଧିତା ସହିତ ଆସିଲା ଏକକ ବିବାହ ମଧ୍ୟରେ ସ୍ତ୍ରୀପୁରୁଷର ବିରୋଧିତା, ନାରୀ ଉପରେ ପୁରୁଷର ଅତ୍ୟାଚାର–ପ୍ରଥମ ଶ୍ରେଣୀ ଅତ୍ୟାଚାର, ଏକକ ବିବାହ ଏକ ବିରାଟ ଐତିହାସିକ ଅଗ୍ରଗତି । ବ୍ୟକ୍ତିଗତ ସମ୍ପତ୍ତିର ସୃଷ୍ଟି ସହିତ ନାରୀର ଦାସତ୍ୱ ଏକ ସଙ୍ଗରେ ପ୍ରକାଶ ପାଇଲା ।’’ ବର୍ତ୍ତମାନ ସୁଦ୍ଧା ସେ ଯୁଗ ଚାଲିଛି । କାରଣ, ବ୍ୟକ୍ତିଗତ ସମ୍ପତ୍ତି ରହିଛି–ତା’ ସହିତ ଲାଗି ରହିଛି ନାରୀର ଦାସତ୍ୱ ।

 

ଏଇ ଏକକ ବିବାହ ମଧ୍ୟରେ ଦେଖାଦେଇଛି ଆଉ ଏକ ବିରୋଧିତା । ଏଙ୍ଗେଲସ କହିଥିଲେ, ଏକ ଦିଗରେ ବହୁ ସ୍ତ୍ରୀ ଉପଭୋଗ କରିବାର ଅଧିକାରୀ ପୁରୁଷ, ଅନ୍ୟ ଦିଗରେ ତା’ର ଅବହେଳିତ ବିବାହିତ ସ୍ତ୍ରୀ । ପୁରୁଷର ଅନ୍ୟ ସ୍ତ୍ରୀକୁ ପ୍ରେମ ଓ ଭୋଗ କରିବାର ଅଧିକାର, ସ୍ତ୍ରୀ ଅନ୍ୟ ପୁରୁଷ ପାଖକୁ ଯିବାର ଅଧିକାରରୁ ବଞ୍ଚିତ । ପୁରୁଷର ଏ ଅଧିକାର ଅନ୍ୟ ଦିଗରେ ସୃଷ୍ଟି କଲା ଆଉ ଏକ ଅଶୁଣା ବିଷୟ, ଯାହାକି ପୂର୍ବେ କେବେହେଲେ ଇତିହାସରେ ଘଟି ନ ଥିଲା । ତା’ ହେଲା ସ୍ତ୍ରୀର ପରପୁରୁଷ ଓ ଅସତୀ ସ୍ତ୍ରୀର ସ୍ୱାମୀ, କାରଣ ପୁରୁଷ ସ୍ତ୍ରୀଠାରୁ ବିଶ୍ୱସ୍ତତା ଓ ଅନୁରକ୍ତି ଦାବି କରୁଥିଲାବେଳେ ସେ ନିଜେ ତା’ ପ୍ରତି ବିଶ୍ୱସ୍ତ ଓ ଅନୁରକ୍ତ ନୁହେଁ ।

 

ତା’ ପରେ ସମାଜର ଏଇ ବ୍ୟକ୍ତିଗତ ସମ୍ପତ୍ତି ଅଧିକ ଅଧିକ ବୃଦ୍ଧି ପାଇଛି । ପିତାର ଆଧିପତ୍ୟ, ଅଧିକାର ଅଧିକ ପ୍ରସାର ଲାଭ କରିଛି । ସେତେବେଳେ ଏଇ ବୃଦ୍ଧି ଓ ପ୍ରାଧାନ୍ୟ ହେତୁ ଏକକ ବିବାହ ଅଧିକ ନିର୍ଭର କରିଛି ଅର୍ଥନୈତିକ ବିଚାର ଉପରେ । ଲୋକଙ୍କର ବ୍ୟକ୍ତିଗତ ଗୁଣ ଗାରିମାର ଆଉ ବିଚାର ହେଲା ନାହିଁ । ବିବାହର ପ୍ରଧାନ ବିଚାର୍ଯ୍ୟ ବିଷୟ ହେଲା ଧନସମ୍ପଦ, ସମ୍ପତ୍ତି । ସମ୍ପତ୍ତିର ଦବାନବା ହେଲା, ଏ ବିବାହର ଭିତ୍ତି । ଧନୀ ଲୋକଙ୍କ ମଧ୍ୟରେ ଏହା ବିଶେଷଭାବେ ପ୍ରଚଳିତ । ସେଠି ବିବାହିତ ନାରୀ ପୁରୁଷ ମଧ୍ୟରେ ପରସ୍ପର ପ୍ରତି ସ୍ନେହ, ଇଚ୍ଛା, ଆଗ୍ରହର ପ୍ରଶ୍ନ ନାହିଁ । ଏକମାତ୍ର ପ୍ରଶ୍ନ ହେଲା ଧନ ସମ୍ପତ୍ତି । ଯେଉଁମାନେ ସମ୍ପତ୍ତିହୀନ, ନିର୍ଦ୍ଧନ, ନିଃସ୍ୱ ସେଇଠାରେ କେବଳ ଇଚ୍ଛା ଆଗ୍ରହର ବିଚାର ହୁଏ । ସେଇଠି ବିବାହ ବହୁ କ୍ଷେତ୍ରରେ ପରସ୍ପର ଆକର୍ଷଣ ଉପରେ ନିର୍ଭର କରେ ।

 

ଅତଏବ ଯୌନସମ୍ପର୍କ ବା ବିବାହର ଯେଉଁ ବିକାଶ ଘଟିଲା, ସେଥିରେ ନାରୀ ଧୀରେ ଧୀରେ ଯୌନ ସ୍ୱାଧୀନତାରୁ ବଞ୍ଚିତ ହେଲା । ତା’ ଲାଗି ପୂର୍ବର ଗୋଷ୍ଠୀ ବିବାହର ଯୌନ ସ୍ୱାଧୀନତା ଆଉ ରହିଲା ନାହିଁ । କିନ୍ତୁ ପୁରୁଷଙ୍କ ଲାଗି ଯୌନ ସ୍ୱାଧୀନତାର ପଥ ନାନାଭାବେ ଉନ୍ମୁକ୍ତ ଓ ପ୍ରଶସ୍ତ ହୋଇଗଲା । ପୁରୁଷ ବହୁ ବିବାହ କରିପାରେ, ବହୁ ସ୍ତ୍ରୀଙ୍କୁ ବିବାହ ନ ହୋଇ ରଖିପାରେ, ପାପାଳୟ ସୃଷ୍ଟି କରିପାରେ । ଏହାକୁ ସମାଜ ଅନୁମୋଦନ କଲା, ଆଇନ ସମର୍ଥନ ଦେଲା, ଆଉ ଧର୍ମ ଆଶୀର୍ବାଦ କଲା । ଏସବୁ ଫଳରେ କେବଳ ବ୍ୟଭିଚାର ପ୍ରସାରିତ ହେଲା ନାହିଁ, ଗଣିକାପ୍ରଥାର ମଧ୍ୟ ପ୍ରସାର ଘଟିଲା । ଘରେ ଓ ବାହାରେ ନାରୀ ଆଉ ପୁରୁଷ ସହିତ ସମାନ ହୋଇ ରହିଲା ନାହିଁ । ସେ ହେଲା ପୁରୁଷର ଏକ ଭୋଗ୍ୟବସ୍ତୁ, ତା’ର ଦାସୀ । କଠୋର ପରିଶ୍ରମ, ନିର୍ଯ୍ୟାତନା ହେଲା ତା’ର ଭାଗ୍ୟର ଲିଖନ । ପୁରୁଷର ଆଶ୍ରା ବିନା ସେ ଆଉ ଠିଆ ହୋଇପାରିଲା ନାହିଁ । ଶେଷରେ ତା’ର ନାମ ହେଲା ଅବଳା–

 

ସମାଜ ବିକାଶ ମଧ୍ୟରେ ଗଢ଼ିଉଠିଛି ଧର୍ମ । ସବୁ ଧର୍ମର ନୀତି ଯେପରି ସମାନ, ସବୁ ଧର୍ମର ଏ ଯୌନନୀତି ମଧ୍ୟ ସେଇପରି ଏକ ଓ ସମାନ । ଯୌନ ବିଷୟ ଧର୍ମର ଏକ ପ୍ରଧାନ ଅଙ୍ଗ ହୋଇଛି । ଏହା ପ୍ରାଚୀନ ବାବିଲୋନ, ଗ୍ରୀସ ପରି ଭାରତରେ ମଧ୍ୟ ଦେଖା ଦେଇଛି । ବହୁ ଦେବଦେବୀ ଏଇ ଯୌନ ସମ୍ୱନ୍ଧରୁ ଜାତ । ଗ୍ରୀସର ଦେବତା ଭେନ୍‍ସ, ସିଗ୍ରେସ, ଇସିସ୍ ପ୍ରଭୃତି ହେଉଛନ୍ତି ତାର ଦୃଷ୍ଟାନ୍ତ । ଆମ ପୁରାଣର କାମଦେବ ହେଉଛନ୍ତି ତା’ର ସଦ୍ୟ ନିଦର୍ଶନ, ଯୌନ ଦେବତା । ରୁଷ ବିଷୟ ଆଲୋଚନା ପୂର୍ବରୁ ଏବେ ଆମ ଭାରତର କାମଦେବଙ୍କ କୃତିତ୍ୱ ଲକ୍ଷ୍ୟ କରାଯାଉ ।

Image

 

ଭାରତରେ ଯୌନ ସମ୍ପର୍କ ଓ ବିବାହର ବିକାଶ

 

ଆମ ଦେଶରେ ବହୁ ଲୋକ ଅଛନ୍ତି, ଯେଉଁମାନେ ବି ବୈଦିକ ସଭ୍ୟତାର ଗୁଣଗାନରେ ବ୍ୟସ୍ତ । ସେ ସମୟର ଆଚାର, ବ୍ୟବହାର, ନୀତି ଓ ନୈତିକତାକୁ ଅତି ମହତ୍, ଅତି ପବିତ୍ର ବୋଲି ଜ୍ଞାନ କରନ୍ତି । କହନ୍ତି ଆଜି ଦେଶରେ ଯେ ପାପ, ବ୍ୟଭିଚାର ଓ ନୈତିକ ଅଧୋଗତି ଦେଖାଦେଇଛି, ତା’ର ପ୍ରଧାନ କାରଣ ଭାରତ ସେ ବୈଦିକ ବ୍ୟବସ୍ଥାକୁ ଭୁଲିଛି । ତେଣୁ ବର୍ତ୍ତମାନର ପାପଚାର ଓ ଅନୈତିକତାରୁ ରକ୍ଷା ପାଇବାକୁ ହେଲେ ସେଇ ବୈଦିକ ନୈତିକତାର ପୁନଃପ୍ରତିଷ୍ଠା ଆବଶ୍ୟକ । ପୁଣି ସେଇଠିକି ଫେରିଯିବାକୁ ହେବ ।

 

ସେମାନେ ବୁଝନ୍ତି ନାହିଁ ଯେ ସେ ସମୟର ନୀତି ନିୟମର ଉଦ୍ଭବ ସେଇ ନିର୍ଦ୍ଦିଷ୍ଟ ଅବସ୍ଥା ଭିତରୁ, ତାହା ସେଇ ସମୟକୁ ଧରି ହୋଇଥିଲା । ସେଥିରେ କୌଣସି ପବିତ୍ର ଅପବିତ୍ରର ପ୍ରଶ୍ନ ନାହିଁ । ବର୍ତ୍ତମାନ ସମୟରେ ତା’ ପୂରାପୂରି ଅଚଳ, ପରିତ୍ୟକ୍ତ ହେବାକୁ ବାଧ୍ୟ । କାରଣ ସେ ସମୟଠାରୁ ଏବର ସମାଜ ବହୁ ଦୂରକୁ ଆଗେଇ ଆସିଛି । ଆଉ ଏଇ ଅଗ୍ରଗତି ସମାଜରେ ଉତ୍ପାଦନ ପ୍ରଣାଳୀର ବିକାଶ ଅନୁଯାୟୀ ବଦଳି ବଦଳି ଚାଲିଛି । ସେଥି ଅନୁଯାୟୀ ବଦଳି ଯାଇଛି ସମାଜର ବିବାହ, ଯୌନସମ୍ପର୍କ ଓ ନୈତିକତା–ସମାଜରେ ଏହାର ବିକାଶର ଧାରାକୁ ଅନୁସରଣ କରି ଆଗେଇଛି ଭାରତୀୟ ସମାଜ । ସବୁ ଆଦିମ ମଣିଷ ଭଳି ଭାରତର ଲୋକେ ବି ଦିନେ ବଣ ଜଙ୍ଗଲରେ ବାସ କରୁଥିଲେ । ସମସ୍ତେ ଯେପରି ସେ ସବୁ ଅବସ୍ଥା ଅତିକ୍ରମ କରି ସଭ୍ୟ-ଯୁଗରେ ପହଞ୍ଚିଛନ୍ତି, ଭାରତୀୟ ସମାଜ ମଧ୍ୟ ଠିକ୍ ସେଇପରି ସେଠି ପହଞ୍ଚିଛି । ତେଣୁ ଯେଉଁ ଯୌନ ସମ୍ପର୍କ ଆଦିମ ଅବସ୍ଥାରେ ରହିଥିଲା, ଏପରିକି ଏବେ ସେଇ ଆଦିମ ଅବସ୍ଥାରେ ଥିବା କେତେକ ଜାତି ମଧ୍ୟରେ ଦେଖାଯାଏ, ତାହା ଅତି ପ୍ରାଚୀନ ଭାରତୀୟ ସମାଜରେ ଦେଖିବାକୁ ମିଳେ । ତା’ର ଦୃଷ୍ଟାନ୍ତ ହେଉଛି ଆମର ସୁପ୍ରାଚୀନ ବେଦ, ଶାସ୍ତ୍ର, ପୁରାଣସବୁ । ସେଥିରେ ବର୍ଣ୍ଣିତ ନୈତିକତା ବର୍ତ୍ତମାନ ଯୁଗରେ ପୂରାପୂରି ଅଚଳ । କେତେକ କ୍ଷେତ୍ରରେ ଅଶ୍ରାବ୍ୟ ଓ ଅସହ୍ୟ ମଧ୍ୟ । କୃଷ୍ଣଙ୍କୁ ଭଗବାନ ଭାବି ବହୁଲୋକେ ପୂଜା କରନ୍ତି, କିନ୍ତୁ କୃଷ୍ଣଙ୍କର ପରସ୍ତ୍ରୀ ହରଣ ଓ ସହସ୍ର ଗୋପୀ ରମଣ ନୈତିକତାକୁ କିଏ ଅନୁସରଣ କରିବାକୁ କହେ ? ଏଥିରେ ଲଜ୍ଜିତ ବା ଆଶ୍ଚର୍ଯ୍ୟ ହେବାର କିଛି ନାହିଁ-। ତା’ କାହାରି ମସ୍ତିଷ୍କର ଭିଆଣ ନୁହେଁ । ତା’ ମଣିଷର ସେଇ ସମୟର ଅର୍ଥନୈତିକ ଓ ସାମାଜିକ ଅବସ୍ଥା ଭିତରୁ ଜାତ । ଉକ୍ତ ନୈତିକତା ବା ଅନୈତିକତା ସେତେବେଳର ଉତ୍ପାଦନ ପ୍ରଣାଳୀ ଭିତରୁ ଉଦ୍ଭବ । ଉତ୍ପାଦନ ପ୍ରଣାଳୀ ଅନୁସାରେ ତା’ର ପରିବର୍ତ୍ତନ ଘଟି ଘଟି ଚାଲିଛି-। ଆମେ ସାଧାରଣଭାବେ ଯାହା ଆଲୋଚନା କରିଛୁ, ଏବେ ତାକୁ ଆଲୋଚନା କରିବ-। ଭାରତୀୟ କ୍ଷେତ୍ରରେ–ଅତି ସଂକ୍ଷେପରେ ଅବଶ୍ୟ ।

 

ଆମ ପ୍ରାଚୀନ ଭାରତୀୟ ସାହିତ୍ୟ–ବେଦ ପୁରାଣ ଆଦିରେ ବହୁ ପ୍ରକାରର ବିବାହ ବା ଯୌନ ସମ୍ପର୍କର ଦୃଷ୍ଟାନ୍ତ ରହିଛି । ସେ ସମୟର ଲେଖକମାନେ ଯାହା ଦେଖିଛନ୍ତି, ତା’ ଲେଖିଛନ୍ତି । ସେମାନେ ବାସ୍ତବତାର ଖୁବ୍ ନିକଟରେ । ବର୍ତ୍ତମାନ ପରି ଶଠ କପଟ ନୈତିକତାର ମୁଖା ସେମାନେ ଗ୍ରହଣ କରି ନ ଥିଲେ । ତେଣୁ ସେମାନେ ହିନ୍ଦୁଙ୍କର ପବିତ୍ର ଦେବଦେବୀଙ୍କୁ ବି ଅତି ଜଘନ୍ୟ ପାପ ବ୍ୟଭିଚାରରୁ ମୁକ୍ତି ଦେଇ ନାହାନ୍ତି । ସେଇ ପୁରାଣ ଇତିହାସରୁ ଭାରତରେ ବିବାହ ବା ଯୌନ ସମ୍ପର୍କର ବିକାଶର ଧାରା ପ୍ରକାଶ ପାଏ । ତା ମଧ୍ୟ ଆମକୁ ସାହାଯ୍ୟ କରେ ଭବିଷ୍ୟତ ପ୍ରତି ଦୃଷ୍ଟି ନିକ୍ଷେପ କରିବାରେ ।

 

ସେଇ ପ୍ରାଚୀନ ଲେଖକମାନଙ୍କ ଲେଖାରୁ ଜଣାଯାଏ ଯେ ଭାରତର ବିବାହ ବା ଯୌନ ସମ୍ପର୍କ ସବୁବେଳେ ଗୋଟାଏ ଅବସ୍ଥାରେ ନାହିଁ, ତା’ ବଦଳିଛି । ଯୁଗ ଅନୁଯାୟୀ ବଦଳିବାରେ ଲାଗିଛି । ସେମାନଙ୍କ ମତରେ ଚାରିଯୁଗରେ ସନ୍ତାନ ସୃଷ୍ଟି ଲାଗି ଚାରି ପ୍ରକାରର ଯୌନ ସମ୍ପର୍କ ପ୍ରଚଳିତ ଥିଲା, ଆଉ ସେଇସବୁ ଯୁଗକୁ ସେମାନେ ଧନସମ୍ପଦର ସୃଷ୍ଟି ଅନୁସାରେ ଭାଗ ଭାଗ କରିଥିଲେ । ପ୍ରତ୍ୟେକ ଯୁଗର ନିର୍ଦ୍ଦିଷ୍ଟ ସାମାଜିକ, ଅର୍ଥନୈତିକ ଅବସ୍ଥା ସହିତ ନିର୍ଦ୍ଦିଷ୍ଟ ପ୍ରକାର ବିବାହ ବା ଯୌନସମ୍ପର୍କ ଯେ ପ୍ରଚଳିତ ଥିଲା ତାହା ଉଲ୍ଲେଖ କରିଛନ୍ତି । ଆମର ମହାଭାରତ ହେଉଛି ଏହାର ସାକ୍ଷୀ । ସେଥିରେ ବୃଦ୍ଧ କୁଳପତି ଭୀଷ୍ମ ଚାରିଯୁଗ ଅନୁସାରେ ଚାରିପ୍ରକାରର ଯୌନ ସମ୍ପର୍କ କଥା କହିଛନ୍ତି । ଯଥା କ୍ରିତା ଯୁଗରେ ସଙ୍କଳ୍ପ, ତ୍ରେତୟା ଯୁଗରେ ସଂସ୍ପର୍ଶ, ଦ୍ୱାପର ଯୁଗରେ ମୈଥୁନ ଏବଂ କଳିଯୁଗରେ ଦ୍ୱନ୍ଦ୍ୱ ।

 

ସଂକଳ୍ପ ହେଲା ନିର୍ବିଚାର ଯୌନ ସମ୍ପର୍କ । ତା’ ମାନେ, ଯୌନ ସମ୍ପର୍କରେ କୌଣସି ବାଧା କଟକଣା ନାହିଁ । ପ୍ରତ୍ୟେକ ସ୍ତ୍ରୀ ପ୍ରତ୍ୟେକ ପୁରୁଷଙ୍କ ଭିତରେ ଯୌନ ସମ୍ପର୍କ, ଯାହାକୁ ଇଂରାଜୀରେ କହନ୍ତି ପ୍ରମିସକ୍ୟୁଟି (Promiscuity) ସଂସ୍ପର୍ଶ ହେଲା, ଯେଉଁଠି କି ଅତି ନିକଟ ସଂପର୍କୀୟ ଜ୍ଞାତି ଲୋକଙ୍କ ସହିତ ଯୌନ ସମ୍ପର୍କ ନିଷେଧ । ତା’ମାନେ ଏକ ଗୋତ୍ରରେ ବା ସଗୋତ୍ରରେ ବିବାହ ନାହିଁ, ଅଥଚ ଏକ ଗୋତ୍ର-ଦଳ ସହିତ ଅନ୍ୟ ଏକ ଗୋତ୍ର-ଦଳର ଦଳଗତ ବିବାହ ରହିଛି । ମୈଥୁନ ହେଲା ପ୍ରାକୃତିକ ବିବାହର ଶେଷ ସ୍ତର । ତା’ ମାନେ ଦଳଗତ ବିବାହ–ଏକ ଦଳର ଅନ୍ୟ ଦଳ ସହିତ ବିବାହର ସମ୍ପର୍କ । ଯୁଗଳ ବିବାହର ଆରମ୍ଭ (ପେୟାରିଙ୍ଗ ମ୍ୟାରେଜ) ସ୍ତ୍ରୀ ପୁରୁଷ ଦୁଇଜଣ ଯେତେ ଦିନ ଇଚ୍ଛା ହେଲା, ଏକାଠି ବାସ କଲେ ଓ ଯେବେ ଇଚ୍ଛା ହେଲା ଛଡ଼ାଛଡ଼ି ହୋଇଗଲେ । ପୁଣି ସେ ସ୍ତ୍ରୀ ଅନ୍ୟ ପୁରୁଷ ଓ ସେଇ ପୁରୁଷ ଅନ୍ୟ ସ୍ତ୍ରୀ ସହିତ ଏକତ୍ର ବାସ କଲେ । ତା’ପରେ ଦ୍ୱନ୍ଦ୍ୱ ବିବାହ । ଏ ହେଲା ଦୁଇଜଣଙ୍କ ଭିତରେ ବିବାହ । ଏକକ ବିବାହ (ମନୋଗାମି) ଏକ ସ୍ୱାମୀ, ଏକ ପତ୍ନୀ ଏକାଠି ରହିଲେ ସବୁଦିନ ପାଇଁ । ଏ ହେଲା କଳିଯୁଗର ନିୟମ, ଯାହାକି ପୁରୁଷର ବ୍ୟକ୍ତିଗତ ସମ୍ପତ୍ତିରୁ ଉଦ୍ଭବ । ଏଇଥିରୁ ଦେଖାଯିବ ବିବାହ ବା ଯୌନ ସମ୍ପର୍କ ସବୁ ଯୁଗରେ ସମାନ ନାହିଁ ତା’ ପରିବର୍ତ୍ତକ ଭିତର ଦେଇ ଗଡ଼ି ଆସିଛି ।

 

ଏଇ ପରିବର୍ତ୍ତନ ଆମର ପ୍ରାଚୀନ ଲେଖା ଓ ଗ୍ରନ୍ଥମାନଙ୍କରେ ପରିସ୍ପୁଟ । ଆମେ ଜାଣୁ, ଆଗେ ଆର୍ଯ୍ୟମାନେ ସବୁ ଆଦିମ ମଣିଷଙ୍କ ପରି ଦିନେ ଅରଣ୍ୟରେ ବାସ କରୁଥିଲେ । କ୍ଷୁଦ୍ର କ୍ଷୁଦ୍ର ଦଳ ବାନ୍ଧି ରହୁଥିଲେ । ନିଜକୁ ବଞ୍ଚାଇବା ଥିଲା ତାଙ୍କର ଲକ୍ଷ୍ୟ । ତେଣୁ ସେଇ ଦଳବଦ୍ଧ ଭାବେ ସଂଗ୍ରାମ କରୁଥିଲେ ପ୍ରକୃତି ବିରୁଦ୍ଧରେ । ସମସ୍ତେ ଦଳବଦ୍ଧଭାବେ ଏକାଠି ଧନସମ୍ପଦ ସୃଷ୍ଟି କରୁଥିଲେ ବା ଉତ୍ପାଦନ କରୁଥିଲେ । ତାଙ୍କର ସନ୍ତାନ ସୃଷ୍ଟି ବା ବଂଶବୃଦ୍ଧି ଥିଲା ମଧ୍ୟ ସେଇପରି ଏକ ଦଳଗତ କାର୍ଯ୍ୟ । ସେଠାରେ ଆମର ବର୍ତ୍ତମାନ ଅର୍ଥରେ ବିବାହର ପ୍ରଶ୍ନ ନ ଥିଲା । ତାଙ୍କର ଯୌନ ସମ୍ପର୍କ ଥିଲା ଦଳଗତ ଯୌନ ସମ୍ପର୍କ, ଅର୍ଥାତ୍ ଏକ ଦଳ ଭିତରେ ସବୁ ପୁରୁଷଙ୍କର ସବୁ ସ୍ତ୍ରୀଙ୍କ ସହିତ ଯୌନ ସମ୍ପର୍କ ।

 

ଉତ୍ପାଦନ ଅତ୍ୟନ୍ତ ନିମ୍ନ, ପ୍ରାଥମିକ ସ୍ତରରେ ଥିଲା । ସେମାନେ ଅର୍ଥନୀତି କ୍ଷେତ୍ରରେ ଥିଲେ ଅଧା ମଣିଷ ଅଧା ପଶୁ, ସେଇପରି ତାଙ୍କ ଯୌନ ସମ୍ପର୍କ ଥିଲା ଅଧା ମଣିଷ ଓ ଅଧା ପଶୁର ସମ୍ପର୍କ । ସେତେବେଳେ ମାତା, ପୁତ୍ର, ପିତା, କନ୍ୟା, ଭ୍ରାତାଭଗ୍ନୀଙ୍କର ମଧ୍ୟ ଯୌନ ସମ୍ପର୍କ ନିଷିଦ୍ଧ ନୁହେଁ । ତା ଯେ ଅବାଞ୍ଛନୀୟ, ଘୋର କ୍ଷତିକାରକ ଓ ଅନୈତିକ ତାହା ଥିଲା ତାଙ୍କ କଳ୍ପନାର ବାହାରେ, ଯାହାକି ବର୍ତ୍ତମାନ ଯୁଗରେ ଘୋର ଅପରାଧ ଓ ଅତୀବ ନିନ୍ଦନୀୟ । ମଣିଷର ଚିନ୍ତାର ବହିର୍ଭୂତ । ଏବେ କେଉଁଠି ହେଲେ ଦୃଷ୍ଟାନ୍ତ ଦେଖାଯାଏ ନାହିଁ, ଅଥଚ ସେ ଯୁଗର ପୁରାଣରେ ଦେବତାମାନଙ୍କ ମଧ୍ୟରେ ଏହାର ଭୁରି ଭୁରି ଦୃଷ୍ଟାନ୍ତ ଦେଖିବାକୁ ମିଳେ ।

 

ଏଇ ନିର୍ବିଚାର ଯୌନ ସମ୍ପର୍କର ଦୃଷ୍ଟାନ୍ତ ରହିଛି ମହାଭାରତରେ । ନୀଳକଣ୍ଠଙ୍କର ଟୀକାରୁ ମିଳେ ଯେ ମହାଭାରତରେ ଉତ୍ସବ ସଙ୍କେତ ନାମରେ ସାତଟି ଗଣର ଉଲ୍ଲେଖ ରହିଛି । ସେହି ଗଣରେ ସ୍ତ୍ରୀ ପୁରୁଷ ମଧ୍ୟରେ ଯୌନ ସମ୍ପର୍କ ପ୍ରତିଷ୍ଠା ଲାଗି ପରସ୍ପର ପ୍ରତି ଆସକ୍ତି ହିଁ ଯଥେଷ୍ଟ-। ବିବାହ ବ୍ୟବସ୍ଥା ବୋଲି ସେମାନଙ୍କ ଭିତରେ କିଛି ନ ଥିଲା । ପଶୁମାନଙ୍କ ଭଳି ନିର୍ବିଚାର ଯୌନ ଜୀବନଯାପନ ସେମାନେ କରୁଥିଲେ । ଏତେବେଳେ ସମାଜରେ ପରିବାର, ବ୍ୟକ୍ତିଗତ ସମ୍ପତ୍ତି ଓ ରାଷ୍ଟ୍ରର ଉଦ୍ଭବ ହୋଇନାହିଁ । ମହାଭାରତ କାଳକୁ ସମାଜ ବେଶ ଅଗ୍ରସର ହେଲାଣି ।

 

ତେଣୁ ଉକ୍ତ ଅବାଞ୍ଛନୀୟ ଯୌନ ସମ୍ପର୍କ ସେତେବେଳେ ଆଉ ପ୍ରଚଳିତ ନୁହେଁ, କିନ୍ତୁ ତାର ପ୍ରଭାବ, ସୂଚନା ଓ ଉକ୍ତ ଚିନ୍ତାଧାରାର ଅବଶେଷ ସେଥିରେ ବେଶ୍ ପରିସ୍ପୁଟ । ବୃଦ୍ଧ ପାଣ୍ଡୁରାଜା ରୋଗଶଯ୍ୟାରେ ଶାୟିତ, ସନ୍ତାନହୀନ । ସେଠି ସେ ତାଙ୍କର ସ୍ତ୍ରୀ କୁନ୍ତୀ ଓ ମାଦ୍ରିଙ୍କୁ ଉପଦେଶ ଦେଇଛନ୍ତି–ଯାଅ, ତମେ ସନ୍ତାନ ଲାଗି ଅନ୍ୟ ପୁରୁଷ ନିକଟକୁ ଗମନ କର । ସେମାନେ ଏଥିରେ ଅନିଚ୍ଛା ପ୍ରକାଶ କରିଛନ୍ତି । କାରଣ ସେତେବେଳକୁ ସମାଜରୀତି ବଦଳି ଗଲାଣି । ତେଣୁ ପାଣ୍ଡୁରାଜା ପ୍ରାଚୀନ ପ୍ରଥା–ନିର୍ବିଚାର ଯୌନ ସମ୍ପର୍କ କଥା କହି ସେମାନଙ୍କୁ ବୁଝାଇଛନ୍ତି–ଯେତେବେଳେ କି ବିବାହ ବୋଲି କିଛି ନ ଥିଲା, ଯୌନ ସମ୍ପର୍କ ଥିଲା ନିର୍ବିଚାର । ସେମିତି କୁନ୍ତୀଙ୍କର ଦୃଷ୍ଟାନ୍ତ । କୁନ୍ତୀଙ୍କର ବିବାହ ପୂର୍ବରୁ, ଯୁବତୀ ଅବସ୍ଥାରେ ସେ ସୂର୍ଯ୍ୟଦେବଙ୍କୁ ଚାହିଁଛନ୍ତି । ସୂର୍ଯ୍ୟ ଆସିଗଲା ପରେ ସେ ଇତସ୍ତତଃ ହୋଇ ପଡ଼ିଛନ୍ତି । କାରଣ, ଏକ ଦିଗରେ ତାଙ୍କର ସ୍ୱାଧୀନ ପ୍ରେମ ପ୍ରତି ଇଚ୍ଛା ଓ ଆଗ୍ରହ, ଅନ୍ୟ ଦିଗରେ ନୂତନ ସମାଜର ରୀତି ଓ ତାର ପରିମାଣ ପ୍ରତି ଭୟ । ତେଣୁ ସେ ପଡ଼ିଛନ୍ତି ଦ୍ୱନ୍ଦ୍ୱ ଭିତରେ–ସେଠି ସୂର୍ଯ୍ୟ ତାଙ୍କୁ ଶୁଣାଇଛନ୍ତି ସେଇ ପ୍ରାଚୀନ ଯୌନ ସମ୍ପର୍କର ପବିତ୍ର କାହାଣୀ, ତା’ ଫଳରେ ତାଙ୍କର ସନ୍ଦେହ ମୋଚନ ହୋଇଛି । ଭୀଷ୍ମଙ୍କର ମା’ ଙ୍କ କ୍ଷେତ୍ରରେ ବି ଏଇ କଥା ଘଟିଛି । ତାଙ୍କର ଭାଇ ଅପୁତ୍ରିକ ଅବସ୍ଥାରେ ଦେହତ୍ୟାଗ କଲା, ମା ତାଙ୍କର ଚାହିଁଲେ ବୋହୂ ଅନ୍ୟଆଡ଼ୁ ସନ୍ତାନ ଲାଭ କରୁ । କାରଣ ଉତ୍ତରାଧିକାରୀ ସୂତ୍ରରେ ରାଜ୍ୟଲାଭ କରିବାକୁ ହେବ । ଏ ବିଷୟ ବି ଐକ୍ରେୟବ୍ରହ୍ମରେ ଆହୁରି ପରିଷ୍କାର । ତା’ କହେ ଯେ ସୃଷ୍ଟକର୍ତ୍ତା ପ୍ରଜାପତି ସୃଷ୍ଟିଲାଗି ତାଙ୍କର ନିଜର କନ୍ୟା ସହିତ ହୋଇଥିଲା । ସେଥିଲାଗି ଦୁହେଁ, ପିତା ଓ କନ୍ୟା ହରିଣରୂପ ଧାରଣା କଲେ । ଦେବତାମାନେ ତା ଜାଣିପାରିଲେ । ସେମାନଙ୍କୁ ଶରବିଦ୍ଧ କଲେ । ତା’ପରେ ସେମାନେ ସ୍ୱର୍ଗରେ ରହିଲେ ତାରା ହୋଇ । ଏହା କାଳ୍ପନିକ ହେଲେ ବି ସେତେବେଳର ବାସ୍ତବ ଅବସ୍ଥାର ପ୍ରତିଫଳନ । ହରିବଂଶରେ ଅଛି ଯେ ବିଶିଷ୍ଟ ପ୍ରଜାପତି ତାଙ୍କର କନ୍ୟା ଶତରୂପାକୁ ପତ୍ନୀରୂପେ ଗ୍ରହଣ କରିଥିଲେ । ଏପରିକି ମନୁ ମଧ୍ୟ ତାଙ୍କ କନ୍ୟା ଇଲା ଓ ଜାହ୍ନୁଙ୍କୁ ବିବାହ କରିଥିଲେ । ଆଉ ଆମର ସୁପ୍ରସିଦ୍ଧ ନାରଦଙ୍କର ଜନ୍ମ ଏଇ ପ୍ରକାରର ନିର୍ବିଚାର ଯୌନ ସମ୍ପର୍କରୁ, ବ୍ରାହ୍ମଙ୍କଠାରୁ ବ୍ରହ୍ମାଙ୍କ ଦ୍ୱାରା, ତାଙ୍କ ପୁଅର ଝିଅ ଔରସରୁ । ତା’ମାନେ ଏଠାରେ ସମ୍ପର୍କ ଆହୁରି ବିଚିତ୍ର । ସମାଜର ଅଗ୍ରଗତି ସହିତ ଏହା ଲୋପ ପାଇଛି । ରହିଯାଇଛି ସ୍ମୃତିରେ କାହାଣୀ ହୋଇ । ପରବର୍ତ୍ତୀ ସମୟର ଲୋକେ ଏହା ଶୁଣି ଆଶ୍ଚର୍ଯ୍ୟ, ବିସ୍ମିତ ହୋଇ ଉଠିଛନ୍ତି । ତେଣୁ ରାଜା ଜନ୍ମେଜୟ ଏ ବିଷୟରେ ପ୍ରଶ୍ନ କରିଛନ୍ତି ବ୍ୟାସ ଓ ବୈଂଶପାଲାନିଙ୍କ ଭଳି ବିଶିଷ୍ଟ ଲୋକମାନଙ୍କୁ । ସେମାନେ ଉତ୍ତରରେ କହିଛନ୍ତି, ଏହା ସତ୍ୟ, ତାହାହିଁ ଥିଲା ଧର୍ମ, ପୁରାତନ ଇତିହାସ । ଅତି ପ୍ରାଚୀନ କାଳରେ ତା’ ଥିଲା ସାମାଜିକ ଚଳଣି । ତେଣୁ ସେତେବେଳେ ଏହା ସମ୍ଭବପର ।

 

ସେ ପ୍ରାଚୀନ ସମାଜରେ, ନିଜର ଜ୍ଞାତିବର୍ଗ ଭିତରେ କିଛି ପାର୍ଥକ୍ୟ ନ ଥିଲା । ନିକଟ ସମ୍ପର୍କୀୟ ଓ ଦୂର ସମ୍ପର୍କୀୟ ବୋଲି କିଛି ନ ଥିଲା । ସମସ୍ତେ ଥିଲେ ଏକ, ଗୋଟିଏ ଗୋଷ୍ଠୀର ଲୋକ–ଏକ ଜ୍ଞାତି । ସେମାନଙ୍କ ଭିତରେ ଯୌନ ସମ୍ପର୍କ ନେଇ କୌଣସି ବାଧା କଟକଣା ନ ଥିଲା, କି ରହିବା ମଧ୍ୟ ସମ୍ଭବ ନୁହେଁ । ତା’ ଘଟିଲା ପରବର୍ତ୍ତୀ ସମୟରେ । ଯେତେବେଳେ ଜଣାପଡ଼ିଥିଲା, ଏ ନିର୍ବିଚାର ଯୌନ ସମ୍ପର୍କ ନିଜର ସନ୍ତାନ ସନ୍ତତି, ଭବିଷ୍ୟତ ବଂଶଧରଙ୍କ ଲାଗି ଅତ୍ୟନ୍ତ କ୍ଷତିକାରକ ଓ ମାରାତ୍ମକ; ତେଣୁ ଆସିଲା କଟକଣା । ପ୍ରଥମେ ନିଷେଧ ହେଲା ପିତାମାତାଙ୍କ ସହିତ ସନ୍ତାନର ସମ୍ପର୍କ, ତେଣୁ ଏହା ଫଳରେ ରକ୍ତ ସମ୍ପର୍କୀୟ ପରିବାର (Consanguine) ଦେଖାଗଲା । ଏଠାରେ ଯୌନ ସମ୍ପର୍କ ଗୋଟାଏ ପୁରୁଷ କାଳ ମଧ୍ୟରେ ଆବଦ୍ଧ ହେଲା । ପିତା କନ୍ୟା ତାଙ୍କ ଦୁଇ ପୁରୁଷ କାଳ ମଧ୍ୟରେ ତା’ ଆଉ ରହିଲା ନାହିଁ । ତା’ ମାନେ ଗୋଟାଏ ଗୋଷ୍ଠୀ ବା ଦଳର ଯେତେ ଜେଜେବାପା, ଜେଜେ ମା–ସମସ୍ତେ ସେମାନେ ହେଲେ ପରସ୍ପର ସ୍ୱାମୀ ସ୍ତ୍ରୀ-ସେମିତି ଗଡ଼ି ଚାଲିଲା ତାଙ୍କ ପିଲାଙ୍କ ପକ୍ଷରେ । ସେମାନେ ସେମିତି ହେଲେ ବାପା ଓ ମା, ଏଥିରେ ଭାଇଭଉଣୀ, ପୁତୁରା ଝିଆରୀ ହେଲେ ପରସ୍ପର ସ୍ୱାମୀ ସ୍ତ୍ରୀ ।

 

ଏହାପରେ ଆସିଲା ଦ୍ୱିତୀୟ ସ୍ତର । ଏଥିରେ ଭାଇଭଉଣୀଙ୍କ ମଧ୍ୟରେ ବିବାହ ହେଲା ନିଷେଧ । ପ୍ରଥମେ ଏକ ମା ଔରସରୁ ଜାତ ଭାଇଭଉଣୀଙ୍କଠାରୁ ଏହା ଆରମ୍ଭ ହେଲା । ତା’ପରେ ଏହା ଅନ୍ୟ ଭାଇଭଉଣୀଙ୍କ କ୍ଷେତ୍ରକୁ ପ୍ରସାରିତ ହେଲା । ଋକବେଦରେ ଏହାର ଦୃଷ୍ଟାନ୍ତ ଦେଖାଯାଏ-। ସେଥିରେ ଉଲ୍ଲେଖ ଅଛି, ଯମର ଭଉଣୀ ଯାମୀ ଭାଇକୁ ଚାହୁଁଥିଲା । ଯମ କିନ୍ତୁ ରାଜି ହେଲେ ନାହିଁ । ନାସ୍ତି କରିଦେଲେ, କାରଣ ଦେବତାମାନେ ଜଗିଛନ୍ତି, ସେମାନେ ରାଗିବେ-। ଯାମୀଙ୍କର ଉତ୍ତର ହେଲା–ଯେ ସେମାନେ ରାଗିବେ ନାହିଁ । ଏହାକୁ ସ୍ୱୀକୃତି ଦେବେ । ଶେଷରେ କ’ଣ ହେଲା ଜଣା ନାହିଁ । ତେବେ ଏଥିରୁ ପ୍ରକାଶ ପାଏ ଯେ ପୂର୍ବେ ଦିନେ ଏଇ ପ୍ରଥା ପ୍ରଚଳିତ ଥିଲା-। ଆଉ ତା’ର ପୁନଃପ୍ରଚଳନ ଯାମୀ ଚାହୁଁଥିଲା । ପୁଣି ତେତ୍ରେୟ ବ୍ରହ୍ମରେ ରହିଛି ଯେ ପ୍ରଜାପତି କନ୍ୟା ସୀତା, ସାବିତ୍ରୀ ତାଙ୍କର ଭାଇ ସୋମକୁ ଚାହୁଁଥିଲେ । ସୋମ କିନ୍ତୁ ତାଙ୍କୁ ନ ଚାହିଁ–ଚାହୁଁଥିଲେ ଅନ୍ୟ ଭଉଣୀ ଶ୍ରଦ୍ଧାକୁ । ଶ୍ରଦ୍ଧା ପିତାଙ୍କ ପରାମର୍ଶ ଲୋଡ଼ିଲେ ଓ ସେ ସେହି ଅନୁସାରେ ସୋମଙ୍କୁ ଲାଭ କଲେ । ମହାଭାରତ ଓ ହରିବଂଶରେ ଏହା ଆହୁରି ସୁସ୍ପଷ୍ଟ । ପରିବାରର ସୃଷ୍ଟି ସମ୍ପର୍କରେ କହିଲା ବେଳେ ବ୍ରହ୍ମା କହନ୍ତି ଯେ ଦକ୍ଷିଣ ଗୋଡ଼ ଅଙ୍ଗୁଳିର ପୁତ୍ର ଦକ୍ଷ ଜାତ ହେଲା ଯିଏ କି ବାମ ଅଙ୍ଗୁଳିରୁ ଜାତକୁ ବିଭା ହେଲା । ତା ମାନେ ଏହା ହେଲା ଭାଇ ଭଉଣୀଙ୍କ ମଧ୍ୟରେ ବିବାହ । ଦକ୍ଷର ଦୁଇ ଭାଇ ମାରିଚ ଓ ଧର୍ମ, ଧର୍ମ ତାର ଭାଇର ୧୦ଟି କନ୍ୟାକୁ ବିଭା ହେଲା । ଆଉ ମାରିଚ ପୁତ୍ର କଶ୍ୟପ ଦକ୍ଷର ୧୩ଜଣ କନ୍ୟାଙ୍କୁ ବିଭା ହେଲା । ତା ମାନେ ଏହା ଦାଦି, ବଡ଼ବାପା ଝିଅ ଭଉଣୀ ସହିତ ବିବାହ । ଏହାପରେ ତା ନିଷେଧ ହେଲା–ସେଇ ଉପରୋକ୍ତ କାରଣରୁ–ଜ୍ଞାତିବର୍ଗଙ୍କ ଭିତରେ ବିବାହ ବା ଯୌନ ସମ୍ପର୍କ ଭବିଷ୍ୟତ ବଂଶଧରଙ୍କ ପ୍ରତି ଘୋର କ୍ଷତିକାରକ ।

 

ଏଇ ଦ୍ୱିତୀୟ ନିଷେଧ ଫଳରେ ସେଇ ଏକ ଗଣ ଗୋତ୍ର ଭିତରେ ବିବାହ ଆଉ ସମ୍ଭବ ହେଲା ନାହିଁ । ଏକ ଗଣ-ଗୋତ୍ରରେ ପ୍ରତ୍ୟେକ ପ୍ରତ୍ୟେକଙ୍କର ନିକଟ ସମ୍ପର୍କୀୟ ଜ୍ଞାତି । ଜ୍ଞାତି ବିବାହ ତେଣୁ ତାପରେ ନିଷେଧ ହେଲା । ଏବେ ବିବାହ ଲାଗି ଅନ୍ୟ ଗଣ-ଗୋତ୍ରକୁ ଯିବାକୁ ହେବ-। ଅଥଚ ପୂର୍ବରୁ ସେଇ ଏକ ଗୋତ୍ରର ଜ୍ଞାତିବର୍ଗଙ୍କ ଭିତରେ ବିବାହ ଥିଲା ନିୟମ, ଏବେ ଉକ୍ତ ନିୟମର ହେଲା ଅବସାନ । ଏଇଠୁ ଆରମ୍ଭ ସଗୋତ୍ର ବିବାହ ନିୟମ ବିରୁଦ୍ଧ । ଏବେ ବି ସଗୋତ୍ର ବିବାହ ବହୁ ସ୍ଥାନରେ ନିଷିଦ୍ଧ ।

 

ଗୋତ୍ର ହେଲା ଆଦିମଯୁଗର ଯୌନ ଗଠନ । ସେତେବେଳେ ଏକ ଗୋତ୍ରର ସବୁ ପୁରୁଷ, ସବୁ ସ୍ତ୍ରୀ ପରସ୍ପର ସ୍ୱାମୀ ସ୍ତ୍ରୀ । ଅର୍ଥାତ୍ ଦଳଗତ ବିବାହ । କିନ୍ତୁ ସ୍ତ୍ରୀମାନେ ଆଉ ପରସ୍ପର ଜ୍ଞାତି ନୁହନ୍ତି । ତା’ମାନେ ସ୍ତ୍ରୀମାନଙ୍କ ମଧ୍ୟରେ ଆଉ ରକ୍ତ ସମ୍ପର୍କ ନାହିଁ ? ସେମାନେ ଆସିଛନ୍ତି ଅନ୍ୟ ଗୋତ୍ରରୁ । ଯେଉଁ ଗୋତ୍ର ସହିତ କୌଣସି ରକ୍ତ ସମ୍ପର୍କ ନାହିଁ । ଆଦିମ ଅବସ୍ଥାରେ ହିନ୍ଦୁ ସମାଜରେ ଗୋତ୍ରର ବନ୍ଧନ ଅତି କଠୋର । ସେଥିରୁ ଜଣାଯାଏ ଯେ ଦିନେ ଦଳଗତ ବିବାହ ପ୍ରଚଳିତ ଥିଲା । ଏହାର ଏକମାତ୍ର ସମାଧାନ ହେଲା ଅସଗୋତ୍ର ବିବାହ, ଦଳଗତ ବିବାହର ବିଲୋପ ଓ ଏକକ ବିବାହର ଆରମ୍ଭ ହେବାପରେ ଏ ଗୋତ୍ର ବିଧାନ ହୁଗୁଳା ହେଲା । ତା’ପରେ ତେଣିକି ତା ଏକ ପ୍ରଥା ବା ବିଧିରକ୍ଷା ଭାବେ ପ୍ରଚଳିତ । ସଗୋତ୍ର ବିବାହର ଦୃଷ୍ଟାନ୍ତ ମହାଭାରତରୁ ମଧ୍ୟ ମିଳେ । ଶ୍ୱେତକେତୁର ପୁତ୍ର ଉଦଳକ । ଅନ୍ୟ ଜଣେ ଲୋକ ଉଦଳକର ମତନେଇ ତା ସ୍ତ୍ରୀ ସହିତ ମିଳିତ ହେଲା । ଉକ୍ତ ଲୋକ ସେ ମିଳନର ଅଧିକାର ଦାବି କରୁଥିଲା । କାରଣ, ଉକ୍ତ ସ୍ତ୍ରୀ ତାର ନିଜ ଗୋତ୍ରର ଲୋକ ବୋଲି । ଏଥିରୁ ଜଣାଯାଏ ଯେ ଦିନେ ସଗୋତ୍ର ବିବାହ ବା ଜ୍ଞାତିବର୍ଗଙ୍କ ଭିତରେ ଯୌନ ସମ୍ପର୍କ ଥିଲା ଏକ ବାସ୍ତବତା ।

 

ସଗୋତ୍ର ବିବାହ ବା ଯୌନ ସମ୍ପର୍କ ନିଷେଧ ଫଳରେ ଆସିଗଲା ପରିବାରରେ ପରିବର୍ତ୍ତନ । ଏକ ମା’ ଔରସରୁ ଜାତ ଭାଇଭଉଣୀଙ୍କ ଭିତରେ ବିବାହ ନିଷେଧ । ତେଣୁ ସେମାନେ ଅଲଗା ଅଲଗା ହୋଇଗଲେ । ପୂର୍ବର ପରିବାର ଭାଙ୍ଗିଗଲା । ଆଉ ଏକ ନୂଆ ପରିବାରର ଭିତ୍ତି ପଡ଼ିଲା । ଏବେ ସେଇ ଗୋଟାଏ ଦଳର ଭଉଣୀମାନେ ଏକ ପରିବାର ଓ ଭାଇମାନେ ଅନ୍ୟ ଏକ ପରିବାର ଭିତ୍ତି ରଚନା କଲେ । ଭଉଣୀମାନେ ହେଲେ ତାଙ୍କ ସ୍ୱାମୀମାନଙ୍କର ପରସ୍ପରର ସ୍ତ୍ରୀସବୁ । କିନ୍ତୁ ସ୍ୱାମୀମାନେ ଭାଇ ନୁହନ୍ତି । ଏଥିରେ ପୁଅମାନେ ତାଙ୍କ ଗୋତ୍ର ରୀତି ଅନୁଯାୟୀ ବିଭାଲାଗି ଅନ୍ୟ ଗୋତ୍ରକୁ ଆସିଲେ । ଝିଅମାନେ ବିବାହରେ ନିଜ ଗୋତ୍ର ଛାଡ଼ି ଆସିଲେ ନାହିଁ । ତେଣୁ ସ୍ତ୍ରୀମାନେ ହେଲେ ପରସ୍ପରର ଭଉଣୀ । ସ୍ୱାମୀମାନେ ଅନ୍ୟଠାରୁ ଆସିଥିବାରୁ ପରସ୍ପର ଭାଇ ନୁହନ୍ତି । ଅଥଚ ଦଳଗତ ବିବାହରେ ଦଳର ସବୁ ପୁରୁଷ ସ୍ତ୍ରୀ, ସ୍ୱାମୀ ସ୍ତ୍ରୀ । ତେଣୁ ଏ ବିବାହରେ ମା’କୁ ଜାଣି ହେବ, କିନ୍ତୁ ବାପାଙ୍କୁ ନୁହେଁ । ତେଣୁ ସନ୍ତାନମାନେ ପରିଚିତ ହେଲେ ମା’ର ନାମ ବା ବଂଶଧାରା ଅନୁସାରେ, ବାପାର ନାମ । ସାରେ ନୁହେଁ । ଭଉଣୀର ପିଲାମାନେ ହେଲେ ଗଣ-ଗୋତ୍ରର ଉତ୍ତରାଧିକାରୀ । ଭାଇମାନେ ବିବାହ କରି ଅନ୍ୟ ଗୋତ୍ରକୁ ଚାଲିଗଲେ–ତାଙ୍କର ସ୍ତ୍ରୀମାନଙ୍କ ନିକଟକୁ । ଏଇ ଦଳଗତ ବିବାହ ହେଲା ମାତୃଶାସିତ ସମାଜର ମୂଳଭିତ୍ତି । ଭାରତର ପ୍ରାଚୀନ ଆର୍ଯ୍ୟମାନଙ୍କ କ୍ଷେତ୍ରରେ ଏହା ବି ଦେଖାଯାଏ । ଯଜ୍ଞ ଅର୍ଥନୀତି–ଯାହାକି ସାମୂହିକ ଉତ୍ପାଦନ ପ୍ରଣାଳୀ–ସେଠାରେ ପରିବାର ଭିତରେ ପ୍ରାଧାନ୍ୟ ହେଉଛି ମାତାର–ପିତାର ନୁହେଁ ।

 

ଯେତେବେଳେ ଭଉଣୀମାନେ ରହିଲେ ଗୋତ୍ରରେ, ପିଲାମାନେ ମା’ର ନାମଦ୍ୱାରା ପରିଚିତ ହେଲେ । ପରିବାରରେ ରହିଲା ନାରୀର ପ୍ରାଧାନ୍ୟ । ସେତେବେଳେ ଗଣ ଗୋତ୍ରର ପ୍ରତିଷ୍ଠାତା ହେଲା ନାରୀ, ସେଇମାନେ ହେଲେ ତାର କର୍ତ୍ତା । ଏହାର ଦୃଷ୍ଟାନ୍ତ ମଧ୍ୟ ଆମର ପୁରୁଣା ଶାସ୍ତ୍ରରେ ଲିପିବଦ୍ଧ । ଏଇ ଦେଖ ସୃଷ୍ଟି ଆରମ୍ଭର କାହାଣୀ । ଦକ୍ଷଙ୍କର ୬୦ ଭଉଣୀ, ସେମାନେ ୭ଟି ଦଳରେ ବିଭକ୍ତ ହୋଇ ୭ଜଣ ପ୍ରଜାପତିଙ୍କୁ ସ୍ୱାମୀରୂପେ ଗ୍ରହଣ କରି ସୃଷ୍ଟି ଆରମ୍ଭ କଲେ । ଆଉ ଗୋତ୍ରର ନାମ ନାରୀର ନାମ ଅନୁସାରେ ନାମିତ ହେଉଥିଲା । ପିଲାମାନେ ହେଉଥିଲେ ମା’ମାନଙ୍କ ସହିତ ଉକ୍ତି ଗୋଷ୍ଠୀର ବଂଶୀଧର । ସେମାନେ ସମସ୍ତେ ଗୋଷ୍ଠୀର ସନ୍ତାନ, ଜଣଙ୍କର ନୁହେଁ–ଗୋତ୍ର ଅପତ୍ୟ ନାମରେ ପରିଚିତ । ତାଙ୍କ ନାମ ପୂର୍ବରୁ ରହୁଥିଲା ଗୋତ୍ରର ନାମ । ବହୁ ମୁନି ଋଷିଙ୍କ ବଂଶାବଳୀ ନାରୀମାନଙ୍କ ଦ୍ୱାରା ପ୍ରତିଷ୍ଠିତ, ଯଦିଓ ପୁରୁଷଙ୍କ ନାମରେ ତା ଗଡ଼ି ଆସୁଛି-

 

ଏ ମାତୃଶାସିତ ସମାଜରେ, ସେତେବେଳେ ଜାରଜ ସନ୍ତାନ ବୋଲି କହି ନ ଥିଲେ, ସମସ୍ତେ ଗୋତ୍ରର ସନ୍ତାନ । କୌଣସି ପିଲାଙ୍କୁ କେହି ଘୃଣାଚକ୍ଷୁରେ ଦେଖୁ ନ ଥିଲା କି ତା ରାସ୍ତାକଡ଼ରେ ପରିତ୍ୟକ୍ତ ହେଉ ନଥିଲା । ମାତୃସମାଜ ଧ୍ୱଂସ ପରେ ପିତୃଶାସିତ ସମାଜ ଆସିଲାରୁ ଏ ରୀତି ବଦଳିଗଲା । ସେଠି ସନ୍ତାନଙ୍କୁ କୁହାଗଲା, ‘‘ଅନନ୍ତ ଅପତ୍ୟ’’ ।

 

ସାଧାରଣତଃ ଲେଖା ଆରମ୍ଭ ହୋଇଛି ପିତୃଶାସିତ ସମାଜରେ, ଯେଉଁଠି ନାରୀ ହୋଇଚି ପୁରୁଷର ଦାସୀ । ତେଣୁ ଲେଖକମାନେ ସମାଜରେ ନାରୀର (ବା ମାତାର) ଆଧିପତ୍ୟକୁ ଅସ୍ୱୀକାର କରିବା ଲାଗି ବହୁ ଉଦ୍ୟମ କରିଛନ୍ତି । ତେବେ ସୁଦ୍ଧା ତାର ନମୁନା ରହିଛି ପୁରାଣ ଶାସ୍ତ୍ରମାନଙ୍କରେ, ଅବଶ୍ୟ ‘‘କୁସଂସ୍କାର ଭାବେ’’,ଏବେ, ବି ଭାରତର କେତେକ ଜାତିଙ୍କ ଭିତରେ ତାର ଅବଶୋଷ ଦେଖାଯାଏ । ଯେଉଁଠି କି ବିବାହରେ ସ୍ତ୍ରୀ ପୁରୁଷ ଘରକୁ ଯାଏ ନାହିଁ–ପୁରୁଷ ଆସେ ସ୍ତ୍ରୀ ଘରକୁ ।

 

ଇତିହାସ, ପୁରାଣ ଓ ଶାସ୍ତ୍ର ଲେଖକ ସବୁ ପୁରୁଷ, ସେମାନେ ଚେଷ୍ଟା କରିଛନ୍ତି, ଇତିହାସର ଆରମ୍ଭ କରିବାକୁ ପୁରୁଷଠାରୁ, ପ୍ରଜାପତିଙ୍କୁ ସୃଷ୍ଟିର କର୍ତ୍ତାକରି, କିନ୍ତୁ ତା ପାରିନାହାନ୍ତି । ସେତେବେଳେ ନାରୀ ପୁରୁଷର ଅଧୀନ ହେଲାଣି, ହେଲେ ବି ସେମାନେ ନାରୀଜାତିଠାରୁ ନାଁ ଆରମ୍ଭ କରିବାକୁ ବାଧ୍ୟ ହୋଇଛନ୍ତି । ତେଣୁ ସବୁ ପ୍ରଜାପତିଙ୍କର ଗୋଷ୍ଠୀ ତାଙ୍କର ମାତୃନାମ ଅନୁସାରେ ନାମିତ ହୋଇଛି । ମହାଭାରତର ଆଦିପର୍ବ ଓ ବେଦରୁ ଏହାର ପ୍ରମାଣ ମିଳେ । ସେଥିରେ ଅଠର ଜଣ ମାତା ଓ ସେମାନଙ୍କ ମାତୃଶାସିତ ଗୋଷ୍ଠୀର କାହାଣୀ ବର୍ଣ୍ଣିତ ହୋଇଛି । ଅଦିତ ହେଲେ ମାତା–ସେଇ ମାତୃଶାସିତ ଗଣର ନାମ ତାଙ୍କ ନାମ ଅନୁଯାୟୀ ହେଲା ଆଦିତ୍ୟ, ସେଇମିତି ଦିତିଙ୍କ ନାମ ଅନୁସାରେ ହେଲା ଦୈତ୍ୟ, ଦାନୁଙ୍କର ନାମ ଅନୁଯାୟୀ ହେଲା ଦାନବ, କଲାଙ୍କର ନାମ ଅନୁସାରେ କଲାକେୟ ଇତ୍ୟାଦି । ଏଇପରି ଅଠରଟି ମାତାଙ୍କ ନାମ ଅନୁସାରେ ଅଠରଟି ଗଣର ଉଲ୍ଲେଖ ରହିଛି । ଆଉ ସେଇସବୁ ଗଣମାନଙ୍କ ମଧ୍ୟରୁ ମହାଭାରତର ପ୍ରସିଦ୍ଧ ଲୋକମାନଙ୍କର ଜନ୍ମ–ତାଙ୍କୁ ନେଇ ମହାଭାରତର ଯୁଦ୍ଧ ।

 

ତା’ପରେ ଯେତେବେଳେ ଏକ ଗଣ-ଗୋତ୍ର ବୃଦ୍ଧି ପାଏ, ତା ଭାଙ୍ଗି ଯାଇ ଦୁଇଟି ଗଣ-ଗୋତ୍ରରେ ପରିଣତ ହୁଏ, ଅର୍ଥାତ୍ ଭିନେ ହୁଅନ୍ତି, ଅନ୍ୟ ଏକ ନୂଆ ଗଣ-ଗୋତ୍ର ପ୍ରତିଷ୍ଠା ହୁଏ । ସେତେବେଳେ ଯେଉଁ ବିଧାନ ହୁଏ ତାକୁ କହନ୍ତି ‘‘ଗୋମୟଗ’’ । ତାହା ହେଉଛି ସେଇ ପ୍ରାଚୀନ ମାତୃଶାସିତ ସମାଜ ଗୋଷ୍ଠୀର ନିୟମ । ସେ ବିଧାନ ଦ୍ୱାରା ମା’ର ପ୍ରାଧାନ୍ୟ ହିଁ ପ୍ରକାଶ ପାଏ । ସେହି ନୂତନ ଗଣ-ଗୋତ୍ର ପ୍ରତିଷ୍ଠା ଲାଗି ଯେଉଁ ଉତ୍ସବ ହୁଏ, ତାର ମଝିରେ ରହନ୍ତି ଦେବୀ ଅଦିତି । କାରଣ ଅଦିତି ହେଲେ ଆଦିମାତା, ସେ ଘୃତର ହବନ ପାଆନ୍ତି । ଅନ୍ୟ ଦେବୀଗଣ ତାଙ୍କ ଚାରିପଟରେ ରହନ୍ତି । ସେମାନଙ୍କୁ କେବଳ ଅର୍ଘ୍ୟ ଅର୍ପଣ କରାଯାଏ । ଏହା ପ୍ରମାଣ କରେ ଯେ ମାତୃଶକ୍ତି ପ୍ରାଚୀନ ସମାଜର କର୍ତ୍ତା ଓ ପ୍ରତିଷ୍ଠାତା, ଆଉ ନୂତନ ଗୋଷ୍ଠୀ ଜନ୍ମ ନିଏ ସେଇମାନଙ୍କଠାରୁ ।

 

ଆମେ ଦେଖିଲେ ପୂର୍ବରୁ ଥିଲା ଗଣ-ଗୋତ୍ର ବିବାହ ବା ଯୌନ ସମ୍ପର୍କ । ତା’ପରେ ସ୍ୱଜ୍ଞାତି ସଗୋତ୍ର ବିବାହ ବା ଯୌନ ସମ୍ପର୍କ ନିଷେଧ ହେଲା । ତେଣୁ ଦଳ ବା ଗୋଷ୍ଠୀ ଭିତରେ ବିବାହ ଆଉ ସମ୍ଭବ ହେଲା ନାହିଁ । ଫଳରେ ଆସିଲା ଯୁଗଳ ବିବାହ । ଏହା ହଠାତ୍ ଦିନକରେ ଆରମ୍ଭ ହୋଇ ନାହିଁ, ସେଇ ଦଳ ବା ଗୋଷ୍ଠୀ ବିବାହ ଭିତରେ ଧୀରେ ଧୀରେ ଗଢ଼ି ଉଠିଛି । ଏଥିରେ ଅଳ୍ପ ବା ଦୀର୍ଘକାଳ ଧରି ସ୍ତ୍ରୀପୁରୁଷ ଏକତ୍ର ବାସ କରୁଥିଲେ । ପୁରୁଷର ବହୁ ସ୍ତ୍ରୀଙ୍କ ମଧ୍ୟରେ ଜଣେ ହେଉଥିଲା ମୁଖ୍ୟ ବା ପ୍ରଧାନ ସ୍ତ୍ରୀ, ସେମିତି ସ୍ତ୍ରୀର ବହୁ ସ୍ୱାମୀଙ୍କ ମଧ୍ୟରେ ଜଣେ ହେଉଥିଲା ମୁଖ୍ୟ ସ୍ୱାମୀ; ତା’ ଭିତରେ ପୁରୁଷର କେବଳ ଅଧିକାର ସ୍ତ୍ରୀ ଭୋଗ କରିବାର । ଏପରି ଯୁଗଳ ବିବାହକୁ ଆମ ଭାରତୀୟ ରୀତିରେ କହନ୍ତି ଗାନ୍ଧର୍ବ ବିବାହ । ଏ ବିବାହ ପୁଣି ହିନ୍ଦୁ-ସ୍ମୃତି ଶାସ୍ତ୍ର ଦ୍ୱାରା ଅନୁମୋଦିତ । ଅତି ପବିତ୍ର ମଧ୍ୟ । ବଡ଼ ବଡ଼ ରାଜା, ଋଷି, ମହର୍ଷିମାନେ ବି ଏପରି ବିବାହ କରିଛନ୍ତି । ଯଥା: ମେନକା ଓ ବିଶ୍ୱାମିତ୍ର, ଶକୁନ୍ତଳା ଓ ଦୁଷ୍ମନ୍ତ, ବାସୁକି ଗୋତ୍ରର ଜରଦଗବଙ୍କ ସହିତ ନାଗି ଜରତ କରୁ, ଏଇ ବିବାହ ଭିତରୁ ଋଷି କଶ୍ୟପଙ୍କର ଜନ୍ମ । ଆଉ ମହାଭାରତର ପାଣ୍ଡବଙ୍କୁ ଦୁନିଆରେ ଯେତେ ପ୍ରକାର ବିବାହ ଅଛି, ପ୍ରାୟ ସବୁ ବିବାହ ଜଣା । ପାଣ୍ଡବଭାଇମାନେ ସବୁ ପ୍ରକାର ବିବାହ କରିଛନ୍ତି, ସବୁ ପ୍ରକାରର ପରିବାର ଗଢ଼ିଛନ୍ତି । ଦଳଗତ ବିବାହର ଶେଷ ନମୁନା ହେଲା ବହୁ ସ୍ୱାମୀ । ପାଞ୍ଚଜଣ ସହୋଦର ଭାଇଙ୍କର କୋଠରେ ଜଣେ ସ୍ତ୍ରୀ ହେଲେ ଦ୍ରୌପଦୀ । ଏଇ ଏକ ବା ମୁଖ୍ୟ ସ୍ତ୍ରୀ ଦ୍ରୌପଦୀଙ୍କ ଛଡ଼ା ପାଣ୍ଡବ ଭାଇଙ୍କର ମଧ୍ୟ ଅନ୍ୟ ସ୍ତ୍ରୀ ରହିଥିଲେ । ଭୀମଙ୍କର ହିଡ଼ିମ୍ୱା, ଅର୍ଜ୍ଜୁନଙ୍କର ଚିତ୍ରାଙ୍ଗଦା ଇତ୍ୟାଦି । ଦ୍ରୌପଦୀଙ୍କ ସମୟକୁ ଦଳଗତ ବିବାହ ଲୋପ ପାଇଛି । ତେଣୁ ଆଦିମ ସମାଜରେ ନାରୀର ସ୍ୱାଧୀନତା କମି କମି ଯାଉଛି । ସେ ଅଧିକ ଅଧିକ ମାତ୍ରାରେ ହେଉଛି ପୁରୁଷର ଦାମ । ତେଣୁ ଦ୍ରୌପଦୀ ପାଞ୍ଚ ଜଣଙ୍କ ପାଖରେ ବନ୍ଧା ଆଉ ଏମାନେ ମଧ୍ୟ ଶେଷରେ ପଶାଖେଳରେ ତାଙ୍କୁ ବନ୍ଧା ପକାଇଛନ୍ତି ।

 

ଏଥି ସହିତ ଆଉ ଏକ ବିବାହ–ବଳପୂର୍ବକ ଧରିନେଇ ବିବାହ ରୀତି ଦେଖାଯାଏ । ଯାହାକୁ କହନ୍ତି ‘ହରଣ’ । ଏହି ହରଣ ବିବାହକୁ ଭିତ୍ତିକରି ବହୁ ନାଟକ, ସୁଆଙ୍ଗ ରଚିତ ହୋଇଛି । ଯଥା: କୃଷ୍ଣଙ୍କ ଦ୍ୱାରା ଋକ୍ମିଣୀ ହରଣ, ଅର୍ଜ୍ଜୁନଙ୍କ ଦ୍ୱାରା ସୁଭଦ୍ରା ହରଣ, ନିକୁମ୍ୱଙ୍କ ଦ୍ୱାରା ଭାନୁମତି ହରଣ, ଅନିରୁଦ୍ଧଙ୍କ ଦ୍ୱାରା ଉଷା ହରଣ ଇତ୍ୟାଦି । ଏବେ ବି ବହୁ ଆଦିବାସୀଙ୍କ ମଧ୍ୟରେ ଧରିନେଇ, ବା ହରଣ କରି ବିଭା ହେବା ପ୍ରଥା ପ୍ରଚଳିତ । ଏଇପରି ହରଣ ବିବାହରୁ ଆରମ୍ଭ ହୋଇଛି ଯୁଗଳ ବିବାହ । କାରଣ, ଯେତେବେଳେ ଦଳଗତ ବିବାହ ଓ ତା’ପରେ ସ୍ୱଜ୍ଞାତି ବିବାହ ଓ ତା’ ପରକୁ ସୁଦୂର ଜ୍ଞାତି ବିବାହ ନିଷେଧ ହେଲା, ସେତେବେଳେ ଅଭାବ ଘଟିଲା ସ୍ତ୍ରୀଲୋକଙ୍କର, ଯାହାକୁ କି ପୁରୁଷ ବିବାହ କରିପାରେ । ପୂର୍ବରୁ ଏହା ନ ଥିଲା । ତେଣୁ ହେଲା ବଳପୂର୍ବକ ଧରି ନେଇ ବିବାହ, ହରଣ ପ୍ରଥାର ଆରମ୍ଭ । ପୈଶାଚିକ ବିବାହ ଓ ସ୍ୱୟମ୍ୱର ପ୍ରଥା ଇତ୍ୟାଦିର ସୃଷ୍ଟି । ଅବଶ୍ୟ ଏ ସବୁ ବିବାହ ମଧ୍ୟରେ ଯୌନ ପ୍ରେମର କୌଣସି ପ୍ରଶ୍ନ ନାହିଁ ।

 

ଏଇ ଯୁଗଳ ବିବାହ ଧୀରେ ଧୀରେ ଅଳ୍ପ କାଳପାଇଁ ଓ ପରେ ଅଧିକ କାଳଲାଗି ସ୍ଥାୟୀ ହୋଇଛି । ଶେଷରେ ପରିଣତ ହୋଇଛି ଦୁଇ ଜଣଙ୍କର ସ୍ଥାୟୀ ବିବାହରେ–ଯାହାକୁ କହନ୍ତି ଏକକ ବିବାହ (ମନୋଗାମୀ) । ଏଥିରେ ସ୍ତ୍ରୀ ପାଇଁ ଏକ ସ୍ୱାମୀ, ସ୍ତ୍ରୀ ଉପରେ ପୁରୁଷରେ ଆଧିପତ୍ୟ, ପୁରୁଷ କିନ୍ତୁ ସବୁଥିରେ ମୁକ୍ତ, ତା ପାଇଁ ଏକ ସ୍ତ୍ରୀ ନୁହେଁ, ସେ ବହୁ ସ୍ତ୍ରୀ ବିବାହ ବା ସମ୍ଭୋଗ କରିପାରେ । ଦଳଗତ ବିବାହ ବା ଯୌନ ସମ୍ପର୍କ ବିକାଶ ଲାଭ କରି ଆସି ପହଞ୍ଚିଲା ଯୁଗଳ ବିବାହରେ । ତାମାନେ, ବିବାହର ପରିସର ଧୀରେ ଧୀରେ ସଙ୍କୁଚିତ ହୋଇଗଲା । ଶେଷରେ ଏକ ସ୍ତ୍ରୀ ଏକ ପୁରୁଷରେ ପହଞ୍ଚିଲା । ଏହାପରେ ଆଉ ଅଧିକ ଏ ଦିଗରେ ଅଗ୍ରସର ହେବାର ପ୍ରଶ୍ନ ନାହିଁ-। ଏବେ ପ୍ରଶ୍ନ ହେଲା, ସେଇ ଏକକ ବିବାହର ଉନ୍ନତି ।

 

ଏଇ ଏକକ ବିବାହ ସମାଜରେ ଏକ ବିରାଟ ପରିବର୍ତ୍ତନ ଭିତରୁ ଉଦ୍ଭବ । ତା ହେଉଛି ସମାଜରେ ବ୍ୟକ୍ତିଗତ ସମ୍ପତ୍ତିର ପ୍ରତିଷ୍ଠା । ଆଗେ ଥିଲା ସବୁ ସମ୍ପତ୍ତି ସମସ୍ତଙ୍କର କୋଠ ସମ୍ପତ୍ତି, ସମୂହ ବା ଗୋଷ୍ଠୀ ସମ୍ପତ୍ତି–ସମ୍ପତ୍ତି ଜଣଙ୍କର ନୁହେଁ, ସମସ୍ତ ଗୋଷ୍ଠୀର । ଉତ୍ପାଦନ ପ୍ରଣାଳୀର ବୃଦ୍ଧି ଯୋଗୁଁ ଯେତେବେଳେ ତା ଭାଙ୍ଗିଗଲା, ବ୍ୟକ୍ତିଗତ ସମ୍ପତ୍ତିର ଉଦୟ ହେଲା, ସେତେବେଳେ ତା’ ହେଲା ଜଣକର–ପୁରୁଷର ବା (ପିତାର) । ଏବେ ପ୍ରଶ୍ନ ଆସିଲା, ସେଇ ସମ୍ପତ୍ତିର ଉତ୍ତରାଧିକାରୀ ହେବ କିଏ ? ଏଇ ବ୍ୟକ୍ତିଗତ ସମ୍ପତ୍ତି ମଧ୍ୟରୁ ଜାତ ପୁରୁଷର ଆଧିପତ୍ୟ, ଆଉ ସେହି ସମ୍ପତ୍ତି ଓ ଆଧିପତ୍ୟ ରକ୍ଷା କରିବା ପାଇଁ ରାଷ୍ଟ୍ରରେ ଉଦ୍ଭବ । ଏଇ ବ୍ୟକ୍ତିଗତ ସମ୍ପତ୍ତି–ଅର୍ଥନୈତିକ ଅବସ୍ଥା ହେଲା ଏକକ ବିବାହର ଭିତ୍ତି, ଏକକ ବିବାହର ପ୍ରଧାନ ଆଧାର ଓ ତାରି ଉପରେ ତା’ ଦଣ୍ଡାୟମାନ-

 

ଏଇ ଏକକ ବିବାହରେ ପରିବାର ମଧ୍ୟରେ ପିତାର ଆସନ ସୁଦୃଢ଼ । ପୁରୁଷର ଆଧିପତ୍ୟ ସ୍ୱୀକୃତ । ସନ୍ତାନର ପିତୃତ୍ୱ ପରିଷ୍କାର ଓ ସନ୍ଦେହହୀନ । କାରଣ ପୁରୁଷ ହେଉଛି ବ୍ୟକ୍ତିଗତ ସମ୍ପତ୍ତିର ଏକମାତ୍ର ଉତ୍ତରାଧିକାରୀ ହେବାକୁ ଉପଯୁକ୍ତ । ତା’ର ସମ୍ପତ୍ତିକୁ ଆଉ ଜଣେ କେହି ନେଇ ପଳାଇଯିବ, ତା ସେ ସହ୍ୟ କରି ନ ପାରେ । ତେଣୁ ପୁଅ ତାର ନିଜର ହେବା ଉଚିତ-। ତାର ପିତୃତ୍ୱ ବିଷୟରେ ଯେପରି କୌଣସି ସନ୍ଦେହର ଅବକାଶ ନ ରହେ । ଯଦି ନିଜର ପୁଅ ନ ହେଲା, ତେବେ ଅନ୍ୟ ଲୋକ ଲଗାଇ ନିଜ ସ୍ତ୍ରୀଠାରୁ ପୁତ୍ର ଜାତ କର । କାରଣ ଏଠି ରାଜ୍ୟ, ଧନସମ୍ପତ୍ତିର ପ୍ରଶ୍ନ । ତାକୁ ଭୋଗ ଦଖଲ ଅଧିକାର କରିବାକୁ ହେବ । ତାହା କିଏ ଛାଡ଼ି ପାରେ-? ଏ ସମ୍ପର୍କରେ ପୂର୍ବର ଆର୍ଯ୍ୟମାନଙ୍କ ବିଧିବିଧାନ ବେଶ ପରିଷ୍କାର । ହିନ୍ଦୁଶାସ୍ତ୍ର ଲେଖକମାନେ ସେ ବିଷୟର ଅତି ସ୍ପଷ୍ଟ ମତ ପ୍ରକାଶ କରିଛନ୍ତି । ଏଠାରେ ସମ୍ପତ୍ତି ହେଲା ମୂଳକଥା-। ସମ୍ପତ୍ତି ଆଗରେ ସ୍ତ୍ରୀର ସତୀତ୍ୱ ବା ଏକ ସ୍ତ୍ରୀ ବିବାହର ପବିତ୍ରତାର ପ୍ରଶ୍ନ ନାହିଁ । ଯଦି ଏକ ସ୍ତ୍ରୀ ଦ୍ୱାରା ପୁତ୍ର ଲାଭ ନ ହେଲା, ତେବେ ଏକାଧିକ ସ୍ତ୍ରୀ ବିବାହ କର, ତଦ୍ଦ୍ୱାରା ଯଦି ପୁତ୍ର ଲାଭ ନ ହେଲା, ତେବେ ଅନ୍ୟ ଲୋକଙ୍କୁ ଲଗାଇ, ବ୍ରାହ୍ମଣଙ୍କୁ ଭଡ଼ାରେ ଆଣି ନିଜ ସ୍ତ୍ରୀଠାରୁ ପୁତ୍ର ଉତ୍ପାଦନ କର-। ବ୍ରାହ୍ମଣ, ଅରଣ୍ୟବାସୀ ଋଷି, ସ୍ୱର୍ଗର ଦେବତା ଏଥିଲାଗି ସମସ୍ତଙ୍କୁ ଡକା ପଡ଼ୁଥିଲା-। ଯେ କୌଣସି ଏଜେଣ୍ଟ ଲଗାଇ ବା ନିୟୋଗ କରି ସନ୍ତାନ ଆଣିବାକୁ ହେବ । ଏପରି ଦୃଷ୍ଟାନ୍ତର ଅଭାବ ନାହିଁ-। ଆର୍ଯ୍ୟମାନେ ଏଇ ବିଧାନର ନାମ ଦେଇଥିଲେ ‘ନିୟୋଗ’ । ବିଚିତ୍ରବୀର୍ଯ୍ୟଙ୍କ ସ୍ତ୍ରୀଗଣ ସହିତ ବ୍ୟାସଙ୍କ ମିଳନ । ତା ନ ହୋଇଥିଲେ ବିଖ୍ୟାତ କୁରୁ ପାଣ୍ଡବଗଣ ଭୂମିଷ୍ଠ ହୋଇ ନ ଥାନ୍ତେ-। ବଳିଙ୍କ ସ୍ତ୍ରୀଗଣଙ୍କ ସହିତ ଦୀର୍ଘତମା, ପାଣ୍ଡୁଙ୍କ ସ୍ତ୍ରୀ ସହିତ ବିଭିନ୍ନ ଦେବତାଗଣ–ଏଇପରି ଦୃଷ୍ଟାନ୍ତର ଅଭାବ ନାହିଁ । ପ୍ରଧାନ କଥା ଯେ କୌଣସି ପ୍ରକାର ପୁତ୍ରଜାତ କରାଇବାକୁ ହେବ; ନ ହେଲେ ରାଜ୍ୟ ଓ ଧନସମ୍ପଦର ଉତ୍ତରାରକାରୀ ହେବ କିଏ ?

 

ଏହାପରେ ହୋଇଛି କଳିଯୁଗ । ତା ହେଲା ବ୍ୟକ୍ତିଗତ ସମ୍ପତ୍ତିର ଯୁଗ ଓ ଶ୍ରେଣୀ ସମାଜର । ତେଣୁ ରାଜ୍ୟ ଓ ଧନ ସମ୍ପଦର ଭୋଗଦଖଲ ଓ ଉତ୍ତରାଧିକାରୀ ସୂତ୍ରରେ ଲାଭ କରିବା ହେଲା ଏକମାତ୍ର ଉଦ୍ଦେଶ୍ୟ । ଯାହା ପୂର୍ବରୁ ପ୍ରଚ୍ଛନ୍ନ ଥିଲା ତା ଏବେ ଆହୁରି ପରିଷ୍କାର ହୋଇଉଠିଲା । ସେଇ ଲକ୍ଷ୍ୟରେ ଏଣିକି ଦୃଢ଼ ନିୟମ ବାନ୍ଧି ଦିଆଗଲା । ହିନ୍ଦୁ ସମାଜର ପ୍ରଧାନ ନିୟାମକ ହେଲେ ମନୁ । ସେ ପୂର୍ବର ଗୋଷ୍ଠୀ ସମାଜର ସମାଜ-ଧର୍ମ, ଦ୍ୱାପର ଯୁଗର ମୈଥୁନ–ଯୁଗଳ ବିବାହ ବିଧାନ ଆଦି ଭାଙ୍ଗିଦେଲେ । ଏବେ ପୁତ୍ରଜାତ ହେଲା ବିବାହର ଏକମାତ୍ର ଉଦ୍ଦେଶ୍ୟ, ଏକ ପ୍ରଧାନ ବିଷୟ । ସେ ଘୋଷଣା କଲେ ପୁରୁଷ ସ୍ତ୍ରୀଲୋକଙ୍କୁ ରକ୍ଷା କରିବି–ସନ୍ତାନ ସୃଷ୍ଟି ପାଇଁ–ଏବେ ସ୍ତ୍ରୀଲୋକମାନେ ହେଲେ ସନ୍ତାନ ଉତ୍ପାଦନର ଗୋଟାଏ ଯନ୍ତ୍ର ବା ଉପାୟ । ସେମାନଙ୍କୁ ଶୁଦ୍ଧ ସନ୍ତାନ ଉତ୍ପାଦନ କରିବାକୁ ହେବ । ‘‘ପ୍ରଜା ବିଶୁଦ୍ଧଂ ଧର୍ମ ସ୍ତ୍ରିୟମ୍ ରକ୍ଷେତ ପ୍ରଯତ୍ନତଃ’’ ।

 

ଆଦିମ ଗୋଷ୍ଠୀ ସମାଜରେ ନାରୀ ସନ୍ତାନ ପ୍ରସବ କରୁଥିଲା ସତ, କିନ୍ତୁ ତାକୁ ସନ୍ତାନ ଉତ୍ପାଦନର ଯନ୍ତ୍ର ବା ଉପାୟ ଭାବେ କେହି ବିଚାର କରୁ ନ ଥିଲା । ସେ ଥିଲା ମହାନ୍ ମାତା, ସମାଜରେ ସମ୍ମାନିତା । ପୁରୁଷ ସହିତ ସମାନ । ପୁରୁଷ ସହିତ ସମସ୍ତ ସାମାଜିକ, ଧନସମ୍ପତ୍ତି ଓ ସଙ୍ଗଠନର ଅଧିକାରିଣୀ । ସେ ମଧ୍ୟ ଗୋଷ୍ଠୀର ନେତା, ଗୋଷ୍ଠୀର ପ୍ରତିଷ୍ଠାତା ଓ ପରିଚାଳିକା; ସେ ସେତେବେଳେ ଅସହାୟ, ଦୁର୍ବଳ ଅବଳା ନୁହେଁ ଯେ ପୁରୁଷ ତାକୁ ରକ୍ଷା କରିବ । ସେ କେବଳ ଯୌନ ମୂର୍ତ୍ତି ନୁହେଁ ଯେ ପୁରୁଷ କେବଳ ତାକୁ ଉପଭୋଗ କରିବ, ସେ ଏକ ଗୃହପାଳିତ ପଶୁ ନୁହେଁ ଯେ ଗାଈଗୋରୁଙ୍କ ଭଳି ଧରିଆଣି ତା ଠାରୁ ସନ୍ତାନ ଉତ୍ପାଦନ କରିବ । କିନ୍ତୁ ଏବେ ‘‘ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା’’ ଏଇ ହେଲା ମନୁଙ୍କ ଉପଦେଶ ବା ନିୟମ । ଅତଏବ ଏବେ ସ୍ତ୍ରୀର ଆବଶ୍ୟକତା କେବଳ ପୁତ୍ରପାଇଁ, ପୁତ୍ର ଉତ୍ପାଦନ ଯନ୍ତ୍ର ଛଡ଼ା ସେ ଅନ୍ୟ କିଛି ନୁହେଁ । ଏ ହେଲା ବ୍ୟକ୍ତିଗତ ସମ୍ପତ୍ତିର ଆଧିପତ୍ୟ । ଶ୍ରେଣୀ ବିଭକ୍ତ ସମାଜର ନିୟମ । ବର୍ତ୍ତମାନ ଧନ ସମ୍ପତ୍ତିର ରାଜୁତି ବେଳେ ଧନିକସମାଜରେ ଏହା ଆହୁରି ସ୍ପଷ୍ଟ, ଆହୁରି ପ୍ରାଞ୍ଜଳ । ଏଠାରେ ନାରୀ ହୁଏ ବିକ୍ରି ଖର୍ଦ୍ଦିର ବସ୍ତୁ । ବଜାରରେ ଏମାନଙ୍କୁ କିଣାବିକା କରାଯାଇପାରେ । ଚିରଦିନ ପାଇଁ ଖୋରାକି ପୋଷାକିଦେଇ ପୁରୁଷ ଏମାନଙ୍କୁ ବିବାହ କରେ,–ସେମାନଙ୍କ ଦ୍ୱାରା ସନ୍ତାନ ଆଣେ ନିଜ ସମ୍ପତ୍ତିର ଉତ୍ତରାଧିକାରୀ ହେବାଲାଗି ।

 

ସେତେବେଳେ ସନ୍ତାନର ପ୍ରଶ୍ନ ଆଗରେ ପବିତ୍ର ସତୀତ୍ୱ ମଧ୍ୟ ହାର ମାନିଛି । ସତୀତ୍ୱ ଉପେକ୍ଷିତ ହୋଇଛି ଉତ୍ପାଦନ ପାଇଁ, ପାଣ୍ଡବଙ୍କ ଜନ୍ମ ହେଉଛି ତାର ଦୃଷ୍ଟାନ୍ତ । ତା’ପରେ ଯାଜ୍ଞବ୍‍ଳକ ଘୋଷଣା କଲେ, ‘‘ବ୍ୟଭିଚାରତ୍ ସୂତୌ ଶୁଦ୍ଧଃ ଗର୍ଭି ତ୍ୟାଗୋ ବିଧିୟତେ ।’’ ବ୍ୟଭିଚାରିଣୀ ବା ସନ୍ତାନ ପ୍ରସବ ପରେ ସ୍ତ୍ରୀ ଲୋକମାନେ ଶୁଦ୍ଧ ସ୍ନାନ କରି ସାରିଲା ପରେ ବ୍ୟଭିଚାରିଣୀ ଦୋଷରୁ ସେ ମୁକ୍ତ ହୋଇଗଲା । ସେ ପୁଣି ତାର ସତୀତ୍ୱ ଲାଭ କରିବ । ଆର୍ଷ ବିବାହ ଦ୍ୱାରା ଏ ସମ୍ପତ୍ତିର ବିଷୟ ଆହୁରି ସୁସ୍ପଷ୍ଟ । ସେ ବିବାହରେ ଏକ ଗାଈ ଓ ଏକ ଷଣ୍ଢ ଦାନ କରାଯାଏ । ତାର ନାମ ହେଲା ‘‘ଦାରଗାଭମ୍’’, ସ୍ତ୍ରୀ ଓ ପଶୁ ଏକ ସଙ୍ଗରେ ଯାଆନ୍ତି । ସେମାନେ ସମାନ । ସ୍ତ୍ରୀ ଏକପ୍ରକାର ପଶୁରେ ପରିଣତ ହୋଇଛି । ଆଦିମ ଗୋଷ୍ଠୀ ସମାଜରେ ଏହା ଥିଲା ଚିନ୍ତାର ବହିର୍ଭୂତ । ସାମୂହିକ ଉତ୍ପାଦନ ବେଳେ ଏହା ଅସମ୍ଭବ । କାରଣ ସାମାଜିକ ସମ୍ପତ୍ତି ଉପରେ ନାରୀର ସମାନ ଅଧିକାର । ସମାଜରେ ତାର ପ୍ରାଧାନ୍ୟ ସୁପ୍ରତିଷ୍ଠିତ ।

 

ଆମ ସମାଜରେ ଏହା ରୂପ ନେଇଛି ଦେବୀର ପରିକଳ୍ପନାରେ, ଦେବୀମାନେ ହୋଇଛନ୍ତି ସବୁ ଆଦିଶକ୍ତିର ଆଧାର । ଧନ ସମ୍ପତ୍ତିର ଅଧିକାରିଣୀ ହେଲେ ଲକ୍ଷ୍ମୀ, ବିଦ୍ୟାର ସରସ୍ୱତୀ, ଆଉ ଶକ୍ତିର ହେଲେ ଦୁର୍ଗା । ସମାଜର ଏଇ ତିନୋଟି ମୂଳ ବିଷୟ ତିନିଜଣ ନାରୀଙ୍କଠାରୁ ହିଁ ସମ୍ଭୁତ । ନାରୀହିଁ ଏହାର ଆଦି କର୍ତ୍ତା, ଆଧାର ଓ ଅଧିକାରିଣୀ । କେବଳ ମଣିଷ ନୁହନ୍ତି, ଏପରିକି ପୁରୁଷ ଦେବତାମାନେ ମଧ୍ୟ ନିଜ କାମନା ପୂରଣ ଲାଗି ଏମାନଙ୍କ ଆରାଧନା କରିଥାଆନ୍ତି । ଏହା ହେଲା ଆଦିମ କାଳରେ ପ୍ରଚଳିତ ଅବସ୍ଥାର ପ୍ରତିଛବି ମାତ୍ର । ବର୍ତ୍ତମାନ ଯୁଗରେ ସେଇ ନାରୀଶକ୍ତି କାଠ ପାଷାଣ ରୂପରେ ଗାଁ ମୁଣ୍ଡ ଦେଉଳରେ ପୂଜିତ ଓ ସେ ନିଜେ ଗୃହ କୋଣରେ ପୁରୁଷ ଦ୍ୱାରା ବନ୍ଦୀ ।

 

ଆମେ ଆଗରୁ ଦେଖିଛେ, ନାରୀ ଥିଲା ଗଣ୍ୟ-ଗୋତ୍ରର ମୂଳଭିତ୍ତି । ନୂତନ ଗଣ-ଗୋତ୍ରର ପ୍ରତିଷ୍ଠା ନାରୀଠାରୁ ହିଁ ଆରମ୍ଭ ହେଉଥିଲା । ଅନ୍ୟ ଗଣ-ଗୋତ୍ରର ପୁରୁଷମାନେ ସେଠାକୁ ଆସୁଥିଲେ । ବିବାହ ହୋଇ ସେଇଠି ରହୁଥିଲେ । ଉତ୍ପାଦନ-ଉପକରଣ-ଜମିବାଡ଼ି, ହଳ ଲଙ୍ଗଳ, ଗାଈଗୋରୁ ସମସ୍ତ ଗଣ-ଗୋତ୍ରର ସର୍ବସାଧାରଣ ବା କୋଠ ସମ୍ପତ୍ତି । ନାରୀର ଶ୍ରମ ବି ଉତ୍ପାଦନ କ୍ଷେତ୍ରରେ ପୁରୁଷ ଶ୍ରମଭଳି ଥିଲା ଗୁରୁତ୍ୱପୂର୍ଣ୍ଣ । ନାରୀ ପୁରୁଷ ସମସ୍ତେ ଉତ୍ପାଦନର ସମାନ ମାଲିକ; ଅବିଚ୍ଛନ୍ନ ସେମାନେ, କେହି କାହାଠାରୁ ବିଚ୍ଛିନ୍ନ ନୁହନ୍ତି, ପ୍ରତ୍ୟେକ କ୍ଷେତ୍ରରେ ସମାନ ଭାବରେ ଏକତ୍ର ଗତି ଓ ସମାନ ଅଧିକାର ସେମାନଙ୍କର । ଜଣକୁ ଛାଡ଼ିଦେଇ ଅନ୍ୟର ଅସ୍ତିତ୍ୱ ନାହିଁ, ଜଣକୁ ଛାଡ଼ି ଅନ୍ୟ ଜଣେ ଅପୂର୍ଣ୍ଣ, ସେହି ଅବିଚ୍ଛିନ୍ନତାର ଭାବ ଆଜି କେବଳ ସ୍ମୃତିରେ ବିଦ୍ୟମାନ । ତା’ର ସ୍ମୃତି ପ୍ରତିଫଳିତ ହୋଇଛି ଆମର ‘ଅର୍ଦ୍ଧନାରୀଶ୍ୱର’ ରୂପରେ । ଆଉ ନାରୀର ଉକ୍ତ ସମ୍ମାନ, ଗୌରବ ଓ ପ୍ରାଧାନ୍ୟ ରହିଛି ଦେବୀ ଭାବରେ ଦେବୀ ପୂଜା ଆରାଧନାରେ । କାଳକ୍ରମେ ପୁରୁଷ ପ୍ରତି ଗାଁମୁଣ୍ଡରେ ଥାପନା କରିଛି ଗ୍ରାମଦେବତୀ । ସେଇ ଗଣ-ଗୋତ୍ର ପ୍ରତିଷ୍ଠାକାରିଣୀର ସ୍ମୃତି । ନାରୀକୁ ବାହାରେ ଦେବତାର ଆସନ ପ୍ରଦାନ କରି ଏଣେ ସେମାନଙ୍କୁ ନିଜ ଘରେ କରିଛି ଦାସୀ । ଆଦିମାତା ଅଦିତିକୁ ବାହାରେ ସର୍ବଶକ୍ତିମାନ ଦୁର୍ଗା ରୂପ ପ୍ରଦାନ କରି ତେଣେ ଦମନ କରୁଛି ନିଜ ଘରେ ସ୍ତ୍ରୀର ସବୁ ଶକ୍ତି ଓ ସ୍ୱାଧୀନତାକୁ–

 

ଏଇ ହେଲା ଏକକ ବିବାହ । ଏଥିପୂର୍ବରୁ ଥିଲା ଯୁଗଳ ବିବାହ । ଏ ଯୁଗଳ ବିବାହ ପୁରୁଷ ଆଣିନାହିଁ–ଆଣିଛି ନାରୀ । ପୁରୁଷ କେବେହେଲେ ଦଳଗତ ବିବାହ–ସବୁ ସ୍ତ୍ରୀକୁ ସମ୍ଭୋଗ କରିବା ଲାଳସା ଛାଡ଼ିବାର ପକ୍ଷପାତୀ ନୁହେଁ । ଆଜି ବି ଏକକ ବିବାହ ଭିତରେ, ସେ ବହୁ ସ୍ତ୍ରୀ ବିବାହ କରେ, ଦାସୀ, ରକ୍ଷିତା ଆଦି ରଖେ ଓ ପାପାଳୟକୁ ଗମନ କରେ । ଯେତେବେଳେ ଲୋକସଂଖ୍ୟା ବୃଦ୍ଧି ହେଲା, ଗୋଟାଏ ଦଳ ବା ସ୍ୱଜ୍ଞାତିର ଲୋକେ ଆଉ ଏକ ସ୍ଥାନରେ ରହିପାରିଲେ ନାହିଁ, ଗୋତ୍ର ଭିତରେ ବିବାହ ଆଉ ସମ୍ଭବ ହେଲା ନାହିଁ, ଅଥଚ ପୁରୁଷ ଗୋତ୍ର ବିବାହ । ସାରେ ନାରୀକୁ ଉପଭୋଗ କରିବାର ଅଧିକାର ଛାଡ଼ି ନାହିଁ, ଅଜଣା ସ୍ତ୍ରୀଲୋକ ହେଲେ ବି ସେ ଯଦି ତାର ଗୋତ୍ରର ହେଲା, ତେବେ ତା’ଉପରେ ଯୌନ ଅଧିକାର ଦାବି କରିଛି, ସେତେବେଳେ ଏ ସବୁ ସ୍ତ୍ରୀଲୋକଙ୍କ ପକ୍ଷରେ ଅସହ୍ୟ ହୋଇଉଠିଛି । ସେମାନେ ଏହାର ପ୍ରତିରୋଧ କରିଛନ୍ତି । ତା’ପରେ ଅତିଥି ଚାହିଁଲେ ତାଙ୍କର ସନ୍ତୋଷ ଲାଗି ନିଜର ସ୍ତ୍ରୀକୁ ତାଙ୍କୁ ପ୍ରଦାନ କରିବା–ଏହା ସେଇ ଦଳଗତ ବିବାହ ପ୍ରଥାରୁ ଉଦ୍ଭବ, ତାରି ଅବଶେଷ ମାତ୍ର । ଏପରି ଦୃଷ୍ଟାନ୍ତର ଅଭାବ ନାହିଁ । କିନ୍ତୁ ସ୍ତ୍ରୀଲୋକ ହିଁ ଏହାର ବିରୋଧ କରିଛନ୍ତି । ତେଣୁ ବୃହଦାରଣ୍ୟରେ କୁହାଯାଇଛି, ‘‘ସେ(ସ୍ତ୍ରୀଲେକ) ଯଦି ତାକୁ (ପୁରୁଷକୁ) କାମ ଦେବାକୁ ରାଜି ନ ହୁଏ, ତେବେ ତାକୁ ଯଷ୍ଟିଦ୍ୱାରା ପ୍ରହାର କର’’ ।

 

ଯୁଗଳ ବିବାହ ପରେ ଆସିଲା, ଏକକ ବିବାହ । ବ୍ୟକ୍ତିଗତ ସମ୍ପତ୍ତିର ଉଦ୍ଭବ ଓ ମାତୃଶାସନର ବା ପ୍ରାଧାନ୍ୟର ଅବସାନ–ଏହାରି ଉପରେ ତାହା ପ୍ରତିଷ୍ଠିତ । ବ୍ୟକ୍ତିଗତ ସମ୍ପତ୍ତି ଆସିଲାରୁ ବ୍ୟକ୍ତିର ମୃତ୍ୟୁପରେ ସମ୍ପତ୍ତିର ଅଧିକାରୀ ହେବ କିଏ ? ଏଇ ପ୍ରଶ୍ନ ସମାଧାନ ହେଲା–ପିତା ଅନ୍ତେ ପୁତ୍ର ହିଁ ହେବ ସମ୍ପତ୍ତିର ଅଧିକାରୀ, କିନ୍ତୁ ପୁତ୍ର କିଏ ? ଏହାର ଆଲୋଚନା ରହିଛି, ସେଇ ମହାଭାରତର ଅନୁଶାସନ ପର୍ବରେ । ଯୁଧିଷ୍ଠିର ପ୍ରଶ୍ନ କରୁଛନ୍ତି, ‘‘କେତେକ କହନ୍ତି ଲୋକର ନିଜ ଭୂମିରୁ ଯିଏ ଜାତ ହେଲା, ସେଇ ତାର ପୁତ୍ର ଆଉ କେତେକ କହନ୍ତି, ନିଜ ବୀଜରୁ ଯିଏ ଜାତ ହେଲା, ସେଇ ତା’ର ପୁତ୍ର । ଏ ଦୁଇ ପ୍ରକାର ପୁତ୍ର କ’ଣ ସମାନ ? ପ୍ରକୃତରେ ପୁଅ କିଏ ?’’

 

ଏତେବେଳକୁ ସମାଜରେ ବ୍ୟକ୍ତିଗତ ସମ୍ପତ୍ତି ଆସିଲାଣି, ଭୁଦାସ ଓ ଜମି ମାଲିକ ହେଲେଣି । ଏଠାରେ ନାରୀକୁ ତୁଳନା କରାଯାଇଛି ଜମି ସହିତ । ଭୂମି ହେଉଛି ସ୍ତ୍ରୀ, ଆଉ ଫଳ ହେଉଛି ପୁତ୍ର–ସେ ପୁତ୍ରର ମାଲିକ କିଏ ? ଯିଏ ଜମି ଚାଷ କଲା, ବୀଜ ବୁଣିଲା, ପୁତ୍ର ତା’ର ନା, ଯିଏ କେହି ଜମି ଚଷୁ ପଛେ, ଜମିର ମାଲିକ ହେବ ପୁତ୍ରର ମାଲିକ, ପୁତ୍ରର ମାଲିକ, ପୁତ୍ରର ଅଧିକାରୀ ? ଏ ସନ୍ଦେହ ଜାଗିଛି ଯୁଧିଷ୍ଠିରଙ୍କ ମନରେ । ଏପରି ପ୍ରଶ୍ନ ଗୋଷ୍ଠୀ ଉତ୍ପାଦନ, ଯଜ୍ଞ ଉତ୍ପାଦନ କାଳରେ ସମ୍ଭବ ନ ଥିଲା, ସେତେବେଳେ ଏପରି ଭାବନା କା’ର ମନକୁ ସ୍ପର୍ଶ କରିବା ଆଦୌ ସମ୍ଭବ ନୁହେଁ । ସେଠି ପୁତ୍ର ଜଣକର ନୁହେଁ, ସମସ୍ତ ଗୋଷ୍ଠୀର, ଗୋଷ୍ଠୀ ‘ଅପତ୍ୟ’ । କାରଣ ସେଠି ବ୍ୟକ୍ତିଗତ ସମ୍ପତ୍ତି ନାହିଁ । ତେଣୁ କେହି ଅନ୍ୟଜଣକୁ ବଞ୍ଚିତ କରି ନିଜ ପୁତ୍ରକୁ ତା ଦାନ କରିବାର ପ୍ରଶ୍ନ ନାହିଁ । ପରବର୍ତ୍ତୀ ସମୟରେ ମଣିଷ ହୋଇଛି ମଣିଷର ଦାସ । ଦାସ ଯୁଗ ଆସିଛି । ଜଣେ ହୋଇଛି ମାଲିକ, ଅନ୍ୟମାନେ ହୋଇଛନ୍ତି ତା’ର ଦାସ । ସେଇ ସମ୍ପତ୍ତିର ଉତ୍ପାଦନ ଲାଗି ଦାସମାନଙ୍କର କିଣାବିକା ହୋଇଛି । ଏବେ ନାରୀ ହୋଇଛି ଦାସ । ସନ୍ତାନ ଉତ୍ପାଦନର ଉପାୟ । ଯେଉଁ ସନ୍ତାନମାନେ କି ଉତ୍ତରାଧିକାରୀ ସୂତ୍ରରେ ଦାସ ପୁତ୍ର ଦାସ ହୋଇ ଖଟିବେ–ମାଲିକର ସମ୍ପତ୍ତି ବୃଦ୍ଧି ଲାଗି । ତେଣୁ ଯୁଧିଷ୍ଠିରଙ୍କ ପ୍ରଶ୍ନର ଉତ୍ତର ହେଲା, ‘‘ଯା’ର ବୀଜରୁ ଜାତ, ସେ ହେଉଛି ତାରି ପୁତ୍ର ।’’ ତା ହେଉଛି ଧର୍ମ । ହିନ୍ଦୁ ଧର୍ମର ପ୍ରଧାନ ନିୟାମକ ମନୁ ମଧ୍ୟ ସେହି ନିୟମ ବାନ୍ଧିଦେଲେ ।

 

ଗୋଷ୍ଠୀ ବା ଯୁଗଳ ବିବାହ କାଳରେ ଏହା ନ ଥିଲା । ସନ୍ତାନମାନେ ଥିଲେ ମାତୃଗଣର-। ବାପ ମା’କୁ ଛାଡ଼ିଗଲେ ପିଲାମାନେ ରହୁଥିଲେ ମା’ପାଖରେ । ଏହାର ଦୃଷ୍ଟାନ୍ତ ମହାଭାରତରେ ରହିଛି । ଭୀମ ଅର୍ଜୁନ ପ୍ରଭୃତି ବିଭିନ୍ନ ସ୍ଥାନରେ ଯେତେ ନାରୀଙ୍କୁ ବିବାହ କରିଛନ୍ତି, ସେ ସ୍ତ୍ରୀମାନଙ୍କ ନିକଟରେ କିଛିକାଳ କଟାଇ ଶେଷରେ ପୁତ୍ରଜାତ ପରେ ତାକୁ ମା’ ନିକଟରେ ଛାଡ଼ିଦେଇ ଚାଲି ଯାଇଛନ୍ତି । ମା’ ହୋଇଛି ସନ୍ତାନର ଅଧିକାରୀ । କିନ୍ତୁ ଏବେ ପିଲାମାନେ ଆଉ ମା’ର ନୁହନ୍ତି ବାପାର, କାରଣ ନାରୀ ପୁରୁଷ ସହିତ ସମାନ ନୁହେଁ । ସେ ପଶୁଭଳି କିଣାବିକା ହୋଇପାରେ, ତାକୁ ଭଡ଼ା ଲଗାଯାଇପାରେ । ତା’ର ଏକମାତ୍ର କାର୍ଯ୍ୟ ହେଲା ଘରେ ପୁରୁଷର ଦାସ ହେବ ଆଉ ସନ୍ତାନ ଉତ୍ପାଦନ କରିବ, ଉତ୍ତରାଧିକାରୀ ସୂତ୍ରରେ ପୁରୁଷର ସମ୍ପତ୍ତି ଲାଭ ଲାଗି ।

 

ଏହା ଫଳରେ ନାରୀର ସ୍ୱାଧୀନତା ଗଲା । ସେ ଧୀରେ ଧୀରେ ପୁରୁଷର ଅତ୍ୟାଚାରର ଶିକାର ହେଲା, ତା’ର ଉଦାହରଣ ସେଇ ମହାଭାରତରୁ ମିଳେ । ଉଦଯୋଗ ପର୍ବରେ ଏକ କାହାଣୀ ଅଛି । ଗଲଭ ଆପଣାର ଦାରିଦ୍ର୍ୟ ଯୋଗୁଁ ଗୁରୁ ଦକ୍ଷିଣା ଦେବାକୁ ଅସମର୍ଥ ହୋଇ ଯଯାତିଙ୍କ ସାହାଯ୍ୟପ୍ରାର୍ଥୀ ହେଲେ । ଯଯାତି ନିଜର କନ୍ୟା ମାଧବୀଙ୍କୁ ତାଙ୍କୁ ପ୍ରଦାନ କଲେ । ଗଲଭ ତାଙ୍କୁ ଭଡ଼ା ଲଗାଇ ତା’ ବଦଳରେ ଦୁଇଶତ ଘୋଟକ ଆଣିଲେ ଓ ତା’ ଅର୍ପଣ କରି ଗୁରୁ ଦକ୍ଷିଣାରୁ ମୁକ୍ତ ହେଲେ । ମାଧବୀଙ୍କୁ ଜଣକ ପରେ ଜଣେ ତିନିଜଣ ଭୋଗ କଲେ । ତାଙ୍କଠାରୁ ଏକ ପୁତ୍ର ପାଇ ତାଙ୍କ ପିତାଙ୍କୁ ଫେରସ୍ତ କରିଦେଲେ । ବିଶ୍ୱାମିତ୍ର ତାଙ୍କଠାରୁ ମଧ୍ୟ ଏକ ସନ୍ତାନ ଲାଭକରି ତାଙ୍କୁ ଗଲଭଙ୍କୁ ଦେଲେ । ସେ ତାଙ୍କୁ ଯଯାତିଙ୍କ ପାଖକୁ ପଠାଇଦେଲେ । କନ୍ୟା ଦାସତ୍ୱରୁ ମୁକ୍ତ ହେଲାପରେ ଏବେ ସ୍ୱୟମ୍ୱରରେ ପତି ବାଛିବାକୁ ଯଯାତି ତାଙ୍କୁ କହିଲେ । ସ୍ୱୟମ୍ୱର ହେଲା, କିନ୍ତୁ ସେତେବେଳକୁ ପୁରୁଷଙ୍କ ଅତ୍ୟାଚାରରେ ମାଧବୀ ଅତିଶୟ ଜର୍ଜରିତ ହୋଇ ପଡ଼ିଥିଲେ । ସେମାନଙ୍କ ପ୍ରତି ତାଙ୍କର ଘୋର ଘୃଣା ଜାତ ହୋଇଥିଲା, ତେଣୁ ସେ ସ୍ୱୟମ୍ୱରରେ ଉପସ୍ଥିତ ରାଜନ୍ୟଗଣଙ୍କୁ ପ୍ରମାଣ କରି ଅରଣ୍ୟକୁ ପ୍ରସ୍ଥାନ କଲେ । ଶ୍ରେଣୀ ସମାଜ ଓ ପୁରୁଷର ଦାସତ୍ୱମୁକ୍ତ ହୋଇ ପ୍ରାର୍ଥନାରେ ମନୋନିବେଶ କଲେ ।

 

ନାରୀ ଉପରେ ପୁରୁଷର ଅଖଣ୍ଡ ଅଧିକାର । ସେ ତାକୁ କେବଳ ଭଡ଼ାରେ ଦେବାର ଅଧିକାର ଲାଭ କରିନାହିଁ, ସେ ହୋଇଛି ତା’ ଜୀବନର ମାଲିକ । ଏପରିକି ସେ ତାକୁ ବଧ ଓ ହତ୍ୟା କରିପାରେ । ଦାସଙ୍କୁ ବଧ କରିବା ଯେତେବେଳେ ନିୟମ ଅନୁମୋଦିତ, ନାରୀଙ୍କୁ କାହିଁକି ବା ବଧ କରା ନ ଯିବ ? କିନ୍ତୁ ଗୋଷ୍ଠୀ ସମାଜରେ ଗଣଗୋତ୍ର ବିବାହରେ ଏହା ଥିଲା କଳ୍ପନାର ବହିର୍ଭୁତ, ଅସମ୍ଭବ କଥା । ସେଠାରେ ନାରୀ ସମ୍ମାନିତ, ପ୍ରାଣଦାତା, ସର୍ବଶ୍ରେଷ୍ଠ, ଅତୀବ ପବିତ୍ର । ମାତୃହତ୍ୟା ମହାପାପ, ତା ଠାରୁ ବଳି ଆଉ ଘୃଣ୍ୟ ପାପ ନାହିଁ । କିନ୍ତୁ ଏବେ ବ୍ୟକ୍ତିଗତ ସମ୍ପତ୍ତିର ଆବିର୍ଭାବ ହୋଇଛି, ସାମାଜିକ ଅର୍ଥନୀତି ଓ ଅବସ୍ଥାର ପରିବର୍ତ୍ତନ ଘଟିଛି । ତେଣୁ ତା ସହିତ ପୂର୍ବର ସେ ସମସ୍ତ ଆଦର୍ଶ ଓ ନୈତିକତା ଲୋପ ପାଇଛି । ସେ ପାପପୁଣ୍ୟର ବିଚାର ବର୍ତ୍ତମାନ ଆଉ ନାହିଁ କି ରହି ନ ପାରେ । ସମ୍ପତ୍ତି ଉପରେ ଏବେ ପୂର୍ଣ୍ଣ ମାଲିକାନା ପ୍ରତିଷ୍ଠିତ । ଦାସଭଳି ନାରୀ ମଧ୍ୟ ସେଇ ସମ୍ପତ୍ତିର ଅନ୍ତର୍ଭୁକ୍ତ ।

 

କିପରି ଧୀରେ ଧୀରେ ନାରୀର ସ୍ୱାଧୀନତା ଲୋପ ପାଇଛି ଆଉ ନାରୀ କିପରି ସେଇ ଗୋଷ୍ଠୀ ଜୀବନର ଅଧିକାର ପ୍ରାପ୍ତି ଲାଗି ଉଦ୍ୟମ କରିଛି ଓ ପୁରୁଷ ନିର୍ମମ ଭାବେ ତାକୁ ଦମନ କରିଛି, ସେ ସବୁର ଦୃଷ୍ଟାନ୍ତ ତିନୋଟି ଉପାଖ୍ୟାନରୁ ମିଳେ । ପ୍ରଥମଟି ହେଲା ସୁଦର୍ଶନ ଓ ଓଗାବତୀଙ୍କ ଉପାଖ୍ୟାନ । ଥରେ ଋଷି ସୁଦର୍ଶନ ଆଶ୍ରମରେ ତାଙ୍କର ସ୍ତ୍ରୀ ଓଗାବତୀଙ୍କୁ ଛାଡ଼ିଦେଇ ଯାଇଥିଲେ । ଋଷିଙ୍କ ଅନୁପସ୍ଥିତିରେ ଜଣେ ବ୍ରାହ୍ମଣ ଅତିଥି ଉପଗତ ହେଲେ । ପୂର୍ବର ଗଣଗୋତ୍ର ବିଧି ଅନୁସାରେ ଅତିଥିଙ୍କର ମନ କାମନା ପୂରଣ କରିବାକୁ ହେବ । ବ୍ରାହ୍ମଣଙ୍କ କାମନା ପୂରଣ ଲାଗି ଓଗାବତୀ ତାଙ୍କ ପାଖରେ ନିଜକୁ ଅର୍ପଣ କଲେ । ଋଷି ସୁଦର୍ଶନ ଫେରି ସେ ସମସ୍ତ ବିଷୟ ଅବଗତ ହେଲେ । ସେଥିଲାଗି ସେ ତାଙ୍କ ସ୍ତ୍ରୀଙ୍କ ପ୍ରତି ବିଶେଷ ପ୍ରୀତ ଓ ସନ୍ତୁଷ୍ଟ ହୋଇଥିଲେ, କାରଣ ସେ ପ୍ରକୃତ ଅତିଥି ଚର୍ଚ୍ଚା କରିଛନ୍ତି, ଯଥାର୍ଥଭାବେ ନିଜର କର୍ତ୍ତବ୍ୟ ପାଳନ କରିଛନ୍ତି ।

 

କାରଣ ଏତେବେଳକୁ ଗଣ-ଗୋତ୍ର ବହୁ ଦିନର କଥା ହେଲାଣି । ସମାଜ ତାଠାରୁ ଦୂରେଇ ଗଲାଣି, ଗୋଷ୍ଠୀ ଭାଙ୍ଗିଯାଇଛି । ଦଳଗତ ବିବାହ ଲୋପପାଇଛି । ସ୍ତ୍ରୀଲୋକ ତାର ବିରୋଧ କରୁଛନ୍ତି । ଯୁଗଳ ବିବାହ ଆରମ୍ଭ ହୋଇଛି । ସ୍ତ୍ରୀମାନେ ତାଙ୍କ ସ୍ୱାମୀଙ୍କ ସହିତ ବାସ କଲେଣି । ନୂତନ ପରିବାର ଗଠିତ ହେଲାଣି । ତେଣୁ ସୁଦର୍ଶନଙ୍କ ଆଶଙ୍କା ହେଲା, କାଳେ ତାଙ୍କ ସ୍ତ୍ରୀ ପୂର୍ବପ୍ରଥା ଅନୁଯାୟୀ ଉପଯୁକ୍ତଭାବେ ଅତିଥି ଚର୍ଚ୍ଚା ନ କରିବେ, ଅତିଥିଙ୍କ କାମନା ପୂରଣ ଲାଗି ପଶ୍ଚାତ୍‍ପଦ ହେବେ, କିନ୍ତୁ ଜାଣିଲେ ଯେ ତାଙ୍କ ସ୍ତ୍ରୀ ଅତିଥିଙ୍କ ସକଳ ଇଚ୍ଛା ପୂରଣ କରିଛନ୍ତି । ତେଣୁ ସେ ପ୍ରୀତ ହୋଇଛନ୍ତି ।

 

ସେହିପରି ଗୌତମୀ ଓ ଇନ୍ଦ୍ରଙ୍କ ଉପାଖ୍ୟାନ । ଏତେବେଳକୁ ସମାଜ ଆହୁରି ବଦଳି ଗଲାଣି । ଏଇ ସମୟରେ ଦିନେ ଇନ୍ଦ୍ର ଅତିଥିଭାବରେ ଋଷି ଗୌତମଙ୍କ ଅନୁପସ୍ଥିତିରେ ତାଙ୍କ ଆଶ୍ରମରେ ଉପସ୍ଥିତ ହୋଇଛନ୍ତି । ଆଉ ସେ ଗୌତମଙ୍କ ସ୍ତ୍ରୀ ଗୌତମୀଙ୍କୁ ଘେନିଯାଇଛନ୍ତି । ଗୌତମ ଫେରିଲା ପରେ ତା’ ଶୁଣି କ୍ରୋଧରେ ଜଳିଗଲେ । ପୁତ୍ରକୁ ଆଦେଶ ଦେଲେ ମା’ର ମୁଣ୍ଡକାଟ କରିବାକୁ । ଏବେ ପୁତ୍ର ବିଚରା ପଡ଼ିଲା ବଡ଼ ଦ୍ୱନ୍ଦ୍ୱରେ । କାରଣ ପୂର୍ବର ବିଧି ଓ ନିୟମ ଅନୁସାରେ ମା’ଙ୍କର କିଛି ଦୋଷ ନାହିଁ–ସେ ନିର୍ଦ୍ଦୋଷ । ଆଉ ପୁତ୍ର ଭାବେ ସେ ମାତାଙ୍କୁ ବଧକରି ନ ପାରେ । କିନ୍ତୁ ଏବେ ନୂଆ ସମାଜରେ ନିୟମ ଅନୁଯାୟୀ ସେ ପିତୃ ଆଦେଶ ପାଳନ କରିବାକୁ ବାଧ୍ୟ । ତା’ ତାର ଶିରୋଧାର୍ଯ୍ୟ । ତେଣୁ ପୁତ୍ର ଦ୍ୱନ୍ଦ୍ୱରେ ପଡ଼ିଛି । କ’ଣ କରିବ ଠିକ୍ କରିପାରି ନାହିଁ । ସମୟ କଟିଛି, ଗୌତମଙ୍କ କ୍ରୋଧ ଶାନ୍ତ ହୋଇଛି । ସେ ଉକ୍ତ ଘଟଣାକୁ ସହି ଯାଇଛନ୍ତି । ମାତା ପୁତ୍ରଙ୍କର ବିଜୟ ହୋଇଛି । ଏହାର ମର୍ମ ନୁହେଁ ଯେ ନାରୀ ତା’ର ପୂର୍ବ ଅଧିକାର ଫେରିପାଇଛି । ଅସଲ କଥା ହେଉଛି ନୂତନ ନିୟମ, ନୂତନ ସାମାଜିକ ପ୍ରଥା ଏପର୍ଯ୍ୟନ୍ତ ବଳବତ୍ତର ହୋଇନାହିଁ । ତା’ ଆରମ୍ଭ ହେଉଛି, ତେଣୁ ଦୁର୍ବଳ ଅବସ୍ଥାରେ ରହିଛି ।

 

ଏଥିରୁ ଦେଖାଯାଏ–ଦାସ ଯୁଗରେ ପୁତ୍ର ମଧ୍ୟ ନିଜର ସ୍ୱାଧୀନତା ହରାଇଛି । ମାତାକୁ ରକ୍ଷା କରିବା ତା’ର ପ୍ରାକୃତିକ ଧର୍ମ ଆତ୍ମ-ନିୟମ, ସ୍ୱଧର୍ମ–ଆଉ ପିତା ପ୍ରତି ଅନୁରକ୍ତି ବାହାରର ନିୟମ, ପରଧର୍ମ । ଏବେ ହୋଇଛି ସେଇ ପରଧର୍ମର ଆରମ୍ଭ । ତେଣୁ ପିତୃଆଦେଶ ଲଙ୍ଘନ କରି ପୂର୍ବର ଗଣ-ଧର୍ମ ଓ ନିୟମ ପାଳନ କରିବ, ମାତା ନିକଟରେ ଠିଆ ହେବ, ସେ ବଳ ଓ ଅଧିକାର ଆଉ ପୁତ୍ରର ନାହିଁ । କିନ୍ତୁ ଏଣେ ମାତୃହତ୍ୟା–ତା ପୁତ୍ରର ପ୍ରାକୃତିକ ସ୍ୱଧର୍ମର ବିରୋଧୀ, ତେଣେ ପିତୃ ଆଦେଶ ପ୍ରତି ଅବଜ୍ଞା, ନୂତନ ସାମାଜିକ ପ୍ରତଷ୍ଠାର ବିରୋଧୀ । ଏବେ ଅତୀତ ମରି ମରି ଯାଉଛି–ମା’ର ପ୍ରତିଷ୍ଠା ଲୋପ ପାଉଛି, ଜାଗି ଉଠିଛି ପିତା–ସେ ଶାସନ କରୁଛି ପରିବାର ଓ ସମାଜକୁ । ସମ୍ପତ୍ତିର ଅଧିକାରୀ ସିଏ । ଆଗେ ମାତୃ ଆଦେଶରେ ପୁତ୍ର ଦୀର୍ଘତମାକୁ ଗଣଗୋଷ୍ଠୀରୁ ବହିଷ୍କାର କରାଯାଇଥିଲା । ପୂର୍ବେ ଶ୍ୱେତକେତୁର ମାତା ତା’ର ଗଣ-ଗୋତ୍ରର ବନ୍ଧୁଙ୍କ ସହିତ ଗମନ କରିବା ହେତୁ ଶ୍ୱେତକେତୁ ଆପତ୍ତି କରିବାରୁ ମା’ ସେଥିରେ ଭୟଭୀତ ନ ହୋଇ ଓଲଟି ଜବତ କରିଥିଲେ ପୁତ୍ରକୁ । ଏବେ ଆଉ ତା’ ସମ୍ଭବ ନୁହେଁ । ଗୋଷ୍ଠୀର ଲୋପ ସହିତ ଲୋପ ପାଇଛି ମାତୃତ୍ୱର ଅଧିକାର, ମାତାର ସ୍ୱାଧୀନତା ଯାଇଛି, ପିତା ହୋଇଛି ମାଲିକ । ତା’ର ଆଦେଶ ପୁତ୍ରର ଶିରୋଧାର୍ଯ୍ୟ, ପୁତ୍ର ହୋଇଛି ତା’ର ଆଦେଶପାଳନକାରୀ, ପ୍ରତିଷ୍ଠା କରୁଛି ପିତୃତ୍ୱର ଅଧିକାର ।

 

ତୃତୀୟଟି ହେଲା ଜମଦଗ୍ନି ଓ ରେଣୁକା ଉପଖ୍ୟାନ । ଜମଦଗ୍ନି ଦେଖିଲେ ତାଙ୍କ ସ୍ତ୍ରୀ ଚିତ୍ରରଥ ଗନ୍ଧର୍ବ ଉପରେ ପ୍ରେମଦୃଷ୍ଟି ନିକ୍ଷେପ କରୁଛି । ତାଙ୍କର କ୍ରୋଧାଗ୍ନି ପ୍ରଜ୍ୱଳିତ ହେଲା । ସେ ତାଙ୍କର ପୁତ୍ର ପର୍ଶୁରାମକୁ ନିର୍ଦ୍ଦେଶ ଦେଲେ ମାତାକୁ ବଧ କର, ପର୍ଶୁରାମଙ୍କ ମନରେ ଟିକିଏ ହେଲେ ଦ୍ୱନ୍ଦ୍ୱ ବା ସନ୍ଦେହ ଉପୁଜି ନାହିଁ । ସେ ଟିକିଏ ହେଲେ ଇତସ୍ତତଃ ହୋଇ ନାହାନ୍ତି, ସଙ୍ଗେ ସଙ୍ଗେ ସେଇଠି ମାତାଙ୍କୁ ହତ୍ୟା କରିଛନ୍ତି । ଏବେ ସ୍ତ୍ରୀ ଉପରେ ଗୃହପତି ବା ପୁରୁଷର ଅଧିକାର ସୁପ୍ରତିଷ୍ଠିତ । ତା’ର କୌଣସି ବ୍ୟକ୍ତିତ୍ୱ, ସ୍ୱାଧୀନତା ବା ନାଗରିକ ଅଧିକାର ନାହିଁ । ଦାସକୁ ଦାସ ମାଲିକ ଯେପରି ବଧ କରେ, ଏବେ ପୁରୁଷ ସ୍ତ୍ରୀକୁ ସେଇପରି ବିନାଦ୍ୱିଧାରେ ହତ୍ୟା କରିପାରେ, ଦାସ ମାଲିକର ନୈତିକତା ହୋଇଛି, ସମାଜର ନୈତିକ ବିଚାର ।

 

ଭାରତୀୟ ସମାଜରେ ବ୍ୟକ୍ତିଗତ ସମ୍ପତ୍ତିର ଆବିର୍ଭାବ ସହିତ ତା’ର ସମାଜର ଗୋଟାଏ ଅଂଶ ଦାସ ଓ ଅନ୍ୟ ଏକ ଅଂଶ ମାଲିକ ପାଲଟିଛନ୍ତି । ଏ ଦାସମାନେ ହେଲେ ଶୁଦ୍ର । ତା’ ସଙ୍ଗେ ସଙ୍ଗେ ଦାସ ହୋଇଛନ୍ତି ନାରୀ ଜାତି । ପର୍ଶୁରାମଙ୍କ ପର୍ଶୁଦ୍ୱାରା ନାରୀର ସ୍ୱାଧୀନତା ଲୋପ ହୋଇ ନାହିଁ । ତାକୁ ଲୋପ କରିଛି ବ୍ୟକ୍ତିଗତ ସମ୍ପତ୍ତି । ସେଇ ବ୍ୟକ୍ତିଗତ ସମ୍ପତ୍ତି ଚାଲି ଆସିଛି ଆଜି ପର୍ଯ୍ୟନ୍ତ । ରାଜରାଜୁଡ଼ାଙ୍କ ସାମନ୍ତବାଦୀ ସମାଜ, ପୁଞ୍ଜିପତିଙ୍କର ପୁଞ୍ଜିବାଦୀ ସମାଜରେ ରହିଛି ସେଇ ବ୍ୟକ୍ତିଗତ ସମ୍ପତ୍ତିର ଆଧିପତ୍ୟ, ତା’ ରୂପ ବଦଳିଲେ ବି ତା ସୁପ୍ରତିଷ୍ଠିତ । ଦିନକୁ ଦିନ ତା’ ଅଧିକ ପ୍ରସାର ଲଭିଛି, ବିସ୍ତାର କରିଛି ତା’ର ପ୍ରଭାବ । ତାକୁ ସୁରକ୍ଷିତ ଓ ବୃଦ୍ଧି କରିବା ଲାଗି ସୃଷ୍ଟି ହୋଇଛି ରାଷ୍ଟ୍ର ଓ ସରକାର, ବିଭିନ୍ନ ପ୍ରକାରର ଆଇନକାନୁନର ବ୍ୟବସ୍ଥା । ତେଣୁ ସେଇଦିନୁ ଲାଗି ରହିଛି ନାରୀର ଦାସତ୍ୱ, ସମାଜର ପରିବର୍ତ୍ତନ ଅନୁସାରେ କେବଳ ଘଟିଛି ତା’ର ଦାସତ୍ୱର ପରିବର୍ତ୍ତନ । ଶେଷରେ ସେ ଆବଦ୍ଧ ହୋଇଛି ଗୃହ-କର୍ମରେ । ଯେଉଁ ଗୃହକର୍ମ ମୂଲ୍ୟହୀନ । ଏବେ ସେ ଉତ୍ପାଦନ କର୍ମରୁ ବଞ୍ଚିତ । ନାହିଁ ତା’ର ଅର୍ଥନୈତିକ ସ୍ୱାଧୀନତା କି ସାମାଜିକ ମୁକ୍ତି । ବ୍ୟକ୍ତିଗତ ସମ୍ପତ୍ତିର ଆଧିପତ୍ୟ, ସାମାଜିକ ଶୋଷଣ ଓ ସମାଜର ଗୋଟାଏ ଅଂଶ ଦାସ ସର୍ବହରା ହୋଇ ପଡ଼ିଥିଲା ଯାଏ ନାରୀର ପ୍ରକୃତ ମୁକ୍ତି ଅସମ୍ଭବ । ଯେ ଯର୍ଯ୍ୟନ୍ତ ସମାଜରେ ବ୍ୟକ୍ତିଗତ ସମ୍ପତ୍ତି ଓ ଅର୍ଥର ରାଜୁତି, ସବୁ ଜିନିଷ ଅର୍ଥଦ୍ୱାରା ବିକାକିଣାର ବସ୍ତୁ–ପଣ୍ୟ ହୋଇ ରହିଥିବ ନାରୀ ମଧ୍ୟ ହୋଇଥିବ ସେଇପରି ବିକାକିଣାର ସାମଗ୍ରୀ–ଆଉ ପାପପୁଣ୍ୟ ନୈତିକତାର ବିଚାର ହେଉଥିବା ସେଇ ଅର୍ଥବଳ ଓ ବ୍ୟକ୍ତିଗତ ସମ୍ପତ୍ତିର ମାନଦଣ୍ଡରେ ।

 

ଯେଉଁମାନେ ଭାରତର ବୈଦିକ ସଂସ୍କୃତି, ଆଧ୍ୟତ୍ମିକତା ଉଚ୍ଚ ନୈତିକତା କଥା କହନ୍ତି, ତାର ଶେଷ ପରିଣତି ହୋଇଛି ନାରୀର ଏଇ ଘୃଣ୍ୟ ଦାସତ୍ୱ । ତା ଆଣି ଦେଇଛି ନାରୀ ଜୀବନର ଦୁର୍ବିସହ ଯନ୍ତ୍ରଣା, ଆଉ ସୃଷ୍ଟି କରିଛି ନୈତିକତାର ପ୍ରତାରଣା ଓ ଶଠତା । କାରଣ, ତା’ ଧରି ରଖିଛି ସେଇ ବ୍ୟକ୍ତିଗତ ସମ୍ପତ୍ତି ଓ ଶୋଷଣକୁ, ସେଇ ବ୍ୟକ୍ତିଗତ ସମ୍ପତ୍ତିର ବିଲୋପ ଆଉ ଶୋଷଣର ଧ୍ୱଂସ ଦ୍ୱାରା ହିଁ ନାରୀ କେବଳ ତାର ପ୍ରକୃତ ସ୍ୱାଧୀନତା ଲାଭ କରିପାରେ, ସମାଜ ସକଳ ପାପ, ବ୍ୟଭିଚାର ଓ ଅନୈତିକତାରୁ ମୁକ୍ତ ହୋଇପାରେ, ଆଜି ତାର ସଦ୍ୟ ଦୃଷ୍ଟାନ୍ତ ହେଉଛି ସୋଭିଏତ ରୁଷ । ଏବେ ସେଥିପ୍ରତି ଦୃଷ୍ଟି ଫେରାଯାଉ ।

Image

 

ନୂତନ ପରୀକ୍ଷା

 

ରୁଷ ବିପ୍ଳବ ପୃଥିବୀର ଇତିହାସରେ ସୃଷ୍ଟି କରିଛି ଗୋଟିଏ ନୂତନ ଯୁଗ । ଲୋପ କରିଛି ଯୁଗଯୁଗର ସେଇ ବ୍ୟକ୍ତିଗତ ସମ୍ପତ୍ତି । ମଣିଷ ଉପରେ ମଣିଷର ଶୋଷଣ–ସମସ୍ତ ମାନବ ସମାଜରେ ଏହା ଗୋଟାଏ ନୂତନ କଥା, ଯାହାକି ଏ ପର୍ଯ୍ୟନ୍ତ ଆଗରୁ କେବେ କେଉଁଠି ହେଲେ ଘଟି ନ ଥିଲା । ଏ ଏକ ମୌଳକ ପରିବର୍ତ୍ତନ । ଏ ମୌଳିକ ପରିବର୍ତ୍ତନ ଅନ୍ୟ କ୍ଷେତ୍ରରେ ସେଇପରି ମୌଳିକ ପରିବର୍ତ୍ତନର ସୂତ୍ରପାତ କରିଛି । ଏବେ ରୁଷର ଶାସକଗଣ, ନୂତନ ଦୃଷ୍ଟିକୋଣରୁ ସବୁ କଥାର ବିଚାର ଓ ସମାଧାନର ଚେଷ୍ଟା କରିଛନ୍ତି । ପାପ, ପ୍ରେମ ପ୍ରଣୟ, ବିବାହ, ବ୍ୟଭିଚାର, ଗଣିକାପ୍ରଥା, ନୈତିକତା ଓ ଅନୈତିକତା ସବୁ କ୍ଷେତ୍ରରେ ପ୍ରକାଶ ପାଇଛି ଏକ ନୂତନ ବିଚାରର ଧାରା । ଏ ବିଚାରଧାରା ପୂର୍ବର ପ୍ରଚଳିତ ଚିନ୍ତାଧାରାଠାରୁ ସମ୍ପୂର୍ଣ୍ଣ ପୃଥକ ।

 

ସାଧାରଣ ଚିନ୍ତାଧାରା ହେଲା–ସମସ୍ତ ପାପ, ବ୍ୟଭିଚାର ଓ କଳଙ୍କ ଲାଗି ନାରୀମାନେ ହିଁ ଦାୟୀ । ନାରୀ ସକଳ ନରକର ଦ୍ୱାର । ତେଣୁ ତା’ ଠାରୁ ଦୂରରେ ରୁହ । ନାରୀ ସଙ୍ଗ ବର୍ଜନ କର, ଏହାହିଁ ଥିଲା ଧର୍ମର ଉପଦେଶ, ଆଉ ପ୍ରଚଳିତ ଚିନ୍ତା, ସେଇ ଅନୁସାରେ ନାରୀ ପ୍ରତି ସାମାଜିକ କଟକଣା, ଏପରିକି ସମାଜରେ ସମସ୍ତଙ୍କ ଆଗରେ ନିଜର ମୁହଁ ଦେଖାଇବାର ସୁଦ୍ଧା ଅଧିକାର ତା’ର ନାହିଁ । ପୁରୁଷ ତା’ର ମୁହଁ ଉପରେ ଟାଣି ଦେଇଥିଲା ପରଦା, ସେ ରହିଛି ଓଢ଼ଣା ଭିତରେ ବହୁକାଳ ଧରି ।

 

ଏବେ ସୋଭିଏତ ରୁଷର ନୀତି ହେଲା–ନା ଏସବୁ ଲାଗି, କେବଳ ନାରୀ ଦାୟୀ ନୁହେଁ, ତାଠାରୁ ଅଧିକ ଦାୟୀ ପୁରୁଷ । ସମାଜ ଏକ ଓ ଗୋଟାଏ, ସେଥିରେ ନାରୀ ଓ ପୁରୁଷଙ୍କୁ ଅଲଗା ଅଲଗା କରି ହେବ ନାହିଁ । କେବଳ ଗୋଟାଏ ହାତରେ ତାଳି ବାଜେ ନାହିଁ । ଏ ସାମାଜିକ ପାପ ବ୍ୟଭିଚାରରେ ପୁରୁଷ ମଧ୍ୟ ସମାନ ଭାଗୀଦାର । ନାରୀର ମୁକ୍ତି ଓ ସ୍ୱାଧୀନତା, କେବଳ ନାରୀର ସ୍ୱାର୍ଥ ନୁହେଁ, ତା’ ପୁରୁଷର ସ୍ୱାର୍ଥ ଓ ଉନ୍ନତି ଲାଗି ମଧ୍ୟ ଆବଶ୍ୟକ । ସମସ୍ତ ସାମାଜିକ କଲ୍ୟାଣ, ବିକାଶ ଲାଗି ତା’ ଦରକାର । ନାରୀମାନଙ୍କର ସମସ୍ୟାକୁ ସାମାଜିକ ସମସ୍ୟା ଭାବେ ଦେଖିବା ଉଚିତ ।

 

ତା’ପରେ ଏଇସବୁ ପାପ, ବ୍ୟଭିଚାର, ସାମାଜିକ କଳଙ୍କ ଦୂର କରିବା ଅର୍ଥ ଏକ ନୂତନ ସମାଜ ଗଠନ କରିବ–ଏକ ସୁସ୍ଥ ସମାଜ ଗଠନ କରିବା । ଏଇ ସାମାଜିକ କଳଙ୍କ ସବୁ କେଉଁ କାଳରୁ ସମାଜରେ ଚଳି ଆସୁଛି । ବହୁ ଲୋକେ ବହୁ ଚେଷ୍ଟା କଲେ ସୁଦ୍ଧା ତା’ ଦୂର ହୋଇ ନାହିଁ । ଏବେ ତାକୁ ଲୋପ କରି ନୂତନ ସମାଜ ଗଠନ କରିବା ଏକ ନୂଆ କଥା । ତାହା କଷ୍ଟକର ଓ ସମୟସାପେକ୍ଷ ।

 

ରୁଷନେତାମାନେ ଦେଖିଲେ ସମାଜର ପ୍ରତ୍ୟେକଟି ଅଂଶ ଅନ୍ୟ ବିଷୟ ସହିତ ସଂପୃକ୍ତ, ପ୍ରତ୍ୟେକଟି ବିଷୟ ଅନ୍ୟ ବିଷୟ ସହିତ ବନ୍ଧା, କୌଣସି ଗୋଟିଏ ବିଷୟ ବା ସମସ୍ୟା ବିଚ୍ଛିନ୍ନ ନୁହେଁ । ସମସ୍ତେ ପରସ୍ପର ଉପରେ ନିର୍ଭରଶୀଳ ଓ ସଂପୃକ୍ତ । ତେଣୁ ଏଇ ପାପ, ବ୍ୟଭିଚାର, ସାମାଜିକ କଳଙ୍କ, ଅନୈତିକତା ଏକ ବିଚ୍ଛିନ୍ନ ସମସ୍ୟା ନୁହେଁ । ତାକୁ ଦୂର କରିବାକୁ ହେଲେ ତାହା ଯେଉଁ ସବୁ ବିଷୟ ଓ ସମସ୍ୟା ସହିତ ବନ୍ଧା, ଯାହା ଉପରେ ନିର୍ଭରଶୀଳ, ସେଗୁଡ଼ିକୁ ମଧ୍ୟ ଦେଖିବାକୁ ହେବ । ସେ ଦୃଷ୍ଟିରୁ ଦେଖିଲେ ନାରୀ ଜୀବନରେ ସେହି ଉପରୋକ୍ତ ବିଷୟଗୁଡ଼ିକ, ତାର ଅର୍ଥନୈତିକ ଅବସ୍ଥା ସହିତ ବନ୍ଧା, ତା ଉପରେ ନିର୍ଭରଶୀଳ । ସମାଜରେ ତାର ଅର୍ଥନୈତିକ ଦାସତ୍ୱ ଦୂର ନ ହେଲେ, ସକଳ କ୍ଷେତ୍ରରେ ନାରୀ ପୁରୁଷର ସମାନସ୍କନ୍ଧ ନ ହେଲେ, ଏ ପାପ ବ୍ୟଭିଚାର ବିରୁଦ୍ଧରେ ଅଭିଯାନ କେବେହେଲେ ସଫଳ ହେବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ନାରୀକୁ ପୁରୁଷ ସହିତ ସମାନ ଅଧିକାର ପ୍ରଦାନ କରିବାକୁ ହେବ । ସମାନ ସୁଯୋଗ ଓ ସ୍ୱାଧୀନତା ଦେବାକୁ ହେବ । ନାରୀ ପୁରୁଷ ମଧ୍ୟରେ ଯୌନଗତ ପାର୍ଥକ୍ୟ ଯୋଗୁ, ପୁରୁଷ ଉଚ୍ଚ ଓ ନାରୀ ନୀଚ, ପୁରୁଷ ସମ୍ମାନିତ ନାରୀ ପରିତ୍ୟକ୍ତ, ପୁରୁଷ ସକଳ ସୁବିଧା ସୁଯୋଗର ଅଧିକାରୀ ଆଉ ନାରୀ ସେଥିରୁ ବଞ୍ଚିତ ହୋଇ ଲାଞ୍ଛନା ନିର୍ଯ୍ୟାତନାର ଜୀବନ ଯାପନ କରିବ, ଏ ପ୍ରକାର ଯୌନଗତ ଅସାମ୍ୟ ଦୂର ନ ହେଲା ଯାଏ, ଉପରୋକ୍ତ ସମସ୍ୟାର ପ୍ରକୃତ ସମାଧାନ ନାହିଁ । ଏହା କରିବା ସହଜ କଥା ନୁହେଁ । ଏଥିଲାଗି ଆବଶ୍ୟକ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ପରିବର୍ତ୍ତନ ଆଗ, ତେଣୁ ପାପ ବ୍ୟଭିଚାର ବିରୁଦ୍ଧରେ ଅଭିଯାନ ଲାଗି ଆରମ୍ଭ ହେଲା ନାରୀ ପୁରୁଷ ମଧ୍ୟରେ ସାମ୍ୟ ପ୍ରତିଷ୍ଠାର ଅଭିଯାନ, ନାରୀର ଅର୍ଥନୈତିକ ମୁକ୍ତି ଓ ତାର ସାମାଜିକ ବିକାଶ ଓ ରାଜନୈତିକ କ୍ଷେତ୍ରରେ ସମ ଅଧିକାରର ପ୍ରତିଷ୍ଠା ।

 

ସର୍ବହରା-ଶାସିତ ଋଷ, ବିପ୍ଳବ ସଙ୍ଗେ ସଙ୍ଗେ ଘୋଷଣା କଲା ନାରୀମାନଙ୍କର ସ୍ୱାଧୀନତା । ଆଗେ ସେମାନଙ୍କର ଭୋଟ ଦେବାର ଓ ଭୋଟରେ ଛିଡ଼ା ହେବାର ଅଧିକାର ନ ଥିଲା । ଏବେ ତାହା ସେମାନେ ଲାଭ କଲେ । ଆଇନ ହେଲା କୌଣସି ନାରୀକୁ ତାର ଇଚ୍ଛା ବିରୁଦ୍ଧରେ କେହି ବିଭା ହେବାକୁ ବାଧ୍ୟ କରିପାରିବ ନାହିଁ । ପିତାମାତା ଯଦି ଝିଅର ଇଚ୍ଛା ବିରୁଦ୍ଧରେ ବିବାହ ଦିଅନ୍ତି, ତେବେ ସେମାନଙ୍କୁ କଠୋର ଦଣ୍ଡ ଭୋଗିବାକୁ ହେବ । ଅର୍ଥନୈତିକ କ୍ଷେତ୍ରରେ ସେମାନେ ଯେପରି ସ୍ୱାଧୀନ ହୁଅନ୍ତି, ସେଥିଲାଗି ବହୁ ଆଇନକାନୁନ ହେଲା । ପୁରୁଷ ଯେତେ ଯେତେ ସୁବିଧା ସୁଯୋଗ ପାଏ, ଏବେ ନାରୀ ସେ ସମସ୍ତର ଅଧିକାରିଣୀ ହେଲା ।

 

ରୁଷର ଉପରୋକ୍ତ ବ୍ୟବସ୍ଥା କିଛି ଗୋଟାଏ ନୂଆ କଥା ନୁହେଁ । ଆମ ଦେଶରେ, ବହୁ ସଭ୍ୟ ଦେଶରେ ବି ସେ ସବୁ ଆଇନ୍ ପ୍ରଚଳିତ । ପ୍ରକୃତ କଥା ହେଲା, ତାହା କ୍ୱଚିତ୍ କାର୍ଯ୍ୟକାରୀ ହୁଏ । ଅନେକଠାରେ ତାହା ବିଲକୁଲ ହୁଏ ନାହିଁ । ସମାନ କାମ ଲାଗି ସମାନ ମଜୁରୀ, ଏହା ସମ୍ବିଧାନରେ ଲିପିବଦ୍ଧ । କିନ୍ତୁ ପୁରୁଷମାନେ ବି ସମାନ କାମ ଲାଗି ସମାନ ମଜୁରୀ ବା ଦରମା ପାଆନ୍ତି ନାହିଁ । ଏହା ଏପରିକି ବିଲାତ ଭଳି ଦେଶରେ ନାହିଁ । ସେଥିଲାଗି ଏବେ ଆନ୍ଦୋଳନ ଚାଲିଛି । ସବୁଠାରେ ତାରତମ୍ୟ ଓ ଫରକ । ସେଠାରେ ନାରୀମାନଙ୍କ କଥା ବା ଉଠୁଛି କୁଆଡ଼ୁ ? ବହୁ କ୍ଷେତ୍ରରେ ନାରୀ ଓ ପିଲାକୁ କାମରେ ନିଯୁକ୍ତି କରାଯାଏ । କାରଣ କମ ମଜୁରୀରେ ବେଶି କାମ ଉଠାଇହେବ । ପୁଣି ଆମର ଏଠି ଶହକେ ଅନେଶତ ଜଣ ସ୍ତ୍ରୀଲୋକ ପୁରୁଷ ଉପରେ ନିର୍ଭରଶୀଳ । ବିବାହରେ ନାରୀର ମତ କ୍ୱଚିତ ଲୋଡ଼ା ହୁଏ । ସେ ବିଷୟରେ ସେ ସମ୍ପୂର୍ଣ୍ଣ ନିର୍ଭର କରେ ବାପ ମାଆଙ୍କ ଉପରେ । ବିବାହ ପରେ ତାର କାମ ହୁଏ ପତିସେବା ଓ ସନ୍ତାନ ପ୍ରସବ । ସବୁବେଳେ ସେ ସ୍ୱାମୀର ମର୍ଜି ଅନୁସାରେ କାମ କରେ । ପତି ହୁଏ ତାର ପରମ ଦେବତା । ତାର କୌଣସି ସ୍ୱାଧୀନ ଇଚ୍ଛା, ମତ, ଆକାଙ୍‍କ୍ଷା ନାହିଁ । ସେ ସମସ୍ତ କେବଳ ପତି ସେବାରେ ନିୟୋଜିତ-। ଏହା ପୁଣି ଧର୍ମ ପ୍ରଥା, ପରମ୍ପରା ଓ ସାମାଜିକ ନିୟମ ଦ୍ୱାରା ସମର୍ଥିତ । ଏହାର ଲଙ୍ଘନ ଦ୍ୱାରା ନାରୀ କେବଳ ସମାଜରେ ଘୃଣ୍ୟ ହୁଏ ନାହିଁ, ଘରୁ ଓ ସମାଜରୁ ମଧ୍ୟ ବିତାଡ଼ିତ ହୁଏ । ନାରୀର ଏହି ଦାସତ୍ୱକୁ ଏକ ପ୍ରଧାନ ଗୌରବର ଆଖ୍ୟା ପ୍ରଦାନ କରାଯାଏ । ଅନ୍ୟ ପକ୍ଷରେ ପୁରୁଷ ସବୁ ଦିଗରୁ ମୁକ୍ତ ଓ ସ୍ୱାଧୀନ । ସେ ସ୍ତ୍ରୀକୁ ପ୍ରହାର କରିପାରେ, ପରିହାର ଓ ପରିତ୍ୟକ୍ତ କରିଦେଇପାରେ-। ସେ ନିଜେ ବହୁ ବିବାହ କରିପାରେ, ରକ୍ଷିତା ରଖିପାରେ, ପାପାଳୟ ଗମନ କରିପାରେ, କିନ୍ତୁ ଏପରିକି ନାରୀ ନିଜ ଇଚ୍ଛା ଅନୁଯାୟୀ ବିବାହ କରିବ, ସେ ସ୍ୱାଧୀନତା ତା’ର ନାହିଁ ।

 

ବିପ୍ଳବ ପୂର୍ବରୁ ରୁଷରେ ମଧ୍ୟ ଊଣାଅଧିକେ ଠିକ୍ ଏଇ ଅବସ୍ଥା ଥିଲା । କେତେକ ଅଞ୍ଚଳରେ ସାମାନ୍ୟ ପରଦାପ୍ରଥା ବିରୁଦ୍ଧରେ ଆନ୍ଦୋଳନ କରିବାକୁ ଯାଇ ବହୁ କମ୍ୟୁନିଷ୍ଟଙ୍କୁ ପ୍ରାଣ ଦେବାକୁ ପଡ଼ିଛି । ସମାଜର କୁସଂସ୍କାରକଗଣ ସେମାନଙ୍କୁ ଜଳନ୍ତା ଅଗ୍ନିରେ ନିକ୍ଷେପ କରିଛନ୍ତି । ଯୌନଗତ କାରଣରୁ ନାରୀ ଯେପର୍ଯ୍ୟନ୍ତ ପୁରୁଷ ସହିତ ସମାନ ଆସନ ଲାଭ ନ କରିଛି, ଅର୍ଥନୈତିକ ସ୍ୱାଧୀନତାରୁ ବଞ୍ଚିତ ହୋଇ ରହିଛି, ସେ ପର୍ଯ୍ୟନ୍ତ ଲାଞ୍ଛିତ ନିର୍ଯ୍ୟାତିତ ହେବାକୁ ବାଧ୍ୟ । ପୁରୁଷଙ୍କ ଯୌନ ଲାଳସାରୁ ତାର ନୈତିକତାର ରକ୍ଷା ନାହିଁ । ସେ ସବୁବେଳେ ସେମାନଙ୍କର ଅନୈତିକତାର ଶିକାର ହେଉଥିବ, ପ୍ରଥମେ ଏହା ଘୋଷଣା କଲା ସୋଭିଏତ୍ ରୁଷ ।

 

ନୀତି ଘୋଷଣା ସହଜ, ତାକୁ କାର୍ଯ୍ୟକାରୀ କରିବା କଷ୍ଟକର । ଅର୍ଥନୈତିକ ଦିଗରୁ ସ୍ତ୍ରୀଲୋକଙ୍କୁ ସ୍ୱାଧୀନ କରିବା ସହଜ କଥା ନୁହେଁ । ଏହାର ସୋଜା ଅର୍ଥ ହେଲା, ସମସ୍ତଙ୍କୁ କାମ ଯୋଗାଇବା ଯେପରିକି ସେମାନେ ନିଜର ବଞ୍ଚିବା ଲାଗି ପୁରୁଷ ଉପରେ ନିର୍ଭର ନ କରନ୍ତି । ସେତେବେଳେ ରୁଷ ପକ୍ଷରେ ତାହା ଆଦୌ ସମ୍ଭବପର ନୁହେଁ । ସାରା ଦେଶରେ ଗୃହଯୁଦ୍ଧ, ଚତୁର୍ଦ୍ଦିଗରୁ ଶତ୍ରୁର ଆକ୍ରମଣ, ଦେଶର ଅର୍ଥନୀତି ଛାରଖାର, ବ୍ୟାପକ ଅଭାବ ଅନାହାର, ଏଥିରେ ବା କି ଯୋଜନା ହେବ, କାହାକୁ କାମ ଯୋଗାଇ ହେବ ? ଆଉ ବେକାର ଲୋକଙ୍କ ମଧ୍ୟରେ ଅଧିକାଂଶ ହେଲେ ସ୍ତ୍ରୀଲୋକ । ତେଣୁ ଏହି ମଧ୍ୟବର୍ତ୍ତୀ ଅବସ୍ଥାରେ ପାପ ବ୍ୟଭିଚାର ଆଦି ହ୍ରାସ ହୋଇନାହିଁ, ବରଂ ଅଧିକ ବୃଦ୍ଧିପାଇଛି । ଏହା ବୋଲି ଯେ ପ୍ରଥମ ପଞ୍ଚବାର୍ଷିକ ଯୋଜନା ହେବାଯାଏ ବା ପ୍ରତ୍ୟେକ ସ୍ତ୍ରୀଲୋକଙ୍କୁ କାମ ଯୋଗାଇଲା ଯାଏ ରୁଷ ଅପେକ୍ଷା କରିଛି ତାହା ନୁହେଁ-। ଯେମିତି ଗୃହଯୁଦ୍ଧ ବନ୍ଦ ହୋଇଛି, ବାହାରର ସାମ୍ରାଜ୍ୟବାଦୀଙ୍କର ଆକ୍ରମଣ ପ୍ରତିହତ ହୋଇଛି, ରୁଷର ନେତାମାନେ ସଙ୍ଗେ ସଙ୍ଗେ ଏ ଦିଗରେ ପଦକ୍ଷେପ ନେଇଛନ୍ତି । ଆରମ୍ଭ ହୋଇଛି ପାପ, ବ୍ୟଭିଚାର, ଅନୈତିକତା ବିରୁଦ୍ଧରେ ଅଭିଯାନ ।

 

ସେମାନଙ୍କର ପ୍ରଥମ ପ୍ରଶ୍ନ ହୋଇଛି, ନାରୀ କାହିଁକି ପାପ ପଥରେ ଗୋଡ଼ ଦିଏ ? କାହିଁକି ଅନୈତିକ ଅସାମାଜିକ କାର୍ଯ୍ୟ କରିବାକୁ ଯାଏ ? ତାର ପ୍ରକୃତ ମୂଳକାରଣ କ’ଣ ?

 

ଏ ପ୍ରଶ୍ନ ନୂଆ ନୁହେଁ । ଯୁଗ ଯୁଗ ହେଲା ବହୁ ଦାର୍ଶନିକ, ପଣ୍ଡିତ, ବୈଜ୍ଞାନିକ, ସମାଜସଂସ୍କାରକ, ମନୋବିଜ୍ଞାନୀ ଓ ରାଜନୈତିକ ନେତା ପ୍ରଭୃତି ଏଇ ପ୍ରଶ୍ନ କରିଛନ୍ତି । ସେ ସମ୍ପର୍କରେ ବହୁ ଆଲୋଚନା, ଗବେଷଣା ଆଦି ହୋଇଛି । ବହୁ ପ୍ରକାର କାରଣ ଓ ତଥ୍ୟ ଆଜି ପ୍ରକାଶ ପାଇଛି, କିନ୍ତୁ ସମସ୍ୟାର ସମାଧାନ ହୋଇନାହିଁ । ବରଂ ତା’ ପ୍ରତିଦିନ ବଢ଼ି ବଢ଼ି ଚାଲିଛି । ଏଥିରୁ ଜଣାଯାଏ, ହୁଏତ ଗବେଷଣା ଦ୍ୱାରା ପ୍ରକୃତ କାରଣ ବାହାରି ନାହିଁ, କିମ୍ୱା ତାକୁ କାର୍ଯ୍ୟକାରୀ କରିବାରେ ଯଥାର୍ଥ ଉଦ୍ୟମ ହୋଇନାହିଁ, ବା ତାକୁ କାର୍ଯ୍ୟକାରୀ କରିବାକୁ ସେମାନେ ଅସମର୍ଥ ।

 

ସବୁ ତତ୍ତ୍ୱ କର୍ମରୁ ହିଁ ଉଦ୍ଭବ । ଆଉ ପ୍ରତ୍ୟେକ ତତ୍ତ୍ୱର ସଠିକତା ପରୀକ୍ଷା ହୁଏ ସେଇ କର୍ମକ୍ଷେତ୍ରରେ । ତେଣୁ ଯେଉଁମାନେ ପାପକର୍ମରେ ଲିପ୍ତ, ଅନୈତିକତା ଜୀବନଯାପନ କରନ୍ତି, ତାଙ୍କୁ ଦିନେ ହେଲେ କେହି ପଚାରି ନାହିଁ ସେମାନେ ତା କରନ୍ତି କାହିଁକି ? ସମାଜରେ ଯେଉଁ କାର୍ଯ୍ୟ ଘୃଣ୍ୟ ଓ ନିନ୍ଦନୀୟ, ତାକୁ ସେମାନେ ବରଣ କରନ୍ତି କାହିଁକି ? କାହିଁକି ସେମାନେ ଗଣିକା ବୃତ୍ତି ଗ୍ରହଣ କରନ୍ତି ? ନାରୀର ଅନୈତିକ ଜୀବନଯାପନର କାରଣ କେଉଁଠି ? ଯେଉଁମାନେ ବାସ୍ତବରେ ଉକ୍ତ କର୍ମରେ ଲିପ୍ତ, ସେଇମାନେ କେବଳ ଏହାର ସଠିକ ଉତ୍ତର ଦେଇପାରନ୍ତି । ସେଇ ପଥର ଯାତ୍ରୀହିଁ କହିପାରେ ତାର ଯାତ୍ରାର ଉଦ୍ଦେଶ୍ୟ । କର୍ମ ଭିତ ତତ୍ତ୍ୱକୁ ବାହାର କରିବା ହେଲା ରୁଷ ବୈଜ୍ଞାନିକଗଣଙ୍କ ମନୋଭାବ । ରୁଷର ରାଷ୍ଟ୍ରନେତା, ବୈଜ୍ଞାନିକ ଓ ସମାଜବିଶାରଦ ପ୍ରଭୃତିଙ୍କର ମିଳିତ ଆଲୋଚନା ବସିଲା, ସେମାନେ ଏକ ପ୍ରଶ୍ନାବଳୀ ପ୍ରସ୍ତୁତ କଲେ । ତାର ଏକମାତ୍ର ଉଦ୍ଦେଶ୍ୟ ହେଲା ନାରୀ କାହିଁକି ପାପ ପଥରେ ଗୋଡ଼ ଦିଏ, ତା’ ବାହାର କରିବା ।

 

ସେଇ ପ୍ରଶ୍ନାବଳୀକୁ ଲକ୍ଷ ଲକ୍ଷ ସଂଖ୍ୟାରେ ବଣ୍ଟାଗଲା । ସବୁସ୍ତରର, ସବୁ ଶ୍ରେଣୀର, ସବୁ ବୟସର ଓ ସବୁ ପ୍ରକାର ବୃତ୍ତି ବ୍ୟବସାୟରତ ସ୍ତ୍ରୀଲୋକମାନଙ୍କ ମଧ୍ୟରେ । ସେମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦିଆଗଲା ଯେ ସେମାନେ ଯେଉଁ ଉତ୍ତର ଦେବେ, ତାକୁ ଗୋପନ ରଖାଯିବ । କୌଣସି ପ୍ରକାରେ ବାହାରକୁ ଯିବନାହିଁ । କାରଣ ସେସବୁ ତାଙ୍କର ବ୍ୟକ୍ତିଗତ ଜୀବନର କାହାଣୀ, ତାଙ୍କର ଅନୈତିକ ଜୀବନର ଅଭିଜ୍ଞତା ।

 

ଏ ଏକ ଅଭିନବ ପରୀକ୍ଷା, ଆଗରୁ କେହି, କୌଣସି ଦେଶ ବା ସରକାର ଏପରି ସିଧାସଳଖ ଉତ୍ତର ଚାହିଁନାହିଁ । ଏହା ସାରା ପୃଥିବୀରେ ଗୋଟାଏ ଚହଳ ପକାଇଦେଲା । ଆଉ ତାର ଯେଉଁ ଉତ୍ତର ମିଳିଲା, ସେଥିରେ ରୁଷର ବୈଜ୍ଞାନିକଗଣ ନିଜେ ଚମକି ପଡ଼ିଲେ । ଥରେ ଯେତେବେଳେ ନାରୀ ଜାଣିଲା ପ୍ରକୃତରେ ପୁରୁଷ ତା ପ୍ରତି ସହାନୁଭୂତିଶୀଳ, ସେଥିରେ ଶଠତା ପ୍ରତାରଣାର ପ୍ରଶ୍ନ ନାହିଁ, ସେ ତାର ପାପ ବ୍ୟଭିଚାରକୁ ଲୋପ କରିବାକୁ ବଦ୍ଧପରିକର, ତାଙ୍କୁ ମାନବିକ ସମ୍ମାନର ଆସନରେ ଅଧିଷ୍ଠିତ କରିବାକୁ ବାସ୍ତବରେ ଉଦ୍ୟମୀ, ସେତେବେଳେ ସେ ମେଲିଦେଲା ନିଜର ଚିରବ୍ୟଥିତ ହୃଦୟ, ଖୋଲିଦେଲା ତାର ନିଭୃତ ଅନ୍ତରର ଦ୍ୱାର, ଫାଟି ପଡ଼ିଲା ବିଦଗ୍‍ଧ ମନର ପ୍ରକୃତ ଦୈନ୍ୟ ଅବସାଦର ସ୍ରୋତ, ଏଠି ଭୟ ଆଶଙ୍କାର କାରଣ ନାହିଁ । ତାର ସମସ୍ତ ବକ୍ତବ୍ୟ ସମ୍ପୂର୍ଣ୍ଣ ଗୋପନୀୟ ।

 

ପ୍ରତ୍ୟେକଟି ଉତ୍ତରକୁ ଯାଞ୍ଚ ଓ ପରୀକ୍ଷା କରାଗଲା । ସବୁ ଉତ୍ତର ମଧ୍ୟରୁ ପ୍ରକାଶ ପାଇଲା ଏକ ସାଧାରଣ ସିଦ୍ଧାନ୍ତ । ତା’ ହେଉଛି ସମାଜର ସାଧାରଣ ସ୍ତ୍ରୀଲୋକ ଆଉ ଯେଉଁମାନେ ପାପ ବ୍ୟଭିଚାରକୁ ନିଜର ବୃତ୍ତି ବା ବ୍ୟବସାୟ ରୂପେ ଗ୍ରହଣ କରିଛନ୍ତି–ଏ ଦୁଇ ଶ୍ରେଣୀ ସ୍ତ୍ରୀଲୋକଙ୍କ ମଧ୍ୟରେ କୌଣସି ସୁସ୍ପଷ୍ଟ ସୀମାରେଖା ନାହିଁ । ଏ ଦୁହିଁଙ୍କୁ ପରିଷ୍କାରଭାବେ ଭାଗ ଭାଗ କରିଦେବା ସମ୍ଭବ ନୁହେଁ । କାରଣ ପ୍ରେମ ଯଦି ହୁଏ ନୈତିକତାର ଭିତ୍ତି, ତେବେ ଜୀବନରେ ପ୍ରେମ କ’ଣ ତା’ ସେମାନେ ଜାଣନ୍ତି ନାହିଁ । ଆଉ ବହୁ ବିବାହିତ, ଅବିବାହିତ ଓ ଏକାକୀ ଜୀବନଯାପନ କରୁଥିବା ସ୍ତ୍ରୀଲୋକ ଅଛନ୍ତି, ଯେଉଁମାନେ କି କୌଣସି ନା କୌଣସି ସମୟରେ ଅନ୍ୟ ପୁରୁଷ ସହିତ ଯୌନ ସମ୍ପର୍କରେ ଲିପ୍ତ ହୋଇଛନ୍ତି । ଏମାନଙ୍କ ସଂଖ୍ୟା କିଛି କମ୍ ନୁହେଁ, ବେଶ୍ ବେଶି । ସେଥିରେ ଯେକୌଣସି ଲୋକର ଆଖି ଖୋସି ହୋଇଯିବ, ଅନେକ ଉତ୍ତର ଦେଲେ ତାଙ୍କ ଜୀବନରେ ବିଚ୍ୟୁତି ଘଟିଛି ମାତ୍ର ଥରେ । ଅନ୍ୟ କେତେକ ସ୍ୱୀକାର କଲେ ବିଚ୍ୟୁତି ତାଙ୍କ ଜୀବନରେ ବହୁବାର ଆସିଛି, ଆଉ କେତେକ ଉତ୍ତର ଦେଲେ ଯେ ସେମାନେ ଗୋଟାଏ ସମୟ ଲାଗି ନିଜର ଦେହ ବିକ୍ରୟ କରିଛନ୍ତି, କିନ୍ତୁ ଧରାପଡ଼ି ନାହାନ୍ତି । ଗଣିକା ବୋଲି ପରିଚିତ ହୋଇନାହାନ୍ତି । ଅନ୍ୟ କେତେକ ଉତ୍ତର ଦେଲେ ଯେ ଅନ୍ୟ ସ୍ତ୍ରୀଲୋକଙ୍କ ଜୀବନପ୍ରତି ଦୃଷ୍ଟି ଦେଲେ, ଆମେ ନିଜକୁ ଦେହ-ବ୍ୟବସାୟୀ ବୋଲି କହିବୁ କି ନାହିଁ, କିଛି ଠିକ୍ କରିପାରୁ ନାହୁଁ–ଏଇ ହେଲା ସାମାଜିକ ନୈତିକ ଜୀବନର ପରୀକ୍ଷା ।

 

ସବୁ ଉତ୍ତରରୁ ଗୋଟିଏ ବିଷୟ ସ୍ପଷ୍ଟଭାବେ ବାହାରି ଆସିଲା, ତାହା ହେଲା ଆର୍ଥିକ ଦୁର୍ଗତି । ଅଭାବ ହିଁ ଅଧିକାଂଶ ସ୍ତ୍ରୀଲୋକଙ୍କୁ ଏଇ ପଥକୁ ଟାଣି ନେଇଛି । ଅଭାବ ନଷ୍ଟ କରିଛି ମଣିଷର ସ୍ୱଭାବକୁ । ନିଜେ ବଞ୍ଚିବା, ନିଜ ଉପରେ ନିର୍ଭର କରୁଥିବା ପିଲା ଓ ପରିବାରକୁ ବଞ୍ଚାଇବା ଲାଗି ଅର୍ଥ ଉପାର୍ଜନ–ଏହାହିଁ ହୋଇଛି ପାପଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ । ତା ସେମାନଙ୍କୁ ବାଧ୍ୟ କରିଛି ପାପ, ବ୍ୟଭିଚାରର ଆଶ୍ରୟ ନେବାକୁ । ଅଭାବ, ଦାରିଦ୍ର୍ୟ ଲୋପ କରିଛି ମାନବ ଜୀବନର ମହତ୍ୱ । ପଶୁଭଳି ବଞ୍ଚିବା ହୋଇଛି ତାର ଏକମାତ୍ର ଲକ୍ଷ୍ୟ । ଯେ କୌଣସି ପ୍ରକାରେ ଖାଦ୍ୟ ସଂଗ୍ରହ ହୋଇଛି ତାର ଏକମାତ୍ର କାମ୍ୟ, ଏଇ ଯେଉଁ ସାମାଜିକ ଅବସ୍ଥା ତାକୁ ପଶୁରେ ପରିଣତ କରିଛି, ତାହାହିଁ ଜାଗ୍ରତ କରିଛି ତା ମଧ୍ୟରେ ପାଶବିକତାର ଭାବ ଏବଂ ତାକୁ ଘେନିଯାଇଛି ପାପ, ବ୍ୟଭିଚାରର କ୍ରୋଡ଼କୁ ।

 

ସେଇ ସବୁ ଉତ୍ତରରୁ ଜଣାଯାଏ, ପାପ, ବ୍ୟଭିଚାର ଓ ଅନୈତିକତା କେବଳ ପତିତା, ଗଣିକାମାନଙ୍କ ପାଖରେ ଆବଦ୍ଧ ନୁହେଁ, ତା ନାରୀ ସମାଜରେ ସାଧାରଣ ଗୃହସ୍ଥ ସ୍ତ୍ରୀଲୋକଙ୍କ ଭିତରେ ବି ଦେଖାଯାଏ । ଏହା ଯଦି ସତ୍ୟ ହୁଏ, ତେବେ ଗଣିକା କିଏ ? କାହାକୁ ଗଣିକା ବୋଲି କୁହାଯିବ ? କୁହାଯାଏ ଯିଏ ଅର୍ଥଲାଗି ବହୁ ଲୋକଙ୍କୁ ଦେହ-ବିକ୍ରୟ କରେ, ସେ ହେଲା ବେଶ୍ୟା । ତା’ମାନେ ଏ କ୍ଷେତ୍ରରେ ପାପ ବ୍ୟଭିଚାର ସହିତ ଏହାର କିଛି ସମ୍ୱନ୍ଧ ନାହିଁ । ଯିଏ ବିନା ଅର୍ଥରେ ଅନ୍ୟ ପୁରୁଷ ପାଖକୁ ଗମନ କରେ, ସେ ଗଣିକା ନୁହେଁ । କମ୍ ହେଉ ବା ବେଶି ହେଉ, ଅବାଞ୍ଛିତ ଯୌନ ସମ୍ପର୍କ ଉଭୟ କ୍ଷେତ୍ରରେ ରହିଛି । ଫରକ ରହିଯାଉଛି ଅର୍ଥର ଦେବାନେବା ଉପରେ ।

 

କେବଳ ଏତିକି ନୁହେଁ । ଆମେ ଦେଖୁ ଅନେକ ସ୍ତ୍ରୀଲୋକ ଅଛନ୍ତି, ଯେଉଁମାନେ କି ସିନେମା ଥିଏଟର ଦେଖିବା, ଖାଇବା, ପିଇବା ମୋଟ ଉପରେ ଫୁର୍ତ୍ତିକରିବାକୁ ଯାଇ ଅନ୍ୟ ପାଖରେ ଆପଣାକୁ ସମର୍ପଣ କରନ୍ତି । ଆଉ ବି ଅଛନ୍ତି ଯେଉଁମାନେ କି କୌଣସି ନା କୌଣସି କାମ ହାସଲ ଉଦ୍ଦେଶ୍ୟରେ ପରପୁରୁଷ ପାଖକୁ ଗମନ କରନ୍ତି । ସାଧାରଣତଃ ଏଇସବୁ କାର୍ଯ୍ୟ ବଡ଼ଲୋକ, ଧନୀ ପରିବାର ମଧ୍ୟରେ ଘଟିଥାଏ । ତାକୁ କିନ୍ତୁ କେହି ଗଣିକା ବୃତ୍ତି ବୋଲି ଧରେ ନାହିଁ । ଅଥଚ ଏହା ପଛରେ ପ୍ରତ୍ୟକ୍ଷ ନ ହେଲେ ବି ପରୋକ୍ଷ ଭାବରେ ନାନା ପ୍ରକାରର ସ୍ୱାର୍ଥ ପ୍ରଲୋଭନ ଓ ପଇସା ବି କାର୍ଯ୍ୟ କରୁଥାଏ । କିନ୍ତୁ ଯେହେତୁ ସେମାନେ ଧନୀ, ଲକ୍ଷ୍ମୀ ସେମାନଙ୍କଠାରେ ସୁପ୍ରସନ୍ନ, ତେଣୁ ସେମାନେ ଗଣିକା ହୁହନ୍ତି । ଆଉ ଯିଏ ନିଃସ୍ୱ, ଦରିଦ୍ର-ପେଟ ପାଇଁ ଦେହ ବିକେ, ସେ ହେଲା ବେଶ୍ୟା, ଏହାହିଁ ହେଲା ଫରକ ! ଦେହ ବିକାଳି ଦରିଦ୍ର ସ୍ତ୍ରୀଲୋକ ଅନ୍ତତଃ ସାଧୁ ସଚ୍ଚୋଟ । ତା ପାଖରେ ଧନିକ ସମାଜର କପଟ-ନୈତିକତା ନାହିଁ । ତେବେ ଏ ଦୁଇ କ୍ଷେତ୍ରରେ ସମାନ ରହିଛି ଗୋଟିଏ ଜିନିଷ, ତା ହେଉଛି ପ୍ରେମର ଅଭାବ । ଏ ଉଭୟ କ୍ଷେତ୍ରରେ କୌଣସିଠି ନ ଥାଏ ପ୍ରେମର ଆକର୍ଷଣ ବା ବନ୍ଧନ ।

 

ଏଇ ପ୍ରେମର ଅଭାବକୁ କେହି ଦେଖନ୍ତି ନାହିଁ । କୌଣସି ସମାଜ, କୌଣସି ଧର୍ମ, ପ୍ରଥା ବା ପରମ୍ପରା ଏହାକୁ ବିଚାରକୁ ନେଇ ନାହିଁ । ବିବାହ କାଳରେ ଜାତି, ଗୋତ୍ର, ଧର୍ମ ଓ ଯାନିଯୌତୁକ, ଚାକିରି, ଧନସମ୍ପତ୍ତି, ଦବାନବା-ସବୁକଥା ଉଠେ । କେବଳ ଉଠେ ନାହିଁ ପ୍ରେମର କଥା–ଯାହାକି ବିବାହ ବନ୍ଧନର ମୂଳଭିତ୍ତି । ସ୍ତ୍ରୀ-ପୁରୁଷ ମଧ୍ୟରେ ପ୍ରେମ ଥାଉ ବା ନ ଥାଉ ବିବାହ ପରେ ସ୍ତ୍ରୀ ପକ୍ଷରେ ଅନ୍ୟ ପୁରୁଷ ସମ୍ପର୍କ ନିଷେଧ, ଏହା ବହୁକାଳରୁ ସବୁ ସମାଜରେ ଗୃହୀତ ନୀତି-। ଆଉ ସେଇ ପ୍ରେମହୀନ ବିବାହ ହୁଏ ପବିତ୍ର । ସାମାଜିକ ନିୟମ ଅନୁସାରେ ସେପରି ବିବାହ ସ୍ଥାୟୀ ସୁଦୃଢ଼ ଓ ନୈତିକ । କିନ୍ତୁ ବିବାହ ପରେ କେତେଜଣ ସ୍ତ୍ରୀ ପୁରୁଷ ଅଚ୍ଛେଦ୍ୟ ପ୍ରେମର ବନ୍ଧନରେ ବନ୍ଧା ? ଅଧିକାଂଶ ସ୍ଥଳରେ ବାସ୍ତବ ଅବସ୍ଥା ବାଧ୍ୟ କରେ ସେମାନଙ୍କୁ ଏକାଠି ରହିବା ଲାଗି, ଆଉ ଅଧିକାଂଶ ସ୍ଥଳରେ ସ୍ତ୍ରୀ ସ୍ୱାମୀ ପାଖରେ ଆତ୍ମସମର୍ପଣ କରେ । ସମାଜ କହି ଦେଇଛି ପତି ବିନା ତାର ଗତି ନାହିଁ । ଭଲ ନ ଲାଗୁଥିଲେ ବା ସେ ତାକୁ ଭଲ ପାଉ ନ ଥିଲେ ବି, ସ୍ତ୍ରୀ ପୁରୁଷ ପାଖରେ ପଡ଼ିରହିବାକୁ ବାଧ୍ୟ–ଏପରିକି ଶତ ଅତ୍ୟାଚାର, ନିର୍ଯ୍ୟାତନା ସହ୍ୟ କରି । ଏହା କ’ଣ ଗୋଟାଏ ପ୍ରକାରର ଦେହ ବିକ୍ରୟ ନୁହେଁ, ଅବଶ୍ୟ ଜଣଙ୍କ ପାଖରେ, ଚିରଦିନ ପାଇଁ ? ଯେଉଁଠି ମନ ମିଳେନା, ହୃଦୟ ସହିତ ହୃଦୟର ମିଳନ ନାହିଁ, ଯେଉଁଠି ବୈବାହିକ ଜୀବନ ପ୍ରେମର ଆବଦ୍ଧ ନୁହେଁ, ସେ ପ୍ରକାର ବିବାହ କେତେଦୂର ନୈତିକ ? ତା କ’ଣ ସଦାସର୍ବଦା ପାପ ଅନୈତିକତାର ପଥକୁ ଉନ୍ମୁକ୍ତ କରିବ ନାହିଁ ?

Image

 

ପ୍ରେମହିଁ ପାପର ପ୍ରତିଷେଧ

 

ପାପର ବିରୋଧୀ, ବିକଳ୍ପ ହେଲା ପ୍ରେମ । ପ୍ରେମର ବନ୍ଧନ ହିଁ ସବୁଠାରୁ ଟାଣ । ଯେଉଁଠି ପ୍ରେମ ଅଛି, ସେଠି ମଣିଷ ନିଜେ ମରିଯାଏ ପଛେ ଅନ୍ୟତ୍ର ଯାଏ ନାହିଁ । ପ୍ରେମହିଁ ପାପର ଏକମାତ୍ର ପ୍ରତିଷେଧ । ତାହାହିଁ ମଣିଷକୁ ପାପପଥରୁ ରକ୍ଷା କରିପାରେ । ଏଇ ପ୍ରେମ ବିଷୟଟିକୁ ଆଲେଚନା କରିଛନ୍ତି ସୋଭିଏତର ବୈଜ୍ଞାନିକଗଣ । ସେମାନେ ତାକୁ କବି ସାହିତ୍ୟିକଙ୍କ ଭାବ ଆବେଗ ଦୃଷ୍ଟିରୁ ଆଲୋଚନା କରି ନାହାନ୍ତି; କରିଛନ୍ତି ବିଜ୍ଞାନର ଦୃଷ୍ଟିରୁ, ଖୋଜିଛନ୍ତି ତା’ର ଉତ୍ପତ୍ତି ଓ ବିକାଶର ଇତିହାସ, ତା’ର ପ୍ରାଚୁର୍ଯ୍ୟର ପରିଣତି ।

 

ସବୁ ଜିନିଷ ପରି ପ୍ରେମର ବି ଗୋଟାଏ ଇତିହାସ ଅଛି । ମଣିଷ ସମାଜର ଜନ୍ମରୁ ଯେ ଯୌନ ପ୍ରେମ ଅଛି, ତା’ ନୁହେଁ । ସମାଜରେ ଗୋଟିଏ ଅବସ୍ଥା ଥିଲା ଯେତେବେଳେ କି ପ୍ରେମ ବୋଲି କିଛି ନ ଥିଲା । ଏପରିକି ମଧ୍ୟଯୁଗ ପୂର୍ବରୁ ଯୌନ ପ୍ରେମ ବୋଲି କୌଣସି ଜିନିଷ ଦେଖିବାକୁ ମିଳେ ନାହିଁ । ପ୍ରେମ କେବଳ ଏକ ସ୍ତ୍ରୀ ଏକ ପୁରୁଷର ସମ୍ପର୍କ । ସେଥିରେ ବହୁଙ୍କର ସ୍ଥାନ ନାହିଁ । ତେଣୁ ଏକକ ବିବାହବେଳେ କେବଳ ପ୍ରେମର ପ୍ରଶ୍ନ ଉଠିପାରେ । ତେବେ ପ୍ରଥମ ଅବସ୍ଥାରେ ଏକକ ବିବାହର ଆରମ୍ଭ ଯେ ପ୍ରେମ ଯୋଗୁଁ ହୋଇଛି ବା ବର୍ତ୍ତମାନର ଏକକ ବିବାହ ଯେ ପ୍ରେମ ଉପରେ ପ୍ରତିଷ୍ଠିତ, ତାହା ନୁହେଁ । ଏହା ଆମେ ଦେଖିଛେ । ଆମର ପୁରାଣ ଶାସ୍ତ୍ରରେ ବହୁପ୍ରକାର ବିବାହ ମିଳନର ବହୁ କାହାଣୀ ରହିଛି । ବହୁ ପତି, ବହୁପତ୍ନୀ ବା ପର ସ୍ତ୍ରୀ ହରଣ ବା ପରପୁରୁଷ ଗମନକୁ ଛାଡ଼ିଦେଲେ ଯେଉଁଠି ସ୍ୱାମୀଭକ୍ତି, ସ୍ତ୍ରୀ ଅନୁରକ୍ତି ଓ ସତୀତ୍ୱର ଦୃଷ୍ଟାନ୍ତ ରହିଛି, ସେ ସବୁ ଯୌନ-ସମ୍ପର୍କ ଯେ ପ୍ରେମ ଉପରେ ପ୍ରତିଷ୍ଠିତ ତା’ର କୌଣସି ସୂଚନା ନାହିଁ । ତା ସବୁ ହେଲା କାମାତୁରତା ବା ସାମୟିକ ଆକର୍ଷଣ ହେତୁ, ନାରୀର ପ୍ରଣୟ ଭିକ୍ଷା, ଆତ୍ମସମର୍ପଣ ବା ଦାସତ୍ୱ ପ୍ରେମର ଭିତ୍ତିରେ ବିବାହ ବା ପ୍ରେମ ଦ୍ୱାରା ଆବଦ୍ଧ ହେବାର ଦୃଷ୍ଟାନ୍ତ ଆମକୁ ଖୋଜିବାକୁ ପଡ଼େ । ପ୍ରେମ ମଣିଷର ଶାରୀରିକ ଉନ୍ମାଦନା ନୁହେଁ, ତା ତାର ଚିନ୍ତା, ଭାବନା ଓ ସ୍ୱପ୍ନଦ୍ୱାରା ପ୍ରତିଫଳିତ, ସେଥିଲାଗି ଅନୁକୂଳ ସାମାଜିକ ଅବସ୍ଥା ମଧ୍ୟ ଦରକାର ।

 

ଏକକ ବିବାହ ପ୍ରଥା ଆଜି ସବୁ ସମାଜରେ ରହିଛି । ବହୁ ଦିନରୁ ପ୍ରଚଳିତ ଆଉ ତା ସହିତ ଏକ ସଙ୍ଗରେ ଚଳି ଆସୁଛି ପାପାଳୟ ଓ ସମସ୍ତ ପ୍ରକାରର ବ୍ୟଭିଚାର । ଏହା ଗ୍ରୀସଠାରୁ ଭାରତ ପର୍ଯ୍ୟନ୍ତ, ସବୁ ପ୍ରାଚୀନ ଦେଶରେ ଦେଖାଯାଏ । ଏକକ ବିବାହ ସଙ୍ଗରେ ରହିଛି ପୁରୁଷର ଅବାଧ ଅଧିକାର । ସେ ଅନ୍ୟତ୍ର ଗମନ କରିପାରେ, ଅନ୍ୟ ସ୍ତ୍ରୀ ସମ୍ଭୋଗ କରିବାରେ, ତା’ର ଇଚ୍ଛା ଅନୁସାରେ ଯେତେ ଇଚ୍ଛା ରକ୍ଷିତା ରଖିପାରେ । ଏପରି ଏକକ ବିବାହ ଯୌନ ପ୍ରେମର ନିଦର୍ଶନ ନୁହେଁ । ଅନ୍ୟ ଦିଗରେ ନାରୀର ପତିଭକ୍ତି, ସତୀତ୍ୱ ମଧ୍ୟ ପ୍ରେମର ଲକ୍ଷଣ ନୁହେଁ । ତା ହେଉଛି ନାରୀର ପରାଧୀନତାର ଲକ୍ଷଣ । ପତିଭକ୍ତିରେ ନାରୀ ସ୍ୱାମୀକୁ ଭକ୍ତି କରେ; ପ୍ରେମ କରେ ନାହିଁ । ସତୀତ୍ୱର ନାରୀ ସ୍ୱାମୀ ପ୍ରତି ବିଶ୍ୱସ୍ତ ରହେ; ପ୍ରେମ କରେ ନାହିଁ । କାରଣ, ପ୍ରେମ ନାରୀ ଓ ପୁରୁଷର ସମାନ ପ୍ରତିଷ୍ଠା ଓ ଅଧିକାର ଉପରେ ନିର୍ଭର କରେ । ଆଉ ପ୍ରେମ ଗୋଟାଏ ପକ୍ଷର ଜିନିଷ ନୁହେଁ, ତା ଦୁଇପକ୍ଷର ବିଷୟ; ତା ଦୁଇ ପକ୍ଷରୁ ଆସିବା ଉଚିତ । ଯେଉଁଠି କେବଳ ଆଦାନ ଅଛି ପ୍ରଦାନ ନାହିଁ, ଜଣେ ଅନ୍ୟର ଦାସ, ସେଠାରେ ପ୍ରେମର ପ୍ରଶ୍ନ ନାହିଁ ।

 

ଆମେ ପୂର୍ବରୁ ଦେଖିଛେ ଏକକ ବିବାହ ପ୍ରେମରୁ ଜାତ ହୋଇ ନାହିଁ । ତାହା ବ୍ୟକ୍ତିଗତ ସମ୍ପତ୍ତିରୁ ଉଦ୍ଭବ । ବ୍ୟକ୍ତିଗତ ସମ୍ପତ୍ତି ଆସିଲାରୁ ପ୍ରଶ୍ନ ଆସିଲା ମୃତବ୍ୟକ୍ତିର ସମ୍ପତ୍ତିର ଉତ୍ତରାଧିକାରୀ ହେବ କିଏ ? ଯଦି ଜଣେ ପୁରୁଷର ଏକାଧିକ ପତ୍ନୀ ବା ଜଣେ ଏକାଧିକ ସ୍ୱାମୀ ଥାନ୍ତି, ତେବେ କାହାର ସନ୍ତାନ ସେ ସମ୍ପତ୍ତିର ଉତ୍ତରାଧିକାରୀ ହେବ ? ଏଇ ଜଟିଳ ସମସ୍ୟାର ସରଳ ସମାଧାନ ହେଲା ଏକକ ବିବାହ ।

 

ଆଗେ ରାଜାମାନଙ୍କର ବହୁ ରାଣୀ ଥିଲେ, କିନ୍ତୁ ପ୍ରଥମ ବିବାହିତା ସ୍ତ୍ରୀ ବା ଜ୍ୟେଷ୍ଠା ରାଣୀର ପୁଅ ରାଜ୍ୟର ଅଧିକାରୀ ହେଉଥିଲେ, ସେଇହିଁ କେବଳ ରାଜଗାଦି ଲାଗି ଯୋଗ୍ୟ, ଯଦି ଏଇ ଉତ୍ତରାଧିକାରୀ ପ୍ରଶ୍ନରେ ସାମାନ୍ୟ ବ୍ୟତିକ୍ରମ ଘଟେ, ତେବେ କଳହ–ସେ ବିବାହର ଶେଷ ପରିଣତ ହୁଏ ଯୁଦ୍ଧ । ସେଇକାରଣରୁ ହିଁ ରାମାୟଣ, ମହାଭାରତର ସୃଷ୍ଟି । କୈକେୟୀ ବଡ଼ରାଣୀର ପୁତ୍ର ରାମଙ୍କୁ ଉତ୍ତରାଧିକାରରୁ ବଞ୍ଚିତ କରିବା ଉଦ୍ୟମରୁ ରାମଙ୍କର ବନବାସ । ସେମିତି କୌରବମାନେ ପାଣ୍ଡବଙ୍କୁ ତାଙ୍କର ଅଧିକାରରୁ ବଞ୍ଚିତ କରିବା ହେତୁ ମହାଭାରତ ଯୁଦ୍ଧ । ଏଇ ଉତ୍ତରାଧିକାରୀ ନୀତିରେ ରାଜାର ପୁଅ ଯେପରି ରାଜା ହୁଏ, ସେଇପରି ଦାସର ବିବାହିତ ସ୍ତ୍ରୀର ପୁତ୍ର ମଧ୍ୟ ତାଙ୍କୁ ସେଇପରି ସେବା କରିବାକୁ ଅଧିକାର ଲାଭ କରେ । ତେଣୁ ଏଇ ବିବାହରେ ପ୍ରେମର ପ୍ରଶ୍ନ କାହିଁ ?

 

ରାଜାରାଜୁଡ଼ା, ସମ୍ଭ୍ରାନ୍ତ ଶ୍ରେଣୀର ଲୋକେ ପ୍ରେମ ଲାଗି ବିବାହ କରୁ ନ ଥିଲେ । ଅନ୍ୟଠାରୁ ରାଜ୍ୟପାଇବା ଅନ୍ୟ ରାଜା ସହିତ ବନ୍ଧୁତା ସ୍ଥାପନ କରିବା ଆଦି ରାଜନୈତିକ ଅର୍ଥନୈତିକ କାରଣରୁ ବିବାହ କରୁଥିଲେ । ପ୍ରେମ-ବିବାହର ଦୃଷ୍ଟାନ୍ତ ପୁରାଣ ଶାସ୍ତ୍ରରେ ବିରଳ । ବରଂ ବିବାହ ବାହାରେ ସେମାନେ ବହୁ ସ୍ତ୍ରୀ ରଖୁଥିଲେ । ବିବାହ ବାହାରେ ଆପଣାର ରୁଚି, ଇଚ୍ଛା ଓ ଅଭିଳାଷ ଅନୁସାରେ ଅନ୍ୟ ରମଣୀର ପ୍ରେମଫାଶରେ ଆବଦ୍ଧ ହେଉଥିଲେ । ଏହା ରୋମ ଓ ଫ୍ରାନ୍‍ସ ଦେଶ ଭଳି ଆମ ଦେଶରେ ବି ଘଟୁଥିଲା । ନିଜର ବିବାହିତା ସ୍ତ୍ରୀ ତାଙ୍କର ପ୍ରେମିକା ନୁହେଁ । ପ୍ରେମିକା ଆଉ ଜଣେ, ବିବାହର ବାହାରେ । ଏଇ ସାମାଜିକ ରୀତି ମଧ୍ୟ ସେ ସମୟର କାବ୍ୟ ନାଟକ ଆଦିରେ ପ୍ରତିଫଳିତ । କେବଳ ରାଜାରାଜୁଡ଼ା ନୁହନ୍ତି, ସମାଜର ବହୁ କବି, ପଣ୍ଡିତ, ସଂସ୍କୃତିସମ୍ପନ୍ନ ବ୍ୟକ୍ତିଙ୍କର ଜୀବନର କାହାଣୀ ଏହାର ପ୍ରମାଣ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ତାହାହିଁ ସେ ସମୟର ସମାଜର ଚଳଣି । ତେଣୁ ପ୍ରସିଦ୍ଧ ‘‘ମୃଚ୍ଛ କଟିକ’’ ନାଟକରେ ଦେଖାଯାଏ ଯେ ଚାରୁଦତ୍ତ ଜଣେ ଅତି ସାଧୁ ମହତ୍ ଚରିତ୍ରବାନ୍ ବ୍ୟକ୍ତି । ସେ ତାଙ୍କ ସ୍ତ୍ରୀ ପ୍ରତି ଅନୁରକ୍ତ ହେଲେ ବି ବସନ୍ତ ସେନାର ପ୍ରେମରେ ଆବଦ୍ଧ । ଏହା ସେତେବେଳେ ସମାଜରେ ନିନ୍ଦିତ ନୁହେଁ; ବେଶତ ସୁରୁଚିପୂର୍ଣ୍ଣ ସାମାଜିକ ନୈତିକତାର ଅନ୍ତର୍ଭୁକ୍ତ ।

 

ଏକକ ବିବାହ ସ୍ଥିର ହୁଏ ମଧ୍ୟସ୍ଥ ଘଟକଙ୍କ ଜରିଆରେ । ପ୍ରକୃତରେ ଯେଉଁ ଦୁଇଜଣ ବିବାହ କରିବେ, ସ୍ୱାମୀ ସ୍ତ୍ରୀ ହୋଇ ରହିବେ, ତାଙ୍କ ମତ କେହି ଲୋଡ଼େ ନାହିଁ । ଏପରିକି ସେ ଦୁହିଁଙ୍କ ପକ୍ଷରେ ପରସ୍ପରକୁ ଦେଖିବା ବା ଜାଣିବାର ସୁଯୋଗ ସୁଦ୍ଧା ନାହିଁ । ପିତାମାତା, ମଧ୍ୟସ୍ଥିଗଣ ଧନ ସମ୍ପତ୍ତି, କୁଳ-ଗୋତ୍ର ସବୁ ବିଚାର କରନ୍ତି, କିନ୍ତୁ କେବଳ ବିଚାରନାହିଁ ପ୍ରେମର, ଯାହାକି ବିବାହର ମୂଳଭିତ୍ତି; ନୈତିକ ଜୀବନ ଲାଗି ଏକମାତ୍ର ଆଧାର । ଯାହା ଅତି ଅପରିହାର୍ଯ୍ୟ ତାହା ଅତି ଅଦରକାରୀ ଅନାବଶ୍ୟକ ।

 

ଏ ଏକକ ବିବାହ କେବଳ ସ୍ତ୍ରୀଲୋକଙ୍କ ପାଇଁ; ପୁରୁଷ ପାଇଁ ନୁହେଁ । ତା ପକ୍ଷରେ ବହୁ ନାରୀ ରଖିବାର, ଅନ୍ୟ ସ୍ତ୍ରୀକୁ ପ୍ରେମ କରିବାର ଅଧିକାର ସମାଜଦ୍ୱାରା ସ୍ୱୀକୃତ । ତା ଅନୈତିକ ପାପାଚାର ନୁହେଁ । କିନ୍ତୁ ସ୍ତ୍ରୀ ପକ୍ଷରେ ଅନ୍ୟ ପୁରୁଷକୁ ଅନାଇବାର ସୁଦ୍ଧା ଅଧିକାର ନାହିଁ । ତା ପକ୍ଷରେ ନିଜର ପ୍ରେମର ପ୍ରକାଶ ନିଷେଧ, ଦଣ୍ଡନୀୟ । ଏଥିଲାଗି ପୁରୁଷ ସ୍ତ୍ରୀକୁ ହତ୍ୟା ମଧ୍ୟ କରିପାରେ । ଏପରିକି କିଛି କାଳ ତଳେ ବ୍ରିଟିଶ ଭାରତରେ ଉତ୍ତର ସୀମାନ୍ତ ଅଞ୍ଚଳରେ (ତା’ ଏବେ ପାକିସ୍ଥାନରେ) ଏ ନିୟମ ଚଳୁଥିଲା । ଏହାକୁ କହନ୍ତି ‘‘ସିଆହାକାରୀ’’, ଯଦି କୌଣସି ସ୍ତ୍ରୀ ଟିକିଏ ଖୁସି ଆଖିରେ ଅନ୍ୟକୁ ଅନାଇଲା ତେବେ ତା’ର ସ୍ୱାମୀ ତାକୁ ଆଇନତଃ ହତ୍ୟା କରିପାରେ । ସେଥିଲାଗି ସେ ଦଣ୍ଡନୀୟ ନୁହେଁ–ଏହା ଆଇ. ସି. ଏସ୍. କେ. ପି. ଏସ୍ ଙ୍କ ଦ୍ୱାରା ବର୍ଣ୍ଣିତ ।

 

ଏହାର ପ୍ରଧାନ କାରଣ ବିବାହିତା ନାରୀ ନିଜର ସ୍ୱାମୀ ପାଖରେ ରହି ଯଦି ଅନ୍ୟ ପୁରୁଷ ନିକଟକୁ ଗମନ କରେ, ତେବେ ସନ୍ତାନର ପିତାର ସଠିକ ପରିଚୟ ଲୋପ ହେବ । ଅନ୍ୟ ଆଡ଼ର ସନ୍ତାନ ତାର ସ୍ୱାମୀର ସମ୍ପତ୍ତିର ମାଲିକ ହୋଇଯାଇପାରେ । ନିଜର ସମ୍ପତ୍ତିକୁ ଅନ୍ୟର ପୁଅ ଘେନିଯିବ, ତେଣୁ ସ୍ତ୍ରୀଲାଗି ସତୀତ୍ୱ, ପତିପରାୟଣତା–ଯେଉଁଥିରେ ବାପର ପ୍ରକୃତ ପୁଅର ଚିହ୍ନଟ ସମ୍ଭବ । ଆଉ ପୁରୁଷ ପକ୍ଷରେ ସର୍ବତ୍ର ଗମନ କରିବାର ଅଧିକାର । ଏହା କ’ଣ ପ୍ରେମ ? ଏଥିରେ ପ୍ରେମର ପ୍ରଶ୍ନ ନାହିଁ ।

 

ନବମାନବର ସୃଷ୍ଟି

ଅତଏବ ବିବାହ ବାହାରେ ପୁରୁଷ ପକ୍ଷରେ ପ୍ରେମ ସମାଜଦ୍ୱାରା ସ୍ୱୀକୃତ । ବିବାହ ବାହାରେ ନାରୀ ପକ୍ଷରେ ପ୍ରେମ ପାପ, ବ୍ୟଭିଚାର । ସେଥିଲାଗି ଶାସ୍ତିର ବିଧାନ । ଧର୍ମ ଏହାକୁ ଆଶୀର୍ବାଦ କରେ, ଅନୁମୋଦନ କରେ ସମାଜ, ସ୍ୱୀକାର କରେ ଆଇନର ଶାସନ । ଫଳରେ ସବୁ ପାପ, ବ୍ୟଭିଚାର ଅନୈତିକତା ଗଢ଼ିଉଠେ ଏଇ ବ୍ୟକ୍ତିଗତ ସମ୍ପତ୍ତିର ଭିତ୍ତି ଉପରେ । ଏଇ ବ୍ୟକ୍ତିଗତ ସମ୍ପତ୍ତି ଧ୍ୱଂସ ନ ହେଲା ପର୍ଯ୍ୟନ୍ତ ସମାଜରୁ ପାପ, ବ୍ୟଭିଚାର, ଅନୈତିକତାର ବିଲୋପ ଅସମ୍ଭବ । ତେଣୁ ପାପ, ଅନୈତିକତାକୁ ଲୋପ କରିବା ଦିଗରେ ସବୁ ମହତ ବ୍ୟକ୍ତିଙ୍କର ସାଧୁ ଉଦ୍ୟମ ଶେଷରେ ବ୍ୟର୍ଥତାର ହିଁ ପର୍ଯ୍ୟବସିତ ହୋଇଛି । କାରଣ ସେମାନେ ଏଇ ବ୍ୟକ୍ତିଗତ ସମ୍ପତ୍ତିକୁ ଦେଖିନାହାନ୍ତି ।

 

ଆଜିର ଏ ସଭ୍ୟ ସମାଜରେ, ବ୍ୟକ୍ତିଗତ ସମ୍ପତ୍ତିର ଆଧିପତ୍ୟ ଯେଉଁଠି ଅଧିକ ସେଠି ଏ ପାପ, ବ୍ୟଭିଚାରର ମାତ୍ରା ସେତେ ଅଧିକ । ତାର ସଦ୍ୟ ଦୃଷ୍ଟାନ୍ତ ଆମେରିକା । ସେଠା ସମାଜ କଥା ଛାଡ଼ । ଖୋଦ ସରକାର ମଧ୍ୟ ଏଇ ପାପ, ବ୍ୟଭିଚାରକୁ ଉତ୍ସାହିତ କରେ । ଗତ ଯୁଦ୍ଧ ଶେଷକୁ ୧୯୪୫ରେ, ତାର ୮୦ଲକ୍ଷ ସୈନ୍ୟ ମଧ୍ୟରେ ପ୍ରତିମାସରେ ୫୦୦ଲକ୍ଷ ଯୌନ ପ୍ରତିଷେଧକ, ବଣ୍ଟନ କରୁଥିଲା । ଏଥିରେ ଯେ କୌଣସି ଲୋକ ସ୍ତମ୍ଭିତ ହୋଇଯିବ । ଏହା ବ୍ୟାପକ ଭାବରେ ନିର୍ବିଚାର ଯୌନ ସମ୍ପର୍କ ବା ବ୍ୟଭିଚାରକୁ ଉତ୍ସାହିତ କରିବା ଛଡ଼ା ଅନ୍ୟ କିଛି ନୁହେଁ । ଏହା ହେଉଛି ପୁଞ୍ଜିବାଦୀ ସମାଜରେ ଗଣ-ବ୍ୟଭିଚାର, ତା’ ପୁଣି ଖୋଦ ସରକାରଙ୍କ ଦ୍ୱାରା । ଗତ ଯୁଦ୍ଧବେଳେ କଲିକତାରେ ଆମେରିକା ସୈନ୍ୟମାନଙ୍କ ବ୍ୟବହାର ପାଇଁ ଆମେରିକୀୟ ଯୁବତୀମାନଙ୍କର ଏକ ହଷ୍ଟେଲ ରଖାଯାଇଥିଲା ।

 

ଏଇ ବ୍ୟକ୍ତିଗତ ଯୌନ ପ୍ରେମ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଛନ୍ତି ଫ୍ରେଡ଼୍ରିକ ଏଙ୍ଗେଲସ୍ । ସେ ଦର୍ଶାଇଛନ୍ତି, ମଧ୍ୟଯୁଗ ପୂର୍ବରୁ ବ୍ୟକ୍ତିଗତ ଯୌନ ପ୍ରେମ ବୋଲି କିଛି ନ ଥିଲା । ଯୌନପ୍ରେମ ଓ ଯୌନତୃଷ୍ଣା ଦୁଇଟି ପୃଥକ ଜିନିଷ । ପ୍ରାଚୀନ କାଳରେ ଥିଲା ଯୌନତୃଷ୍ଣା, ଯୌନପ୍ରେମ ନୁହେଁ । କାରଣ, ପ୍ରେମ ପ୍ରତିବଦଳରେ ପ୍ରେମ ଦାବି କରେ ଯେଉଁଠି ପ୍ରେମ ଦାନର ପ୍ରତିଦାନ ନାହିଁ, ସେଠି ପ୍ରେମ ନାହିଁ । ତା’ ଦୁଇପକ୍ଷର ଆଦାନପ୍ରଦାନ ଉପରେ ନିର୍ଭର କରେ । ସେଥିଲାଗି ସମାଜରେ ପୁରୁଷ ଓ ସ୍ତ୍ରୀ ସମାନ ସ୍ତରରେ ରହିବା ଦରକାର । ତା’ ସେକାଳର ସମାଜରେ ନ ଥିଲା କି ଏବେ ପୁଞ୍ଜପତି ସମାଜରେ ନାହିଁ । କବିତା, ବନିତା, ଲତା, ଅନ୍ୟ ଆଶ୍ରାରେ ଦଣ୍ଡାୟମାନ । ଯେଉଁଠି ସ୍ୱାଧୀନତା ନାହିଁ, ସେଠି ପ୍ରେମ ନାହିଁ । ଦ୍ୱିତୀୟରେ ଯୌନପ୍ରେମର ପୁଣି ସ୍ଥାୟିତ୍ୱ ରହିଛି । ତା ଏକ ଅତି ନିବିଡ଼ ସମ୍ପର୍କ । ସ୍ତ୍ରୀପୁରୁଷ ଉଭୟଙ୍କ ପକ୍ଷର ସର୍ବଶ୍ରେଷ୍ଠ ସମ୍ପଦ । ଜଣେ ଅନ୍ୟ ଜଣଙ୍କ ଲାଗି ସର୍ବସ୍ୱ ତ୍ୟାଗ କରେ, ନିଜର ଜୀବନକୁ ବି ବଳି ଦିଏ; ସେଥିରେ ଜଣେ ଅନ୍ୟକୁ ଲାଭ ନ କରିବା ହେଲା ଚରମ ଦୁର୍ଭାଗ୍ୟ । ତାହା ସମସ୍ତ ବିଧି-ବ୍ୟବସ୍ଥା, ସାମାଜିକ ପ୍ରଥା ପରମ୍ପରା, ଧନସମ୍ପଦର ଊର୍ଦ୍ଧ୍ୱରେ । ପ୍ରେମ ଏ ସବୁ ଦ୍ୱାରା ନିୟନ୍ତ୍ରିତ ନୁହେଁ, ପ୍ରେମ ଆଗରେ ଏସବୁ ଜିନିଷ ତୁଚ୍ଛ । ଏପରି ପ୍ରେମର ନମୁନା ପ୍ରାଚୀନ କାଳରେ ନାହିଁ । ସେତେବେଳେ କିଏ କାହାର ରୂପଲାବଣ୍ୟରେ ମୁଗ୍‍ଧ ହୋଇଛି ତ କିଏ କାହାର ଗୁଣ ଦେଖି ଆକୃଷ୍ଟ ହୋଇଛି । କେଉଁଠି ବା ବହୁଦିନ ଘନିଷ୍ଠତା ଭିତରୁ ଯୌନ ସମ୍ପର୍କ ଜାତ ହୋଇଛି, କିନ୍ତୁ ପ୍ରେମ କହିଲେ ପରବର୍ତ୍ତୀ କାଳରେ ଯାହା ବୁଝାଏ, ସେତେବେଳେ ତା ନ ଥିଲା । ଆଉ ବିବାହ ସ୍ଥିର ହେଉଥିଲା ମଧ୍ୟସ୍ଥଙ୍କ ଦ୍ୱାରା ପିତାମାତାଙ୍କ ମତ ଅନୁଯାୟୀ । ତେଣୁ ବୈବାହିକ ଜୀବନରେ ମାନସିକ ଅନୁରାଗ ନାହିଁ–ରହିଛି ବାସ୍ତବ କ୍ଷେତ୍ରରେ ସାମାଜିକ କର୍ତ୍ତବ୍ୟର ତାଡ଼ନା ମାତ୍ର ।

 

ଏତେବେଳେ ପ୍ରେମର ଯେଉଁ ପରିଚୟ ମିଳେ, ତା ମିଳେ ବିବାହର ବାହାରେ । କାରଣ ପ୍ରେମ ଯୋଗୁଁ ବିବାହ ଥିଲା କଳ୍ପନାତୀତ । ତେଣୁ ବିବାହିତ ଜୀବନ ବାହାରେ ପୁରୁଷ ବା ସ୍ତ୍ରୀ ଅନ୍ୟ ସହିତ ପ୍ରେମରେ ଆବଦ୍ଧ ହେଉଥିଲା । ଆଜିକାର ଭାଷାରେ ଯାର ନାମ ବ୍ୟଭିଚାର । ମଧ୍ୟଯୁଗର କାବ୍ୟ କବିତାରେ ପ୍ରତ୍ୟେକଠାରେ ଏହାର ଦୃଷ୍ଟାନ୍ତ ଦେଖାଯାଏ । ସେତେବେଳେ କବିମାନେ ଏଇ ପ୍ରେମର ଜୟଗାନ ଆରମ୍ଭ କରିଛନ୍ତି । କାଳିଦାସଙ୍କ ରଚନାବଳୀ ଏହାର ଶ୍ରେଷ୍ଠ ପ୍ରମାଣ । ସେମାନେ ପ୍ରେମିକ ପ୍ରେମିକାଙ୍କ ଦୁଃଖରେ ଅଧୀର ହୋଇପଡ଼ିଛନ୍ତି, ତାଙ୍କୁ ଅକୁଣ୍ଠିତ ଚିତ୍ତରେ ସମର୍ଥନ ଜଣାଇଛନ୍ତି । ଚେଷ୍ଟା କରିଛନ୍ତି ସମାଜରେ ପ୍ରେମକୁ ସାବ୍ୟସ୍ତ କରିବା ଲାଗି ।

 

ଅନ୍ୟ ପକ୍ଷରେ ଏହା ଏକ ନୂତନ ଜିନିଷର ସୂଚନା ଦିଏ । ତା ପ୍ରକାଶ କରେ–ସ୍ତ୍ରୀଲୋକଙ୍କ ପକ୍ଷରେ ପ୍ରେମ କରିବାର ଅଧିକାର । ପ୍ରେମ କରିବା, ଯା ଦିନେ ସ୍ତ୍ରୀଲୋକ ପକ୍ଷରେ ନିନ୍ଦିତ ଓ ନିଷିଦ୍ଧ ଥିଲା, ସେ ଅଧିକାର ଏବେ ସ୍ୱୀକୃତ ହେବାକୁ ଆରମ୍ଭ କଲା । ତା ‘‘ବ୍ୟଭିଚାର’’ ହେଲେ ବି ଯେହେତୁ ତା ପ୍ରେମର ବନ୍ଧନ; ତେଣୁ ତା ଧର୍ତ୍ତବ୍ୟ ନୁହେଁ । ଏହା ଉଦ୍ରେକ କଲା ଏକ ନୂତନ ଚିନ୍ତାଧାରା–ପ୍ରେମର ବାହାରକୁ ଯିବା ଅର୍ଥ ବ୍ୟଭିଚାର । ଏବେ ମୁକ୍ତପ୍ରେମର ମାର୍ଗ ନାରୀ ଲାଗି ଉନ୍ମୁକ୍ତ ହେଲା । ଏତିକିବେଳେ ଦେଖାଯାଏ ରୋମାଣ୍ଟିକ ସାହିତ୍ୟର ଆବିର୍ଭାବ । ପ୍ରେମକୁ ଆଧାର କରି ରଚିତ ହେଲା, କାବ୍ୟ, କବିତା, ନାଟକ ଆଦି । ସେକ୍‍ସପିଅରଙ୍କ ରୋମିଓ ଜୁଲିଏଟ୍ ହେଉଛି ଏହାର ସର୍ବଶ୍ରେଷ୍ଠ ନିଦର୍ଶନ–ସ୍ତ୍ରୀପୁରୁଷଙ୍କ ପକ୍ଷରେ ସ୍ୱାଧୀନଭାବେ ପ୍ରେମ କରିବାର ଅଧିକାର, ଆଉ ସେଇ ପ୍ରେମ ଲାଗି ବିବାହ କରିବାର ଅଧିକାର ସେଇ ଅଧିକାର, ଲାଭ ଲାଗି ଶେଷରେ ପ୍ରାଣପାତ । ତା ଏକ ଅତି କଠୋର ସତ୍ୟ ଘୋଷଣା କଲା–ମଣିଷ ମୃତ୍ୟୁ ପଛେ ବରଣ କରିବ, କିନ୍ତୁ ପ୍ରେମ ବିନା ବିବାହ ଅସମ୍ଭବ ।

 

ଏହା ଜାଗ୍ରତ କଲା ଏକ ନୂତନ ସାମାଜିକ ନୈତିକତା । ଏଇସବୁ କାବ୍ୟ, କବିତା ପାଠକଲେ ବା ନାଟକ ଦେଖିଲେ, ପାଠକ ଓ ଦର୍ଶକର ଚକ୍ଷୁ ଲୋତକରେ ଭରିଯାଏ । ହୃଦୟ ଆପେ ଆପେ ସହାନୁଭୂତିଶୀଳ ହୋଇଉଠେ–ସେଇ ପ୍ରେମିକ-ପ୍ରେମିକାଙ୍କ ପ୍ରତି । ଲୋକ ଚାହେଁ ସେମାନଙ୍କର ମିଳନ ଅର୍ଥାତ୍ ସେଇ ପ୍ରେମର ସାର୍ଥକତା ।

 

କିନ୍ତୁ ଏଇଠି ପରିଲକ୍ଷିତ ହୁଏ ଏକ ବିରାଟ ପାର୍ଥକ୍ୟ, ଆଗେ କାବ୍ୟ, କବିତା, ନାଟକ ଆଦିରେ ଥିଲା ବିବାହ ବାହାରେ ପ୍ରେମର ଯଶଗାନ, ସେ ପ୍ରେମ ଥିଲା ଅନ୍ୟର ସ୍ତ୍ରୀ ବା ପୁରୁଷ ବା ବାରାଙ୍ଗନାଙ୍କ ସହ ପ୍ରେମ, ଏବେ ହେଲା ଅବିବାହିତ ଜୀବନର ପ୍ରେମ । ପ୍ରେମ ଯୋଗୁଁ ବିବାହର ଗୌରବ ବର୍ଣ୍ଣନା–ଏହା କେବଳ ସାହିତ୍ୟ ନୁହେଁ, ଏହା ହେଉଛି ସାମାଜିକ ଜୀବନର ପ୍ରକାଶ । ପ୍ରେମ ଲାଗି ବିବାହ ଏକ ମହାନ ବିପ୍ଳବ । ସମାଜର ଚିରାଚରିତ ଗତିଧାରା, କୁସଂସ୍କାର ବିରୋଧରେ କଠୋର ଆଘାତ, ଏକ ନୂତନ ନୈତିକତାର ଅଭ୍ୟୁଦୟ ।

 

ଆମ ସମାଜରେ ପ୍ରେମଲାଗି ବିବାହ ଏବେ ବି ଗୋଟାଏ ବିପ୍ଳବ । ଉପରେ ପ୍ରେମ ଲାଗି ବିବାହକୁ ଅନେକ ଗ୍ରହଣ କରନ୍ତି, କିନ୍ତୁ କାର୍ଯ୍ୟତଃ ହୁଏ ନାହିଁ । ବିନା ବାଧା ପ୍ରତିବନ୍ଧକର ସମ୍ମୁଖୀନ ନ ହୋଇ କେହି କ୍ୱଚିତ ପ୍ରେମ ବିବାହ କରିଛି । ସେଥିଲାଗି ଦରକାର ପଡ଼େ ଜାତି, ଧର୍ମ, ସମାଜ ଓ ପରିବାର ବିରୁଦ୍ଧରେ ବିଦ୍ରୋହ । ଦୁଇ ତିନି ଶହ ବର୍ଷ ତଳେ ତାହା ଯେ କେତେଦୂର ଦୁଃସାଧ୍ୟ ହୋଇଥିବ, ଆଜିର ଅବସ୍ଥାରୁ ତା ଅନୁମାନ କରାଯାଇପାରେ । ଏ ପ୍ରେମ ଲାଗି ବିବାହ ହେଉଛି ରାଜରାଜୁଡ଼ା ସାମନ୍ତବାଦୀ ଦୃଷ୍ଟିକୋଣର ବିରୋଧୀ । ଆମେ ଦେଖିଛେ, ରାଜରାଜୁଡ଼ାଙ୍କ ବିବାହ ହେଉଥିଲା ରାଜ୍ୟ ପ୍ରସାର, କ୍ଷମତାଲାଭ ଓ ପଦମର୍ଯ୍ୟାଦା ଦୃଷ୍ଟିରୁ । ରାଜାନୁଗତ ଧର୍ମ ଭଳି ଏହାର ପ୍ରଭାବ ପଡ଼ିଥିଲା ତଳେ ଅନ୍ୟମାନଙ୍କ ଉପରେ । ଅନ୍ୟମାନେ ତାଙ୍କ ପରିସର ଭିତରେ ସେଇ ଦୃଷ୍ଟିରୁ ବିବାହ କରୁଥିଲେ । ପୁଣି ଆମର ଏଠି ଜାତି ଧର୍ମ ବର୍ଣ୍ଣ ଆଦି ଆଉରି ପ୍ରତିବନ୍ଧକ । ତେଣୁ ଆମ ସମାଜରେ ପ୍ରେମ ବିବାହ ଏକ ବିରାଟ ସାମାଜିକ ପଦକ୍ଷେପ । ବିବାହ ଦ୍ୱାରା ନାରୀକୁ ବ୍ୟବହାର କରି ଯେଉଁମାନେ ରାଜ୍ୟ, ଧନ ସମ୍ପତ୍ତି ଲାଭ କରୁଥିଲେ, ପ୍ରେମର ବିବାହ ତାକୁ ଧ୍ୱଂସ କଲା । ଜାତି, ଧର୍ମ, ବର୍ଣ୍ଣ, ଆଦି କୁସଂସ୍କାରମୂଳରେ କୁଠାରଘାତ କଲା । ଏହା କେବଳ ନୂତନ ନୈତିକତା ନୁହେଁ, ଏକ ନୂତନ ସାମାଜିକ ବିପ୍ଳବ ।

 

ପ୍ରେମର ବିବାହ ରାଜରାଜୁଡ଼ା ସାମନ୍ତବାଦୀ ଦୃଷ୍ଟିକୋଣର ବିରୋଧା କିନ୍ତୁ ତା’ର ପ୍ରଥମ ଆବିର୍ଭାବ ଘଟିଛି ସେଇ ସାମନ୍ତବାଦ ଅମଳରେ (ଠିକ୍ ଯେପରି ପୁଞ୍ଜିବାଦ ଜନ୍ମ ନେଇଛି ସାମନ୍ତବାଦର କ୍ରୋଡ଼ରେ) । କିନ୍ତୁ ତା ପ୍ରସାର ଓ ବିକାଶ ଲାଭ କରିଛି ପୁଞ୍ଜିବାଦ ଅମଳରେ, ଗଣତନ୍ତ୍ରର ଯୁଗରେ । କାରଣ ତା ଘୋଷଣା କଲା ସାମ୍ୟ, ମୁକ୍ତି, ମୈତ୍ରୀର ଆଦର୍ଶ–ପ୍ରତିଷ୍ଠା କଲା ବ୍ୟକ୍ତି ସ୍ୱାଧୀନତା । ପ୍ରଚାର କଲା ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଆଇନ ସମ୍ମୁଖରେ ସମସ୍ତେ ସମାନ । ଚଲାଇଲା ଅବାଧ ବାଣିଜ୍ୟ, ଆଣିଦେଲା ନିଜ ଇଚ୍ଛା ଅନୁସାରେ ଯାତାୟାତ, ବସବାସ ଓ ବିଭିନ୍ନ ପ୍ରକାର ବୃତ୍ତି ବ୍ୟବସାୟ କରିବାର ପୂର୍ଣ୍ଣ ଅଧିକାର, ଆଉ ଅବାଧରେ ଧନସମ୍ପଦ ଆହରଣ କରିବାର ସ୍ୱାଧୀନତା । ମଣିଷ ନିଜର ବିବେକ ବିରୁଦ୍ଧରେ କୌଣସି କାମ କରିବାକୁ ବାଧ୍ୟ ନୁହେଁ, ଏହାହିଁ ହେଲା ଘୋଷିତ ନୀତି । ଏବେ ମଣିଷ ତାର ଇଚ୍ଛା ଅନୁଯାୟୀ ଦେଶେ ଦେଶେ ବିକାକିଣା କରିପାରେ, ସେଥିଲାଗି ନିଜେ ଖୁସି ଅନୁସାରେ ନିଜ ନିଜ ଭିତରେ ଚୁକ୍ତିବଦ୍ଧ ବା ରାଜିନାମା ହୋଇପାରେ । ତାକୁ କେହି ବାଧାଦେଇ ପାରିବ ନାହିଁ । ସେ ସବୁ ବିଷୟରେ ପୂରା ସ୍ୱାଧୀନ । ତେଣୁ ମଣିଷ ନିଜ ଖୁସି ଅନୁଯାୟୀ ଅନ୍ୟକୁ ଭଲ ପାଇ ପ୍ରେମଲାଗି ବିବାହ କରିପାରେ । ସେଥିରେ ଦୁଇଜଣ ସାରାଜୀବନ ଲାଗି ଚୁକ୍ତିବଦ୍ଧ ହୁଅନ୍ତି । ପରସ୍ପରକୁ ନିଜର ଜୀବନ ଅର୍ପଣ କରିବା ଲାଗି ରାଜି ହୁଅନ୍ତି । ଏହା ସାଧାରଣ ପୁଞ୍ଜିବାଦୀ ସମାଜର ଟଙ୍କା ପଇସାର ଚୁକ୍ତିଠାରୁ ଅଧିକ ମହତ୍, ଅଧିକ ପବିତ୍ର । ଗଣତନ୍ତ୍ର ପକ୍ଷରେ ଏହାକୁ ଅସ୍ୱୀକାର କରିବା ଅସମ୍ଭବ । କାରଣ, ଏହା ଅବାଧ ବାଣିଜ୍ୟରେ ସ୍ୱାଧୀନ ବିକ୍ରି ଖର୍ଦ୍ଦି ଭଳି ଦୁଇପକ୍ଷର ସ୍ୱାଧୀନ ଇଚ୍ଛା ଉପରେ ପ୍ରତିଷ୍ଠିତ । ତେଣୁ ଅବାଧ ବାଣିଜ୍ୟ ବ୍ୟବସାୟ ଓ ରାଜିନାମା ଭଳି ସ୍ୱୀକୃତି ଲାଭ କଲା । ଯାହା ଦିନେ ପାପ ବ୍ୟଭିଚାର ଥିଲା, ତାହା ଏବେ ପବିତ୍ର ହୋଇଉଠିଲା । ଯେଉଁ ବିବାହ ପ୍ରେମ ଉପରେ ପ୍ରତିଷ୍ଠିତ ନୁହେଁ, ତା ହେବ ଅନୈତିକ, ପାପଚାର ।

 

ଏହାଦ୍ୱାରା ପ୍ରମାଣିତ ହେଲା ପାପ ଓ ନୈତିକତା ଅପରିବର୍ତ୍ତନୀୟ ନୁହେଁ । ତା ସବୁ ଯୁଗରେ ସମାନ ନୁହେଁ । ସମୟ ଅନୁଯାୟୀ ତାର ପରିବର୍ତ୍ତନ ଘଟୁଛି । ତେଣୁ ଭବିଷ୍ୟତରେ ମଧ୍ୟ ପୁଣି ପରିବର୍ତ୍ତନ ଘଟିବା ସୁନିଶ୍ଚିତ । ଏଥିପୂର୍ବରୁ ସାମନ୍ତବାଦ ଅମଳରେ ପ୍ରେମ ଲାଗି ବିବାହ ଥିଲା କଳ୍ପନାତୀତ । ଏବେ ପ୍ରେମ ବିନା ଅନ୍ୟ କୌଣସି ବିଷୟ ପାଇଁ ବିବାହ ଅନୈତିକ ।

 

ପ୍ରେମ ବିବାହର ଭିତ୍ତି ହେବା ଉଚିତ–ଯାହା ଆଗେ ନ ଥିଲା, ଏବେ ପୁଞ୍ଜିବାଦୀ ସମାଜ ତାକୁ ସ୍ୱୀକାର କଲା, କିନ୍ତୁ ପୁଞ୍ଜିବାଦର ଗଣତନ୍ତ୍ର ଯେପରି ପ୍ରତାରଣାପୂର୍ଣ୍ଣ, ଏ ପ୍ରେମ ବିବାହର ସ୍ୱୀକୃତି ମଧ୍ୟ ସେଇପରି ଏକ ପ୍ରବଞ୍ଚନା ମାତ୍ର । କାରଣ, ଗଣତନ୍ତ୍ର ନାମରେ ଚାଲେ ମୁଷ୍ଟିମେୟ ପୁଞ୍ଜିପତିଙ୍କ ରାଜୁତି; ସାମ୍ୟର ଆବରଣ ତଳେ ବୃଦ୍ଧିପାଏ ଧନୀ ଦରିଦ୍ର ମଧ୍ୟରେ ଅସମତାର ସମୁଦ୍ର-। ମୈତ୍ରୀର ନାମରେ ଛୁଟେ ଜଘନ୍ୟ ହିଂସା, ଦମନ, ଅତ୍ୟାଚାରର ସ୍ରୋତ, ଆଉ ସ୍ୱାଧୀନତାର ଧ୍ୱଜାତଳେ ପ୍ରସାରିତ ହୁଏ ଧନିକ ଶ୍ରେଣୀର ଶୋଷଣ–ସମଗ୍ର ସମାଜର ଦାସତ୍ୱ । କାରଣ ଧନର ଅଧିକାରୀ ଓ ପୁଞ୍ଜିର ମାଲିକ ହୁଏ ସମସ୍ତ ସମାଜର ମାଲିକ, ସମସ୍ତ ସମାଜ ହୁଏ ପୁଞ୍ଜିର ଦାସ-। ପୁଞ୍ଜି ସମସ୍ତ ଜିନିଷକୁ କିଣାବିକାର ସାମଗ୍ରୀ–ପଣ୍ୟରେ ପରିଣତ କରେ । ସେଥିରେ ପ୍ରେମ ବି ହୁଏ ପୁଞ୍ଜିର ଦାସ । ପ୍ରେମକୁ ମଧ୍ୟ ତାହା ପଣ୍ୟରେ ପରିଣତ କରିଦିଏ । ସେଥିରେ ନାରୀ କେବଳ ପଣ୍ୟଭାବେ ନିଜ ଦେହର ବ୍ୟବହାର କରେ ନାହିଁ–ପାପ, ବ୍ୟଭିଚାର ବୃଦ୍ଧି ପାଏ ନାହିଁ, ଏପରିକି ସାଧାରଣ ପ୍ରେମ ହୁଏ ବିକାକିଣାର ସାମଗ୍ରୀ । ବିବାହର ବିଚାର ହୁଏ ଧନର ମାପକାଠିରେ-। ମଣିଷ ପ୍ରେମ କରେ ମଣିଷ ବଦଳରେ ପୁଞ୍ଜିକୁ । ଆଉ ସ୍ତ୍ରୀର ପ୍ରେମ ପ୍ରକାଶ ପାଏ । ସ୍ୱାମୀର ପୁଞ୍ଜି ଭିତରେ ଆଉ ସ୍ୱାମୀ ବିବାହ କରେ ସ୍ତ୍ରୀର ଯାନିଯୌତୁକ ଓ ସମ୍ପତ୍ତିକୁ-

 

ସମାଜରେ ପୁଞ୍ଜିର ଆଧିପତ୍ୟ ପ୍ରେମର ପ୍ରତିଷ୍ଠାକୁ ବାଧା ଦିଏ । ପ୍ରେମର ବିବାହ ଦିଗରେ ସାମାଜିକ ଓ ଅର୍ଥନୈତିକ ପ୍ରତିବନ୍ଧକ ସୃଷ୍ଟି କରେ । ପ୍ରେମ କେବଳ ସମାନ ମଣିଷଙ୍କ ଭିତରେ ସମ୍ଭବ । କିନ୍ତୁ ପୁଞ୍ଜିବାଦ ଅମଳରେ ମଣିଷ ସମାନ ନୁହେଁ । କେବଳ ଧନୀ ଦରିଦ୍ର ନୁହନ୍ତି, ସ୍ତ୍ରୀ ମଧ୍ୟ ପୁରୁଷ ସହିତ ସମାନ ନୁହେଁ । ସ୍ତ୍ରୀ ଅର୍ଥନୈତିକ, ସାମାଜିକ, ରାଜନୈତିକ କ୍ଷେତ୍ରରେ ପୁରୁଷର ସମାନ ନ ହେଲା ଯାଏ ପ୍ରକୃତ ପ୍ରେମ ସମ୍ଭବ ନୁହେଁ । ବିବାହ ଦ୍ୱାରା ସେମାନେ ହୁଅନ୍ତି ପୁରୁଷର ଦାସ । ଯୁକ୍ତି ହୁଏ ମାତୃତ୍ୱର ସର୍ବଶ୍ରେଷ୍ଠ କର୍ତ୍ତବ୍ୟ ପାଳନ କରିବାକୁ ହେଲେ ଏ ଦାସତ୍ୱ ବରଣ ସେମାନଙ୍କ ପକ୍ଷରେ ଅବଶ୍ୟମ୍ଭାବୀ ।

 

କାରଣ, କେବଳ ପ୍ରେମର ସ୍ୱୀକୃତି ଘୋଷଣା କରିଦେଲେ ପ୍ରେମର ପ୍ରତିଷ୍ଠା ହୁଏ ନାହିଁ । ସେଥିଲାଗି ଆବଶ୍ୟକ ବ୍ୟବସ୍ଥା ଥିବା ଦରକାର । କୌଣସି ସ୍ତ୍ରୀକୁ ତାର ଇଚ୍ଛା ବିରୁଦ୍ଧରେ ବିବାହ ଦିଆଯାଇ ପାରିବ ନାହିଁ, ଏପରି ଆଇନ କରାଯାଇପାରେ । ପ୍ରଥମତଃ ସେ ଆଇନର ସୁଯୋଗ ନେବାଲାଗି ସ୍ତ୍ରୀଲୋକର ଶକ୍ତି ଓ ସମ୍ୱଳ ଥିବା ଦରକାର । ହେଲେ ମଧ୍ୟ ତଦ୍ଦ୍ୱାରା ପ୍ରେମ ପ୍ରସ୍ଫୁଟନ ସମ୍ଭବ ନୁହେଁ, ତା ଦ୍ୱାରା ପ୍ରେମ ଉପରେ ପ୍ରତିଷ୍ଠିତ ବିବାହ ସମ୍ଭବ ହେବ ନାହିଁ । କୌଣସି ଆଇନ ସ୍ତ୍ରୀଲୋକଙ୍କୁ କେବଳ ପୂର୍ଣ୍ଣ ସ୍ୱାଧୀନତା ଦେବାକୁ ହେବ ନାହିଁ, ପୁରୁଷ ସହିତ ରାଜନୈତିକ, ଅର୍ଥନୈତିକ, ସାମାଜିକ ସକଳ କ୍ଷେତ୍ରରେ ନାରୀମାନଙ୍କୁ ସମାନ ଆସନ ଦେବାକୁ ହେବ । ଏହା ପୁଞ୍ଜିବାଦୀ ସମାଜରେ ସମ୍ଭବ ନୁହେଁ । କାରଣ, ଯାହା ପୁରୁଷକୁ ପୁରୁଷ ସହିତ, ମଣିଷକୁ ମଣିଷ ସହିତ ସମାନ କରେ ନାହିଁ, ତା ପୁଣି ସ୍ତ୍ରୀକୁ ପୁରୁଷଙ୍କ ସହିତ ସମାନ କରିବ କିପରି ?

 

ଅନେକେ କହନ୍ତି, ସ୍ତ୍ରୀ ପୁରୁଷ ସହିତ ଶରୀରତତ୍ତ୍ୱ ଦିଗରୁ ସମାନ ନୁହନ୍ତି । ସ୍ତ୍ରୀ ପୁରୁଷର ତଳେ, ତା’ଠାରୁ ନିକୃଷ୍ଟ । ପ୍ରକୃତରେ କିନ୍ତୁ ନାରୀ ପୁରୁଷଠାରୁ ଉତ୍କୃଷ୍ଟ, ତା’ର ଅତି ଉଚ୍ଚରେ । ଜଗତର ସର୍ବଶ୍ରେଷ୍ଠ କର୍ତ୍ତବ୍ୟ ପାଳନ କରେ ନାରୀ । ସେଇ ହିଁ ନୂତନ ଜୀବନକୁ ଜନ୍ମ ଦିଏ । ମାନବ ପରିବାରର ବଂଶରକ୍ଷା କେବଳ ନାରୀ ଦ୍ୱାରାହିଁ ସମ୍ଭବ । ଯିଏ ମାନବ ସମାଜର ସର୍ବଶ୍ରେଷ୍ଠ କର୍ତ୍ତବ୍ୟ ପାଳନ କରେ, ସେ ଭୋଗେ ମାତୃତ୍ୱର ସୁକଠୋର ଦଣ୍ଡ । ତା’ରି ଉପରେ ପଡ଼େ ସନ୍ତାନର ଲାଳନ-ପାଳନର ଭାର । ସେଥିଲାଗି ସେ କେବଳ ନିଜର ଶରୀର ଓ ସୁଖଶାନ୍ତିକୁ କ୍ଷୁଣ୍ଣ କରେ ନାହିଁ, ପାରିବାରିକ ଦାସତ୍ୱ ମଧ୍ୟ ବରଣ କରେ, ଯେଉଁଥିରୁ କି ପୁରୁଷ ମୁକ୍ତ । ତେଣୁ ଶିକ୍ଷା, ସଂସ୍କୃତି, ଚାକିରିବାକିରି ଆଦି ଅର୍ଥନୈତିକ, ସାମାଜିକ କ୍ଷେତ୍ରରେ ନାରୀ ପୁରୁଷ ସହିତ କେବଳ ସମକକ୍ଷ ହେଲେ ହେବ ନାହିଁ, ଏଇ ନୂତନ ଜୀବନର ଲାଳନପାଳନ ଲାଗି ତାକୁ ଉପଯୁକ୍ତ ଶାନ୍ତି ସୁଖ ଓ ସମ୍ମାନ ମିଳିବା ଦରକାର । ସମାଜ ସେ ଦିଗରେ ତା’ର ଏ ଦାୟିତ୍ୱ ତୁଲାଇବା ଉଚିତ । ଯେ ପର୍ଯ୍ୟନ୍ତ ନାରୀର ଏ ସକଳ ପ୍ରକାର ଦାସତ୍ୱର ଅବସାନ ନ ଘଟିଛି, ପୁରୁଷ ସହିତ ତା’ର ସମତା ଆସି ନାହିଁ, ସେ ପର୍ଯ୍ୟନ୍ତ ପ୍ରେମର ସ୍ୱୀକୃତି ଏକ ପ୍ରହସନ ମାତ୍ର ।

Image

 

ପାପାଚାର ବିରୁଦ୍ଧରେ ଅଭିଯାନ

 

ଅତଏବ ନାରୀ ଯେତେବେଳେ ପୁରୁଷଠାରୁ ଶ୍ରେଷ୍ଠ, ତା’ଠାରୁ ଉଚ୍ଚରେ ଅଥଚ ତା’ର ଅଧୀନସ୍ଥ, ତା’ର ଦାସତ୍ୱ ପଙ୍କରେ ନିମଗ୍ନ-ସେତେବେଳେ ସାମାଜିକ ନୈତିକତାର ପୁନର୍ଗଠନ ସେଇଠାରୁ ଆରମ୍ଭ ହେବା ଉଚିତ । ତେଣୁ ସୋଭିଏତ ଦେଶର ସେଇ ପୁନର୍ଗଠନ ଆରମ୍ଭ ହୋଇଛି ନାରୀଠାରୁ, ପୁରୁଷଠାରୁ ନୁହେଁ । ହେଲେ ମଧ୍ୟ ସୋଭିଏତ ତାହାକୁ ନାରୀର ମୁକ୍ତି, ସ୍ୱାଧୀନତା ବୋଲି ଡିଣ୍ଡିମ ପିଟିନାହିଁ । କାରଣ ସେ ଦେଖିଛି ସମସ୍ତ ସମାଜକୁ, କେବଳ ନାରୀକୁ ନୁହେଁ, ସେ କରିଛି ସମାଜର ପୁନର୍ଗଠନ । ଉଚ୍ଚ ନୈତିକତା ଦୃଷ୍ଟିରୁ ଦେଖିଲେ ଯଦି ପ୍ରେମ ହେଲା ନୈତିକତାର ନିର୍ଦ୍ଧାରକ, ତେବେ ଯେଉଁଠି ପ୍ରେମ ନାହିଁ, ସେଠାରେ ଯୌନସମ୍ପର୍କ ଯେ କୌଣସି ବିବାହ ବ୍ୟବସ୍ଥା ମଧ୍ୟରେ ଅନୈତିକ ଓ ବ୍ୟଭିଚାର । ତେଣୁ ସ୍ତ୍ରୀପୁରୁଷ ମଧ୍ୟରେ ସେଇ ପ୍ରେମର ପ୍ରତିଷ୍ଠା ହୋଇଛି ସେ ସମାଜର ଏକ ପ୍ରଧାନ ଲକ୍ଷ୍ୟ–ପ୍ରେମ ହିଁ ପାପର ପ୍ରତିଷେଧ ।

 

ପାପ ଅନୈତିକତା ଲୋପ କରିବା ଦିଗରେ ପ୍ରଥମ ବିଷୟ ହେଲା ତାର ସଠିକ କାରଣ ନିର୍ଦ୍ଧାରଣ । ଏ ସମ୍ପର୍କରେ ନାରୀମାନଙ୍କଠାରୁ ଯେଉଁ ଉତ୍ତର ପାଇଲେ ତାର ସାରକଥା–ମୂଳ କାରଣ ହେଲା ଦାରିଦ୍ର୍ୟ, ଅଭାବେ ସ୍ୱଭାବ ନଷ୍ଟ । ଆଜି ଆମ ସମାଜରେ ମଧ୍ୟ ଅନେକେ ଏହାକୁ ମାନି ନିଅନ୍ତି । କିନ୍ତୁ ସମାଜରେ ତ ଅଧିକାଂଶ ସ୍ତ୍ରୀଲୋକ ଅଭାବଗ୍ରସ୍ତ, ଦରିଦ୍ର, ସେମାନେ ତ ସ୍ୱଭାବ ନଷ୍ଟ କରନ୍ତି ନାହିଁ, ନିଜ ଦେହ ବିକ୍ରୟ କରନ୍ତି ନାହିଁ । ଦରିଦ୍ର ହେଲେ ବି ସମ୍ମାନାସ୍ପଦ ଜୀବନଯାପନ କରନ୍ତି । ସେମାନଙ୍କ ମଧ୍ୟରୁ ଅଳ୍ପ କେତେକେ ସେ ପନ୍ଥା ଗ୍ରହଣ କରିବାକୁ ଯା’ନ୍ତି କାହିଁକି ? ଏହାର ଉତ୍ତର ମଧ୍ୟ ଦେଇଛନ୍ତି ରୁଷର ସେଇ ସ୍ତ୍ରୀଲୋକେ । ସେମାନଙ୍କ ଉତ୍ତରର ସାର ଅର୍ଥ ହେଲା–ସ୍ୱଇଚ୍ଛାରେ କେହି ନିଜ ଦେହ ବିକିବାକୁ ଯାଏ ନାହିଁ, ତାକୁ ଏକ ବ୍ୟବସାୟ ବା ଅର୍ଥ ଉପାର୍ଜନର ଉପାୟଭାବେ ଗ୍ରହଣ କରିନାହିଁ । ଯେଉଁମାନେ ତା କରିଛନ୍ତି, ସେମାନେ ଅନ୍ୟ ଦ୍ୱାରା ପ୍ରଲୋଭିତ, ପ୍ରତାରିତ ବା ପରିଚାଳିତ ହୋଇ ପ୍ରଥମେ ତା କରିଛନ୍ତି । ସେହିମାନଙ୍କ ଦ୍ୱାରା ପାପାଳୟକୁ ଗମନ କରିବାକୁ ବାଧ୍ୟ ହୋଇଛନ୍ତି । ଅତଏବ ସେଇ ମଧ୍ୟସ୍ଥ ଲୋକେ ହେଉଛନ୍ତି ପାପ ବ୍ୟଭିଚାରର ପ୍ରଧାନ କର୍ତ୍ତା । ସେମାନେ ନ ଥିଲେ, ଅଭାବଗ୍ରସ୍ତ ହେଲେ ବା ଘୋର ଦୁଃଖଦାରିଦ୍ର୍ୟ ମଧ୍ୟରେ ସଢ଼ିଲେ ବି କୌଣସି ସ୍ତ୍ରୀଲୋକ ପାପାଳୟକୁ ଯାଆନ୍ତା ନାହିଁ । ଏଇ ହେଲା ଶେଷ ନିର୍ଦ୍ଧାରଣ ।

 

ସେଇ ଦଲାଲ ବା ମଧ୍ୟସ୍ଥିମାନଙ୍କର ତା ହେଉଛି ଏକ ବ୍ୟବସାୟ । ସେମାନେ ଲାଭ ପାଇଁ ପାପାଳୟ ଖୋଲନ୍ତି । ସେଠାକୁ ନାନା ଉପାୟରେ ସ୍ତ୍ରୀଲୋକ ସଂଗ୍ରହ କରି ଆଣନ୍ତି, ତାଙ୍କର ଲାଭ ନିର୍ଭର କରେ ପାପ ବ୍ୟଭିଚାର ପ୍ରସାର ଉପରେ । ସେମାନେ ତାକୁ ଯେତିକି ବଢ଼ାଇ ପାରିବେ, ତାଙ୍କର ଲାଭର ମାତ୍ରା ସେତିକି ବଢ଼ିବ । ଏଇମାନେ ହେଲେ ପାପ ବ୍ୟଭିଚାରର ସକ୍ରିୟ ସଙ୍ଗଠକ ତେଣୁ ପାପ ବ୍ୟଭିଚାରକୁ ଲୋପ କରିବାକୁ ହେଲେ ଆଗ ପାପର ଏଇ ସଙ୍ଗଠକମାନଙ୍କୁ ଲୋପ କରିବାକୁ ହେବ ।

 

ଏ ପାପ ବ୍ୟବସାୟୀଙ୍କ ଲାଭରେ, ସେଇ ହତଭାଗିନୀ ସ୍ତ୍ରୀଲୋକଙ୍କର କୌଣସି ଭାଗ ନ ଥାଏ । ସେମାନେ ଅତି ଦୁଃସ୍ଥ, ଚରମ ଦୁଃଖ ନୈରାଶ୍ୟର ଜୀବନଯାପନ କରନ୍ତି । ବହୁ ସ୍ତ୍ରୀଲୋକ ପ୍ରକାଶ କରିଥିଲେ ଯେ ସେମାନେ ତା ଜାଣିଲା ପୂର୍ବରୁ ପାପପଥରେ ଗୋଡ଼ଦେଇ ସାରିଥିଲେ । ଅନେକ କ୍ଷେତ୍ରରେ ବଳପୂର୍ବକ ତାଙ୍କୁ ମଧ୍ୟ ସେଠାକୁ ଟାଣି ନିଆଯାଇଛି । ଅଳ୍ପ କେତେକ କହିଥିଲେ, ସେମାନେ ଲାଭ ଆଶାରେ ସେଥିରେ ପ୍ରବେଶ କରିଛନ୍ତି । ତେବେ ଅଧିକାଂଶଙ୍କ ବକ୍ତବ୍ୟ ହେଲା ସେମାନେ ଭୋକ ଉପାସରେ, ଅତି ଅସହ୍ୟ ଦିକଦାରିଆ ଜୀବନ ତାଙ୍କର; ସେ ଜୀବନରେ ଆମୋଦ ପ୍ରମୋଦ ବୋଲି କିଛି ନାହିଁ । ଭାଗ୍ୟରେ ନିଷ୍ଠୁର ଯନ୍ତ୍ରଣା ହିଁ ତାଙ୍କୁ ପଦେ ପଦେ ଆଘାତ କରୁଥିଲା । ଏଥିରୁ ଗୋଟିଏ କଥା ପ୍ରକାଶ ପାଏ–ଅର୍ଥନୈତିକ ଦୁରବସ୍ଥା, ଦୁଃସ୍ଥ ଦାରିଦ୍ର୍ୟ ମଧ୍ୟରେ ଜନ୍ମ ନେଇଛି ଏଇ ସାମାଜିକ କଳଙ୍କ ।

 

ତା ସଙ୍ଗେ ସଙ୍ଗେ ଅନେକ କହିଲେ କାମ କରି ଉପାର୍ଜନ କରିବାର ସୁଯୋଗ ମିଳିଲେ, ସେମାନେ ଗଣିକା ବୃତ୍ତି ଛାଡ଼ିଦେବେ । ଆଉ କେତେକ ପ୍ରକାଶ କଲେ, ତାଙ୍କର ପିଲାମାନେ ବଡ଼ ହେଲା ପୂର୍ବରୁ ସେମାନେ ସେ ଲଜ୍ଜା ଅପମାନ ଜନକ ମାର୍ଗରୁ ଫେରି ଆସିବାକୁ ଚାହାନ୍ତି । ଅଧିକାଂଶଙ୍କ ଉତ୍ତର ହେଲା, ସେମାନେ ସମାଜରେ ପୁନଃପ୍ରତିଷ୍ଠିତ ହେବାକୁ ଇଚ୍ଛୁକ । ଆଉ ମଧ୍ୟ ଜଣାଗଲା ଯେ କେତେକ, ଅଛନ୍ତି ଯେଉଁମାନେ କି ଅତ୍ୟଧିକ ଯୌନ ପ୍ରବୃତ୍ତି ଯୋଗୁ ଏ ପାପାଚାରର ଆଶ୍ରୟ ନିଅନ୍ତି । ଅବଶ୍ୟ ଏପରି ସ୍ତ୍ରୀଲୋକ ସଂଖ୍ୟାରେ ଅତି ଅଳ୍ପ । ତେବେ ସାଧାରଣ ସ୍ତ୍ରୀଲୋକଙ୍କ ମତ ହେଲା, ସେଥିରେ ଆନନ୍ଦ ବା ସନ୍ତୋଷ ନ ଥାଏ ।

 

ବାସ୍ତବିକ ଏ ଅତ୍ୟଧିକ ଯୌନ ପ୍ରବୃତ୍ତି କ’ଣ ? ଏପରି ସ୍ତ୍ରୀଲୋକେ କ’ଣ ସାଧାରଣ ସ୍ତ୍ରୀଲୋକଙ୍କଠାରୁ ଫରକ । ଏ ବିଷୟରେ ଗବେଷଣା ହେଲା । ସେମାନଙ୍କର ଅଭିଜ୍ଞତାକୁ ବିଶ୍ଳେଷଣ କରାଗଲା । ବୁଝାଗଲା ଯେ ଅଧିକାଂଶ ଗଣିକା ହେଉଛନ୍ତି ସବୁ ସ୍ତ୍ରୀଲୋକଙ୍କ ଭଳି ସାଧାରଣ ସ୍ତ୍ରୀଲୋକ । ତାଙ୍କର ମାନସିକ ଅସ୍ଥିରତା ବା ଅସ୍ୱାଭାବିକତା ଅନ୍ୟମାନଙ୍କର ଅସ୍ଥିରତାଠାରୁ କିଛି ଅଧିକ ନୁହେଁ । ତାଙ୍କଠି କୌଣସି ଶାରୀରିକ, ମାନସିକ ବିକୃତି ବା ବିଶେଷତ୍ୱ ନାହିଁ । ଦୀର୍ଘ ଦିନର ଅର୍ଥନୈତିକ ଦୁଃଖକଷ୍ଟ ଫଳରେ ହିଁ ସେମାନେ ଭାଙ୍ଗି ପଡ଼ିଛନ୍ତି ଆଉ ପ୍ରାଣରକ୍ଷା ଲାଗି ଆଶ୍ରୟ କରିଛନ୍ତି ସେଇ ପାପ ବ୍ୟଭିଚାରକୁ । ଏ ସମସ୍ତ ଉତ୍ତର ଆଲୋଚନାରୁ ସେମାନଙ୍କ ମନୋଭାବ ସ୍ପଷ୍ଟ ପ୍ରକାଶ ପାଇଲା–ଯଦି ସମ୍ମାନଜନକ କାମ ଯୋଗାଇ ଦିଆହୁଏ, ସେମାନଙ୍କୁ ନିରପତ୍ତା ମିଳେ, ତେବେ ସେମାନେ ଆପଣାକୁ ନିଶ୍ଚୟ ଗଢ଼ିନେବେ, ପୁନର୍ବାର ଆପଣାକୁ ସମ୍ମାନିତ କରି ସୁପ୍ରତିଷ୍ଠିତ କରିବେ ସମାଜରେ ।

 

ସାଧାରଣତଃ ଚିରାଚରିତ ଦୃଷ୍ଟିକୋଣ ହେଲା, ପାପ ବ୍ୟଭିଚାର ଲାଗି ସ୍ତ୍ରୀଲୋକ ହିଁ ଦାୟୀ ଆଉ ସେମାନଙ୍କର ପ୍ରକୃତିର ପରିବର୍ତ୍ତନ ନାହିଁ । ଏବେ ସେଇମାନଙ୍କ ଉତ୍ତର ଆଲୋଚନାରୁ ପ୍ରମାଣିତ ହେଲା–ପ୍ରକୃତ କଥା ତା ନୁହେଁ । ଏ ସାମାଜିକ କଳଙ୍କ ପ୍ରକୃତରେ ଦାରିଦ୍ର୍ୟ ଉପରେ ପ୍ରତିଷ୍ଠିତ ଆଉ ସେଇ ଦାରିଦ୍ର୍ୟର ସୁଯୋଗ ନେଇ ଯେଉଁମାନେ ଲାଭ ଉଠାଇଛନ୍ତି, ସେଇମାନେ ହିଁ ପ୍ରକୃତରେ ସାମାଜିକ ପାପ ବ୍ୟଭିଚାର ଲାଗି ଦାୟୀ, ସେ ଲୋକେ ପାପ ବ୍ୟବସାୟୀ ଦଳ–ଗୁଣ୍ଡା, ଦଲାଲ, ହୋଟେଲବାଲା ଓ ମଦ ବ୍ୟବସାୟୀ....ଇତ୍ୟାଦି । ସେଇ ସ୍ତ୍ରୀଲୋକମାନଙ୍କର ପ୍ରକୃତି ଅପରିବର୍ତ୍ତନୀୟ ନୁହେଁ, ତାକୁ ବଦଳାଇ ହେବ, କାରଣ ସେମାନେ ନିଜେ ବଦଳିବାକୁ ପ୍ରସ୍ତୁତ । ସେଥିଲାଗି ଉପଯୁକ୍ତ ସୁବିଧା ସାହାଯ୍ୟ ଓ ସୁଯୋଗ ଦରକାର ।

 

ଏବେ ଆରମ୍ଭ ହେଲା ସୋଭିଏତର ବେଶ୍ୟା ପ୍ରଥା ବିରୁଦ୍ଧରେ ଅଭିଯାନ । ୧୯୨୫ରେ ପ୍ରକାଶ ପାଇଲା ‘‘ଗଣିକାପ୍ରଥା ବିରୁଦ୍ଧରେ ସଂଗ୍ରାମ’’ ନାମକ ଏକ ନିର୍ଦ୍ଦେଶନାମା । ତାର ଜରୁରୀ ବ୍ୟବସ୍ଥାଗୁଡ଼ିକ ହେଲା :

 

୧)

କାମ କରୁଥିବା ସ୍ତ୍ରୀଲୋକମାନଙ୍କୁ କୌଣସି କ୍ଷେତ୍ରରେ କାର୍ଯ୍ୟରୁ ଛଟେଇ କରାଯିବ ନାହିଁ । ଗର୍ଭବତୀ ନାରୀ ବା ଯାହାଙ୍କର ସାନ ସାନ ପିଲା ଅଛନ୍ତି, ଯୁବତୀ ସ୍ତ୍ରୀ, ଯିଏ ନିଜ ଘରେ ନାହିଁ, ଆର୍ମନିର୍ଭରଶୀଳ ଅବିବାହିତ ସ୍ତ୍ରୀଲୋକ–ଏମାନଙ୍କୁ କସ୍ମିନ୍‍କାଳେ କାର୍ଯ୍ୟରୁ ଅନ୍ତର କରାଯାଇପାରିବ ନାହିଁ । ଏଥିପ୍ରତି ଟ୍ରେଡ଼୍ ୟୁନିଅନ ସାହାଯ୍ୟରେ ପୋଲିସ ବା ଶ୍ରମିକରକ୍ଷୀ ଦଳ କଠୋର ଦୃଷ୍ଟି ଦେବେ ।

 

 

୨)

ଆଞ୍ଚଳିକ ସରକାରଙ୍କୁ ନିର୍ଦ୍ଦେଶ ଦିଆଗଲା ଯେ ସେମାନେ ତୁରନ୍ତ କୋଅପରେଟିଭ କାରଖାନା ଓ କୃଷି ଫାର୍ମମାନ ପ୍ରତିଷ୍ଠା କରି ନିଃସ୍ୱ ଦରିଦ୍ର ସ୍ତ୍ରୀଲୋକମାନଙ୍କୁ କାମ ଯୋଗାନ୍ତୁ । କାରଣ, ସେତେବେଳେ ବେକାରୀ ସମସ୍ୟା ଅତି ପ୍ରବଳ । ସେଥିରେ ଆଗ ସ୍ତ୍ରୀଲୋକମାନଙ୍କୁ କାମ ଯୋଗାଇ ଆତ୍ମନିର୍ଭରଶୀଳ କରିବାକୁ ହେବ ।

 

 

୩)

ସ୍କୁଲ, ଶିକ୍ଷା, ଶିବିର, ତାଲିମକେନ୍ଦ୍ର ପ୍ରଭୃତି ଅନୁଷ୍ଠାନରେ ଯୋଗ ଲାଗି ସ୍ତ୍ରୀଲୋକଙ୍କୁ ଉତ୍ସାହିତ କରାଗଲା । କାମ ନ କରିବା, ବାହାରକୁ ନ ବାହାରିବା, ପରଦା ପ୍ରଥା ଇତ୍ୟାଦି ଯେତେ କୁସଂସ୍କାର ଥିଲା, ଟ୍ରେଡ଼୍ ୟୁନିୟନ ସବୁ ତା ବିରୁଦ୍ଧରେ ଆନ୍ଦୋଳନ କଲେ, ତାକୁ ଭାଙ୍ଗିବାରେ ଲାଗିପଡ଼ିଲେ ।

 

 

୪)

ଗୃହ ଯୋଗାଣ କର୍ତ୍ତୃପକ୍ଷଙ୍କୁ ଆଦେଶ ହେଲା, ଯେଉଁ ସ୍ତ୍ରୀଲୋକଙ୍କର ରହିବାକୁ ଜାଗା ନାହିଁ, ବାରମ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି, ଯେଉଁମାନେ ମଫସଲରୁ ସହରକୁ ଆସୁଛନ୍ତି, ସେମାନଙ୍କୁ ଆଗ ଗୃହ ଯୋଗାଯିବ; ସେଥିଲାଗି କୋଅପରେଟିଭ ବାସସ୍ଥଳ ପ୍ରତିଷ୍ଠା କରନ୍ତୁ ।

 

 

୫)

ଗୃହହୀନ ନିଃସହାୟ ବାଳକବାଳିକାମାନଙ୍କର ସୁରକ୍ଷା ଦିଗରେ ଥିବା ନିୟମଗୁଡ଼ିକ କଡ଼ାକଡ଼ି ପ୍ରୟୋଗ କରାଯିବ ।

 

ଉପରୋକ୍ତ ସରକାରୀ ନିର୍ଦ୍ଦେଶର ଉଦ୍ଦେଶ୍ୟ ବେଶ୍ ପରିଷ୍କାର । ଏହାର ଲକ୍ଷ୍ୟ ହେଲା, କୌଣସି ସ୍ତ୍ରୀଲୋକ ଯେପରି ଆର୍ଥିକ ଦୁର୍ଗତିରେ ନ ପଡ଼ନ୍ତି, ସେମାନଙ୍କର ଅବସ୍ଥାର ଉନ୍ନତି ଘଟେ । ମୋଟ ଉପରେ ପାପ ବ୍ୟଭିଚାରର ପ୍ରଧାନ ଭିତ୍ତି ନାରୀମାନଙ୍କର ଦରିଦ୍ରତା ଉପରେ ଆକ୍ରମଣ, ଗଣିକାପ୍ରଥାର ଅର୍ଥନୈତିକ ଭିତ୍ତିକୁ ଲୋପ କରିବା କ’ଣ ସହଜ ? ଯୁଗ ଯୁଗର କଳଙ୍କ କ’ଣ ଏତିକିରେ ଦୂର କରି ହେବ ? ତାହା ତ ସମାଜର ସ୍ତରେ ସ୍ତରେ ଭେଦି ଯାଇଛି । ଏ ତ ହେଲା ଗୋଟାଏ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା । ଯେଉଁମାନେ ଆଗରୁ ଗଣିକା ବୃତ୍ତିରେ ଲିପ୍ତ, ସେମାନଙ୍କୁ ସେଥିରୁ ଉଦ୍ଧାର କରିବାର ବ୍ୟବସ୍ଥା କ’ଣ ? ଏଇଠି ସୋଭିଏତର ଦୃଷ୍ଟିକୋଣ ଜାର୍ ଶାସନର ଦୃଷ୍ଟିକୋଣଠାରୁ ଫରକ । ଜାର୍ ଶାସନରେ ପାପ ବ୍ୟଭିଚାରର ଦମନ ନାମରେ ଚଢ଼ାଉ ହେଉଥିଲା ଗଣିକାମାନଙ୍କ ଉପରେ, ସେମାନେ ନାନାପ୍ରକାର ପୋଲିସ ଜୁଲୁମ ଅତ୍ୟାଚାରର ଶିକାର ହେଉଥିଲେ । ଆଉ ଯେଉଁ ଦଲାଲମାନେ ଏ ହତଭାଗ୍ୟ ସ୍ତ୍ରୀଲୋକଙ୍କୁ ସଂଗ୍ରହ କରୁଥିଲେ, ପାପାଳୟ ଖୋଲି ସେମାନଙ୍କୁ ସେଥିରେ ଲଗାଇ ଲାଭ ଉଠାଉଥିଲେ, ସେମାନେ ଭଦ୍ରଲୋକ ଭଳି ରହୁଥିଲେ । ପୋଲିସ ସେମାନଙ୍କୁ ସ୍ପର୍ଶ କରୁ ନ ଥିଲା । ଏବେ କଥାଟା ହେଲା ଠିକ୍ ଓଲଟା, ଜାର୍ ଅମଳରେ ପାପ ବ୍ୟଭିଚାରରେ ଲିପ୍ତ ସ୍ତ୍ରୀଲୋକଙ୍କ ବିରୁଦ୍ଧରେ ଥିବା ଦମନମୂଳକ ଆଇନ ସବୁ ଏବେ ଉଠାଇ ଦିଆଗଲା । ଫଳରେ ସେମାନଙ୍କ ଉପରେ ପୋଲିସ୍ ଅତ୍ୟାଚାରର ଅବସାନ ଘଟିଲା । ଅନ୍ୟ ଦିଗରେ, ଯେଉଁମାନେ ଏହି ପାପ ବ୍ୟଭିଚାରର ବ୍ୟବସ୍ଥାରୁ ଲାଭ ଉଠାଉଥିଲେ, ଏବେ ଆକ୍ରମଣ ଆରମ୍ଭ ହେଲା ସେହିମାନଙ୍କ ବିରୁଦ୍ଧରେ । ଏମାନେ ଦରିଦ୍ର ହତଭାଗ୍ୟ ସ୍ତ୍ରୀଲୋକଙ୍କ ପ୍ରତି ଯେଉଁପରି ଅତି ନିର୍ଦ୍ଦୟ ବ୍ୟବହାର କରନ୍ତି, ସେମାନଙ୍କ ପ୍ରତି ସେହିପରି ନିର୍ଦ୍ଦୟ ହେବାକୁ ହେବ । ଏହି ହେଲା ସ୍ଥାନୀୟ ଶାସକବର୍ଗଙ୍କ ପ୍ରତି ଉପରର ନିର୍ଦ୍ଦେଶ । ପୁଣି ଏ ଦିଗରେ ପୂର୍ବର ଫଉଜଦାରୀ ଆଇନକୁ ସଂଶୋଧନ କରାଗଲା, ଯେପରି ଆଇନର ଫାଙ୍କରେ କେହି ଖସି ନ ଯାଆନ୍ତି ଆଉ ଉକ୍ତ କାର୍ଯ୍ୟ ତ୍ୱରାନ୍ୱିତ ହେବ ଓ ଉଦ୍ଦେଶ୍ୟ ସଫଳ ହୋଇପାରିବ ।

 

ଏବେ ଉକ୍ତ ଆଇନର ୧୭୧ ଦଫାରେ କୁହାଗଲା–ଯଦି କୌଣସି ଲୋକ ନିଜର ବ୍ୟକ୍ତିଗତ ଲାଭ ବା ଅନ୍ୟ ଯେକୌଣସି କାରଣରୁ ଶାରୀରିକ ଓ ନୈତିକ ପ୍ରଭାବ ପକାଇ ବେଶ୍ୟା ବୃତ୍ତିକୁ ସାହାଯ୍ୟ କରେ, ତେବେ ପ୍ରଥମଥର ଅପରାଧ ଲାଗି ତାକୁ ସର୍ବନିମ୍ନ ୩ ବର୍ଷ ଜେଲଦଣ୍ଡ ଭୋଗିବାକୁ ହେବ । ପୁଣି ଗଣିକାପ୍ରଥାଦ୍ୱାରା ଯଦି କୌଣସି ଲୋକ ଲାଭ ଉଠାଉଥାଏ, ତେବେ ପ୍ରଥମଥର ଅପରାଧ ଲାଗି ସର୍ବନିମ୍ନ ୩ ବର୍ଷ ଜେଲ ଭୋଗିବ ଓ ତାର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ହେବ, ଯଦି କୌଣସି ଗଣିକା ଅପରାଧୀର ମାରଫତରେ ଥାଏ, କିମ୍ୱା ତାଦ୍ୱାରା ନିଯୁକ୍ତ ହୋଇଥାଏ କିମ୍ୱା ସେ ସ୍ତ୍ରୀଲୋକଙ୍କ ବୟସ ୨୧ ବର୍ଷରୁ କମ୍ ହୋଇଥାଏ, ତେବେ ଉକ୍ତ ଅପରାଧୀକୁ ସର୍ବନିମ୍ନ ଜେଲଦଣ୍ଡ ୫ ବର୍ଷ ହେବ । ମିଲିସିଆ ବା ପୋଲିସ ଏ ଅଭିଯାନରେ କିପରି କାର୍ଯ୍ୟ କରିବେ, ସେ ଦିଗରେ ମଧ୍ୟ ବିଶଦ ନିୟମ ତିଆରି ହେଲା ।

 

ଏବେ ମିଲିସିଆ ବା ପୋଲିସର କାର୍ଯ୍ୟ ହେଲା ପାପ ବ୍ୟଭିଚାରର ଆଡ଼୍ଡ଼ାସ୍ଥଳୀ ଉପରେ ଚଢ଼ାଉ କରିବା । ତାକୁ ଖୋଜାଖୋଜି ବାହାର କରିବା । ଯେଉଁମାନେ ପାପାଳୟ ଚଳାଉଛନ୍ତି ବା ସେଥିଲାଗି ଘରଭଡ଼ା ଲଗାଉଛନ୍ତି, ବା ସେଥିଲାଗି ସ୍ତ୍ରୀଲୋକ ଓ ଗ୍ରାହକ ସଂଗ୍ରହ କରୁଛନ୍ତି ବା ଏସବୁ କାର୍ଯ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସଂପୃକ୍ତ, ସେ ସବୁ ଲୋକଙ୍କୁ ସଙ୍ଗେ ସଙ୍ଗେ ଗିରଫ କରିବା । ଏଥିସହିତ ସଂପୃକ୍ତ ହୋଟେଲ, ରେସ୍ତୋରାଁ, ଆମୋଦପ୍ରମୋଦ ସ୍ଥଳୀ, ଆଉ ପାପାଳୟ ମାଲିକଗଣ ଗିରଫ ହେଲେ । ସେ ସବୁ ସ୍ଥଳ ବନ୍ଦ କରି ଦିଆଗଲା । ସେଥି ସଙ୍ଗେ ସଙ୍ଗେ ମିଲିସିଆ ବା ପୋଲିସକୁ ସରକାରଙ୍କର କଡ଼ା ନିର୍ଦ୍ଦେଶ ହେଲା ଯେ ସେମାନେ ବେଶ୍ୟା ବା ପାପ, ବ୍ୟଭିଚାରରେ ଲିପ୍ତ କୌଣସି ସ୍ତ୍ରୀଲୋକ ଦେହରେ ହାତ ଦେବେ ନାହିଁ–ସେମାନଙ୍କୁ ଗିରଫ କରିବେ ନାହିଁ, ସେମାନଙ୍କ ପ୍ରତି ଅପମାନସୂଚକ ବାକ୍ୟ ପ୍ରୟୋଗ କରିବେ ନାହିଁ, ସେମାନଙ୍କ ପ୍ରତି ସମ୍ମାନଜନକ ବ୍ୟବହାର ପ୍ରଦର୍ଶନ କରିବେ । ସେମାନଙ୍କର ନାମ ଓ ଠିକଣା ଆଦି ପ୍ରକାଶ କରିବେ ନାହିଁ । ତେବେ ଯେଉଁମାନେ ତାଙ୍କୁ ଶୋଷଣ କରନ୍ତି–ସେଇ ମାଲିକମାନଙ୍କ ବିରୁଦ୍ଧରେ ସେମାନଙ୍କୁ କଚେରୀକୁ ଡକାଯାଇପାରେ,-କେବଳ ସାକ୍ଷୀ ଭାବେ ।

 

ଏହା ଜଣାଇଦେଲା ଯେ ପାପ ବ୍ୟଭିଚାର ଲାଗି ସ୍ତ୍ରୀଲୋକ ଦାୟୀ ନୁହେଁ । ସେ ଏକ ବିଶେଷ ଅବସ୍ଥାରେ ପଡ଼ି ଘୃଣ୍ୟ ମୁନାଫାଖୋରଙ୍କ ସ୍ୱାର୍ଥର ଶୀକାର ହୁଏ । ପ୍ରକୃତରେ ଦୋଷୀ ହେଉଛନ୍ତି, ସେଇ ମୁନାଫାଖୋର ଦଳ । ପାପକୁ ଧ୍ୱଂସ କରିବା ଅର୍ଥ ପାପୀର ଧ୍ୱଂସ ନୁହେଁ । ଯାହା ପାପକୁ ଜନ୍ମଦିଏ ଓ ତାକୁ ପରିପୁଷ୍ଟ କରେ, ସେ ଅବସ୍ଥାକୁ ଧ୍ୱଂସ କରିବାକୁ ହେବ ।

 

ସୋଭିଏତ ସମାଜ ଛଡ଼ା ଅନ୍ୟଠାରେ ଏହା କଳ୍ପନାତୀତ । ଅନ୍ୟ ସବୁଠାରେ ଆକ୍ରମଣ ହୁଏ ଗଣିକାମାନଙ୍କ ଉପରେ–ସେଇ ଦୁଃସ୍ଥ ନିରାଶ୍ରୟ ହତଭାଗ୍ୟଙ୍କ ଉପରେ, ତାକୁ ବ୍ୟବହାର କରି ମୁନାଫା ମାରୁଥିବା ପାପର ବ୍ୟବସାୟୀଙ୍କ ଉପରେ ନୁହେଁ । କାରଣ ଲାଭ, ମୁନାଫା ପୁଞ୍ଜିବାଦୀ ସମାଜରେ ସର୍ବଶ୍ରେଷ୍ଠ ବସ୍ତୁ, ଅତୀବ ପବିତ୍ର–ତାକୁ ସ୍ପର୍ଶ କରାଯାଇ ନ ପାରେ ।

 

ସୋଭିଏତର ଉକ୍ତ ଅଭିଯାନ ଚାଲିଲା ଚାରିଆଡ଼େ । ତା’ ସଙ୍ଗରେ ଚାଲିଲେ ପାପଗୃହର ମାଲିକ, ପରିଚାଳକ, ଓ ସାହାଯ୍ୟକାରୀମାନେ କଚେରୀ ବାଟଦେଇ ଜେଲକୁ । ସେମାନଙ୍କ ଆଡ଼ୁ ଏବେ ପ୍ରତିବାଦର ସ୍ୱର ଉଠିଲା, ପୂର୍ବର ପୁରୁଣା ଲୋକ ରହିଛନ୍ତି–ପୁରୁଣା ମନ ଓ ଚିନ୍ତା ରହିଛି । ଅଭିଯୋଗ ହେଲା ଏ ସରକାର ଗଣିକାମାନଙ୍କୁ ପ୍ରଶ୍ରୟ ଦେଉଛି; ଅଥଚ ନିରୀହ ଲୋକଙ୍କୁ ଦଣ୍ଡ ଦେବାରେ ଲାଗିଛି । ଏ ଦିଗରେ ଧର୍ମ, ଆଇନ ପ୍ରଥା ପରମ୍ପରା ଆଦି ସମସ୍ତ କଳଙ୍କିତ ଅସ୍ତ୍ରର ପ୍ରୟୋଗ ହେଲା । ଚାଲିଲା ସରକାର ବିରୁଦ୍ଧରେ ତୁମୂଳ ପ୍ରଚାର, କିନ୍ତୁ ସୋଭିଏତ ସରକାର ଡରିବା ବା ହଟିବାର ନୁହେଁ । ତା’ ଓଲଟି ଅଧିକ ଜୋରରେ ପ୍ରୟୋଗ କଲା ଉକ୍ତ ଆଇନକୁ । ଯେଉଁମାନେ ପଛରେ ରହି ଚିହ୍ନା ନପଡ଼ି ଉକ୍ତ ପାପ ବ୍ୟବସାୟୀଙ୍କ ଲାଗି ଲଢ଼ୁଥିଲେ, ବିରୋଧ ସୃଷ୍ଟି କରୁଥିଲେ, ଏବେ ସେମାନଙ୍କ ପ୍ରତି ବି ଦଣ୍ଡର ବ୍ୟବସ୍ଥା ହେଲା ।

 

ତା’ପରେ ୧୯୨୬ ପରଠାରୁ ଆରମ୍ଭ ହେଲା ସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ । ସ୍ତ୍ରୀଲୋକଙ୍କୁ କାମ ଯୋଗାଇବା, ସେମାନଙ୍କର ଆର୍ଥିକ ଉନ୍ନତି ଆଣିବା, ପାପାଳୟ ଓ ପାପଗୃହ ସବୁକୁ ଭାଙ୍ଗିବା–କାରଣ ପାପ ବ୍ୟବସାୟୀଙ୍କୁ ଦଣ୍ଡ ଦେବଦ୍ୱାରା କେବଳ ସମସ୍ୟାର ସମାଧାନ ହେବ ନାହିଁ । ପୁରୁଷମାନଙ୍କର ମଧ୍ୟ ନୈତିକ ପରିବର୍ତ୍ତନ ଦରକାର । ଯଦି ସ୍ତ୍ରୀଲୋକଙ୍କୁ ପାପ ବ୍ୟବସାୟରେ ଲଗାଇ ଶୋଷଣ କରିବା ଅପରାଧ, ତେବେ ଯେଉଁ ପୁରୁଷ ଅର୍ଥ ବଳରେ ନାରୀର ସମ୍ମାନ ଓ ମର୍ଯ୍ୟାଦାକୁ ନଷ୍ଟ ଓ ହରଣ କରୁଛି, ସେ ମଧ୍ୟ ସମାନ ଦୋଷୀ । ସେ ବି ଅପରାଧୀ ଶ୍ରେଣୀଭୁକ୍ତ ହେବା ଉଚିତ । ଏ ସମ୍ପର୍କରେ ପ୍ରସ୍ତୁତି ସ୍ୱରୂପ ଆଗ ଆଲୋଚନା ଆରମ୍ଭ ହେଲା । ସମାଜର ମତକୁ ଆଗ ଠିକ୍‍ କରିବାକୁ ପଡ଼ିବ । ସେ ପ୍ରକାରର ସୁସ୍ଥ ଚିନ୍ତାଧାରା ଜାଗ୍ରତ କରିବାକୁ ହେବ । ବର୍ତ୍ତମାନ ଏକ ନୂତନ ସାମାଜିକ ବ୍ୟବସ୍ଥା; ପୁରୁଷ ସହିତ ନାରୀ, ସାମାଜିକ, ରାଜନୈତିକ, ଓ ଅର୍ଥନୈତିକ ସବୁ କ୍ଷେତ୍ରରେ ସମାନ–ଉପଭୋଗ କରୁଛି ସମାନ ଅଧିକାର । ବିବାହ ଭିତରେ ପୂର୍ଣ୍ଣ ଯୌନ ସନ୍ତୋଷ-ପ୍ରେମର ପରିତୃପ୍ତି ଦିଗରେ ଦୂର ହୋଇଛି ସକଳ ବାଧା ସମସ୍ତ ପ୍ରତିବନ୍ଧକ । ଏ ଅବସ୍ଥାରେ ପୁରୁଷ ନାରୀକୁ ଅପମାନିତ କରିବ କାହିଁକି ? କାହିଁକି ବଳି ଦେବ ନିଜର ଆତ୍ମମର୍ଯ୍ୟାଦାକୁ ? କା’ର ବିବେକ ଯୌନ-କ୍ରୟକୁ ସହ୍ୟ କରିବ ? ଆଉ ଯିଏ ବ୍ୟକ୍ତିଗତ ଭାବେ ନାରୀର ଏ ଘୃଣ୍ୟ ଶୋଷଣରେ ଭାଗୀଦାର ହୁଏ ଓ ତାକୁ ସାହାଯ୍ୟ ଓ ସୁରକ୍ଷିତ କରେ, ସେ କ’ଣ ସୋଭିଏତ ସମାଜର ନାଗରିକ ମର୍ଯ୍ୟାଦା ପାଇପାରେ ? ଚାଲିଲା ଏ ସମ୍ପର୍କରେ ଆଲୋଚନା । ଆରମ୍ଭ ହେଲା ନାରୀ ଦେହକ୍ରୟକାରୀ ପୁରୁଷଗଣଙ୍କ ବିରୁଦ୍ଧରେ ଅଭିଯାନ ।

 

ଏବେ ଆଉ ଏକ ନୂଆ ନିର୍ଦ୍ଦେଶନାମା ପ୍ରକାଶ ପାଇଲା । ମିଲିସିଆ ବା ପୋଲିସ ଯେତେବେଳେ କୌଣସି ପାପଗୃହ, ହୋଟେଲ, ମଦ ଦୋକାନ, ଆଦି ଉପରେ ଚଢ଼ାଉ କରିବେ, ସେଠାରେ ଥିବା ପୁରୁଷ ଗ୍ରାହକମାନଙ୍କୁ ଧରିବେ; ଅବଶ୍ୟ ସେମାନଙ୍କୁ ଗିରଫ କରିବେ ନାହିଁ । ସେମାନଙ୍କର ନାମ, ଧାମ, ବୃତ୍ତି ବେଉସା, ଠିକଣା ଆଦି ଟିପିନେବେ । ତା’ପରେ ସର୍ବସାଧାରଣ ସ୍ଥାନ, କଳକାରଖାନା ଓ ଅଫିସ ଆଦି କାର୍ଯ୍ୟକ୍ଷେତ୍ରରେ ବଡ଼ ବଡ଼ ଅକ୍ଷରରେ ସେମାନଙ୍କ ନାମ ଧାମ ଓ ଠିକଣା ଲେଖି ମାରି ଦିଆହେବ–‘‘ଏଇମାନେ ହେଲେ–ନାରୀର ଦେହକ୍ରୟକାରୀଗଣ’’–ଏଇ ଶିରୋନାମାରେ ।

 

ଆମ ଦେଶରେ ପୋଲିସ ଏଇ ଗ୍ରାହକଗଣକୁ ଦେଖେ ନାହିଁ । ଧରେ ଗଣିକାଗଣଙ୍କୁ । ଗ୍ରାହକମାନଙ୍କ ନାମ ପ୍ରକାଶ କରାଯାଏ ନାହିଁ, ଗୋପନ ରଖାଯାଏ ତାଙ୍କୁ । ବାହାରେ ସେମାନଙ୍କୁ ମର୍ଯ୍ୟାଦା ଓ ସମ୍ମାନ୍ନ ଦିଆଯାଏ । ତା ନ ହେଲେ ଗଣିକାଗଣଙ୍କର ଏଇ ପୃଷ୍ଠପୋଷକ କ୍ଷୁବ୍ଧ ଓ ଅପମାନିତ ହେବେ । ପ୍ରତିଷ୍ଠିତ ଲୋକ ସେମାନେ ସମାଜରେ, ଅର୍ଥବଳ ରହିଛି–ଅର୍ଥ ଆଗରେ ସମସ୍ତେ ଅବନତ । ଏଇ ପ୍ରତାରଣାର ମୁଖା ଖୋଲିଦେଲା ସୋଭିଏତ । ପ୍ରକାଶ କରିଥିଲା ପାପର ଗୋପନୀୟତା, ସାମାଜିକ ବିବେକ ଯାହା ଲୁଚି ଲୁଚି ପାପକୁ ପ୍ରଶୟ ଦିଏ, ଖୋଲି ଦେଲା ତା’ର ପ୍ରକୃତ ସ୍ୱରୂପ । ବ୍ୟକ୍ତିଗତ ବିବେକ ଏବେ ପରୀକ୍ଷିତ ହେଲା ସମାଜ ଆଗରେ–ସମସ୍ତଙ୍କ ସମ୍ମୁଖରେ । ଅପସାରିତ ହେଲା ବ୍ୟଭିଚାରଗ୍ରସ୍ତ ଲୋକଙ୍କର ପ୍ରତାରଣାର ଆବରଣ । ପାପର ବିଲୋପ ଦିଗରେ ଏହା ହେଲା ଏକ ବିରାଟ ଅସ୍ତ୍ର ।

 

ଏହା କେବଳ ଏକ ସାମାଜିକ ନୈତିକ ଚାପ ମାତ୍ର । ଅଥଚ ଖୁବ୍ ବଳିଷ୍ଠ ତା’ର ପ୍ରଭାବ-। ଏହା ପଛରେ କୌଣସି ଆଇନଗତ ବାଧ୍ୟ ବାଧକତା ନାହିଁ । ଦେହ ବିକିବା ବା ଦେହ କିଣିବାରେ କୌଣସି ପ୍ରତିବନ୍ଧକ ନାହିଁ । ଆଇନଗତ ଭାବେ ତା’ ନିଷିଦ୍ଧ ନୁହେଁ । ସେଥିଲାଗି କୌଣସି ଦଣ୍ଡର ବ୍ୟବସ୍ଥା ନାହିଁ, ଯେ କୌଣସି ଲୋକ ଇଚ୍ଛା କଲେ ତା’ କରିପାରେ, କିନ୍ତୁ ଏବେ ରାଷ୍ଟ୍ର, ସମାଜ, ସରକାର ଏହାଦ୍ୱାରା ଜଣାଇଦେଲା, ତାହା ଘୋର ଅନ୍ୟାୟ, ଅତ୍ୟନ୍ତ ନିନ୍ଦନୀୟ ଚରମ ଅନୈତିକତା । ଯେଉଁ ନାରୀ ନିରାଶ୍ରୟ, ଅପମାନିତ ଓ ପରିତ୍ୟକ୍ତ; ତା’ର ସେ ଦୁର୍ବଳତାର ସୁଯୋଗ ନେବା କୌଣସି ସତ୍ ସରୁଚିସଂପନ୍ନ ବ୍ୟକ୍ତିର କାର୍ଯ୍ୟ ହୋଇ ନ ପାରେ । ସରକାର କେବଳ ଜାଣିବାକୁ ଚାହେଁ, କେଉଁ କେଉଁ ଲୋକେ କ୍ଷଣିକ ପାଶବିକ ସନ୍ତୋଷ ଲାଗି ନିଜର ମନୁଷ୍ୟତାକୁ ବଳି ଦେଇଛନ୍ତି, ନିଜକୁ ପତିତ..ଓ ଅବମାନିତ କରୁଛନ୍ତି । ସେଇ ଅଧଃପତିତ ପୁରୁଷକୁ, ତାହା ସମସ୍ତଙ୍କୁ ଚିହ୍ନାଇ ଦେବାକୁ ଚାହେଁ, ସମାଜରେ ସେମାନଙ୍କୁ ଧରାଇ ଦିଏ; କେବଳ ଏତିକି ମାତ୍ର-। ପାପର ବିଲୋପ କେବଳ ଆଇନ ଦ୍ୱାରା ସମ୍ଭବ ନୁହେଁ । ସେଥିଲାଗି ଦରକାର ମଣିଷର ସୁସ୍ଥ ନୈତିକତା, ଦୃଢ଼ ମନୋଭାବ ଏବଂ ସଦାଜାଗ୍ରତ ସାମାଜିକ ବିବେକର ଆଘାତ । ଏ ଦିଗରେ ପ୍ରଚାର ଚାଲିଲା, ଲେଖା ଲେଖି ହେଲା, ସିନେମା ଥିଏଟର ପ୍ରଭୃତି ସକଳ ମାଧ୍ୟମରେ ଚାଲିଲା ଅଭିଯାନ । ଯେଉଁ ପୁରୁଷ ନାରୀର ମର୍ଯ୍ୟାଦା ଲଙ୍ଘନ କରେ, ସେ ନିଜକୁ ଅବମାନିତ କରିବା ଦୋଷରେ ଦୋଷୀ । ଯିଏ ଗଣିକାଙ୍କ ସହିତ ସମ୍ୱନ୍ଧ ରଖେ, ସେ ସମସ୍ତେ ଘୃଣାର ପାତ୍ର, ସମାଜଦ୍ୱାରା ନିନ୍ଦିତ ହେବା ବାଞ୍ଛନୀୟ–ଏଇ ହେଲା ସେ ଅଭିଯାନର ଉଦ୍ଦେଶ୍ୟ ।

 

ଏହାପରେ ଆରମ୍ଭ ହେଲା ପାପାଚାର ବିରୁଦ୍ଧରେ ତୃତୀୟ ପର୍ଯ୍ୟାୟର ସଂଗ୍ରାମ । ସବୁ ଦିଗରୁ ସଂଗଠିତ ଏ ସଂଗ୍ରାମର ଆକ୍ରମଣ । ଏଥିଲାଗି ଆଠଟି ସରକାରୀ ବିଭାଗ ଏକାଠି ହେଲେ-। ଏକତାବଦ୍ଧଭାବେ ଯୋଜନା କଲେ । ଏବେ ଯୋଜନାବଦ୍ଧ ଆକ୍ରମଣ ହେଲା ଏକଦମ ତାକୁ ନିର୍ମୂଳ କରିବା ଲକ୍ଷ୍ୟରେ । ଏହା ୧୯୨୯ ସମୟର ଘଟଣା–ଶ୍ରମ ମନ୍ତ୍ରଣାଳୟର କର୍ତ୍ତବ୍ୟ ହେଲା ସ୍ତ୍ରୀଲୋକଙ୍କୁ କାମ ଯୋଗାଇଦେବା । ସାମାଜିକ ନିରାପତ୍ତା ବିଭାଗର କାମ ହେଲା, ଦେଶର ଚାରିଆଡ଼େ ନାରୀମାନଙ୍କ ଶିକ୍ଷା ଓ ତାଲିମକେନ୍ଦ୍ର ଖୋଲିବା, ଆଉ ଯେଉଁ ସ୍ତ୍ରୀଲୋକର ଘର ନାହିଁ, ଯେଉଁମାନଙ୍କ ପ୍ରତି ପାପ ବ୍ୟଭିଚାର ବିପଦର ସମ୍ଭାବନା ରହିଛି, ସେମାନଙ୍କୁ ଘର ଆଶ୍ରୟ ଆଦି ଯୋଗାଇଦେବା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କାର୍ଯ୍ୟ ହେଲା ଯୌନବ୍ୟାଧି ଚିକିତ୍ସା ଲାଗି ଚିକିତ୍ସା କେନ୍ଦ୍ରମାନ ପ୍ରତିଷ୍ଠା କରିବା ଓ ସେଥିପାଇଁ ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ଚଞ୍ଚଳ ତାଲିମ କରିବା, ପରିତ୍ୟକ୍ତା ମା’ମାନଙ୍କୁ ସକଳ ପ୍ରକାର ସାହାଯ୍ୟ ଦେବା, ମା ଓ ଶିଶୁମାନଙ୍କ ସୁରକ୍ଷା ଲାଗି କେନ୍ଦ୍ରମାନ ସ୍ଥାପନ କରିବା । ବିଚାର ବିଭାଗ ମନ୍ତ୍ରଣାଳୟର କାମ ହେଲା ମିଲିସିଆମାନଙ୍କ (ପୋଲିସଙ୍କ) ମଧ୍ୟରେ ମାନବିକ ଚେତନା ଓ ସାମାଜିକ ଦାୟିତ୍ୱବୋଧ ଉଦ୍‍ବୁଦ୍ଧ କରିବା, ଯେପରିକି ସେମାନେ ଦକ୍ଷତାର ସହିତ ରହିଯାଇଥିବା ଅବଶିଷ୍ଟ ସଂଗଠିତ ପାପ ବ୍ୟଭିଚାରକୁ ଲୋପ କରିବେ । କାରଣ ଯେତେବେଳେ ଏ ପ୍ରକାର ଅଭିଯାନ ହେଲା, ସେତେବେଳେ ପାପ-ବ୍ୟବସାୟୀମାନେ ଉପରକୁ ଲୁଚି ଗଲେ, ସରକାରୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆହୁରି ଅତି ଗୋପନରେ କାରବାର କଲେ । ଚଞ୍ଚଳ ବା ବିକୃତମତିର ବାଳିକାଙ୍କୁ ଯୋଗାଡ଼ କରି ଭିତରେ ଭିତରେ ବ୍ୟବସାୟ କରୁଥିଲେ । ତାକୁ ଲୋପ କରିବାରେ ମିଲିସିଆମାନେ ଲାଗି ପଡ଼ିଲେ ଘରୋଇ ବିଭାଗର ସାହାଯ୍ୟରେ । ସାଧାରଣ ପରିଦର୍ଶନ ବିଭାଗର କାର୍ଯ୍ୟ ହେଲା ପ୍ରତ୍ୟେକ ସ୍ତ୍ରୀ ପୁରୁଷଙ୍କୁ ତାଙ୍କର ବ୍ୟକ୍ତିଗତ ଜୀବନର ଦାୟିତ୍ୱ ଓ ମହତ୍ୱ ସମ୍ୱନ୍ଧରେ ସଚେତନ କରିବା, ତାଙ୍କର କର୍ତ୍ତବ୍ୟ ବିଷୟରେ ସଜାଗ ଓ ସକ୍ରିୟ କରିବା । ଶେଷରେ ଅର୍ଥ ବିଭାଗର କାର୍ଯ୍ୟ ହେଲା ଡାକ୍ତରଖାନା, ମାତୃମଙ୍ଗଳ ଓ ଶିଶୁକଲ୍ୟାଣ କେନ୍ଦ୍ର, ଚିକିତ୍ସା କେନ୍ଦ୍ର ଆଦିକୁ ଯେତେଦୂର ସମ୍ଭବ ଅର୍ଥ ସାହାଯ୍ୟ କରିବା । ଏଇ ଯୋଜନାର ସଫଳତା ପାଇଁ ଯଥେଷ୍ଟ ପରିମାଣରେ ଅର୍ଥ ଯୋଗାଇବା-

 

ଏ ବହୁମୁଖୀ ଆକ୍ରମଣ ଆରମ୍ଭ ହୋଇଛି ଏକ ନିର୍ଦ୍ଦିଷ୍ଟ ଅବସ୍ଥାରେ, ଯେତେବେଳେ କି ସେଇଥିଲାଗି ଭୌତିକ ଅବସ୍ଥା ସୃଷ୍ଟି ହୋଇଛି ଅର୍ଥାତ୍ ଅର୍ଥନୈତିକ ଅବସ୍ଥାର ଉନ୍ନତି ଘଟିଛି । ବେକାରୀ ଘୁଞ୍ଚି ଯାଇଛି, ସବୁ ସ୍ତ୍ରୀଲୋକଙ୍କୁ କାମ ଯୋଗାଇ ଦେବାକୁ ସରକାର ସମର୍ଥ । ଦୁଃସ୍ଥ ଦୁର୍ଗତ ସ୍ତ୍ରୀଲୋକ ବୋଲି କେହି ନାହିଁ । ଏହା ଫଳରେ ପାପ ବ୍ୟଭିଚାରର ଅର୍ଥନୈତିକ ଭିତ୍ତି ରହିଲା ନାହିଁ । ଅଭାବରେ ପଡ଼ି ସ୍ୱଭାବ ନଷ୍ଟ କରିବାର ଅବସ୍ଥା ଲୋପ ହେଲା ।

 

କିନ୍ତୁ ଯେଉଁମାନେ ପୂର୍ବରୁ ଗଣିକା ବୃତ୍ତି କରି ଆସିଛନ୍ତି ଓ ସେଇ ଭାବେ ଜୀବନକୁ ଗଢ଼ି ନେଇଛନ୍ତି ଓ ଦୀର୍ଘଦିନର ଦୁରବସ୍ଥା ଯୋଗୁ ନିଜକୁ କେବଳ ସେଥିପାଇଁ ଯୋଗ୍ୟ ବୋଲି ବିଚାରିଛନ୍ତି ଏବଂ ତା ଫଳରେ ଉକ୍ତ ବ୍ୟାଧି ତାଙ୍କ ମନରେ ଜମାଟ ବାନ୍ଧି ମଜ୍ଜାଗତ ହୋଇଯାଇଛି; ସେପରି ସ୍ତ୍ରୀଲୋକଙ୍କୁ ସେ ପଥରୁ ଟାଣି ଆଣିବା, ଥଇଥାନ କରିବା ଗୋଟାଏ ବିରାଟ ସମସ୍ୟା, କଷ୍ଟକର କଥା । ତା’ପରେ ସମାଜରେ ଏପରି ସ୍ତ୍ରୀଲୋକ ଥିଲା ପର୍ଯ୍ୟନ୍ତ ସେମାନେ ଅନ୍ୟ ସ୍ତ୍ରୀଲୋକଙ୍କୁ ତାଙ୍କ ଭିତରକୁ ଟାଣିବାକୁ ଉଦ୍ୟମ କରୁଥିବେ । ନିଜର ପରିସର ଓ ଦଳବୃଦ୍ଧିର ଚେଷ୍ଟା ଚାଲିଥିବ । ପୁଣି ତାଙ୍କୁ ସାହାଯ୍ୟ କରିବା ଓ ତାଙ୍କର ପୃଷ୍ଠପୋଷକ ହେବା ପାଇଁ ପୁରୁଷ ମଧ୍ୟ ବାହାରୁଥିବେ । ତେଣୁ ଗଣିକା ବୃତ୍ତିର ମୂଳ ରହିଥିବ । ୟା’କୁ ତ ପୁଣି ନିର୍ମୂଳ କରିବାକୁ ହେବ ?

 

ବେଶ୍ୟା ପ୍ରଥାର ଅନ୍ୟ ଏକ ଅଙ୍ଗ ହେଲା ଯୌନବ୍ୟାଧି । ତାକୁ ଦୂର ନ କଲେ, ସମସ୍ତ ସମାଜ ରୋଗଗ୍ରସ୍ତ ହୋଇଯିବ । ତେଣୁ ତା’ଉପରେ ମଧ୍ୟ ସେଇପରି ଆକ୍ରମଣ ହେଲା । ଏଥିପାଇଁ ଫୌଜଦାରୀ ଆଇନରେ ଗୋଟାଏ ଦଫା ଯୋଗହେଲା, ସେଥିରେ ନିଜେ ଯୌନବ୍ୟାଧିଗ୍ରସ୍ତ ବୋଲି ଜାଣି ସୁଦ୍ଧା ଯଦି କୌଣସି ଲୋକ ଅନ୍ୟ ସହିତ ସଂଯୁକ୍ତ ହୁଏ, ତେବେ ତା ଗୁରୁତର ଅପରାଧ ବୋଲି ଗଣ୍ୟ ହେବ । ତେଣୁ କେବଳ ପ୍ରଚାର ନୁହେଁ, ଏ ସମ୍ପର୍କରେ ଆଇନର କଟକଣା ପ୍ରୟୋଗ ହେଲା । ଏ ଦିଗରେ ମଣିଷର ବିବେକକୁ ଜାଗ୍ରତ କରିବା ସଙ୍ଗେ ସଙ୍ଗେ ଅନ୍ୟପକ୍ଷରେ ଦଣ୍ଡର ମଧ୍ୟ ବ୍ୟବସ୍ଥା ହେଲା । କାରଣ, ଏହା ଏକ ସାମାଜିକ ଅପରାଧ । ଏପରି ବ୍ୟବସ୍ଥା ଅନ୍ୟ କୌଣସି ଦେଶରେ ଦେଖାଯାଏ ନାହିଁ ।

 

କେବଳ ପ୍ରଚାର ବା ଦଣ୍ଡଦ୍ୱାରା ରୋଗ ଦୂର ହେବ ନାହିଁ । ତାର ଚିକିତ୍ସା ଆବଶ୍ୟକ । ସେଥିଲାଗି କ୍ଲିନିକ୍‍ମାନ ଖୋଲାଗଲା । ପ୍ରଥମ ଅବସ୍ଥାରେ ଡାକ୍ତର ଓ ଔଷଧପତ୍ରର ଘୋର ଅଭାବ ଦେଖା ଦେଇଥିଲା । ତଥାପି ତା’ରି ଭିତରେ ଏଥିପତି ଜୋର ଦିଆଯାଇଛି । ଏ ସମ୍ପର୍କରେ ପ୍ରଥମ ଦୃଷ୍ଟି ଗଣିକାଙ୍କ ଉପରେ ପଡ଼ିବାର କଥା, ସେଇମାନେ ହେଉଛନ୍ତି ଏ ରୋଗର ଭଣ୍ଡାର । କିନ୍ତୁ ଉକ୍ତ ଆଇନକୁ ଅନ୍ଧଭାବେ ପ୍ରୟୋଗ କରାଯାଇନାହିଁ । ସାଧାରଣ ଏ ସ୍ତ୍ରୀଲୋକମାନେ ନିଜର ଆୟତ୍ତର ବାହାରେ, ଅବସ୍ଥା ଚକ୍ରରେ ପଡ଼ି ଘାଣ୍ଟି ହେଉଛନ୍ତି, ଏହାହିଁ ହେଲା ଦୃଷ୍ଟିକୋଣ । ତେଣୁ ସେମାନେ କୋର୍ଟ କଚେରୀକୁ ଆସିଲେ ତାଙ୍କର ଦଣ୍ଡ ହୁଏ ନାହିଁ । ନାଗରିକ କମିଟିକୁ ଡକା ହୁଏ । ସେମାନେ ତାକୁ ବୁଝାନ୍ତି କ୍ଲିନିକ୍‍କୁ ଆସି ଚିକିତ୍ସା ହେବାପାଇଁ । ସମସ୍ୟାଟି ଏତେ ସହଜ ନୁହେଁ । କିପରି ଚିକିତ୍ସା ହେବ ? ଚିକିତ୍ସାବେଳେ ସେ ଚଳିବ କିପରି ? ଭଲ ହୋଇଗଲା ପରେ ପୁଣି ଯଦି ବ୍ୟବସାୟ କରେ, ନିଶ୍ଚୟ ପୁଣି ରୋଗଗ୍ରସ୍ତ ହେବ ? ତାହାହେଲେ ଚିକିତ୍ସାରେ ଲାଭ ବା କ’ଣ ? –ତେଣୁ ଏଇସବୁ ବହୁ ସମସ୍ୟାର ସମାଧାନ ଦରକାର ।

 

ସେ ଦୃଷ୍ଟିରୁ ଚିକିତ୍ସାକେନ୍ଦ୍ର କେବଳ ଚିକିତ୍ସା ନୁହେଁ, ତା’ ଏକ ତାଲିମ କେନ୍ଦ୍ର ଭଳି ଗଠିତ ହେଲା । ସେମାନଙ୍କୁ ଆରୋଗ୍ୟ କରିବା ସଙ୍ଗେ ସଙ୍ଗେ ସେମାନେ ଅନ୍ୟ କିଛି କାମରେ ଯେପରି ଆପଣାକୁ ନିୟୋଗ କରିପାରିବେ, ସେ ଦିଗରେ ତାଙ୍କୁ ତାଲିମ କରାଗଲା । ସେଥିପାଇଁ ତାଙ୍କ ଭିତରେ ଉତ୍ସାହ ସୃଷ୍ଟିର ଉଦ୍ୟମ ହେଲା । ଏଠାରେ ଯୋଗଦେବା ନ ଦେବା ପୂରାପୂରି ସ୍ୱେଚ୍ଛାମୂଳକ । ପୋଲିସ କାହାକୁ ଏଠାକୁ ଧରି ଆଣେ ନାହିଁ କି ଜେଲଖାନା ଭଳି ପ୍ରାଚୀରଘେରା ଭିତରେ କାହାକୁ ରଖାଯାଏ ନାହିଁ । ମଣିଷକୁ ଭଲ ହେବା ପାଇଁ ଏଠାରେ ଧର୍ମ ଉପଦେଶ ଢଳା ଯାଏ ନାହିଁ, ଧର୍ମବାଣୀ ଶୁଣାଯାଏ ନାହିଁ, ଧର୍ମବାଣୀ ଶୁଣାଯାଏ ନାହିଁ କି ପୁରାଣ ଶାସ୍ତ୍ର ପଢ଼ା ହୁଏ ନାହିଁ । କୌଣସି ପ୍ରକାରର ମନସ୍ତାତ୍ତ୍ୱିକ ପରୀକ୍ଷା ହୁଏ ନାହିଁ କି କାହା ଉପରେ କୌଣସି ପ୍ରକାରର ଶାସ୍ତି ବା ଦଣ୍ଡର ବ୍ୟବସ୍ଥା ନାହିଁ । ଏକମାତ୍ର ଲକ୍ଷ୍ୟ ହେଲା, ସେମାନଙ୍କୁ ଚିକିତ୍ସା କରିବା, ଆରୋଗ୍ୟ କରିବା ସଙ୍ଗେ ସଙ୍ଗେ କୌଣସି ଏକ ଦରକାରୀ ସାମାଜିକ ଧନ୍ଦା ଶିକ୍ଷାଦେବା, ଯେପରିକି ସେମାନେ ସାଧୁ ସଚ୍ଚୋଟଭାବେ ପରିଶ୍ରମ କରି ନିଜେ ଉପାର୍ଜନ କରିବାରେ ସକ୍ଷମ ହୋଇପାରିବେ । କାରଣ, ଗଣିକା ବୋଲି ଗୋଟାଏ ସ୍ୱତନ୍ତ୍ର ମଣିଷ ଜାତି ନାହିଁ । ଏମାନଙ୍କ ଭିତରୁ ଜାର ଅମଳରେ ବହୁ ଲୋକେ ବେକାର ଥିଲେ । ଜୀବନରକ୍ଷା ଲାଗି ପ୍ରବେଶ କରିଥିଲେ ପାପାଳୟରେ । ବଞ୍ଚିବା ଲାଗି ଅନ୍ୟ କୌଣସି ସହଜ ପନ୍ଥା ସେତେବେଳେ ସେମାନଙ୍କ ଆଗରେ ନ ଥିଲା ।

 

ଏକ ଦିଗରେ କାମ ଶିଖିଲେ, ତେଣେ ଚିକିତ୍ସା ହେଲା । ଏମାନଙ୍କ ଭିତରୁ ଅନେକ ବାହାରେ ନିଜଘରେ ରହନ୍ତି, ସକାଳେ ଆସନ୍ତି କ୍ଲିନିକ୍‍କୁ ଆଉ କେତେକ ସେହି କେନ୍ଦ୍ରରେ ଥା’ନ୍ତି । ଏଠାରେ ସ୍ତ୍ରୀଲୋକଙ୍କୁ ଭଲ ଓ ଖରାପ କହି ଅଲଗା ରଖାଯାଏ ନାହିଁ । ସମସ୍ତେ ଅନୁଭବ କରନ୍ତି, ସେମାନେ ସମସ୍ତେ ଗୋଟାଏ । ଏଇସବୁ ଚିକିତ୍ସାସ୍ଥଳ ପାପ ବ୍ୟଭିଚାର ବିରୁଦ୍ଧରେ ଏକ କେନ୍ଦ୍ରଭାବେ ଗଢ଼ିଉଠିଲା । ଏଇ କେନ୍ଦ୍ରରୁ ସେଇସବୁ ସ୍ତ୍ରୀଲୋକମାନଙ୍କ ଦ୍ୱାରା ପ୍ରସ୍ତୁତ ଜିନିଷମାନ ବଜାରକୁ ଆସିଲା, ସମାଜର ବିଭିନ୍ନ କାର୍ଯ୍ୟରେ ଲାଗିଲା । ଦିନେ ଯେଉଁମାନେ ସମାଜକୁ ଦୂଷିତ କଳୁଷିତ କରୁଥିଲେ, ଏବେ ସେମାନେ ସମାଜର ଉନ୍ନତି ଦିଗରେ ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଭାଗୀଦାର ହେଲେ । ବଦଳିଗଲା ସେମାନଙ୍କର କାମର ଧାରା, ତା’ ସଙ୍ଗେ ସଙ୍ଗେ ପରିବର୍ତ୍ତିତ ହେଲା ସେମାନଙ୍କର ସ୍ୱଭାବ । ଏଇ କେନ୍ଦ୍ରରୁ ସ୍ତ୍ରୀଲୋକ ଦଳ ଦଳ ହୋଇ ଗଣିକାପଡ଼ାକୁ ଗଲେ, ସେମାନଙ୍କୁ ବୁଝାଇଲେ ଚିକିତ୍ସା କେନ୍ଦ୍ରକୁ ଆସିବା ପାଇଁ । ସେମାନଙ୍କ ଭିତରେ ଭୟ ଥିଲା ଯେ ଏହା ଗୋଟାଏ ପ୍ରକାର ଜେଲଖାନା, ଏବେ ସେମାନେ ନିଜ ଚକ୍ଷୁରେ ଦେଖିଲେ ଚିକିତ୍ସା କେନ୍ଦ୍ରର କାର୍ଯ୍ୟ । ଥରେ ଭୟ ଭାଙ୍ଗିଲା ପରେ ତେଣିକି ସ୍ୱଇଚ୍ଛାରେ ଆସିବାକୁ ଲାଗିଲେ ସେମାନେ । ଏଇ ଚିକିତ୍ସାକେନ୍ଦ୍ର ୧୯୨୬ବେଳକୁ ସଙ୍ଗଠିତ ହେବାକୁ ଲାଗିଲା । ଏ ଆନ୍ଦୋଳନ ପ୍ରାୟ ଚାଲିଲା ୫ ବର୍ଷ ଯାଏ । ଏହା ଏପରି ସଫଳ ହେଲା ଯେ ତେଣିକି ଚିକିତ୍ସା ପାଇବାକୁ ଆଉ ରୋଗୀ ମିଳିଲେ ନାହିଁ । କେନ୍ଦ୍ରସବୁ ଧୀରେ ଧୀରେ ବନ୍ଦ ହେବାକୁ ଲାଗିଲା । ଦୁଇବର୍ଷ ମଧ୍ୟରେ ଅଧେ କ୍ଲିନିକ୍ ବନ୍ଦ ହୋଇଗଲା । ତେଣେ ସୈନ୍ୟ ଓ ନୌବାହିନୀରୁ ମଧ୍ୟ ଯୌନବ୍ୟାଧି ପୂରାପୂରି ଲୋପ ପାଇଲା । ତାହା ଆଉ ଗୋଟାଏ ବିଶେଷ ଧରଣର ରୋଗ ହୋଇ ରହିଲା ନାହିଁ । କଦବା କେମିତି ଜଣେ ଅଧେଙ୍କ ପାଖରେ ଦେଖାଗଲା–ଏକ ସାଧାରଣ ରୋଗ ସ୍ତରରେ ପହଞ୍ଚିଲା । ଆଉ ସେଥି ସଙ୍ଗେ ସଙ୍ଗେ କାର୍ଯ୍ୟତଃ ଲୋପ ପାଇଲା ଗଣିକାପ୍ରଥା ।

 

ତଥାପି ଦେଖାଗଲା ଯେ ଆଉ କେତେକ ରହି ଯାଇଛନ୍ତି । ତାଙ୍କର ପରିବର୍ତ୍ତନ ହୋଇ ନାହିଁ । ସେମାନେ ସମସ୍ତଙ୍କ ଭଳି ସାଧାରଣ ସ୍ୱଭାବର ନୁହନ୍ତି । ତାଙ୍କଠାରେ କିଛି କିଛି ଅସ୍ୱାଭାବିକତା ରହିଛି । ଅସ୍ଥିର ମନ ତାଙ୍କର । ତେଣୁ ମନସ୍ତତ୍ତ୍ୱବିଦ୍‍ଙ୍କର ପରାମର୍ଶ ଲୋଡ଼ାଗଲା । ସେମାନେ ମତ ଦେଲେ ଯେ ଦୀର୍ଘଦିନ ଧରି ପତିତ ନିର୍ଯ୍ୟାତିତ ଅବସ୍ଥାରେ ରହିବା ହେତୁ ତାହା ତାଙ୍କ ମନ ଉପରେ ପ୍ରତିକ୍ରିୟା ସୃଷ୍ଟି କରିଛି । ତାଙ୍କୁ ବିକାରଗ୍ରସ୍ତ କରିଦେଇଛି । ତେଣୁ ତାକୁ ଦୂର କରିବାକୁ ହେଲେ ଧାରାବାହିକ ବ୍ୟବସ୍ଥା ଦରକାର–କାମ ସହଜ ନୁହେଁ ।

 

ଏମାନଙ୍କ ଲାଗି ଚିକିତ୍ସା ପ୍ରଣାଳୀ ଅନ୍ୟମାନଙ୍କଠାରୁ ଫରକ୍ । ସାଧାରଣତଃ ଅନ୍ୟ ଦେଶରେ ମନକୁ ସଜାଡ଼ିବା ପାଇଁ ମନର ଚିକିତ୍ସା ହୁଏ, ମାନସିକ ଚିକିତ୍ସା ହୋଇଥାଏ । କିନ୍ତୁ ରୁଷର ବୈଜ୍ଞାନିକ ଡାକ୍ତରଙ୍କର ପ୍ରଣାଳୀ ଭିନ୍ନ । ସେମାନେ ସାମାଜିକ, ଅର୍ଥନୈତିକ ବାତାବରଣ ଉନ୍ନତି ଓ ପରିବର୍ତ୍ତନ ଦ୍ୱାରା ମନର ପରିବର୍ତ୍ତନ ଆଣିଲେ । ଏପରି ଅବସ୍ଥା ସୃଷ୍ଟି ହେଲା ଯା ଫଳରେ ଏଇ ବିକାରଗ୍ରସ୍ତ ସ୍ତ୍ରୀଲୋକଙ୍କ ପକ୍ଷରେ ସାଧାରଣ ସ୍ତ୍ରୀଲୋକଙ୍କ ଭଳି ବସବାସ କରିବା ସମ୍ଭବପର ହେଲା । ପୂରାପୂରି ବଦଳି ଗଲା ସେମାନଙ୍କର ଅତୀତର ଜୀବନ, ତା’ ସଙ୍ଗରେ ତାଙ୍କର ସ୍ୱଭାବ ଓ ପ୍ରକୃତି ।

 

ଏଇ ନିର୍ଦ୍ଦିଷ୍ଟ ପ୍ରକାରର ସ୍ତ୍ରୀଲୋକଙ୍କ ଚିକିତ୍ସା ଲାଗି, କ୍ଲିନିକରେ କେତେ ପରିବର୍ତ୍ତନ କରାଗଲା । ଅବଶ୍ୟ କୌଣସି ବାଧ୍ୟବାଧକତା ନାହିଁ । ସେଠାରେ ରହିବା ନ ରହିବା ଲୋକର ଇଚ୍ଛା ଉପରେ ନିର୍ଭର କରେ । କିନ୍ତୁ ଥରେ ଗଲେ ଦୁଇବର୍ଷ ପର୍ଯ୍ୟନ୍ତ ରହିବାକୁ ହେବ । କାରଣ ଉକ୍ତ ଚିକିତ୍ସା ଶେଷ ହେବାକୁ ଅନ୍ତତଃ ଦୁଇବର୍ଷ ଲାଗିଯିବ । ଆଗେ କ୍ଲିନିକ୍‍ର କାର୍ଯ୍ୟନିର୍ଘଣ୍ଟ ଥିଲା–ସକାଳୁ ଉଠିବ, ଠିକ୍ ସମୟରେ ନିୟମିତ ଖିଆପିଆ କରିବ, ବିଶ୍ରାମ ନେବ, ପ୍ରତିଦିନ କିଛି ସମୟ କାମ କରିବ, ଚିକିତ୍ସିତ ହେବ, ପଢ଼ିବ, ଖେଳାଖେଳି କରିବ, ଆଉ ରାତିରେ ଚଞ୍ଚଳ ଖାଇ ଶୋଇବ । ଅଧିକାଂଶ ସ୍ତ୍ରୀଲୋକଙ୍କୁ ଏହା ବେଶ ସୁହାଉଥିଲା । ସେମାନଙ୍କ ପକ୍ଷରେ କୌଣସି ଅସୁବିଧା ହେଉ ନଥିଲା । ଆଉ ବେଶ ଫଳପ୍ରଦ ମଧ୍ୟ ହେଉଥିଲା । କିନ୍ତୁ ଯେଉଁମାନେ ଦୀର୍ଘଦିନ ଧରି ଗଣିକା ବୃତ୍ତିରେ ପାଚି ଯାଇଛନ୍ତି, ସେମାନେ ଏହାକୁ ଗ୍ରହଣକରି ପାରିଲେ ନାହିଁ । ସେମାନଙ୍କ ପକ୍ଷରେ ଏଥିସହିତ ଆପଣାକୁ ଚଳାଇନେବା କଷ୍ଟକର ହେଲା । ରାତିରେ ଶୋଇବା ଏମାନଙ୍କର ଅଭ୍ୟାସ ନୁହେଁ । ରାତିରେ ହେଲା ଏମାନଙ୍କର ବ୍ୟବସାୟ, ସନ୍ଧ୍ୟାରୁ ଆରମ୍ଭ ହୁଏ ଏମାନଙ୍କର କାମର ସମୟ । ସେଇ ଅଭ୍ୟାସ ପଡ଼ିଛି । ଏବେ କ୍ଲିନିକରେ ରାତିରେ ନିଦ ହୁଏ ନାହିଁ । ଉଜାଗର ହୋଇ ରହିବା ଦ୍ୱାରା ଏମାନେ ବ୍ୟତିବ୍ୟସ୍ତ ହୋଇ ପଡ଼ନ୍ତି । ରାତିରେ ରାସ୍ତା କଡ଼ରେ ବୁଲି ଗ୍ରାହକ ସଂଗ୍ରହ ହେଲା ଏମାନଙ୍କର ଚିରାଚରିତ ଅଭ୍ୟାସ । ଏବେ ଅନିଦ୍ରା ରହିବା ଯୋଗୁଁ ଅଭ୍ୟାସ ପୁଣି ଜାଗିଉଠିଲା ମନରେ । ତେଣୁ ସେମାନଙ୍କ ଲାଗି କାର୍ଯ୍ୟନିର୍ଘଣ୍ଟ ବଦଳିଗଲା । କ୍ଲିନିକର କାମ ଏମାନଙ୍କ ଲାଗି ଆରମ୍ଭ ହେଲା ସନ୍ଧ୍ୟାବେଳେ, ରାତିଯାକ ଚାଲିଲା । ଦିନରେ ସେମାନଙ୍କୁ ଶୋଇବାକୁ ଛାଡ଼ି ଦିଆଗଲା । ତେଣୁ ଯେଉଁ ସମୟରେ ଅନିଦ୍ରା ରହିବା ହେତୁ ତାଙ୍କର ପୂର୍ବର ଅଭ୍ୟାସ ଜାଗେ, ତା ଏବେ ଲାଗିଲା ଅନ୍ୟ କାର୍ଯ୍ୟରେ । ସୃଜନଶୀଳ କାର୍ଯ୍ୟର ଭିତରେ ତା ବଦଳିବାକୁ ଲାଗିଲା । ଦୀର୍ଘଦିନର ଅଭ୍ୟାସ ଫଳରେ ଏମାନଙ୍କ ଭିତରେ ଦୁଇଟା ଜିନିଷ ଦାନାବାନ୍ଧି ଯାଇଥିଲା । ତାହା ସୃଷ୍ଟି କରିଥିଲା–ଅବସ୍ଥାଗତ ପ୍ରତିଫଳନ (Conditioned reflex) । ତାହା ତାଙ୍କୁ ବାଧ୍ୟ କରୁଥିଲା ରାତିରେ ଉଜାଗର ରହିବାକୁ ଆଉ ବୁଲି ବୁଲି ଗ୍ରାହକ ସଂଗ୍ରହ କରିବାକୁ । ଏବେ ତାର ସମାଧାନ ଘଟିଲା ଏଇ ଉପାୟରେ । ସେମାନଙ୍କର କାମ ମଧ୍ୟ ବଦଳିଗଲା । ତାଙ୍କୁ କୌଣସି ପ୍ରକାର ଦିକ୍‍ଦାରିଆ କାମ ଦିଆଗଲା ନାହିଁ । ସେମାନେ ଯାହା କାମ କରୁଥିଲେ, ସେଥିରେ ତାଙ୍କର ଆନନ୍ଦ ଆସୁଥିଲା । ଅନୁଭବ କରୁଥିଲେ ଯେ ସେମାନେ ସମାଜର ଦରକାରରେ ଆସୁଛନ୍ତି, ତାଙ୍କ ଯୋଗୁଁ ବହୁ ଜୀବନରକ୍ଷା ହୋଇପାରୁଛି । ଦେଶ, ଜାତି ଓ ଲୋକଙ୍କ ପାଇଁ ସେମାନେ କାର୍ଯ୍ୟ କରୁଛନ୍ତି । ସମାଜ ପକ୍ଷରେ ସେମାନଙ୍କର ଆବଶ୍ୟକତା ରହିଛି, ତା’ ତାଙ୍କ ମନରେ ସଞ୍ଚାର କଲା ଗର୍ବ, ବିଶ୍ୱାସ, ଆଣିଦେଲା ଆନନ୍ଦର ଅନୁଭବ । ହେଲେ ଏମାନେ ତ ସବୁଦିନେ ଆଉ କ୍ଲିନିକରେ ରହିବେ ନାହିଁ, ତାଙ୍କୁ ତ ପୁଣି ସମାଜ ସହିତ ନିଜକୁ ମିଶାଇ ନେବାକୁ ହେବ । ସାଧାରଣଙ୍କ ପରି ଘରଦ୍ୱାର କରି ରହିବେ । ତେଣୁ ସେମାନଙ୍କୁ ଉତ୍ସାହିତ କରାଗଲା ବିବାହ କରିବା ଲାଗି । ଯୌନବ୍ୟାଧି ଫଳରେ ଯେଉଁମାନେ ବିକଳାଙ୍ଗ ହୋଇପଡ଼ିଛନ୍ତି, ଅସ୍ତ୍ର ଚିକିତ୍ସା ଦ୍ୱାରା ସେମାନଙ୍କୁ ଠିକ୍ କରିବାର ଚେଷ୍ଟା ହେଲା, ସେମାନଙ୍କୁ ଶିକ୍ଷିତ କରିବା ଲାଗି ସମ୍ୱାଦପତ୍ର ପ୍ରକାଶ ପାଇଲା । ସେମାନେ ନିଜେ ନିଜେ କେତେ ପତ୍ରପତ୍ରିକା ପ୍ରକାଶ କଲେ । ସାଂସ୍କୃତିକ ଦଳମାନେ ଆସି ତାଙ୍କର ନାଚ, ଗୀତ, କଳା ଆଦି କ୍ଲିନିକରେ ପ୍ରଦର୍ଶନ କଲେ । ମୋଟ ଉପରେ ତାଙ୍କର ସାମାଜିକ ଦାୟିତ୍ୱବୋଧ ଜାଗ୍ରତ କରିବା, ସେମାନଙ୍କୁ ନାନାଭାବରେ ସଚେତନ କରିବା ହେଲା ଲକ୍ଷ୍ୟ । ଏ ସମସ୍ତ ହେଲା ପାପ ବ୍ୟଭିଚାର ବିରୁଦ୍ଧରେ ସଂଗ୍ରାମ–ଏଥିଲାଗି କେବଳ ବୈଜ୍ଞାନିକ ଦୃଷ୍ଟିକୋଣ ନୁହେଁ, ସେଇଭଳି ସାମାଜିକ ବ୍ୟବସ୍ଥା ଦରକାର ଓ ଅଶେଷ ଧୈର୍ଯ୍ୟ ମଧ୍ୟ ଆବଶ୍ୟକ ।

 

ଏମାନଙ୍କୁ ଠିକ୍ ଠିକ୍ ଭାବେ ଥଇଥାନ କରିବା ହେଲା ଗୋଟାଏ ବଡ଼ ସମସ୍ୟା । କାଳେ ଏମାନେ ବାହାରକୁ ଗଲେ ପୁଣି ଅବାଟରେ ମାଡ଼ିଯିବେ, ସେପରି ଆଶଙ୍କା ହେବା ସ୍ୱାଭାବିକ । ତେଣୁ ସେଥିଲାଗି ବି ସୋଭିଏତ୍ ସରକାର ଆଗରୁ ସାବଧାନ ଥିଲା । ସେଠାରୁ ଆରୋଗ୍ୟ ହୋଇ ମୁକ୍ତିଲାଭ କରୁଥିବା ପ୍ରତ୍ୟେକଙ୍କ ପାଇଁ ଆଗରୁ ଥଇଥାନର ଉପଯୁକ୍ତ ବ୍ୟବସ୍ଥା କରୁଥିଲା । ତାଙ୍କର ରହିବା ପାଇଁ ଉପଯୁକ୍ତ ସ୍ଥାନ ବଛାଯାଉଥିଲା, ଯେଉଁଠି କି ତାଙ୍କର ଅତୀତ ଜୀବନ ବିଷୟରେ କେହି କିଛି ଜାଣିବେ ନାହିଁ । ଅଳ୍ପ କେତେଜଣ ଦାୟିତ୍ୱବାନ ଲୋକଙ୍କୁ କେବଳ ତାହା କୁହାଯାଉଥିଲା, ସେଇମାନେ ତାଙ୍କ ସହିତ ଘନିଷ୍ଠ ସମ୍ୱନ୍ଧ ରଖୁଥିଲେ, ତାଙ୍କର ଭଲମନ୍ଦ ବୁଝୁଥିଲେ, ତାଙ୍କୁ ସମସ୍ତ ସାହାଯ୍ୟ କରୁଥିଲେ । ଏମାନେ ହେଲେ ସ୍ୱେଚ୍ଛାସେବକ ଦଳ । ଉକ୍ତ ସ୍ତ୍ରୀଲୋକଙ୍କୁ ଏକ ସମ୍ମାନଜନକ ପରିସର ମଧ୍ୟରେ ବାସ କରିବାର ବ୍ୟବସ୍ଥା ଏମାନେ କରିଦେଉଥିଲେ । ସେମାନଙ୍କ ଲାଗି ଜଣେ ଜଣେ ଅଭିଭାବକ ବଛା ହେଉଥିଲେ, ଯିଏ ଉକ୍ତ ସ୍ତ୍ରୀଲୋକଙ୍କ ସହିତ ଏକାଠି କାର୍ଯ୍ୟ କରୁଥିଲେ । ସେମାନଙ୍କ ସହିତ ବ୍ୟକ୍ତିଗତ ବନ୍ଧୁତା ପ୍ରତିଷ୍ଠା କରୁଥିଲେ, ସେମାନଙ୍କୁ ସମ୍ମାନଜନକ ପଥରେ ଅଗ୍ରସର ହେବାରେ ସାହାଯ୍ୟ କରୁଥିଲେ । ପ୍ରତି ଜାଗାରେ ଏଇ ଅଭିଭାବକଙ୍କର ଏକ କମିଟି ଗଠିତ ହୋଇଥିଲା । ଏମାନେ ପ୍ରତି ମାସରେ ଏକାଠି ହୁଅନ୍ତି । ନିଜ ଦାୟିତ୍ୱରେ ଥିବା ପ୍ରତ୍ୟେକ ସ୍ତ୍ରୀଲୋକଙ୍କ ବିଷୟରେ ଆଲୋଚନା କରନ୍ତି । କାହାକୁ ଡାକ୍ତର ଦେଖାଇବାକୁ ହେବ, କାହାକୁ ବା ମନସ୍ତତ୍ତ୍ୱବିଦ୍‍ଙ୍କ ପାଖକୁ ନେବାକୁ, କାହାର ବା ଫ୍ୟାକ୍‍ଟ୍ରି ମାନେଜର ପାଖରେ କିଛି ସମସ୍ୟା ଅଛି–ଯା’ର ଯାହା ଦରକାର ସେଥିରେ ତାକୁ ସାହାଯ୍ୟ କରନ୍ତି-। ପୂର୍ବରୁ ଯେଉଁ ସ୍ତ୍ରୀଲୋକେ ସବୁ ଥଇଥାନ ହୋଇ ସାରିଥିଲେ, ସେମାନେ ବି ଏମାନଙ୍କୁ ସାହାଯ୍ୟ କରିବାକୁ ବାହାରି ପଡ଼ିଲେ । ଏମାନଙ୍କ ଲାଗି ବିବାହ ଠିକ୍ କରିବା, କାମ ଓ ବାସଗୃହ ଆଦି ଯୋଗାଇଦେବା କାର୍ଯ୍ୟରେ ଲାଗିଗଲେ । ଏମାନେ ବି କ୍ଲିନିକରେ ଚିକିତ୍ସିତ ହେଉଥିବା ସ୍ତ୍ରୀଲୋକଙ୍କ ସହିତ ପତ୍ରାଳାପ କରନ୍ତି, ତାଙ୍କୁ ନିଜର ଜୀବନ ବିଷୟରେ ଲେଖନ୍ତି । ତାଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରନ୍ତି, ଏମାନେ ଯେପରି ଚଞ୍ଚଳ ସାମାଜିକ ଜୀବନ ଭିତରକୁ ଫେରି ଆସିବେ, ଏଣେ ଚେଷ୍ଟା ହୁଏ ସମାଜ ଯେପରି ସେମାନଙ୍କୁ ଗ୍ରହଣ କରିନେବ ।

 

ଅତଏବ ଏଇ ହେଲା ଗଣିକାପ୍ରଥା ବିରୁଦ୍ଧରେ ସଂଗ୍ରାମର ସଂକ୍ଷିପ୍ତ ଇତିହାସ । ଏକ ଦିଗରେ ଗଣିକାପ୍ରଥାକୁ ଜନ୍ମ ଦେଉଥିବା ଦୁଃଖ ଦାରିଦ୍ର୍ୟ, ବେକାରୀକୁ ଲୋପ କରାଗଲା; ଅନ୍ୟ ଦିଗରେ ଯେଉଁମାନେ ସ୍ତ୍ରୀଲୋକଙ୍କର ଏଇ ଅସହାୟ ଅବସ୍ଥାର ସୁଯୋଗ ନେଇ ସେମାନଙ୍କୁ ଲଗାଇ ପାପ ବ୍ୟବସାୟ ମେଲନ୍ତି, ସେମାନଙ୍କୁ ନିଶ୍ଚିହ୍ନ କରି ଦିଆହେଲା । ଆଉ ଯେଉଁମାନେ ରୋଗଗ୍ରସ୍ତ ସେମାନଙ୍କୁ ଆରୋଗ୍ୟ କରାଗଲା । ଶେଷରେ ଧୀରେ ଧୀରେ ସମସ୍ତଙ୍କୁ ଅଣାଗଲା ସମାଜର ପରିସର ମଧ୍ୟକୁ । ଯେଉଁମାନେ ଦିନେ ଥିଲେ, ପତିତା, ପରିତ୍ୟକ୍ତା–ସେମାନେ ଏବେ ସମାଜରେ ସମାନ ଆସନ ଲାଭ କଲେ, ସମ୍ମାନିତ ଜୀବନର ଅଧିକାରୀ ହେଲେ । ରୁଷରେ ଗଣିକାପ୍ରଥା ବିରୁଦ୍ଧରେ ସଂଗ୍ରାମ ବହୁଦିନୁ ସରିଛି । ତାହା ଆଜି ଇତିହାସର ବିଷୟ । ଯୁଗ ଯୁଗ ଧରି ମଣିଷ ସମାଜ କାୟା ପଛରେ ଛାୟାପରି ଯେଉଁ ପ୍ରଥା ଗୋଡ଼ାଇଥିଲା–ଯାହାକୁ ଲୋପ କରିବା ଲାଗି ଅତୀତ ମଣିଷର ସବୁ ଚେଷ୍ଟା ବିଫଳ ହୋଇଥିଲା, ତା’ ଏବେ ସଫଳ ହେଲା କିପରି-? ଏହାର ମୂଳ କାରଣ ରୁଷର ନୂତନ ଅର୍ଥନୈତିକ ଭିତ୍ତି । ବ୍ୟକ୍ତିଗତ ସମ୍ପତ୍ତି ଓ ଶୋଷଣର ଲୋପ, ବୈଜ୍ଞାନିକ ଦୃଷ୍ଟିରେ ସମାଜର ପୁନର୍ଗଠନ । ସେଇ କାରଣରୁ ଏହା ରୁଷରେ ବିଲୁପ୍ତ ହେଲା, ଅଥଚ ଆମେରିକା ଓ ଅନ୍ୟ ପୁଞ୍ଜିବାଦୀ ଦେଶରେ ପ୍ରସାର ଲାଭ କରିବାରେ ଲାଗିଛି ।

 

ପ୍ରଶ୍ନ ହେଉଛି, ଗଣିକାପ୍ରଥା ଲୋପ ପାଇଲା ସତ, କିନ୍ତୁ ପାପ ବ୍ୟଭିଚାର ତ କେବଳ ଗଣିକାମାନଙ୍କ ମଧ୍ୟରେ ଆବଦ୍ଧ ନ ଥିଲା, ତା’ ତ ସମାଜର ସବୁ ସ୍ତରରେ ରହିଛି । ତା’ ପରା ଗଣିକାଗଣ ସମାଜରୁ ଚାଲିଗଲା ପରେ, ପାପ ବ୍ୟଭିଚାର ଯାହା ଗୋଟାଏଠାରେ କେନ୍ଦ୍ରୀଭୂତ ହୋଇଥିଲା, ତାହା ତ ଆହୁରି ଅଧିକ ପ୍ରସାରିବା, ବ୍ୟାପିଯିବା ସ୍ୱାଭାବିକ, ତା’ର ପୁଣି ସମାଧାନ ହୋଇଛି କିପରି ?

 

ଆମେ ଦେଖିଛେ, ରୁଷର ଦୃଷ୍ଟିକୋଣ ପୂର୍ବର ପ୍ରଚଳିତ ଚିରାଚରିତ ମତ ଓ ଦୃଷ୍ଟିକୋଣର ବିପରୀତ । ପୂର୍ବରୁ ଆଜି ପର୍ଯ୍ୟନ୍ତ ସମସ୍ତେ ଧରି ଆସିଥିଲେ ଯେ ମଣିଷର ପ୍ରକୃତି, ବିଶେଷ କରି ତାର ଯୌନପ୍ରକୃତିର ପରିବର୍ତ୍ତନ ସମ୍ଭବ ନୁହେଁ, ତା’ ସବୁବେଳେ ସେମିତି ରହିଥିବ । ତେଣୁ ଯେତେବେଳେ ଗଣିକାବୃତ୍ତି ସମାଜରୁ ଲୋପପାଇଲା, ତେବେ ତା’ର ସେଇ ପ୍ରକୃତି ଅନ୍ୟଠାରେ ନିଶ୍ଚୟ ଅଧିକ ପାପ ବ୍ୟଭିଚାର ସୃଷ୍ଟି କରିଥିବ । ଏ ମତ ଅନୁସାରେ, ମଣିଷ ସମାଜର କେବେହେଲେ ପାପ ବ୍ୟଭିଚାରରୁ ମୁକ୍ତି ନାହିଁ, ତାର ସେଇ ପରିବର୍ତ୍ତନହୀନ ପ୍ରକୃତି ଯୋଗୁଁ ସଦାସର୍ବଦା ପାପ ବ୍ୟଭିଚାରର ନରକକୁଣ୍ଡରେ ଘାଣ୍ଟିହେଉଥିବ ।

 

କିନ୍ତୁ ରୁଷର ଦୃଷ୍ଟିକୋଣ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ରୁଷର ବୈଜ୍ଞାନିକଗଣ କହିଲେ, ମଣିଷର ପ୍ରକୃତିର ପରିବର୍ତ୍ତନ ଘଟିଆସୁଛି ଓ ନିଶ୍ଚୟ ଘଟିବ । ତେବେ ମଣିଷ ତା’ର ସମାଜର ଇତିହାସରେ କେବେହେଲେ ପ୍ରକୃତ ନୈତିକଭାବେ ବସବାସ କରିବା, ନୈତିକ ଭାବେ ଜୀବନଯାପନର ସୁଯୋଗ ପାଇନାହିଁ, କେବେହେଲେ ପରିତୃପ୍ତ ପ୍ରେମ ଲାଭକରିବାର ସୁବିଧା ଉପଭୋଗ କରିନାହିଁ । ତେବେ ସେପରି ସାମାଜିକ ଅବସ୍ଥା ସୃଷ୍ଟି କରିବା, ସେଇ ସୁବିଧାସୁଯୋଗ ଯୋଗାଇଦେବା ହେଲା ସୋଭିଏତର ଲକ୍ଷ୍ୟ । ସେଇ ପ୍ରକୃତ ନୈତିକତା ପ୍ରତିଷ୍ଠାର ପରିକଳ୍ପନା ଏକ ବିରାଟ ସାମାଜିକ ପରୀକ୍ଷା, ସୋଭିଏତ ସେଇ ପରୀକ୍ଷାରେ ଅଗ୍ରସର ହେଲା ।

 

ବାହାରେ ଦୁନିଆ ଏ ବିଷୟରେ ଅନଭିଜ୍ଞ । ଆଉ କେତେକ ଜାଣିଶୁଣି ଏହାକୁ ବିକୃତଭାବେ ପ୍ରଚାର କରନ୍ତି । ନିଜର ନୀଚ ସଂକୀର୍ଣ୍ଣ ସ୍ୱାର୍ଥ ଦୃଷ୍ଟିରୁ ଲୋକଙ୍କ ମଧ୍ୟରେ ସୋଭିଏତ୍ ବିରୋଧୀ ଭାବ ଉଦ୍ରେକ କରିବା ପାଇଁ । ଆଉ ତାହା କରିବା ପାଇଁ ପ୍ରଥମେ ସୋଭିଏତ୍ ଯେଉଁସବୁ ବ୍ୟବସ୍ଥା ଗ୍ରହଣ କରିଛି, ତା ଶୁଣିଲେ ସାଧାରଣ ଲୋକ ସ୍ତମ୍ଭିତ ହୋଇଯିବ । କାରଣ, ତାହା ଉପରକୁ ଅତ୍ୟନ୍ତ ଅନୈତିକ, ଅତୀବ ଗର୍ହିତ କାର୍ଯ୍ୟ ।

 

ପାପ ବ୍ୟଭିଚାରର ଅନ୍ୟ ଏକ ପରିଣାମ ହେଲା ପାପଗର୍ଭ । ସେଥିରୁ ରକ୍ଷା ପାଇବାର ପଥ ହେଲା ଗର୍ଭପାତ । ଏହା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ ଓ ଏକ ଜଘନ୍ୟ ଅପରାଧ, ତାହା ସର୍ବବାଦୀସମ୍ମତ । କାରଣ ଏହା ଏକପ୍ରକାରର ହତ୍ୟା । ଶିଶୁ ଭୂମିଷ୍ଠ ହେଲା ପୂର୍ବରୁ ମାତୃତ୍ୱ ଓ ପିତୃତ୍ୱ ଦାୟିତ୍ୱରୁ ରକ୍ଷାପାଇବା ପାଇଁ ତାକୁ ନଷ୍ଟ କରି ଦିଆଯାଏ । ବର୍ତ୍ତମାନ ଆମ ଦେଶରେ ଜନସଂଖ୍ୟାରେ ବୃଦ୍ଧିକୁ ରୋକିବା ଲାଗି, ଗର୍ଭପାତକୁ ଆଇନସଙ୍ଗତ କରିବା ନେଇ ଆଲୋଚନା ଆରମ୍ଭ ହୋଇଛି । ସୋଭିଏତରେ କିନ୍ତୁ ଏହା ଏବେ ଏକ ଘୋର ଅପରାଧ, ଅନୈତିକ କାର୍ଯ୍ୟ । ତା ଆଉ ସେଠାରେ ନାହିଁ । ବହୁଦିନୁ ଲୋପ ପାଇଗଲାଣି । ଅଥଚ ତାହା ଅନ୍ୟ ଦେଶରେ ଏବେ ବି ପ୍ରଚଳିତ, ଅବଶ୍ୟ ଗୋପନରେ, ଲୁଚାଛପା ଭାବେ । ତାହା ଅନୈତିକ, ସେଥିଲାଗି କଠୋର ଦଣ୍ଡର ବ୍ୟବସ୍ଥା ଥିଲେ ମଧ୍ୟ ତା ଦୂର ହେଉନାହିଁ । ହଜାର ହଜାର ସଂଖ୍ୟାରେ ଗର୍ଭପାତ କରାଯାଉଛି, ଆମ ଦେଶରେ ମଧ୍ୟ ଏହା ଦେଖାଯାଏ ।

 

ଏହା ସବୁସ୍ଥାନରେ ଚୋରାଲୁଚାରେ ହୁଏ । ଯେଉଁମାନେ କରନ୍ତି, ସେମାନେ କ୍ୱଚିତ ଧରାପଡ଼ନ୍ତି । ସାଧାରଣତଃ ଚିକିତ୍ସକ ବୋଲାଉଥିବା ଅନାଡ଼ିଲୋକଙ୍କ ଦ୍ୱାରା ଏହା ହୋଇଥାଏ । ତା ଫଳରେ କେବଳ ଗର୍ଭର ଶିଶୁ ନଷ୍ଟ ହୁଏ ନାହିଁ, ବହୁ କ୍ଷେତ୍ରରେ ମା’ର ମଧ୍ୟ ମୃତ୍ୟୁ ଘଟେ । ପୂର୍ବେ ଜର୍ମାନୀରେ ଏହା ଫଳରେ ବର୍ଷକୁ ୧୦ ହଜାର ସ୍ତ୍ରୀଲୋକ ମୃତ୍ୟୁମୁଖରେ ପଡ଼ୁଥିଲେ, ତାହାର ବହୁଗଣ ଚିରରୁଗ୍‍ଣ ଓ ବିକ୍ଷତ ଅବସ୍ଥା ଭୋଗୁଥିଲେ । ଆମେରିକାରେ ମଧ୍ୟ ଏଇପରି ଲକ୍ଷ ଲକ୍ଷ ସଂଖ୍ୟାରେ ଗର୍ଭପାତ ହେଉଛି । ବର୍ଷକୁ ୮୦ ହଜାର ଶିଶୁ ମରୁଛନ୍ତି । ଜାର୍‍ ଶାସନ ଅମଳରେ ରୁଷରେ ଏଥିଯୋଗୁ ପ୍ରତିବର୍ଷ ୨୫ ହଜାର ସ୍ତ୍ରୀଲୋକଙ୍କର ମୃତ୍ୟୁ ଘଟୁଥିଲା–ଯଦିଓ ଧର୍ମଦ୍ୱାରା ଏହା ନିଷିଦ୍ଧ, ଆଇନ ଦ୍ୱାରା ଦଣ୍ଡନୀୟ, ଏବଂ ସାମାଜିକ ନୀତିଦ୍ୱାରା ନିନ୍ଦନୀୟ ।

 

ଏହା ଆଜି ରୁଷ ସମାଜରେ ଇତିହାସର ବସ୍ତୁ ହେଲାଣି । କିନ୍ତୁ ଅନ୍ୟ ସବୁ ଦେଶରେ ରହିଛି ଓ ବୃଦ୍ଧି ପାଇଛି କାହିଁକି ? ଏହା ସମସ୍ତେ ଜାଣନ୍ତି–କେହି ପ୍ରକାଶ କରନ୍ତି ନାହିଁ । ଅନୈତିକ ସମାଜରେ ନୈତିକତାର କପଟତା ରକ୍ଷା କରିବା ଉଦ୍ୟମ ଯୋଗୁଁ ଯେ ଲକ୍ଷ ଲକ୍ଷ ପ୍ରାଣର ବିନାଶ ଘଟୁଛି, ତା କିଏ ନ ଜାଣେ ? ଯେଉଁମାନେ ଆଖିବୁଜି ଭଗବାନଙ୍କୁ ଡାକନ୍ତି ବା ମାଳି ଗଡ଼ାନ୍ତି ବା ଯେଉଁମାନେ ଶୁଦ୍ଧପୂତ ଜୀବନଯାପନ ଲାଗି ଧର୍ମବାଣୀ ଶୁଣାନ୍ତି, ସେମାନଙ୍କଠାରୁ ଆରମ୍ଭ କରି ସମାଜସେବୀ ଡାକ୍ତର, ବୈଜ୍ଞାନିକ ଓ ରାଜନୀତିଜ୍ଞ କିଏ ନ ଜାଣନ୍ତି ଏ ଗର୍ଭପାତ–ଶିଶୁହତ୍ୟା ଘଟିଛି ବୋଲି । କିନ୍ତୁ ସମସ୍ତେ ଏହାକୁ ନୈତିକତାର କପଟ ପ୍ରତାରଣା ଦ୍ୱାରା ଢାଙ୍କି ଦିଅନ୍ତି, ଧରିନିଅନ୍ତି ଏ ସମସ୍ୟାର କୌଣସି ସମାଧାନ ନାହିଁ । ତେଣୁ ଏକମାତ୍ର ଉପାୟ ହେଲା, ସେ ପାପକୁ ଘୋଡ଼ାଇଦେବା, ଆଉ ଅତି ଉଚ୍ଚସ୍ୱରରେ ଘୋଷଣା କରିବା ତାଙ୍କର ଏହି ସମାଜ ପୂରାପୂରି ଶୁଦ୍ଧପୂତ ନୈତିକତା ଉପରେ ପ୍ରତଷ୍ଠିତ । ଆଉ ସମସ୍ତେ ଜଣେ ଜଣେ ଶୁଦ୍ଧପୁତ ପୁଣ୍ୟବନ୍ତ ବ୍ୟକ୍ତି ।

 

ସୋଭିଏତ୍ ଏ କପଟତା ଗ୍ରହଣ କରିନାହିଁ । ତାହା ସ୍ୱୀକାର କରିଛି ଯେ ଗର୍ଭପାତ ରହିଛି । ପ୍ରଶ୍ନ କରିଛି କ’ଣ ତା’ର କାରଣ ? ଖୋଜୁଛି ତା’ର ନିରାକରଣ ଉପାୟ । ଦେଖିଛି, ପ୍ରଥମତଃ ପାପଗର୍ଭ ଏକ ସାମାଜିକ କଳଙ୍କ, ବିଶେଷକରି ଅବିବାହିତ ଲୋକଙ୍କ ପକ୍ଷରେ । ଦ୍ୱିତୀୟରେ, ତାହା ଜାରଜ ସନ୍ତାନର ସମସ୍ୟା । ତୃତୀୟରେ, ଦୁଃଖ ଦାରିଦ୍ର୍ୟ ହେତୁ ସଂସାର ଚଳାଇବାରେ ଅସମର୍ଥତା ଯୋଗୁଁ ଗର୍ଭପାତ । ତେଣୁ ମାତୃତ୍ୱ ପିତୃତ୍ୱର ଦାୟିତ୍ୱରୁ ମୁକ୍ତି ପାଇବାକୁ ଉଦ୍ୟମ, ଆଉ ବର୍ତ୍ତମାନର ପ୍ରଚାର ଅନୁସାରେ ‘ଛୋଟ ପରିବାର ସୁଖୀ ପରିବାର’ ଇତ୍ୟାଦି । ଏଇପରି ଯେତେ ଯେତେ କାରଣ ଅଛି, ସେ ସବୁର ମୂଳଭିତ୍ତି ହେଲା ସାମାଜିକ ଓ ଅର୍ଥନୈତିକ । ତାକୁ ସମାଧାନ ନ କରିବା ହେତୁ ମଣିଷ ଏପରି ଅନୈତିକତାର ଆଶ୍ରୟ ନେବାକୁ ବାଧ୍ୟ ହୋଇଛି ।

 

ବିପ୍ଳବ ପରେ ସୋଭିଏତ ନେତମାନେ ଦେଖିଲେ, ଏହା ଏକ ପୁରାତନ ସମସ୍ୟା । ଯେତେ ଉପଦେଶ ଦେଲେ ବା ଯେତେ କଠୋର ଆଇନ କଲେ ବି ଏହାକୁ ଦୂର କରିହେବ ନାହିଁ । କିମ୍ୱା ଡାକ୍ତରଙ୍କୁ ଗର୍ଭପାତର ଅବାଧ ସୁଯୋଗ ଦେଲେ ବି ଏହା ଲୋପ ହେବ ନାହିଁ । ଏହା ଏକ ସାମାଜିକ ସମସ୍ୟା, ପୂରାପୂରି ଅର୍ଥନୈତିକ । କାରଣ, ବହୁଦିନର ଅବାଞ୍ଛନୀୟ ନୈତିକତା ଭିତରୁ ଉଦ୍ଭବ । ଏହା ବିରୁଦ୍ଧରେ ଲୁଚାଚୋରା ଭାବେ ନୁହେଁ, ପ୍ରକାଶ୍ୟରେ ଖୋଲାଖୋଲି ଅଭିଯାନ ଚଳାଇବାକୁ ହେବ । ବ୍ୟାପକ ନୈତିକ ଶକ୍ତି ଜାଗ୍ରତ କରିବାକୁ ହେବ । ସେଥି ସଙ୍ଗେ ସଙ୍ଗେ ତାକୁ ଜନ୍ମ ଦେଇଥିବା ସାମାଜିକ ଓ ଅର୍ଥନୈତିକ ଭିତ୍ତିକୁ ଲୋପ କରିବାକୁ ପଡ଼ିବ ।

 

ଗର୍ଭପାତକୁ ଲୋପ କରିବା ପାଇଁ ପ୍ରଥମେ ଗର୍ଭପାତକୁ ସାମୟିକ ଭାବେ ଆଇନସଙ୍ଗତ କରାହେଲା । ଅବଶ୍ୟ ସେ ଦିଗରେ କଠୋର ନିୟନ୍ତ୍ରଣ ରହିଲା । ହେଲେ ବି ଗର୍ଭପାତ, ଭୃଣହତ୍ୟା ଆଇନସଙ୍ଗତ ! ଏଥିରେ ଯେ କୌଣସି ଲୋକ ଚମକି ପଡ଼ିବ । ଏହା କ’ଣ କୌଣସି ସଭ୍ୟ ସରକାର କରିପାରେ ?

 

ହଁ, ରୁଷ ତା’ କଲା । ସେଥିଲାଗି ବିଶେଷ ଧରଣର ଡାକ୍ତରଖାନାମାନ ଖୋଲାଗଲା । ଡାକ୍ତରଙ୍କ ସହିତ ସହିତ ଗୋଟିଏ ପରାମର୍ଶଦାତା ବୋର୍ଡ଼ ଗଠିତ ହେଲା । ଯେଉଁ ଗର୍ଭବତୀ ନାରୀ ଓ ତରୁଣୀମାନେ ସନ୍ତାନ ଚାହାନ୍ତି ନାହିଁ, ସେମାନଙ୍କୁ ସେ ଡାକ୍ତରଖାନାକୁ ଆସିବା ଲାଗି ଆହ୍ୱାନ କରାଗଲା । ସେମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦିଆଗଲା ଯେ ତାଙ୍କର ସମସ୍ତ ବିଷୟ ଗୋପନ ରଖାଯିବ । ସୋଭିଏତ ବିରୋଧିମାନେ ପ୍ରଚାର କଲେ ଯେ ଗୁପ୍ତରେ ଗର୍ଭପାତ କରିବାକୁ ଏହା କରାଯାଉଛି । କିନ୍ତୁ ତା’ର ଉଦ୍ଦେଶ୍ୟ ଠିକ୍ ଓଲଟା । ସେଠାରେ ଗର୍ଭପାତ ନ କରିବା ଲାଗି ସେମାନଙ୍କୁ ବୁଝାଯାଏ । ସେତେବେଳକୁ ସୋଭିଏତ୍ ସରକାର ଅତି କମ ଦିନ ହେଲା ପ୍ରତିଷ୍ଠିତ ହୋଇଛି, ଦୁଃଖ ଦାରିଦ୍ର୍ୟ ଦୂର ହୋଇ ନାହିଁ । ପୁରାତନ ସାମାଜିକ ପ୍ରଥା ପ୍ରଚଳିତ । ହେଲେ ବି ଶହକେ ୫୧ଜଣ ଫେରି ଯାଇଛନ୍ତି ଗର୍ଭପାତ ନ କରି, ମାତୃତ୍ୱର ମହାନ୍ ସୁଖର ଅଧିକାର ଲାଭ କରବାକୁ । ସୋଭିଏତ୍‍ର ଏଇ ଗୋଟିଏ କାର୍ଯ୍ୟଦ୍ୱାରା ରୁଷର ଗର୍ଭପାତ ସଂଖ୍ୟା ସଙ୍ଗେ ସଙ୍ଗେ ଅଧେ ହ୍ରାସ ପାଇଗଲା ।

 

କାରଣ, ଯେଉଁମାନେ ଗର୍ଭପାତ ଚାହାନ୍ତି, ସେମାନେ ପ୍ରାୟ ସମସ୍ତେ ଶଙ୍କିତ ଭୟଭୀତ-। ଲଜ୍ଜା ଅପବାଦ ଯୋଗୁ ଅନ୍ୟ ଜାଗାରେ ମୁହଁ ଖୋଲି କହିପାରନ୍ତି ନାହିଁ । ତାଙ୍କୁ ବନ୍ଧୁତ୍ୱପୂର୍ଣ୍ଣ ପରାମର୍ଶ ଦେବାକୁ କିଏ ବା ଆସୁଛି ? ସେମାନେ ଚେଷ୍ଟା କରନ୍ତି ଯେତେ ଶୀଘ୍ର ପାରନ୍ତି, କିପରି ଖଲାସ ହୋଇଯିବେ । ଜଣାପଡ଼ିଗଲେ ପୁଣି ଗିରଫ ହେବାର ଭୟ ଅଛି । ତେଣେ ଡାକ୍ତର ପାଖକୁ ଯିବାକୁ ହେଲେ ପୁଣି ପଇସା ଦରକାର ଇତ୍ୟାଦି ବହୁ କାରଣ ଯୋଗୁଁ ସେମାନେ ପହଞ୍ଚନ୍ତି ଅନାଡ଼ିଲୋକଙ୍କ ବା ବୈଦ୍ୟଙ୍କ ପାଖରେ । ଯେଉଁଠି କି କେବଳ ଗର୍ଭରେ ଶିଶୁର ମୃତ୍ୟୁ ଘଟେ ନାହିଁ, ମା ପକ୍ଷରେ ମଧ୍ୟ ମୃତ୍ୟୁର ସମ୍ଭାବନା ପଦେ ପଦେ ରହିଥାଏ ।

 

ଯଦି ବୁଝାଇଲା ପରେ ମଧ୍ୟ ଜଣେ ରାଜି ନ ହେଲା, ଜିଦ୍ ଧରିଲା ଗର୍ଭପାତ ଲାଗି; ତେବେ ତାକୁ ଅପରେସନ କରାଯାଏ । ଏଥିଲାଗି କୌଣସି ପଇସା ପଡ଼େ ନାହିଁ । କାରଣ, ତା ଯଦି ନ ହୋଇଥାନ୍ତା, ତେବେ ସେମାନେ ବୈଦ୍ୟ ବା ଅନାଡ଼ି ଲୋକଙ୍କ ହାତରେ ପଡ଼ିଥାଆନ୍ତେ । ଏବେ ଦକ୍ଷ ଡାକ୍ତରଙ୍କ ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଓ ଜୀବନ ଆଦି ସୁରକ୍ଷିତ ହେଲା । ଡାକ୍ତରମାନେ କହନ୍ତି ଯେ ୧୨ବର୍ଷ ମଧ୍ୟରେ ସେମାନେ ଏହାଦ୍ୱାରା ପ୍ରାୟ ୩ଲକ୍ଷ ସ୍ତ୍ରୀଲୋକଙ୍କର ପ୍ରାଣରକ୍ଷା କରିପାରିଛନ୍ତି । ଏହା ଫଳରେ ସ୍ତ୍ରୀଲୋକଙ୍କ ମଧ୍ୟରେ ଗର୍ଭପାତଜନିତ ମୃତ୍ୟୁସଂଖ୍ୟା ପ୍ରାୟ ଲୋପ ପାଇଗଲା ।

 

ଏଣେ ଡାକ୍ତରଖାନାରେ ଗର୍ଭପାତ ଆଇନସଙ୍ଗତ, ବୋଲି ଚାରିଆଡ଼େ ଯେ ତାହା ଆଇନସଙ୍ଗତ ତା ନୁହେଁ । ସେଇ ଆଇନରେ ବ୍ୟବସ୍ଥା ରହିଲା, ଯେ କୌଣସି ବୈଦ୍ୟ ବା ଅନାଡ଼ିଲୋକ ତାହା କରିପାରିବେ ନାହିଁ । ଯଦି କରନ୍ତି, ତେବେ କଠୋର ଦଣ୍ଡ ଭୋଗ କରିବାକୁ ହେବ । ତା ମାନେ ଯେପରି ଗର୍ଭପାତ ବନ୍ଦ ହେବ । ହେଲେ ତା ଖୁବ୍ କମ୍ ହେବ । ସ୍ତ୍ରୀଲୋକଙ୍କ ସ୍ୱାସ୍ଥ୍ୟ ଓ ପ୍ରାଣରକ୍ଷା ହୋଇପାରିବ, ଏଇ ହେଲା ମୂଳ ଉଦ୍ଦେଶ୍ୟ । ବାସ୍ତବରେ ସେ ଉଦ୍ଦେଶ୍ୟ ସାଧିତ ହେଲା ।

 

ଏହା ହେଲା ପ୍ରାଥମିକ ପଦକ୍ଷେପ ମାତ୍ର । ପ୍ରଶ୍ନ ଆସିଲା, ଯେଉଁମାନେ ଗର୍ଭପାତ କରିବାକୁ ଜିଦ୍ ଧରିଲେ, କାହିଁକି ସେମାନେ ତା କରିବାକୁ ଗଲେ ? ସେ ସବୁ ସ୍ତ୍ରୀଲୋକଗୁଡ଼ାକ କ’ଣ ଖରାପ ? ତାଙ୍କର କ’ଣ ପରିବର୍ତ୍ତନ ସମ୍ଭବ ନୁହେଁ ? ତାହାହେଲେ ତ ସମାଜରେ ଏମିତି ଲୋକ ବରାବର ରହିବେ । ଏ ବିଷୟରେ ସୋଭିଏତ୍ ବୈଜ୍ଞାନିକମାନେ ସେମିତି ପ୍ରଶ୍ନ ପଚାରି ଗବେଷଣା ଆରମ୍ଭ କଲେ । ସେମାନଙ୍କର ସିଦ୍ଧାନ୍ତ ହେଲା ଯେ ସମାଜରେ ମାତୃତ୍ୱର ଭୂରି ଭୂରି ପ୍ରଶଂସା କରାଯାଏ, ତାକୁ ଉଚ୍ଚ ଆସନ ପ୍ରଦାନ କରାଯାଏ, ତାର ଖୁବ୍ ଗୁଣଗାନ ହୁଏ, ତା କେବଳ କଥାରେ, କାମରେ ନୁହେଁ । ବାସ୍ତବ କ୍ଷେତ୍ରରେ ମାତୃତ୍ୱ ଯୋଗୁଁ ନାରୀ ନାନା ଭାବରେ ଅଭିଶପ୍ତ, ଦଣ୍ଡିତ, ବହୁ ଦୁଃଖ କଷ୍ଟ ଭୋଗ କରିବାକୁ ବାଧ୍ୟ ହୁଏ । ଗର୍ଭବତୀ ହେଲେ ସେ କାମ ପାଏ ନାହିଁ, ଅନେକଠାରେ ତାର କାମ ଯାଏ, ଅବିବାହିତ ସ୍ତ୍ରୀଲୋକଙ୍କ ପକ୍ଷରେ ତାହା ଏକ ସାମାଜିକ କଳଙ୍କ । ଅଧିକାଂଶଙ୍କ ପକ୍ଷରେ ତାହା ଏକ ବିରାଟ ବୋଝ, ସେମାନେ ପିଲାଙ୍କ ମୁହଁରେ ଆହାର ଦେଇ ପାରନ୍ତି ନାହିଁ । ସେମାନଙ୍କୁ ଲାଳନପାଳନକରି ମଣିଷ କରିପାରନ୍ତି ନାହିଁ । ଅଧିକ ପିଲା ଅର୍ଥ, ଅଧିକ ଆର୍ଥିକ ବୋଝ, ଅଧିକ ଅଭାବ ଓ ଦୁଃଖ ଯନ୍ତ୍ରଣା ଇତ୍ୟାଦି । ଏ ସମ୍ୱନ୍ଧରେ ଅଧିକ କହିବା ଅନାବଶ୍ୟକ । ଆମର ପରିବାର ନିୟନ୍ତ୍ରଣ ବିଭାଗ ଏ ଦିଗରେ ବିଶେଷ ପ୍ରଚାର କରିଦିଏ ।

 

କିନ୍ତୁ ତାହା ମାତୃତ୍ୱକୁ ଅଭିଶାପରୁ ମୁକ୍ତ କରେ ନାହିଁ । ଆମର ସମାଜ ପକ୍ଷରେ ତା ଆଦୌ ସମ୍ଭବ ନୁହେଁ । ସେ ସମ୍ପର୍କରେ ବିଶଦ ଆଲୋଚନା ଏଠାରେ ସମ୍ଭବ ନୁହେଁ । ପ୍ରଥମ କଥା, ପ୍ରତ୍ୟେକ ସ୍ତ୍ରୀଲୋକଙ୍କ ଲାଗି ପୂର୍ଣ୍ଣ ଆର୍ଥିକ ନିରାପତ୍ତା ରହିବ । ଅର୍ଥାତ୍ ପ୍ରତ୍ୟେକେ କାମ ପାଇବେ, ରୋଜଗାର କରିବେ । ଗର୍ଭବତୀ ହେଲେ ତାଙ୍କର କାମ ଯିବନାହିଁ । ପୁରା ମଜୁରୀ ବା ଦରମା ଓ ଛୁଟି ପାଇବେ । ବିନା ମୂଲ୍ୟରେ ଚିକିତ୍ସିତ ହେବେ । ତା’ପରେ ସନ୍ତାନକୁ ମଣିଷ କରିବାର ଦାୟିତ୍ୱ ସେମାନଙ୍କୁ ବହନ କରିବାକୁ ହେବ ନାହିଁ ।

 

ଆଜି ଏ ସମସ୍ତ ସୁବିଧା ସୁଯୋଗ ସୋଭିଏତ୍ ରୁଷ ପ୍ରତ୍ୟେକ ମା ଓ ପିଲାଙ୍କ ପାଇଁ ଯୋଗାଇଦେଇଛି । ପିଲା ଗର୍ଭରେ ରହିବା ଦିନଠାରୁ ସେ ବିଦ୍ୟା ଅଧ୍ୟୟନ କରି ଶେଷରେ ଉପଯୁକ୍ତ କାମ ପାଇଲା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସୋଭିଏତ ସମାଜର । କୌଣସି ସନ୍ତାନ କୌଣସି ଦିଗରୁ ତା’ର ପିତାମାତାଙ୍କ ଉପରେ ଏକ ବୋଝ ଭଳି ଲଦି ହୁଏ ନାହିଁ । ଅଧିକ ସନ୍ତାନର ମାତା ତା’ର ସନ୍ତାନର ସଂଖ୍ୟା ଅନୁସାରେ ଅଧିକ ଅଧିକ ଭତ୍ତା ପାଇଥାଏ । ଅଧିକ ସନ୍ତାନର ମାତା ହେବା ଯୋଗୁଁ ସମ୍ମାନିତ ହୁଏ, ଉପାଧି ଲାଭ କରେ । ସନ୍ତାନର ଶିକ୍ଷା, ଚିକିତ୍ସା, ପୋଷାକପତ୍ର ଇତ୍ୟାଦିର ଅଭାବ ଅନୁଭବ ସେ କରେ ନାହିଁ । ସେ କାମକୁ ଗଲାବେଳେ ତା’ର ସନ୍ତାନ ଅଯତ୍ନରେ ଉପେକ୍ଷିତ ହୁଏ ନାହିଁ । ପ୍ରତ୍ୟେକଠାରେ ମା’ର କାମ ଜାଗାରେ ପିଲାଙ୍କ ପାଇଁ ନର୍ସରୀ, ଶିଶୁଭବନ ଓ କିଣ୍ଡରଗାର୍ଟନ । ଯେଉଁଠିକି ପିଲା ଦୁଇ ମାସ ହେବା ଦିନଠାରୁ ରହିପାରେ । ସେଠାରେ ମା’ଠାରୁ ଅଧିକ ଯତ୍ନ ନେବା ଭଳି ଶିକ୍ଷିତ ଧାଈ ବା ନର୍ସମାନେ ଅଛନ୍ତି । ସେମାନେ ତାକୁ ଖୁଆନ୍ତି, ପିଆନ୍ତି, ଖେଳନ୍ତି ଏବଂ ଶିକ୍ଷା ମଧ୍ୟ ଦେଇଥା’ନ୍ତି । ମା କାମରୁ ଫେରିଲାବେଳେ ପିଲାଙ୍କୁ ସାଙ୍ଗରେ ଧରି ଫେରେ । ଏହା ଗୋଟିଏ କଥା ପ୍ରକାଶ କରେ–ପିଲାର ପାଳନ ତାକୁ ମଣିଷ କରି ଗଢ଼ିବାର ଦାୟିତ୍ୱ ସରକାର ବା ସମାଜର । କିନ୍ତୁ ସନ୍ତାନର ସୁଖ, ମାତୃତ୍ୱର ପୂର୍ଣ୍ଣ ଆନନ୍ଦ ଉପଭୋଗ କରିବାର ଅବାଧ ସୁଯୋଗ ଲାଭ କରନ୍ତି ପିତାମାତା ।

 

ଅତଏବ ମାତୃତ୍ୱର ମହତ୍ୱ, ଯାହା ଦିନେ କେବଳ କଥାରେ ରହିଥିଲା, ତାହା ବାସ୍ତବରେ କାର୍ଯ୍ୟରେ ପରିଣତ ହୋଇଛି । ମାତୃତ୍ୱ ଆଉ ଦୁଃଖଦୈନ୍ୟର କାରଣ ନୁହେଁ, ତାହା ଏକ ପରମ ସୁଖରେ ପରିଣତ ହୋଇଛି । ସନ୍ତାନ ଲାଗି ମାତା ଅଭିଶପ୍ତା ନୁହେଁ, ସେଥିଲାଗି ସେ ସମ୍ମାନିତା । ଅଧିକ ସନ୍ତାନ ହେତୁ ସେ ଲାଞ୍ଛିତା ନୁହେଁ, ଗର୍ବିତା ।

 

ଏଇ ସାମାଜିକ ଓ ଅର୍ଥନୈତିକ ଅବସ୍ଥାର ପରିବର୍ତ୍ତନ ଯୋଗୁଁ ଆଉ ଗର୍ଭପାତର ସମସ୍ୟା ନାହିଁ । କାରଣ, ତା’ର ମୂଳଭିତ୍ତି ବହୁଦିନୁ ଲୋପ ପାଇଲାଣି । ଅବଶ୍ୟ ସବୁ ସଭ୍ୟ ଦେଶ ଭଳି ସେଠାରେ ଆଇନତଃ ଏହା ଦଣ୍ଡନୀୟ ହୋଇରହିଛି । କିନ୍ତୁ ତାକୁ ପ୍ରୟୋଗ କରିବାକୁ କ୍ଷେତ୍ର ନାହିଁ । ଅନ୍ୟ ଦିଗରେ ବିବାହ ବାହାରେ ସନ୍ତାନ ପ୍ରସବର ସମସ୍ୟା ମଧ୍ୟ ଲୋପ ପାଇଛି । ତା ହୋଇଛି, ସେଇ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଯୋଗୁ । ଯାହା ଫଳରେ କି ବିବାହ ଦିଗରେ, ପ୍ରକୃତ ପ୍ରେମରେ ଆବଦ୍ଧ ହେବା ଦିଗରେ ସମସ୍ତ ବାଧା ପ୍ରତିବନ୍ଧକ ଦୂର ହୋଇଛି; ଯାହା ଫଳରେ କି ଯୁବକ ଯୁବତୀ ଛାତ୍ର ଅବସ୍ଥାରେ, ଅଧ୍ୟୟନ କାଳରେ ବି ବିବାହ ଭିତରେ ପ୍ରେମର ପରିତୃପ୍ତି ସହିତ ମାତୃତ୍ୱ ପିତୃତ୍ୱର ଆନନ୍ଦ ଓ ଗୌରବ ଲାଭ କରିବାକୁ ସମର୍ଥ ହୁଅନ୍ତି ।

Image

 

ନୂତନ ସମାଜରେ ନୂତନ ବିବାହ

 

ପ୍ରେମ ଓ ବିବାହ ଏକ ବିଚିତ୍ର ସମସ୍ୟା, ତା କାହାକୁ ଛାଡ଼ି ନାହିଁ । ସାଧାରଣ ଲୋକଙ୍କ କଥା ଛାଡ଼, ଗୃହତ୍ୟାଗୀ, ସନ୍ନସ୍ୟା–ଯେଉଁମାନେ ସଂସାର ଛାଡ଼ିଛନ୍ତି, ସେମାବେ ବି ଏହାକୁ ଆଲୋଚନା କରିଛନ୍ତି । କିଏ ବା କରେ ଗୋପନରେ, ନିଜର ବ୍ୟକ୍ତିଗତ ଦୃଷ୍ଟିରୁ, କିଏ ବା କରେ ପ୍ରକାଶ୍ୟରେ, ସାମାଜିକ ଦୃଷ୍ଟିକୋଣରୁ କମ ବହୁତ ଏହା ସମସ୍ତଙ୍କୁ ଘାରେ । କାରଣ, ଏହା ଜୀବନର ଏକ ପ୍ରଧାନ ପ୍ରଶ୍ନ, ଏକ ବିରାଟ ଅଙ୍ଗ ଏଥି ସହିତ ଜଡ଼ିତ ଯୌନପ୍ରେମ ଓ ନୈତିକତାର ପ୍ରଶ୍ନ । ଏ ବିବାହ ବା ଯୌନପ୍ରେମ କିପରି ସମାଜ ବିକାଶର ବିଭିନ୍ନ ସ୍ତରରେ ବିଭିନ୍ନ ରୂପ ନେଇଛି, ଏବେ ଶେଷରେ ଏକକ ବିବାହରେ ପହଞ୍ଚିଛି ଓ ଉକ୍ତ ଏକକ ବିବାହ କିପରି ବ୍ୟକ୍ତିଗତ ସମ୍ପତ୍ତି ଭିତରୁ ଉଦ୍ଭବ, ତାହା ଆମେ ଦେଖିଛେ । ଆମେ ଦେଖିଛେ, ପ୍ରେମର ଜନ୍ମ ଓ ତାର ବିକାଶ ଧାରା । ଏବେ ଦେଖିବା ନୂତନ ସୋଭିଏତ ସମାଜରେ ତାର ପରିଣତି, ତାର ଗତିର ମାର୍ଗ ।

 

ଆମ ସମାଜରେ ଲୋକେ ଏକକ ବିବାହ ଅନୁସାରେ ଆଗ ବିଭା ହୁଅନ୍ତି । ତା’ପରେ ସ୍ତ୍ରୀପୁରୁଷ ପ୍ରେମର ବନ୍ଧନରେ ଆବଦ୍ଧ ହୁଅନ୍ତି । ସେମାନଙ୍କର କର୍ତ୍ତବ୍ୟ ବା ଅଲେଖା ବିଧାନ ହୁଏ ପରସ୍ପରକୁ ଭଲ ପାଇବା, ଅନ୍ୟ କାହାକୁ ନୁହେଁ । ଏହା ହେଲା ସର୍ବୋଚ୍ଚ ନୈତିକତା । ଏହା ଯଦି ଏକମାତ୍ର ନୈତିକ, ତେବେ ପ୍ରେମିକ-ପ୍ରେମିକା ଯିଏ ପରସ୍ପରକୁ ଭଲ ପାଆନ୍ତି, ସେମାନଙ୍କର କର୍ତ୍ତବ୍ୟ ହେଲା ପରସ୍ପରକୁ ବିଭା ହେବା, ଅନ୍ୟ କାହାକୁ ନୁହେଁ । କାରଣ, ତାହାହିଁ କେବଳ ନୈତିକ-। ସେମିତି, ଯେଉଁଠି ବିବାହ ପ୍ରେମ ଉପରେ ପ୍ରତିଷ୍ଠିତ ନୁହେଁ କିମ୍ୱା ବିବାହିତ ଜୀବନ ଭିତରେ ପ୍ରେମର ଡୋରି ଛିନ୍ନ ହୋଇଗଲା, ସେ କ୍ଷେତ୍ରରେ ସ୍ତ୍ରୀପୁରୁଷ ପକ୍ଷରେ ଏକାଠି ରହିବା ଅନୁଚିତ, ଅବାଞ୍ଛନୀୟ । କାରଣ, ତା ଆଉ ନୈତିକ ହୋଇ ରହିଲା ନାହିଁ । ଯେଉଁଠି ପ୍ରେମର ବନ୍ଧନ ତୁଟିଗଲା, ସେଠାରେ ପ୍ରକୃତରେ ବିବାହ ମଧ୍ୟ ଭାଙ୍ଗିଗଲା । ଅତଏବ ପ୍ରେମର ଭିତ୍ତିରେ ପ୍ରତିଷ୍ଠିତ, ପ୍ରେମର ନିରବିଚ୍ଛିନ୍ନ ପ୍ରବାହରେ ସମୃଦ୍ଧ, ବୈବାହିକ ଜୀବନ ସମାଜର ଲକ୍ଷ୍ୟ ହେବା ଦରକାର । ଆଉ ସେ ପ୍ରେମ ପରିତୃପ୍ତ ପ୍ରେମ ହେବା ଉଚିତ, ତା ନ ହେଲେ ପରିତୃପ୍ତି ପାଇଁ ମଣିଷ ଅନ୍ୟ ଆଡ଼େ ଦୃଷ୍ଟି ନିକ୍ଷେପ କରିପାରେ ।

 

ଏହାର ଅଭାବ ହିଁ ସବୁ ଅନୈତିକତାର ମୂଳ । ଯେଉଁ ବିବାହରେ ପ୍ରେମ ନାହିଁ ବା ଯେଉଁଠି ପ୍ରେମ ଭାଙ୍ଗିଗଲା, ସେଠାରେ ଆଉ ସୁଖ ଆନନ୍ଦର ପ୍ରଶ୍ନ ନାହିଁ । ସାମାଜିକ, ଅର୍ଥନୈତିକ, ବହୁ କାରଣରୁ କେବଳ ସ୍ତ୍ରୀପୁରୁଷ ଏକାଠି ପଡ଼ି ରହନ୍ତି । ନୈତିକତା ଦୃଷ୍ଟିରୁ ଦେଖିଲେ ତାହାହେଲା ବିବାହ ବାହାରେ (ପ୍ରେମର ବାହାରେ) ଯୌନ ସମ୍ପର୍କ । ନିଜ ଘରେ ଅନୈତିକ ବ୍ୟବହାର ବାହାରର ଅନୈତିକତାକୁ ଉତ୍ସାହିତ କରେ, ତା ସବୁ ପାପ ବ୍ୟଭିଚାରକୁ ଡାକି ଆଣେ । ଘରେ ପ୍ରେମର ଅଭାବ ମଣିଷକୁ ପ୍ରତ୍ସୋହିତ କରେ ଅନ୍ୟତ୍ର ଯିବା ଲାଗି; ତାହା ମଧ୍ୟ ପରୋକ୍ଷରେ ଗଣିକାପ୍ରଥାକୁ ସାହାଯ୍ୟ କରେ, ସମାଜରେ ସକଳ ଅନୈତିକତାକୁ ଜନ୍ମଦିଏ ।

 

ସୋଭିଏତ୍ ୟୁନିୟନର ଲକ୍ଷ୍ୟ ହେଲା–ଅନୈତିକତାକୁ ଲୋପ କରିବା । ଅର୍ଥାତ୍ ବୈବାହିକ ଜୀବନରେ ପ୍ରେମର ସାର୍ବଭୌମତ୍ୱ ପ୍ରତିଷ୍ଠା କରିବା, ଯେଉଁଠି କି ପ୍ରେମହିଁ ହେବ କେବଳ ଦୁଇଟି ଜୀବନ ମିଳନର ଭିତ୍ତି । ସେଠି ଧନସମ୍ପଦ, ଜାତିଧର୍ମ, ପାହିଆପଦବୀ ଆଦି ଅନ୍ୟ କୌଣସି ଜିନିଷର ବିଚାର ରହିବ ନାହିଁ । ଦୁଇ ଜୀବନର ବନ୍ଧନରେ ଏକମାତ୍ର ଡୋରି ହେବ ପ୍ରେମ-। କିନ୍ତୁ ଏହାର ଅର୍ଥ ପ୍ରେମର ସ୍ୱାଧୀନତା ନୁହେଁ ।

 

ଅନେକ ‘ସ୍ୱାଧୀନ ପ୍ରେମ’ ବା ପ୍ରେମ ବ୍ୟାପାରରେ ସ୍ୱାଧୀନତା କଥା କହିଥାଆନ୍ତି । ମନେକରନ୍ତି ଏହା ଏକ ପ୍ରଗତିଶୀଳ ବିଷୟ । କିନ୍ତୁ ପ୍ରକୃତରେ ତାହା ନୁହେଁ । ଜୀବନ ସହିତ ପ୍ରେମ ଜଡ଼ିତ,–ଯେ ନୂଆ ଜୀବନ ଗଢ଼ିବାକୁ ଯିବ ସେ ନିଶ୍ଚୟ ପ୍ରେମର ସମ୍ମୁଖୀନ ହେବ । ବ୍ୟକ୍ତିଗତ ଜୀବନ ଭଳି ନୂତନ ସାମାଜିକ ଜୀବନ ନିର୍ମାଣ ଆଗରେ ହିଁ ଏଇ ପ୍ରଶ୍ନ ଉଠିଥାଏ । ଲେନିନ୍ ଏହାକୁ ବହୁ ଆଗରୁ ଦେଖିଛନ୍ତି । ନୂତନ ସମାଜର ସୃଷ୍ଟି-ଅକ୍ଟୋବର ବିପ୍ଳବର ଦୁଇବର୍ଷ ପୂର୍ବରୁ ସେ ଆଲୋଚନା କରିଥିଲେ । ୧୯୧୫ରେ ଇନେସା ଆରମୋନ୍‍ଙ୍କୁ ସେ ଏ ସମ୍ପର୍କରେ ଏକ ପୁସ୍ତକ ଲେଖିବାକୁ ପରାମର୍ଶ ଦେଇଥିଲେ । ଇନେସା ଥିଲେ ଆନ୍ତର୍ଜାତିକ କମ୍ୟୁନିଷ୍ଟ ଆନ୍ଦୋଳନର ଏକ ବିଷିଷ୍ଟ ବ୍ୟକ୍ତି । ଇନେସା ତାଙ୍କ ପୁସ୍ତକରେ ଏହି ‘ସ୍ୱାଧୀନ ପ୍ରେମ’ ବା ନାରୀମାନଙ୍କ ଲାଗି ସ୍ୱାଧୀନ ପ୍ରେମର ଦାବି କରିଥିଲେ । ଲେନିନ୍ ତାକୁ ସମାଲୋଚନା କରିଥିଲେ ଏବଂ କହିଥିଲେ ତାକୁ ବହିରୁ ଉଠାଇ ଦିଅ । କାରଣ, ତାହା ସର୍ବହରାର ଦାବି ବା ଦୃଷ୍ଟିକୋଣ ନୁହେଁ । ‘ସ୍ୱାଧୀନ ପ୍ରେମ’ ବୋଇଲେ, କଣ ବୁଝାଏ ସେ ତାର ବ୍ୟାଖ୍ୟା କରିଥିଲେ ଏବଂ ତା ମଧ୍ୟରେ କିଏ ସର୍ବହରା ଦୃଷ୍ଟିକୋଣ ଏବଂ କ’ଣ ଧନିକଶ୍ରେଣୀ ଦୃଷ୍ଟିକୋଣ ତାହା ଦର୍ଶାଇଥିଲେ । ସେ ଏ ଦିଗରେ ଦଶଗୋଟି ବ୍ୟାଖ୍ୟା ଉପସ୍ଥାପିତ କରିଛନ୍ତି :

 

୧)

ପ୍ରେମ ବ୍ୟାପାରରେ କୌଣସି ପ୍ରକାର ବୈଷୟିକ ବା ଅର୍ଥନୈତିକ ହିସାବ କିତାବ ବା ବାଧା ପ୍ରତିବନ୍ଧକ ରହିବା ଉଚିତ ନୁହେଁ । ତା ମାନେ ଧନଦୌଲତ, ଦେବାନେବା ବିଚାରରୁ ପ୍ରେମ ସମ୍ପୂର୍ଣ୍ଣ ମୁକ୍ତ ହେବା ଉଚିତ । ଯେଉଁଠି ଧନ ସମ୍ପଦର ବିଚାର, ସେଠି ପ୍ରେମର ପ୍ରଶ୍ନ ନାହିଁ ।

 

 

୨)

ଆର୍ଥିକ ଦୁଶ୍ଚିନ୍ତା ଓ ଜଞ୍ଜାଳରୁ ତାହା ମୁକ୍ତ ହେବା ଦରକାର । ସଦା ସର୍ବଦା ଅର୍ଥ ଚିନ୍ତାରେ ଘାରିହେଲେ, ଅଭାବ ଯନ୍ତ୍ରଣାରେ ଘାଣ୍ଟିହେଲେ–ପ୍ରେମ ବ୍ୟାହତ ହୁଏ । ତା’ର ଉପଭୋଗ, ତା’ର ବିକାଶ ହୋଇପାରେ ନାହିଁ । ତା’ର ସ୍ୱାଧୀନତା ଲୋପ ହୁଏ; ତାହା ସେଇ ଅଭାବ ଜଞ୍ଜାଳର ଅଧୀନ ହୋଇପଡ଼େ ।

 

 

୩)

ଧର୍ମଗତ ଧାରଣା ଓ ଅନ୍ଧ କୁସଂସ୍କାରରୁ ପ୍ରେମର ମୁକ୍ତି ଆବଶ୍ୟକ । ଏହା ନହେଲେ ପ୍ରେମର ମିଳନ ଓ ବିକାଶ ବାଧାପ୍ରାପ୍ତ ହୁଏ; ତାହା ପୂରଣ ହୋଇପାରେ ନାହିଁ, ପ୍ରେମର ଆଧିପତ୍ୟ ଓ ସ୍ୱାଧୀନତା ଲୋପ ହୁଏ ।

 

 

୪)

ପିତାମାତାଙ୍କ ନିଷେଧାଜ୍ଞାରୁ ମଧ୍ୟ ପ୍ରେମର ମୁକ୍ତି ଦରକାର । ଏଥିଯୋଗୁଁ ମଧ୍ୟ ପ୍ରେମ ବ୍ୟାହତ ହୋଇଥାଏ ।

 

 

୫)

ସେମିତି ସାମାଜିକ କୁସଂସ୍କାର କଥା (ଆମ ଦେଶରେ ଜାତି ବର୍ଣ୍ଣ ଗୋତ୍ର ଇତ୍ୟାଦି ବହୁ ଜିନିଷର ଅଭାବ ନାହିଁ । ଏପରିକି ନାହକ, ପୁରୋହିତ ଇଚ୍ଛା କଲେ ପ୍ରେମର ମିଳନକୁ ଅକ୍ଳେଶରେ ଭାଙ୍ଗି ଦେଇପାରନ୍ତି )

 

 

୬)

‘‘କୃଷକ, ପେଟିବୁର୍ଜୁଆ, ବୁର୍ଜୁଆ ବୁଦ୍ଧିଜୀବୀଙ୍କ’’ ସଂକୀର୍ଣ୍ଣ ବାତାବରଣ ଅବସ୍ଥା ମଧ୍ୟରୁ ମଧ୍ୟ ପ୍ରେମର ମୁକ୍ତି ଆବଶ୍ୟକ । ଏମାନେ ତାଙ୍କ ସଂକୀର୍ଣ୍ଣ ଦୃଷ୍ଟିକୋଣରୁ ପ୍ରେମର ବିଚାର କରିଥାନ୍ତି । ନିଜର ପାହିଆପଦବୀ, ଚିନ୍ତା ଓ ପରିସର ମଧ୍ୟରେ ତାକୁ ଆବଦ୍ଧ କରି ରଖନ୍ତି-

 

 

୭)

ଆଇନ ଅଦାଲତ ଓ ପୋଲିସର କଟକଣାରୁ ପ୍ରେମର ମୁକ୍ତି ଦରକାର । ତାହା କୌଣସି ପ୍ରକାରର ଆଇନ କଟକଣା ଦ୍ୱାରା ନିୟନ୍ତ୍ରିତ ହେବା ଅନୁଚିତ ।

 

 

୮)

ପ୍ରେମର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକରୁ ମୁକ୍ତି ।

 

 

୯)

ସନ୍ତାନପ୍ରସବ ଦାୟିତ୍ୱରୁ ମୁକ୍ତି ।

 

 

୧୦)

ବ୍ୟଭିଚାର ଲାଗି ପୂର୍ଣ୍ଣ ସ୍ୱାଧୀନତା ଇତ୍ୟାଦି ।

 

ଆଉ ଅଧିକା କିଛି ଥାଇପାରେ । ତେବେ ଏଇ ଦଶଟି ହେଲା ସ୍ୱାଧୀନ ପ୍ରେମର ସମ୍ଭବପର ବ୍ୟାଖ୍ୟା । ଏଥିମଧ୍ୟରୁ ଲେନିନଙ୍କର ମତରେ ଏକରୁ ସାତ ପର୍ଯ୍ୟନ୍ତ ବିଷୟଗୁଡ଼ିକ ହେଲା ସର୍ବହରା ନାରୀମାନଙ୍କର ଚରିତ୍ର ବା ବୈଶିଷ୍ଟ୍ୟ । ଆଉ ଆଠରୁ ଦଶ ଯାକେ ହେଲା ବୁର୍ଜୁଆ ନାରୀମାନଙ୍କର ବିଶେଷତ୍ୱ । ଏକ ଓ ଦୁଇ–ଏ ଦୁଇଟି ବିଷୟ ସର୍ବହରାଙ୍କ ପକ୍ଷରେ ବିଶେଷ ଗରୁତ୍ୱପୂର୍ଣ୍ଣ । ତାହା ହେଉଛି ମୌଳିକ ଭିତ୍ତି, ଅର୍ଥନୈତିକ ସ୍ୱାଧୀନତା ।

 

ନବମାନବର ସୃଷ୍ଟି

ଟିକିଏ ବିଚାର କଲେ ଦେଖାଯିବ, ଏକରୁ ସାତ ବିଷୟଗୁଡ଼ିକ ପ୍ରେମର ସ୍ୱାଧୀନତା ନୁହେଁ, ତା ହେଉଛି ପ୍ରେମର ପ୍ରକାଶ, ବିକାଶ ଓ ପରିପୂର୍ଣ୍ଣତା ଦିଗରେ ସକଳ ପ୍ରକାର ବାଧା ପ୍ରତିବନ୍ଧକର ଅବସାନ ଲାଗି ଦାବି ମାତ୍ର । ସେସବୁ ଦୂର ନ ହେଲେ କେବେହେଲେ ପ୍ରେମ ପରିପୂର୍ଣ୍ଣ ହେବ ନାହିଁ । ଯେଉଁଠି ଅର୍ଥର ବିଚାର, ଦାରିଦ୍ର୍ୟର କଷାଘାତ, ଧର୍ମ, କୁସଂସ୍କାରର ଆଧିପତ୍ୟ ଏବଂ ଯେଉଁଠି ପିତାମାତାଙ୍କ ନିର୍ଦ୍ଦେଶ ଓ ଆଇନ ଅଦାଲତର ନିଷ୍ପତ୍ତି ଅନୁସାରେ ପ୍ରେମ ନିୟନ୍ତ୍ରିତ, ସେଠାରେ ପ୍ରେମର ସାର୍ବଭୌମତ୍ୱ ନାହିଁ, ତାହା ସେମାନଙ୍କର ଅଧୀନ ।

 

ଅଥଚ ଏହାକୁ କେହି ପ୍ରେମ ଦିଗରେ ସ୍ୱାଧୀନତା ବୋଲି ଜ୍ଞାନ କରନ୍ତି ନାହିଁ । ପ୍ରେମର ସ୍ୱାଧୀନତା କହିଲେ ସାଧାରଣତଃ ଆଠରୁ ଦଶ ବିଷୟଗୁଡ଼ିକହିଁ ବୁଝାଯାଏ । ତାହା ବୁର୍ଜୁଆ ବା ଧନିକ ଶ୍ରେଣୀର ଦୃଷ୍ଟିକୋଣ । ତାହା ସେହି ଶ୍ରେଣୀର ସ୍ତ୍ରୀଲୋକମାନେ ଚାହାନ୍ତି । ସାହିତ୍ୟ ଓ କାବ୍ୟକବିତାରେ ମଧ୍ୟ ତା’ର ପ୍ରମାଣ ମିଳେ । ଏହି ସ୍ୱାଧୀନ ପ୍ରେମର ଅନ୍ୟ ନାମ ଅବାଧ ଯୌନ ସମ୍ପର୍କ ବା ବ୍ୟଭିଚାର ଛଡ଼ା ଅନ୍ୟ କିଛି ନୁହେଁ ।

 

ଏହି ବୁର୍ଜୁଆ ଶ୍ରେଣୀର ଦୃଷ୍ଟିକୋଣ ଅନ୍ୟ ଦିଗରେ ୧ରୁ ୭ଯାଏ ସର୍ବହରା ଦୃଷ୍ଟିକୋଣର ବିରୋଧ ପରିଥାଏ । କାରଣ ତାର ପ୍ରତିଷ୍ଠା ବା ପ୍ରେମ ଦିଗରେ ସମସ୍ତ ପ୍ରତିବନ୍ଧକ ଦୂର କରିବାର ପ୍ରଧାନ ଓ ପ୍ରଥମ ପଦକ୍ଷେପ ହେଲା ବୁର୍ଜୁଆ ସମ୍ପତ୍ତିର ବିଲୋପ । ତେଣୁ ପ୍ରକୃତ ସମାଧାନ ପନ୍ଥାକୁ ଘୋଡ଼ାଇରଖି ତା ପରିବର୍ତ୍ତେ କେବଳ ନୀତିବାକ୍ୟ ହିଁ ଧନିକ ସମାଜ ଶୁଣାଇଥାଏ ।

 

ନୀତିବାକ୍ୟ ଯେତେ ନିର୍ଭୁଲ ହେଲେ ବି କେବଳ ନୀତିବାକ୍ୟ ଦ୍ୱାରା ଅବସ୍ଥା ବଦଳେ ନାହିଁ । ସେପରି ନୀତିବାକ୍ୟ କ’ଣ ମଣିଷ ଶୁଣି ନାହିଁ ? ତାହା କ’ଣ ସେ ଜାଣେ ନାହିଁ ? କିନ୍ତୁ ତାହା କାର୍ଯ୍ୟରେ ପରିଣତ ହୋଇନାହିଁ କିମ୍ୱା କେବେହେଲେ ହୋଇପାରିବ ନାହିଁ; ଯେତେଦିନ ପର୍ଯ୍ୟନ୍ତ ସେଇ ପ୍ରେମର ପ୍ରତିଷ୍ଠା ଦିଗରେ ସକଳ ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ନୈତିକ ପ୍ରତିବନ୍ଧକ ଆଦି ଦୂର ନ ହୋଇଛି । ଅତଏବ ପ୍ରେମର ପ୍ରତିଷ୍ଠା ଲାଗି ଆଗ ଦରକାର ପ୍ରକୃତ ଭୌତିକ ଅବସ୍ଥାର ସୃଷ୍ଟି । ଏହି ଲେନିନ୍‍ବାଦୀ ଦୃଷ୍ଟିକୋଣରୁ ସୋଭିଏତ୍‍ର ସମସ୍ତ ପରିକଳ୍ପନା ଆରମ୍ଭ ହେଲା ।

 

କିନ୍ତୁ ସେ ଭୌତିକ ଅବସ୍ଥା ସୃଷ୍ଟି କରିବା ସହଜ କଥା ନୁହେଁ । ବ୍ୟକ୍ତିଗତ ସମ୍ପତ୍ତିର ବିଲୋପ ଘୋଷଣା କରିବା ଦ୍ୱାରା ସୋଭିଏତ୍ ରୁଷ କେବଳ ତା’ର ଭିତ୍ତି ସୃଷ୍ଟିର ଉଦ୍ୟମ କରିଛି ମାତ୍ର । ତାକୁ ପୁଣି କାର୍ଯ୍ୟରେ ପରିଣତ କରିବାକୁ ହେବ, ପୁରୁଷ ସହିତ ନାରୀକୁ ସମାଜରେ ସମାନ ଅଧିକାର ପ୍ରଦାନ କରିବାକୁ ହେବ । ଏହା ଛଡ଼ା ଜାତି, ଧର୍ମ, ବର୍ଣ୍ଣ ଆଦି ବହୁ ସାମାଜିକ କୁସଂସ୍କାର ଓ ବିଚାରମାନ ରହିଛି । ଏସବୁ ଜଟିଳ ସମସ୍ୟା । ଏହାକୁ ଏକାଦିନକେ ହଟାଇ ଦିଆଯାଇ ନ ପାରେ । ତେବେ ସୋଭିଏତ ନିଜର ସେଇ ଭିତ୍ତିକୁ ସୁଦୃଢ଼ ଓ ପ୍ରସାରିତ କରିବା ସଙ୍ଗେ ସଙ୍ଗେ ଆଗେଇ ଯାଇଛି, ସେହି ସୁସ୍ଥ ନୈତିକ ଜୀବନର ପ୍ରତିଷ୍ଠା ଦିଗରେ ।

 

୧୯୧୭ର ବିପ୍ଳବ । ବିପ୍ଳବ ସଙ୍ଗେ ସଙ୍ଗେ ଘୋଷିତ ହେଲା ନୂତନ ବିବାହ ଆଇନ । ଏଥିରେ ଛାଡ଼ପତ୍ର ଦେବାର ଅଧିକାରକୁ କେବଳ ସ୍ୱୀକାର କରାହେଲା ନାହିଁ, ତାକୁ ଅତି ସହଜ କରି ଦିଆହେଲା । ସେଥିରେ ରହିଲା, ସ୍ତ୍ରୀ ପୁରୁଷ ଉଭୟେ, ବା ଯଦି ଜଣେ କେହି ଚାହାନ୍ତି, ତେବେ ତାଙ୍କର ବିବାହ ଭାଙ୍ଗିଦେଇ ପାରନ୍ତି । ଏଥିଲାଗି କୋର୍ଟ କଚେରୀକୁ ଯିବା ଦରକାର ନାହିଁ, ସାକ୍ଷ୍ୟପ୍ରମାଣ ଆଦିର ବିଚାର ନାହିଁ; ନିଜର ମତ କେବଳ ମାଜିଷ୍ଟ୍ରେଟଙ୍କୁ ଜଣାଇଦେଲେ ହେଲା । ବିବାହ ଭାଙ୍ଗିଯିବ, ଛାଡ଼ପତ୍ର ଛାଏଁ ଛାଏଁ କାଏମ ହୋଇଯିବ । ତା ମାନେ ଜଣେ ଇଚ୍ଛା କଲେ ପ୍ରତିଦିନ ବିବାହ ଭାଙ୍ଗିପାରେ ଓ ପୁଣି ଏକ ନୂଆ ବିବାହ କରିପାରେ (ଅବଶ୍ୟ ଯଦି କେହି ତାଙ୍କୁ ବିବାହ କରିବାକୁ ଆସନ୍ତି) ।

 

ଏଥିରେ ସାରା ପୃଥିବୀରେ ଚହଳ ପଡ଼ିଗଲା । ପ୍ରଚାର ହେଲା ରୁଷରେ ଅବାଧ ପ୍ରେମ ଚାଲିଛି । ଯିଏ ଯାହାକୁ ଇଚ୍ଛା କରେ ଘେନି ଯାଇପାରେ । କିନ୍ତୁ ଏଇ ଛାଡ଼ପତ୍ର ନିୟମ ପ୍ରକୃତ ନୈତିକତା ପ୍ରତିଷ୍ଠିତ ଓ ତା’ରି ପ୍ରତିଷ୍ଠା ଦିଗରେ ଏକ ପଦକ୍ଷେପ ମାତ୍ର । ପ୍ରଥମେ ଯେପରି ଗର୍ଭପାତକୁ ଆଇନସଙ୍ଗତ କରି, ସରକାର ନିଜେ ଗର୍ଭପାତ କରାଇ, ଶେଷରେ ତାକୁ ସମାଜରୁ ଏକଦମ୍ ଲୋପ କରିଦେଲା, ଏ କ୍ଷେତ୍ରରେ ମଧ୍ୟ ଠିକ୍ ସେଇଭଳି ନୀତି ଗ୍ରହଣ କରାଗଲା ।

 

ପ୍ରଥମେ ଛାଡ଼ପତ୍ର ବ୍ୟବସ୍ଥାକୁ ଅତି ସହଜ, ଅତି ସରଳ କରାଯାଇଛି । କିନ୍ତୁ ଯେଉଁ ଅର୍ଥନୈତିକ, ସାମାଜିକ ଓ ନୈତିକ ଅବସ୍ଥା ଯୋଗୁଁ ବିବାହ କ୍ଷେତ୍ରରେ ବିଫଳତା ଉପୁଜେ, ତାହା ଯେତେବେଳେ ଦୂର ହୋଇଛି, ସେତେବେଳେ ଛାଡ଼ପତ୍ର ବ୍ୟବସ୍ଥାକୁ କଠୋର କରିଦିଆଯାଇଛି । ଏବେ ଯେଉଁମାନେ ଛାଡ଼ପତ୍ର ଦିଅନ୍ତି, ତାଙ୍କୁ କେହି ଭଲ ଦୃଷ୍ଟିରେ ସାଧାରଣତଃ ଦେଖନ୍ତି ନାହିଁ । କାରଣ ପ୍ରେମର ସ୍ଥାୟିତ୍ୱ ଉପରେ ହିଁ ମାନବପ୍ରେମର ନୈତିକତା ଗଠିତ । ସର୍ବୋଚ୍ଚ ମାନବିକ ଯୌନ ସମ୍ପର୍କ କେବଳ ଦୁଇଜଣଙ୍କର ସମ୍ପର୍କ । ସେଠାରେ ଅନ୍ୟର ପ୍ରବେଶ ନାହିଁ । ତାହାହିଁ ସ୍ଥାୟୀ ପ୍ରେମ ଉପରେ ପ୍ରତିଷ୍ଠିତ ଜୀବନବ୍ୟାପୀ ବୈବାହିକ ସମ୍ପର୍କ–ଯାହାକି ସନ୍ତାନବାତ୍ସଲ୍ୟ, ସ୍ନେହ ମମତା ଦ୍ୱାରା ମହୀୟାନ୍ । ଏଇ ଦିଗରେ ଗତି କରିଛି ରୁଷର ବିବାହ ବ୍ୟବସ୍ଥା ।

 

କିନ୍ତୁ ବିପ୍ଳବ ପୂର୍ବରୁ ନାରୀର ସ୍ୱାଧୀନତା ବୋଲି କିଛି ନାହିଁ । ସେ ପରିବାର ଭିତରେ, ସମାଜ ଭିତରେ ଯୁଗ ଯୁଗର ପ୍ରଥା, ପରମ୍ପରା ଦ୍ୱାରା ଆବଦ୍ଧ । ପୂର୍ବର ସେଇ ଅସମତା ଓ ଦାସତ୍ୱ ମଧ୍ୟରେ ଘଟିଛି ତା’ର ବିବାହ । ବିବାହ ବେଳେ କେହି ତା’ର ମତ ଲୋଡ଼ିନାହିଁ । ସ୍ୱାଧୀନଭାବେ ବିଚାର କରିବାର ଶକ୍ତି ମଧ୍ୟ ତା’ର ନାହିଁ, ସେତେବେଳେ, ସେ ଅବସ୍ଥାରେ ସ୍ତ୍ରୀପୁରୁଷର ପରସ୍ପର ପ୍ରତି ସମ୍ମାନ ନାହିଁ କି ବିବାହ ପ୍ରେମ ଉପରେ ପ୍ରତିଷ୍ଠିତ ନୁହେଁ । ପ୍ରେମକୁ ଛାଡ଼ି–ଧନସମ୍ପଦ ଜାତି, କୁଳ, ଧର୍ମ ଓ ବନ୍ଧୁବାନ୍ଧବଙ୍କ ମତାମତ ବହୁ ଜିନିଷ ଦ୍ୱାରା ନିୟନ୍ତ୍ରିତ । ମୋଟ ଉପରେ ନାରୀ ହୋଇଛି ପୁରୁଷର ଦାସ । କିନ୍ତୁ ସକଳ ଦାସତ୍ୱକୁ ଲୋପ କରିଛି ସୋଭିଏତ୍ ବିପ୍ଳବ । ତାହା ପୁଣି ସମାଜର ଅଧେ ଲୋକ–ଏ ନାରୀମାନଙ୍କ ଦାସତ୍ୱକୁ କ’ଣ ପ୍ରଣୟ ଦେବେ ? ବିଶେଷକରି ମଣିଷର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ତା’ର ଏଇ ପରିବାର । ତେଣୁ ସେ ପରିବାର ଉପରେ ଦୃଷ୍ଟି ନ ପଡ଼ିବ କିପରି ? ପରିବାର ଗଠନରେ ତ ନାରୀ ପୁରୁଷ ପ୍ରତ୍ୟେକଙ୍କର ପୂର୍ଣ୍ଣ ସ୍ୱାଧୀନତା ରହିବା ଦରକାର, ଯେପରିକି ପ୍ରତ୍ୟେକେ ବିନା ବାଧ୍ୟ ବାଧକତାରେ, ଅବାଧରେ ନିଜ ନିଜର ପରିବାର ବାଛିନେଇ ପାରିବେ । ତାହା ଯେପରି ପ୍ରେମ ଉପରେ, ଦୁଇ ପକ୍ଷର ପରସ୍ପର ପ୍ରତି ସମ୍ମାନ ଓ ସମ ଅଧିକାର ଉପରେ ପ୍ରତିଷ୍ଠିତ ହୁଏ, ଏହା ହେଲା ଉକ୍ତ ନିୟମର ଉଦ୍ଦେଶ୍ୟ ।

 

ତେଣୁ ବିବାହ ଓ ଛାଡ଼ପତ୍ର ଉପରେ ଜାର ଅମଳରେ ସମସ୍ତ ନିଷେଧ କଟକଣା ଲୋପ ପାଇଲା । ଧର୍ମ ଓ ଗୀର୍ଜାର ହସ୍ତକ୍ଷେପ ଲୋପ ହେଲା । ତାହା ଏବେ ନିର୍ଭର କଲା ପ୍ରତ୍ୟେକ ସ୍ତ୍ରୀ ପୁରୁଷଙ୍କର ନିଜର ସ୍ୱାଧୀନ ଇଚ୍ଛା, ରୁଚି ଓ ଅଭିଳାଷ ଉପରେ । ଆଗେ ଥିଲା, ଛାଡ଼ପତ୍ର ପାଇବାକୁ ହେଲେ ଏକ ପକ୍ଷ ପ୍ରମାଣ କରିବ ଯେ ଅନ୍ୟ ପକ୍ଷ ତା ପ୍ରତି ବିଶ୍ୱସ୍ତ ଓ ଅନୁରକ୍ତ ନୁହେଁ; ସେ ଅନ୍ୟ ସହିତ ଲିପ୍ତ । ଏହା ଯେକୌଣସି ଲୋକ ବିଶେଷକରି ନାରୀମାନଙ୍କ ପକ୍ଷରେ ଘୋର ଲଜ୍ଜାର ବିଷୟ । ତା’ପରେ ରୁଷର ମୁସଲମାନ ଅଞ୍ଚଳରେ ନାରୀ ପୁରୁଷର ଏକଦମ ଗୋଲାମ ହୋଇ ରହୁଥିଲା । ଏପରିକି ଯଦି ସ୍ତ୍ରୀ ମୁହଁରେ ଓଢ଼ଣା ବା ପରଦା ନ ଦେଲା, ତେବେ ସ୍ୱାମୀର ଅଧିକାର ଥିଲା ତାକୁ ହତ୍ୟା କରିବାର । ଏ ଛାଡ଼ପତ୍ର ଆଇନ ସେ ସମସ୍ତ କୁପ୍ରଥା ଓ ନାରୀର ଦାସତ୍ୱକୁ ଏକାଗାରେକେ ଉଡ଼ାଇଦେଲା ।

 

ଏଇ ଛାଡ଼ପତ୍ର ଆଇନ ଫଳରେ ଜାର ଅମଳର ପରିବାର ଭାଙ୍ଗିଗଲା, ଯେଉଁଠାରେ ସ୍ତ୍ରୀ ବା ପୁରୁଷ ଯିଏ ଚାହିଁଲେ ଅଲଗା ହୋଇ ଗଲେ । ତେଣୁ ଏହା ପୂର୍ବର ଅନୈତିକ ବିବାହ ମୂଳରେ ପ୍ରଥମ କୁଠାରାଘାତ କଲା–ଏହା ସଙ୍ଗେ ସଙ୍ଗେ ଅନ୍ୟ ଦିଗରେ ରେଜେଷ୍ଟ୍ରି ବିବାହ ସାଙ୍ଗକୁ ଆଇନ ବା ଘେନାଘେନି ବିବାହ । ସ୍ତ୍ରୀପୁରୁଷ ଦୁଇଜଣ ଯେଉଁଠି ଏକତ୍ର ବାସ କରୁଥିବେ ଓ ସନ୍ତାନ ଲାଳନପାଳନ କରୁଥିବେ, ସେଠାରେ ସେମାନେ ସ୍ୱାମୀ ସ୍ତ୍ରୀ ବୋଲି ପରିଚିତ ହେବେ । ଏହା ହେଲା ନାରୀ ଓ ସନ୍ତାନମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ପରିବାରକୁ ଅଧିକ ଦୃଢ଼ କରିବାପାଇଁ । ତା ପରେ ହେଲା ଯଥାର୍ଥ କାରଣ ବିନା କେହି ଛାଡ଼ପତ୍ର ଦେଇପାରିବେ ନାହିଁ । ଅଥଚ ଛାଡ଼ପତ୍ର ଦେବାର ସ୍ୱାଧୀନତା ରହିଲା । ଏବେ ଯିଏ ଏକାଧିକବାର ଛାଡ଼ପତ୍ର ଦେଲା ତାକୁ ଲୋକ ଖରାପ ଚକ୍ଷୁରେ ଦେଖିଲେ, ତାର ବନ୍ଧୁମାନେ ତା ପ୍ରତି ସାମାଜିକ ଶାସ୍ତି ବିଧାନ ଆରମ୍ଭ କଲେ । ଏହା ହେଲା ଯେଉଁମାନେ ଦାୟିତ୍ୱହୀନ, ସେମାନଙ୍କ ବିରୁଦ୍ଧରେ ଅଭିଯାନ ।

 

ଏଥି ସହିତ ଅନ୍ୟ ଦିଗରେ ଗତି କରି ଚାଲିଛି ନାରୀମାନଙ୍କର ଅର୍ଥନୈତିକ, ସାମାଜିକ ସ୍ୱାଧୀନତା, ସେମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର । ସେମାନେ ପରିବାର ଓ ରୋଷାଇଶାଳର ସଂକୀର୍ଣ୍ଣ ଗଣ୍ତି ମଧ୍ୟରୁ ବାହାରି ଆସୁଛନ୍ତି । ଏବେ ସେମାନଙ୍କ ସମ୍ମୁଖରେ ମୁକ୍ତ ଦୁନିଆରେ ସୁବିସ୍ତୀର୍ଣ୍ଣ ପରିସର ଦେଶପାଇଁ, ଜାତିପାଇଁ; ପୁରୁଷ ସହିତ କାନ୍ଧକୁ କାନ୍ଧ ମିଶାଇ ଏକ ନୂତନ ସମାଜ ନିର୍ମାଣର ସୁଯୋଗ ଉନ୍ମୁକ୍ତ ।

 

ସ୍ୱାଧୀନତା ସହିତ ପ୍ରଥମ ଅବସ୍ଥାରେ ଉଚ୍ଛୃଙ୍ଖଳତା ମଧ୍ୟ ଆସେ । ତା ମଧ୍ୟ ରୁଷରେ ଘଟିଛି । ଅନେକେ ଭାବିଛନ୍ତି ପୁରୁଷର ସମାନ ହେବା ଅର୍ଥ ପୁରୁଷ-ଭଳି ପୋଷାକପତ୍ର ପିନ୍ଧିବା, ନାରୀସୁଲଭ ଗୁଣ ଛାଡ଼ି ପୁରୁଷ ଭଳି ବ୍ୟବହାର ଦେଖାଇବା, ସବୁକ୍ଷେତ୍ରରେ ପୁରୁଷକୁ ଅନୁସରଣ କରିବାକୁ ଚେଷ୍ଟା କରିବା । ଏପରି ଲୋକଙ୍କ ସଂଖ୍ୟା ଅବଶ୍ୟ ଅଳ୍ପ । ଶେଷରେ ଏମାନେ ସମସ୍ତଙ୍କ ଥଟ୍ଟା ପରିହାସର ପାତ୍ର ହେଲେ । ତେବେ ପୁରୁଷ ସହିତ ନାରୀକୁ ସମାନ କରିବା ଏତେ ସହଜ ବ୍ୟାପାର ନୁହେଁ । ଏହା ଖାଲି ଘୋଷଣା କରିଦେଲେ ହୁଏ ନାହିଁ । ନାରୀକୁ ପୁରୁଷର ସମାନ ଓ ସମକକ୍ଷ ହେବାକୁ ହେଲେ, ତାକୁ ପୁରୁଷ ଭଳି ଡାକ୍ତର, ବୈଜ୍ଞାନିକ ଇଞ୍ଜିନିୟର ଆଦି ପ୍ରତ୍ୟେକ କାର୍ଯ୍ୟ କରିବାକୁ ହେବ । ତାହାହେଲେ ସେ ପୁରୁଷ ସହିତ ସମାନ ଆସନ ଲାଭ କରିପାରେ । ତାଦ୍ୱାରା ହିଁ କେବଳ ନାରୀ ପୁରୁଷ ମଧ୍ୟରେ ପରସ୍ପର ପ୍ରତି ସମ୍ମାନ ଆସିପାରେ, ପ୍ରକୃତ ପ୍ରେମ ଓ ବନ୍ଧୁତ୍ୱ ସମ୍ଭବ ହୋଇପାରେ । ଏହା ଆଣିବା ପଛରେ ଯେ ରୁଷର କି କଠୋର ସାଧନା ରହିଛି, ତାର ବର୍ଣ୍ଣନା ଏଠାରେ ସମ୍ଭବପର ନୁହେଁ । ତେବେ ମୋଟ ଉପରେ ଏହା ନିର୍ଭର କରିଛି ରୁଷର ପଞ୍ଚବାର୍ଷିକ ଯୋଜନା ଉପରେ । ତାର ସଫଳତା ନାରୀକୁ ପୁରୁଷ ସହିତ ସମାନ ଆସନ ଅର୍ପଣ କରିବାରେ ସାହାଯ୍ୟକାରୀ ହୋଇଛି ।

 

୧୯୨୭ରେ ଏକ ନୂତନ ବିବାହ ଆଇନ ଘୋଷିତ ହେଲା । ସ୍ଥିର ହେଲା, ଛାଡ଼ପତ୍ର ବିଷୟ କୋର୍ଟରେ ବିଚାର ହେବ । ପରିବାରର ଯାହା କିଛି ସମ୍ପତ୍ତି ଓ ବିଷୟବସ୍ତୁ ଥିବ, ତା ସ୍ତ୍ରୀପୁରୁଷ ଉଭୟଙ୍କର, ତା ସମାନ ଭାବେ ବିଭକ୍ତ ହେବ ଆଉ ମଧ୍ୟ କୋର୍ଟ ସନ୍ତାନଙ୍କ ବ୍ୟବସ୍ଥା ପ୍ରତି ଦୃଷ୍ଟିଦେବ । ସ୍ତ୍ରୀ ବା ପୁରୁଷ ମଧ୍ୟରେ ଯଦି ଜଣେ କେହି ଅସମର୍ଥ,ତେବେ ସମର୍ଥପକ୍ଷ ଅନ୍ୟ ପକ୍ଷକୁ ସାହାଯ୍ୟ ଦେବାକୁ ବାଧ୍ୟ । ଏହା ନ ହୋଇଥିଲେ ନାରୀର ସ୍ୱାର୍ଥ କ୍ଷୁଣ୍ଣ ହୋଇଥାନ୍ତା । କାରଣ ସେତେବେଳକୁ ଅର୍ଥନୈତିକ ଅଭାବ ଦୂର ହୋଇନାହିଁ । ବେକାରୀ, ଦାରିଦ୍ର୍ୟ ଲୋପ ପାଇନାହିଁ, ସଂସ୍କୃତି ସ୍ତରର ଅଧିକ ଉନ୍ନତି ଘଟିନାହିଁ । ପୁରୁଷ ନାରୀ ତୁଳନାରେ ସବୁ ଦିଗରୁ ଅଗ୍ରସର ଓ ତାର ନିରାପତ୍ତା ଅଧିକ । ତେଣୁ ଏତେବେଳେ ଯଦି ବିବାହ ଆଇନସଙ୍ଗତ ନ ହୁଏ, ଭତ୍ତା ଦେବାର ବ୍ୟବସ୍ଥା ନ ରହେ, ତାହାହେଲେ ଛାଡ଼ପତ୍ର ଦ୍ୱାରା ସ୍ତ୍ରୀଲୋକମାନେ ପୁରୁଷ ଅପେକ୍ଷା ଅଧିକ କ୍ଷତିଗ୍ରସ୍ତ ହେବେ ।

 

ଏହାପରେ ଯେତେବେଳେ ନାରୀମାନଙ୍କର ଅର୍ଥନୈତିକ ଅବସ୍ଥାର ଉନ୍ନତି ଘଟିଲା, ସେମାନଙ୍କ ଆୟଅର୍ଜନ ବୃଦ୍ଧିପାଇଲା, ସେମାନେ ଶିକ୍ଷିତ ହେଲେ, ସମସ୍ତ କାର୍ଯ୍ୟକର୍ମରେ ପ୍ରବେଶ କଲେ, ସନ୍ତାନର ମା’ମାନଙ୍କୁ ରାଷ୍ଟ୍ରପକ୍ଷରୁ ଭତ୍ତା ଓ ସାହାଯ୍ୟ ମିଳିଲା; ସେତେବେଳେ ମନାମନି ବିବାହର ପୂର୍ବ ନିୟମର ଆଉ ଆବଶ୍ୟକତା ରହିଲା ନାହିଁ । କାରଣ ଏବେ ନାରୀର ସ୍ୱାର୍ଥ ସୁରକ୍ଷିତ-। ତା ପକ୍ଷରେ ଅନ୍ୟତ୍ର ଯିବାର କୌଣସି ଆବଶ୍ୟକତା ନାହିଁ । ଏ ଅବସ୍ଥାରେ ଯଦି ସ୍ତ୍ରୀ ଅନ୍ୟ ପୁରୁଷ ସହିତ ସମ୍ପର୍କ ପ୍ରତିଷ୍ଠା କରେ, ବୁଝିବାକୁ ହେବ ସେ ଦାୟିତ୍ୱହୀନ । ଯିଏ ନିଜର ବିବାହ ଓ ପରିବାର ପ୍ରତି ଦୃଷ୍ଟିଦିଏ ନାହିଁ, ସେପରି ଲୋକ ନିନ୍ଦନୀୟ । ତାକୁ ସାମାଜିକ ପ୍ରଶୟ ଦିଆଯାଏ ନାହିଁ ।

 

ଏଇ ଉପରୋକ୍ତ ଘଟଣାଗୁଡ଼ିକରୁ ସୋଭିଏତର ଦୃଷ୍ଟିକୋଣ ବେଶ୍ ବୁଝିହୁଏ, ତାହା କିପରି ସଚେତନଭାବେ ବିବାହ ଓ ଛାଡ଼ପତ୍ରକୁ ନିୟନ୍ତ୍ରଣ କରେ, ସମାଜରେ ଅର୍ଥନୀତି ଓ ନାରୀର ସାମାଜିକ ସ୍ଥିତିର ପରିବର୍ତ୍ତନ ଅନୁଯାୟୀ ତାର ପରିବର୍ତ୍ତନ ଘଟୁଛି । ଆମ ଦେଶରେ ବିବାହ ହୁଏ ଧର୍ମଦ୍ୱାରା ନିୟନ୍ତ୍ରିତ । ଆଇନ କରନ୍ତି ବ୍ୟବସ୍ଥାପକଗଣ । ଏ ଆଇନ ହେଲାବେଳେ ଧର୍ମ, ପୁରାଣ ଶାସ୍ତ୍ର ଉଦ୍ଧାର କରାଯାଏ । ସେମାନଙ୍କ ନିଜର ନୈତିକ ଦୃଷ୍ଟିକୋଣ ଅନୁଯାୟୀ କିଏ ନୈତିକ, କିଏ ଅନୈତିକ ତାର ବିଚାର ଆଲୋଚନା ହୁଏ । ଆଉ ଏ ସମସ୍ତ ହୁଏ ଧନସମ୍ପତ୍ତି ଦୃଷ୍ଟିରୁ, ବ୍ୟକ୍ତିଗତ ସମ୍ପତ୍ତିକୁ ଭିତ୍ତିକରି । କିନ୍ତୁ ସୋଭିଏତର ଦୃଷ୍ଟିକୋଣ ପୂରାପୂରି ଭିନ୍ନ । ବିବାହ ଓ ଛାଡ଼ପତ୍ର ଆଇନରେ ସେଠାରେ ଧର୍ମ, ଧନସମ୍ପଦର ବିଚାର ନାହିଁ । ତାର ପରିବର୍ତ୍ତନର ଏକମାତ୍ର ଭିତ୍ତି ହେଲା ସାମାଜିକ ଓ ଅର୍ଥନୈତିକ । ସେଇ ସାମାଜିକ ଅର୍ଥନୈତିକ, ପରିବର୍ତ୍ତନ ଅନୁଯାୟୀ ବିବାହ ଓ ଛାଡ଼ପତ୍ର ନିୟମରେ ପରିବର୍ତ୍ତନ ଘଟୁଛି । ତାହା ଗତି କରୁଛି ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ନେଇ । ଏଇ ଉଦ୍ଦେଶ୍ୟରେ ପ୍ରଥମ ଯେଉଁ ଆଇନ ହେଲା, ତାର ଲକ୍ଷ୍ୟ ହେଲା ସମାଜରେ ନାରୀର ସ୍ଥାନକୁ ଦୃଢ଼ ଓ ସୁପ୍ରତିଷ୍ଠିତ କରିବା, ଦ୍ୱିତୀୟ ପଦକ୍ଷେପ ହେଲା–ବିବାହ ବନ୍ଧନ ଆଣିବା, ଅର୍ଥାତ୍ ସ୍ତ୍ରୀପୁରୁଷଙ୍କର ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବା । ତୃତୀୟ ପରିବର୍ତ୍ତନର ପଦକ୍ଷେପ ହେଲା ସନ୍ତାନ ଓ ସମସ୍ତ ପାରିବାରିକ ସମ୍ପର୍କକୁ ସୁଦୃଢ଼ କରିବା । ଏହା କରାଯାଇଛି ସଚେତନ ଭାବେ–ବୈଜ୍ଞାନିକ ଦୃଷ୍ଟିକୋଣରୁ ।

 

ଏଇ ଦେଶରେ ଗୋଟାଏ ସମୟରେ ମନାମନି ବିବାହ ପ୍ରଚଳିତ ଥିଲା । ଏକାଠି ରହିଲେ ବିବାହ ହୋଇଯାଉଥିଲା । ଯେତେବେଳେ ତାର ସାମାଜିକ ଓ ଅର୍ଥନୈତିକ ଭିତ୍ତି ରହିଲା ନାହିଁ, ତାହା ବଦଳିଗଲା । ୧୯୪୪ରେ ଏକ ଆଇନ ପ୍ରଣୟନ ହେଲା । ଏଥିରେ ଅବଶ୍ୟ ବିବାହ ଦିଗରେ କୌଣସି ବାଧା ନାହିଁ । କିନ୍ତୁ କୋର୍ଟକୁ ଯିବାକୁ ହେବ, ସେଠାରେ ରେଜିଷ୍ଟ୍ରରଙ୍କ ସମ୍ମୁଖରେ ଶପଥ ନେବାକୁ ପଡ଼ିବ । ସ୍ତ୍ରୀପୁରୁଷ ପ୍ରତ୍ୟେକେ ଅନ୍ୟର ସ୍ୱାସ୍ଥ୍ୟ ବିଷୟ ଅବଗତ ଅଛନ୍ତି ବୋଲି ପ୍ରକାଶ କରିବାକୁ ହେବ । ପୂର୍ବବିବାହର କୌଣସି ରେକର୍ଡ଼ ଥିଲେ, ତାହା ସେମାନେ ଉପସ୍ଥାପିତ କରିବେ । ତାକୁ ପରୀକ୍ଷା କରାଯିବ । ପୂର୍ବବିବାହର ସନ୍ତାନ ଥିଲେ ତାଙ୍କ ବିଷୟ ମଧ୍ୟ ବିଚାରକୁ ନିଆଯିବ, ଏବଂ ତାହା ନିଷ୍ପତ୍ତି ନ ହେଲା ପର୍ଯ୍ୟନ୍ତ ବିବାହ ହୋଇପାରିବ ନାହିଁ । ଅବଶ୍ୟ କେହି ମିଥ୍ୟା ଶପଥ ନିଅନ୍ତି ନାହିଁ । ବିବାହ ବିବରଣୀ ସର୍ବସାଧାରଣରେ ପ୍ରକାଶ ପାଏ ନାହିଁ ସତ, କିନ୍ତୁ ଯଦି କେହି କୌଣସି ବିଷୟରେ ଆପତ୍ତି କରିବାକୁ ଚାହେଁ, ତେବେ ସେ କୋର୍ଟରେ ଉପସ୍ଥିତ ହୋଇ ତା କରିପାରେ, ତା’ର ବିଚାର ନ ହେବା ଯାଏ ବିବାହ ବନ୍ଦ ରହିବ ।

 

ଛାଡ଼ପତ୍ର ବ୍ୟବସ୍ଥା ମଧ୍ୟ ସେଇପରି ଧୀରେ ଧୀରେ କଠିନ ହୋଇଉଠିଲା । ଏଥିପୂର୍ବରୁ ଥିଲା ଯେ ଜଣେ କେହି ବିବାହ ଭଙ୍ଗ ରେଜିଷ୍ଟ୍ରେରଙ୍କୁ ଜଣାଇଦେଲେ ଛାଡ଼ପତ୍ର ହୋଇଯାଉଥିଲା । ଏଥିଲାଗି ସାମାନ୍ୟ କିଛି ଫିସ୍ ଦେବାକୁ ପଡ଼ୁଥିଲା । ରେଜିଷ୍ଟ୍ରର ଅପର ପକ୍ଷକୁ ତାହା ଜଣାଇ ଦେଉଥିଲେ । ଏବେ ହେଲା ଛାଡ଼ପତ୍ର ପାଇବାକୁ ହେଲେ ଦୁଇପକ୍ଷକୁ ମିଳିତ ଦରଖାସ୍ତ କରିବାକୁ ହେବ । ସେଥିଲାଗି ଫିସ ପରିମାଣ ମଧ୍ୟ ଅତ୍ୟଧିକ । ପ୍ରାୟ ୨୦୦ ରୁବଲ । ତାହା ପୁଣି ପ୍ରକାଶ ପାଇବ । ଯେଉଁମାନେ ଇଚ୍ଛା କରିବେ, ସେମାନେ ଆସି କୋର୍ଟରେ ତାଙ୍କର ବକ୍ତବ୍ୟ ପେଶ୍ କରିପାରିବେ । ତାପରେ ସେ ସମ୍ପର୍କରେ କୋର୍ଟରେ ଯୁକ୍ତିତର୍କ ବିଚାର ଆଲୋଚନା ଆଦି ହେବ ।

 

କିନ୍ତୁ ସବୁଠାରୁ ଏକ ବଡ଼ ବିସ୍ମୟକର କୌତୂହଳପୂର୍ଣ୍ଣ ବିଷୟ ହେଉଛି ଯେ କେଉଁ କେଉଁ କାରଣରୁ ଛାଡ଼ପତ୍ର ହେବ, କାହିଁକି ହେବ, ସୋଭିଏତ ଆଇନରେ ତାର କିଛି ଉଲ୍ଲେଖ ନାହିଁ । ଏହା ଏକ ନୂଆ କଥା । ସବୁ ଦେଶରେ ଆଇନରେ କାହିଁକି ହେବ ତାର କାରଣ ଅଛି, କିନ୍ତୁ ସେଠାରେ ନାହିଁ । ତା’ର କାରଣ, ବିବାହ ସ୍ତ୍ରୀପୁରୁଷଙ୍କ ବ୍ୟକ୍ତିଗତ ବ୍ୟାପାର । ତାଙ୍କ ଭିତରର କଥା । ତାକୁ ପାଞ୍ଚ ଆଇନ ଭଳି ଆଇନ ଦ୍ୱାରା ନିୟନ୍ତ୍ରଣ କରାଯାଇ ନପାରେ । ସ୍ତ୍ରୀପୁରୁଷର ସମ୍ୱନ୍ଧକୁ ଆଇନ ଦ୍ୱାରା ବାନ୍ଧିଦେବା ବା ଭାଙ୍ଗିଦେବା ସମ୍ଭବ ନୁହେଁ ଓ ଅନୁଚିତ ମଧ୍ୟ । ବିବାହ ଭଙ୍ଗରେ ବହୁ କାରଣ ଥାଇପାରେ । ଯାହା ଗୋଟିଏ କ୍ଷେତ୍ରରେ ବା ଜଣଙ୍କଠାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅନ୍ୟ କ୍ଷେତ୍ରର ବା ଅନ୍ୟ ଜଣେ ତାକୁ ଆଦୌ ଗୁରୁତ୍ୱ ଦେଇ ନ ପାରେ । ଦୁଇଟି ଜୀବନ କେଉଁଥିପାଇଁ ଅସହ୍ୟ ହୋଇ ଉଠିବ, ସେ ବିଷୟରେ ଚିରଦିନ ପାଇଁ କାହିଁକି ଗୁଡ଼ାଏ କାରଣ ବାନ୍ଧି ଦିଆହେବ ? ସ୍ତ୍ରୀପୁରୁଷ, ସେମାନେ ନିଜେ ସ୍ଥିର କରିବେ ତାଙ୍କର ସମ୍ପର୍କ ଆଉ ଚଳି ପାରିବ କି ନାହିଁ । କିନ୍ତୁ ବିବାହ ରହିବ କି ଭାଙ୍ଗିବ ତା ବିଚାର କରିବାକୁ ସେମାନେ ଉଯଯୁକ୍ତ ନୁହନ୍ତି । ତାହା ସ୍ଥିର କରିବ ବିଚାରାଳୟ । କାରଣ ବିବାହ କେବଳ ଏକ ବ୍ୟକ୍ତିଗତ ବିଷୟ ନୁହେଁ, ସେଥିରେ ପରିବାରବର୍ଗ, ସନ୍ତାନମାନେ ମଧ୍ୟ ସମ୍ପୃକ୍ତ । ପୁଣି ତାର ସାମାଜିକ ଦାୟିତ୍ୱ ରହିଛି ।

 

ତେଣୁ ଛାଡ଼ପତ୍ର ଏବେ ସହଜ ବ୍ୟାପାର ନୁହେଁ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ତାହା ବନ୍ଦ କରିବା । ସ୍ତ୍ରୀ ଓ ପୁରୁଷ ଯେଉଁମାନେ ଛାଡ଼ପତ୍ର ଲାଗି କୋର୍ଟକୁ ଯାଆନ୍ତି, କୋର୍ଟ ସେମାନଙ୍କଠାରୁ ସମସ୍ତ ବିଷୟ ଶୁଣେ, ସ୍ତ୍ରୀପୁରୁଷଙ୍କୁ କୋର୍ଟ ତାଙ୍କର ଦାୟିତ୍ୱ ବୁଝାଏ, ସେମାନେ ଯେପରି ନିଜ ନିଜ ଭିତରେ ତା’ ସମାଧାନ କରିପାରିବେ ସେ ଦିଗରେ ସେମାନଙ୍କୁ ସାହାଯ୍ୟ କରାଯାଏ । ଶେଷରେ ସ୍ତ୍ରୀପୁରୁଷ ଉଭୟ କୋର୍ଟକୁ ସନ୍ତୁଷ୍ଟ କରିବେ ଯେ ସେମାନଙ୍କ ମଧ୍ୟରେ ଆଉ ମିଳନ ସମ୍ଭବପର ନୁହେଁ । ଏ ବିଚାରରେ ଆମ ଦେଶ ଭଳି ପୂର୍ବ ମକଦ୍ଦମାର ନଜିର ବା ହାଇକୋର୍ଟ-ସୁପ୍ରିମକୋର୍ଟ ରାୟ ରୁଲିଙ୍ଗ ଆଦି ଉପସ୍ଥାପିତ କରାଯାଏ ନାହିଁ । ପ୍ରତ୍ୟେକଟି କେସ୍‍କୁ ତା’ର ଗୁଣ ଓ ଗୁରୁତ୍ୱ ଦୃଷ୍ଟିରୁ ବିଚାର କରାଯାଏ, ଗୋଟାଏଠାରେ କୌଣସି ଏକ କାରଣ ବା ମନୋମାଳିନ୍ୟ ଯୋଗୁଁ ଛାଡ଼ପତ୍ର ହୋଇଛି ବୋଲି ସବୁକ୍ଷେତ୍ରରେ ତାହାହିଁ ହେବ ଏହାର କୌଣସି କାରଣ ନାହିଁ । ସ୍ତ୍ରୀ, ପୁରୁଷ ଓ ସାକ୍ଷୀମାନଙ୍କଠାରୁ ଗୋଟିଏ କଥା ପ୍ରକାଶିତ ଓ ପ୍ରମାଣିତ ହେବା ଦରକାର ଯେ ପିତାମାତା ଓ ସନ୍ତାନମାନେ ସ୍ୱାଭାବିକ ଭାବେ ସାଧାରଣ ଜୀବନଯାପନ କରିପାରୁ ନାହାନ୍ତି । ସେମାନଙ୍କର ସାଧାରଣଭାବେ ଜୀବନଯାପନ ଦିଗରେ ସବୁପ୍ରକାର ଚେଷ୍ଟା କରାଯାଇଛି-। କିନ୍ତୁ ସେଥିରେ ସେମାନେ ସଫଳ ହୋଇନାହାନ୍ତି । ଶେଷରେ ସେମାନେ ବିଚାରିପତିଙ୍କ ହୃଦବୋଧ କରାଇବେ ଯେ, ଛାଡ଼ପତ୍ର ଦ୍ୱାରା ପିଲାମାନଙ୍କର କଲ୍ୟାଣ ହେବ, ସେମାନଙ୍କ ଅବସ୍ଥା ଖରାପ ହେବ ନାହିଁ । ସେମାନେ ମଧ୍ୟ ଉନ୍ନତ ଜୀବନଯାପନ କରିବାକୁ ସମର୍ଥ ହେବେ–ଇତ୍ୟାଦି-

 

ସୋଭିଏତ୍ ବିବାହ ବ୍ୟବସ୍ଥା ଦିନକୁ ଦିନ ଆହୁରି ଉନ୍ନତି କରିବାରେ ଲାଗିଛି । ଛାଡ଼ପତ୍ର ସଂଖ୍ୟା ଦିନକୁ ଦିନ କେବଳ କମୁ ନାହିଁ, ତା’ମାନେ, ପ୍ରେମର ସ୍ଥାୟିତ୍ୱ କେବଳ ବୃଦ୍ଧି ପାଉନାହିଁ, ବିବାହ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟ ପୁଞ୍ଜିପତି ଦେଶ ଆମେରିକାରେ ଠିକ୍ ବିପରୀତ ଗତି ଦେଖାଯାଏ । ରୁଷରେ, ବିବାହ ରେଟ ହଜାର ଲୋକରେ ବର୍ଷକୁ ୧୨ ଉଠିଲାବେଳେ ଆମେରିକାର ଖସି ଖସି ଆସୁଛି । ଏହା ପ୍ରାୟ ୩/୪ ହେବ । ସେମିତି ଛାଡ଼ପତ୍ର ବିଷୟ । ରୁଷରେ ଛାଡ଼ପତ୍ର କମିବାରେ ଲାଗିଛି । ତାହା ଏବେ ଶହକରେ ୯ରୁ ଊଣା, ଆମେରିକାରେ ଶହକେ ୨୦ବିବାହର ପରିଣତ ହୁଏ ଛାଡ଼ପତ୍ରରେ । ଯୌନବ୍ୟାଧି କଥା ଦେଖିଲେ ଜଣାଯାଏ ଯେ ୧୯୫୭ ଠାରୁ ଆମେରିକାରେ ଯୌନବ୍ୟାଧି ଶତକଡ଼ା ୪୦୦ ବୃଦ୍ଧିପାଇଲା ବେଳେ ରୁଷରେ ମେଡ଼ିକାଲ ଛାତ୍ରଙ୍କୁ ପଢ଼ାଇବା ଲାଗି ଯୌନବ୍ୟାଧିଗ୍ରସ୍ତ ରୋଗୀପାଇବ ଏକ କଷ୍ଟକର ବ୍ୟାପାର । ଗତ ମହାଯୁଦ୍ଧର ଧ୍ୱଂସ ବିଭୀଷିକା ଫଳରେ ସୋଭିଏତର ଅଗ୍ରଗତି ଏ ଦିଗରେ ଭୀଷଣ ବାଧାପ୍ରାପ୍ତ ହୋଇଥିଲା । ୨ କୋଟି ଲୋକଙ୍କର ମୃତ୍ୟୁ ୧୦ଲକ୍ଷ ଶିଶୁ ପିତୃମାତୃହୀନ ଅନାଥ, ଲକ୍ଷ ଲକ୍ଷ ସ୍ତ୍ରୀଲୋକଙ୍କର ବୈଧବ୍ୟ, ତାପରେ ଜର୍ମାନୀ ସୈନ୍ୟଙ୍କ ହାରା ଯୌନବ୍ୟାଧିର ସଞ୍ଚାର ଏକ ଗୁରୁତର ସମସ୍ୟା ସୃଷ୍ଟି କରିଥିଲା । ସେଇ ସମସ୍ୟା ସମାଧାନ କରିବା କଷ୍ଟକର ଓ ସମୟସାପେକ୍ଷ । ଅବଶ୍ୟ ତାର ଅବଶେଷ ଆଜି ପ୍ରାୟ ନାହିଁ ।

 

ସୋଭିଏତରେ ବିବାହ ଭିତରେ ପ୍ରେମର ସ୍ଥାୟିତ୍ୱର ବୃଦ୍ଧି ପାଇବାରେ ଲାଗିଛି । ତା’ର ପ୍ରଧାନ କାରଣ, ସ୍ତ୍ରୀଲୋକମାନେ ସମସ୍ତେ କାମ କରନ୍ତି । ସେମାନେ ପୁରୁଷ ଉପରେ ବୋଝ ଭଳି ଲଦି ହୁଅନ୍ତି ନାହିଁ । ଆମ ଦେଶ ଭଳି ସେମାନେ ସ୍ୱାମୀ ଖୋଜି ବୁଲନ୍ତି ନାହିଁ, ଯା’ର ଧନସମ୍ପଦ, ଗାଡ଼ି ମଟର ରହିଛି; ଯିଏ ତାକୁ ଆରାମ ଅୟସରେ ରଖିପାରିବ, ଆଉ ସେମାନେ ଉଦ୍ଦେଶ୍ୟହୀନ ଅଳସମୟ ଜୀବନ ଯାପନ କରିବେ । ଯେତେବେଳେ ବିବାହ କ୍ଷେତ୍ରରୁ ଧନସମ୍ପଦ ପ୍ରଭାବ ଦୂର ହୋଇଛି, ଅନ୍ଧ କୁସଂସ୍କାର ଆଦି ଲୋପ ପାଇଛି, ସେତେବେଳେ ରହିଯାଇଛି କେବଳ ପ୍ରେମର ଆବେଗ । ସେତେବେଳେ ସେ ତା’ର ସେଇପରି ସଙ୍ଗୀ ଖୋଜେ, ବାସ୍ତବିକ ସେ ଯାହାକୁ ଭଲପାଏ ।

 

ଦ୍ୱିତୀୟରେ ନାରୀ ଯେତେବେଳେ ପୁରୁଷ ସହିତ ସମାନ ଆସନ, ସମାନ ଅଧିକାର ଲାଭ କରିଛି, ସେତେବେଳେ ପୁରୁଷର ଅହମିକା, ପ୍ରାଧାନ୍ୟ ମନୋଭାବ ଭାଙ୍ଗିଛି । ଆଜି ସୋଭିଏତ୍ରେ ଯେତେ ଲୋକ କାମ କରନ୍ତି, ତାଙ୍କ ଭିତରୁ ଅଧେ ହେଉଛନ୍ତି ସ୍ତ୍ରୀଲୋକ । ଏପରି କି ବହୁକ୍ଷେତ୍ରରେ ସେମାନେ ପୁରୁଷଙ୍କୁ ଟପିଯାଇଛନ୍ତି । ଯଥା : ଡାକ୍ତରମାନଙ୍କ ମଧ୍ୟରେ ଶହକେ ୭୫ଜଣ ହେଉଛନ୍ତି ସ୍ତ୍ରୀଲୋକ । ଅତଏବ ପୁରୁଷର ସେଇ ଅହମିକା ଓ ପ୍ରାଧାନ୍ୟ ମନୋଭାବ ଭାଙ୍ଗିଯିବା ଫଳରେ ତାହା ସ୍ତ୍ରୀପୁରୁଷ ମଧ୍ୟରେ ପ୍ରକୃତ ବନ୍ଧୁତ୍ୱ ଓ ସୌହାର୍ଦ୍ଦ୍ୟ ସ୍ଥାପନ ଦିଗରେ ବିଶେଷ ସାହାଯ୍ୟକାରୀ ହୋଇଛି, ସେମାନଙ୍କର ବ୍ୟକ୍ତିଗତ ସମ୍ୱନ୍ଧକୁ ଅଧିକ ଉନ୍ନତ କରିଛି । କାରଣ, ସ୍ତ୍ରୀମାନେ ତାଙ୍କ ସ୍ୱାମୀ ସହିତ ସବୁ ଦିଗରୁ ସମାନ । ତାପରେ ସନ୍ତାନଲାଭ ଓ ତାଙ୍କର ଲାଳନପାଳନ ଲାଗି ପରିବାରର ଶାନ୍ତି-ସୌହାର୍ଦ୍ଦ୍ୟ ନଷ୍ଟର ପ୍ରଶ୍ନ ନାହିଁ । ସ୍ତ୍ରୀ ଓ ପୁରୁଷ ଉଭୟ ଉପାର୍ଜନ କରନ୍ତି ଏବଂ ସୋଭିଏତ୍ ସମାଜ ପିଲାକୁ ଉପଯୁକ୍ତଭାବେ ଶିକ୍ଷିତ ମଣିଷକରି ଗଢ଼ିବା ଦିଗରେ ସକଳ ସୁବିଧା ସୁଯୋଗ ଯୋଗାଇଦିଏ । ତେଣୁ ଅଧିକ ସନ୍ତାନ ବା ସନ୍ତାନର ଲାଳନପାଳନ ଲାଗି ଅନ୍ୟ ସବୁ ଦେଶରେ ମା’ମାନଙ୍କୁ ଯେଉଁ ଅସମ୍ଭବ ଦୁଃଖକଷ୍ଟ ଭୋଗିବାକୁ ହୁଏ, ଦହଗଞ୍ଜ ହେବାକୁ ପଡ଼େ, ତାହା କେତେକାଳୁ ସେଠି ଲୋପ ହେଲାଣି । ପ୍ରତ୍ୟେକଟି ସନ୍ତାନଲାଭ ମାତୃତ୍ୱକୁ ଅଧିକ ମହୀୟାନ କରିଥାଏ । ପୁଣି ଅନ୍ୟ ଦିଗରେ ଗୃହକାମ, ରୋଷେଇଶାଳ, ଘର ଜଞ୍ଜାଳ ଯାହା ନାରୀର ଜୀବନକୁ ତିଳତିଳ କର କ୍ଷୁଣ୍ଣ କରେ, ସକାଳଠାରୁ ରାତିଅଧ ପର୍ଯ୍ୟନ୍ତ ଯେଉଁଥିରେ ସେ ଜୀବନସାରା ଖଟୁଥାଏ, ସେଥିରୁ ଆଜି ସୋଭିଏତର ନାରୀମାନେ ମୁକ୍ତ ହେବାରେ ଲାଗିଛନ୍ତି । ସାଧାରଣ ହୋଟେଲ ଓ ରୋସ୍ତୋରାଁରେ ଏତେ ପ୍ରକାରର ଏତେ ଶସ୍ତାରେ ଖାଦ୍ୟ ମିଳୁଛି ଯେ ଘରେ ଚୁଲି ଫୁଙ୍କିବାରେ କୌଣସି ଆବଶ୍ୟକତା ନାହିଁ-। ଘର ଝାଡ଼ୁଦେବା, ଲୁଗା ସଫା କରିବା ଇତ୍ୟାଦି କାର୍ଯ୍ୟସବୁ ବର୍ତ୍ତମାନ ସାଧାରଣତଃ ଇଲେକ୍ଟ୍ରିକ୍ ମେସିନ୍ ଦ୍ୱାରା ପରିଚାଳିତ । ତେଣୁ ସ୍ତ୍ରୀଲୋକମାନଙ୍କର ଶ୍ରମ ବହୁ ଅଂଶରେ ଲାଘବ । ସେଥିଲାଗି ବିଶେଷ ସମୟ ଖର୍ଚ୍ଚ କରିବାକୁ ହୁଏ ନାହିଁ । ଅନେକଙ୍କର ମତ ଯେ ଘରେ ରୋଷାଇ ନ କରିଲେ ପାରିବାରିକ ମହତ୍ୱ ରହେ ନାହିଁ–ପାରିବାରିକ ବନ୍ଧନ ଦୁର୍ବଳ ହୋଇପଡ଼େ । ତାହା ଅତି ପୁରୁଣାକାଳିଆ ଅନୁନ୍ନତ ଅବସ୍ଥାରେ ମନୋଭାବ । ପରିବାର ବନ୍ଧନ ସ୍ତ୍ରୀର ଚୁଲିଫୁଙ୍କା ଉପରେ ନିର୍ଭର କରେ ନାହିଁ । –ତାହା କରେ ଅଧିକ ସମୟ ପିତାମାତା ଓ ସନ୍ତାନମାନଙ୍କର ଏକତ୍ର ମିଳନ ଓ ଆନନ୍ଦମୟ ଜୀବନଯାପନ ଉପରେ । ଦୈନନ୍ଦିନ ଦିଗ୍‍ଦାରିଆ କାମରୁ ମୁକ୍ତ ସ୍ତ୍ରୀଲୋକ ଅଧିକ ସମୟ ପାଏ ନିଜର ସ୍ୱାମୀ ଓ ସନ୍ତାନମାନଙ୍କ ସହିତ କଟାଇବା ଲାଗି । କ୍ରୀଡ଼ା, କୌତୁକ, ଓ ସାଂସ୍କୃତିକ ଓ ବିଭିନ୍ନ ସୃଜନଶୀଳ କାର୍ଯ୍ୟରେ ନିଜକୁ ନିୟୋଗ କରିବାରେ ନିଜର ଜୀବନକୁ ଅଧିକ ଉପଭୋଗ କରିବାରେ । ଏହା ଫଳରେ କେବଳ ନାରୀର ଜୀବନ ସୁନ୍ଦର ସରସ ହୁଏ ନାହିଁ, ସାରା ପାରିବାରିକ ଜୀବନ ଅଧିକ ସମୃଦ୍ଧ, ଅଧିକ ସୁଖମୟ ହୁଏ । ଆଉ ପରିବାର ବନ୍ଧନ, ସ୍ତ୍ରୀ ପୁରୁଷର ବନ୍ଧନର ଡୋରି ଦୁର୍ବଳ ହେବା ପରିବର୍ତ୍ତେ ଅଧିକ ବଳିଷ୍ଠ ହୁଏ ।

Image

 

ରୁଷର ସଫଳତାର ଭିତ୍ତି ଓ ଭବିଷ୍ୟତ

 

ଆମେ ଦେଖିଲେ ରୁଷ କିପରି ପାପ ବ୍ୟଭିଚାର ବିରୁଦ୍ଧରେ ଲଢ଼ିଛି, ଯାହା ଯୁଗ ଯୁଗ ହେଲା ମାନବ ସମାଜ ଉପରେ ଅକର୍ମଶୀଳାଭଳି ମାଡ଼ି ବସିଥିଲା, ତାକୁ କିପରି ଭାଙ୍ଗି ଚୁରି, ଧୂଳିକରି ଭସାଇ ଦେଇଛି ସମାଜବାଦୀ ପ୍ରବାହର ସ୍ରୋତରେ, ଇତିହାସର ବିସ୍ମୃତି ଗର୍ଭକୁ । ସେ ସମସ୍ତ ପାପ, ବ୍ୟଭିଚାରକୁ ଆକ୍ରମଣ କରିଛି, ବୈଜ୍ଞାନିକ ଭାବରେ, ସେଥିଲାଗି ସେ ମହତ୍‍ବାଣୀ ବା ଉପଦେଶାବଳୀ ଶୁଣାଇନାହିଁ । କାର୍ଯ୍ୟ କରିଯାଇଛି, ଲୋପ କରିଛି ପାପ ବ୍ୟଭିଚାର ଭିତ୍ତିକୁ–ଯାହା ତାକୁ ଜନ୍ମ ଦିଏ, ଜିଆଇ ରଖେ ଓ ବୃଦ୍ଧି କରେ । ଆଉ ତାକୁ ଯେଉଁମାନେ ଧରି ରଖନ୍ତି–ସେମାନଙ୍କୁ । ତାହାହିଁ ହୋଇଛି ତା’ର ସଫଳତାର ମୌଳିକ କାରଣ । ଆଜି ରୁଷରେ ପାପ ବ୍ୟଭିଚାର କେତେଦୂର ଅଛି କି ନାହିଁ ତାହା ବଡ଼ କଥା ନୁହେଁ, ଅସଲ ପ୍ରଶ୍ନ ହେଲା, ସେ ତାକୁ ଲୋପ କରିଛି କିପରି ? ସେ ତାହା କାହିଁକି କରିପାରିଛି, ପୃଥିବୀର ଅନ୍ୟସବୁ ପୁଞ୍ଜିବାଦୀ ଦେଶ କାହିଁକି ତାହା କରିବାକୁ ଅସମର୍ଥ ।

 

ଆମେ ଦେଖିଲୁ, ଏହାର ମୂଳ କାରଣ ହେଲା ବ୍ୟକ୍ତିଗତ ସମ୍ପତ୍ତିର ବିଲୋପ ଓ ସମାଜବାଦୀ ସମାଜର ନିର୍ମାଣ–ତା ଫଳରେ ସାଧାରଣ ଲୋକେ କେବଳ ଦାସତ୍ୱ ଓ ଶୋଷଣରୁ ମୁକ୍ତିପାଇ ସ୍ୱାଧୀନ ହେଲେ ନାହିଁ, ତା ସଙ୍ଗେ ସଙ୍ଗେ ମୁକ୍ତି ପାଇଲେ–ସ୍ୱାଧୀନ ହେଲେ ଦେଶର ନାରୀ ସମାଜ । ସେମାନେ ପୁରୁଷ ସହିତ ସମାନ ଆସନ, ସମାନ ଅଧିକାର ଲାଭ କଲେ । ବ୍ୟକ୍ତିଗତ ସମ୍ପତ୍ତିର ବିଲୋପ ଓ ସମାଜବାଦ ନିର୍ମାଣ ଫଳରେ ଯେତେବେଳେ ନାରୀ ପକ୍ଷରେ ସମସ୍ତ ସାମାଜିକ ବାଧା ଓ ଅର୍ଥନୈତିକ ପ୍ରତିବନ୍ଧକ ଦୂର ହେଲା, ସେତେବେଳେ ସ୍ତ୍ରୀପୁରୁଷର ମିଳନରେ ଧନସମ୍ପଦର ବା ଅନ୍ୟ କୌଣସିର ବିଚାର ଆଉ ରହିଲା ନାହିଁ, ପ୍ରେମ ହେଲା ସ୍ତ୍ରୀପୁରୁଷ ମିଳନର ଏକମାତ୍ର ଆଧାର, ମାତୃତ୍ୱ ଲାଭ ଦୁଃଖ ଚିନ୍ତାର ବିଷୟ ନ ହୋଇ ହେଲା ଚରମ ଆନନ୍ଦର କାରଣ । ଅବାଧରେ ପ୍ରେମରେ ଆବଦ୍ଧ ହୋଇ ପିତାମାତା ହେବାର ସ୍ୱର୍ଗୀୟ ସୁଖ ଆହରଣ ପ୍ରକୃତରେ ସମ୍ଭବ ହେଲା–ସମସ୍ତଙ୍କ ପକ୍ଷରେ । ବିଳମ୍ୱରେ ବିବାହ ବିପଦ ଲୋପ ପାଇଲା । ଛାତ୍ରମାନେ ବିଦ୍ୟାଧ୍ୟୟନ କାଳରେ ଭତ୍ତା ପାଇଥାନ୍ତି, ତାପରେ ସେମାନଙ୍କ ଲାଗି କର୍ମର ସଂସ୍ଥାନ ରହିଛି । ସନ୍ତାନ ଲାଗି ସରକାରୀ ସାହାଯ୍ୟ ରହିଛି । ତେଣୁ ତରୁଣତରୁଣୀମାନେ ଜୀବନର ପ୍ରାରମ୍ଭରେ, ବିଦ୍ୟା ଅଧ୍ୟୟନ କାଳରେ ମଧ୍ୟ ପ୍ରେମର ପ୍ରଥମ ଆବେଗରେ ଲାଭ କଲେ ବୈବାହିକ ଜୀବନଯାପନର ଅବାଧ ସୁବିଧା ସୁଯୋଗ । ପିତାମାତା ହେବା ଆନନ୍ଦ ଉପଭୋଗର ସୁଖ । ଏହାଫଳରେ ସୃଷ୍ଟି ହେଲା ଏକ ସୁସ୍ଥ ନୈତିକ ଜୀବନଧାରା; ଲୋପ ପାଇଲା, ପାପ, ବ୍ୟଭିଚାରର ସାଧାରଣ ସମ୍ଭାବନା । ଏହା ମଧ୍ୟ ଅନ୍ୟ ଦିଗରେ ବୃଦ୍ଧି କଲା ଦେଶ ମଧ୍ୟରେ ବିବାହିତ ଲୋକଙ୍କର ସଂଖ୍ୟା, ଅର୍ଥାତ୍ ପ୍ରତ୍ୟେକ ଲୋକ ପକ୍ଷରେ ତା’ର ଜୀବନକୁ ପରିପୂର୍ଣ୍ଣ ଭାବେ ଉପଭୋଗ କରିବାର ସୁଯୋଗ ।

 

ଏହାଦ୍ୱାରା ରୁଷ ଆଜି ପ୍ରମାଣ କରିଦେଲା ପାପ ବ୍ୟଭିଚାର ଅବାଧ ଯୌନ ସମ୍ପର୍କ, ଅନୈତିକତା ଆଦି ମନୁଷ୍ୟର ପ୍ରକୃତିଗତ ନୁହେଁ, ତା’ର ଜନ୍ମଗତ ଗୁଣ ନୁହେଁ । ତାହା ମଣିଷ ସମାଜର ବିକାଶର ଏକ ନିର୍ଦ୍ଦିଷ୍ଟ ସ୍ତରରେ ଦେଖାଦେଇଛି । ଏକ ନୀତିହୀନ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ଭିତରୁ ଜାତ, ଯେଉଁଠି ମଣିଷ ମଣିଷକୁ ଶୋଷଣ କରିବା ହେଉଛି ପରମ ଧର୍ମ । ଆଉ ଲୋକେ ସେଇ ଶୋଷଣର ଧର୍ମ ଅନୁସରଣ କରୁଥିବା ଯାଏ ଏ ପାପ, ବ୍ୟଭିଚାରରୁ ମୁକ୍ତି ନାହିଁ । ମଣିଷକୁ ମଣିଷ ଶୋଷଣ କରିବ, ଶୋଷି ଶୋଷି ମାରିବ ଏହା ସବୁଠାରୁ ବଳି ଅତି ଜଘନ୍ୟ ପାପ, ଚରମ ଅନୈତିକ । ଏଇ ପାପର ଭିତ୍ତି ରହିଲା ପର୍ଯ୍ୟନ୍ତ ସେ ଭିତ୍ତି ଉପରେ ସମାଜର, ସକଳ ପାପ ବ୍ୟଭିଚାର ଅନୈତିକତା ପଲ୍ଲବିତ ହେଉଥିବ, ସେ ଅନୈତିକ ସମାଜର ଚାପ ଓ ପ୍ରଭାବରେ ମଣିଷ ବାଧ୍ୟ ହେଉଥିବ ପାପ ବ୍ୟଭିଚାର ପଥରେ ଗୋଡ଼ଦେବା ଲାଗି । ଶତ ଶତ ଆଇନ ଶୃଙ୍ଖଳା, ମହତ୍ ଉପଦେଶ ତାକୁ ବନ୍ଦ କରିପାରିବ ନାହିଁ ।

 

ଆମ ସମାଜରେ ପାପ, ଯୌନପ୍ରେମ, ବିବାହ ଓ ବ୍ୟଭିଚାର ନେଇ ଅନେକ ଚିନ୍ତା ଓ ଆଲୋଚନା ହୁଏ । କିନ୍ତୁ କେହି ଭିତରକୁ ପ୍ରବେଶ କରନ୍ତି ନାହିଁ । ବୈଜ୍ଞାନିକ ଦୃଷ୍ଟିରୁ ତା’ ଦେଖନ୍ତି ନାହିଁ । କେବଳ ନିଜ ନିଜର ସ୍ୱାର୍ଥ ଓ ଦୃଷ୍ଟିକୋଣରୁ ସମାଜର ଚାଲିଚଳଣ, ବିବାହ ନିୟମ ବାନ୍ଧି ଦେବାକୁ ଚେଷ୍ଟା କରନ୍ତି । ତାହା ବିଫଳ ହୋଇଥାଏ, ଏବେ ମଧ୍ୟ ହେବ ।

 

ଯୌନପ୍ରେମର ସ୍ୱାଭାବିକ ପ୍ରକୃତ ହେଲା ସମ୍ପୂର୍ଣ୍ଣ ଏକଚାଟିଆ । ତାହା ବାହାରର ହସ୍ତକ୍ଷେପ ବରଦାସ୍ତ କରେ ନାହିଁ । ତେଣୁ ପ୍ରେମ ଉପରେ ପ୍ରତିଷ୍ଠିତ ବିବାହ ହେଉଛି ପ୍ରକୃତିଗତଭାବେ ପୂରାପୂରି ଏକକ ବିବାହ । ସେଠାରେ ଦ୍ୱିତୀୟ ପକ୍ଷର ପ୍ରଶ୍ନ ନାହିଁ । ଯେଉଁଠାରେ ଦ୍ୱିତୀୟର ବା ଅନ୍ୟର ପ୍ରଶ୍ନ ନାହିଁ, ସେଠାରେ ପାପ, ବ୍ୟଭିଚାରର ପ୍ରଶ୍ନ ଉଠି ନ ପାରେ । କିନ୍ତୁ ଏବେ ଆମ ସମାଜରେ ସେଥିରେ ହସ୍ତକ୍ଷେପ କରୁଛି ବ୍ୟକ୍ତିଗତ ସମ୍ପତ୍ତି । ସେହି ସମ୍ପତ୍ତି ଦୃଷ୍ଟିରୁ ସମସ୍ତଙ୍କର ବିଚାର । ଯେତେବେଳେ ତାହା ଲୋପ ହେବ, ସେଥିରୁ ଜାତ ହେଉଥିବା ସମସ୍ତ ବିଚାର ଓ ବ୍ୟବସ୍ଥା ଲୋପ ପାଇବ । ସେତେବେଳେ ନାରୀ ଉପରେ ପୁରୁଷର ପ୍ରାଧାନ୍ୟ ମଧ୍ୟ ଲୋପ ପାଇବ । ବିବାହ ଆଉ କୌଣସି ପ୍ରଥା, ବ୍ୟବସ୍ଥା, ବାହ୍ୟ ବିଚାର ବା ବାଧ୍ୟବାଧକତା ଓ ହସ୍ତକ୍ଷେପ ଦ୍ୱାରା ନିୟନ୍ତ୍ରିତ ନ ହୋଇ ତାହା ହେବ ଦୁଇପକ୍ଷର ପୂର୍ଣ୍ଣ ସ୍ୱେଚ୍ଛାକୃତ ସମ୍ୱନ୍ଧ । କେବଳ ପ୍ରେମ ଉପରେ ପ୍ରତିଷ୍ଠିତ ବିବାହ ବା ଯେଉଁ ବିବାହ ମଧ୍ୟରେ ପ୍ରେମର ସ୍ରୋତ ପ୍ରବାହିତ ତାହାହିଁ ହେବ କେବଳ ନୈତିକ । ସେତେବେଳେ ଆଉ ନୈତିକତା ଅନୈତିକତା ପ୍ରଶ୍ନ ରହିବ ନାହିଁ । କାରଣ ମଣିଷ ତାର ପ୍ରାକୃତିକ ସ୍ୱଭାବ ଓ ଯୌନପ୍ରେମ ତାର ସ୍ୱଭାବିକ ପ୍ରକୃତି–ପ୍ରକୃତି ମାନବିକ ପ୍ରକୃତି ଲାଭ କରିବ ।

 

ଏତେବେଳେ ଭବିଷ୍ୟତରେ ଯେଉଁ ବଂଶଧରମାନେ ଆସିବେ, ସେମାନେ ହେବେ ସମ୍ପୂର୍ଣ୍ଣ ନୂତନ ବଂଶଧର । ସେଥିର ପୁରୁଷମାନେ କେବେହେଲେ ତାଙ୍କ ଜୀବନରେ ଜାଣିବେ ନାହିଁ ଯେ ଧନସମ୍ପତ୍ତି ଦ୍ୱାରା ନାରୀର ଆତ୍ମସମର୍ପଣକୁ ଆକର୍ଷଣ ଓ ଅଧିକାର କରାଯାଏ । ସେଇପରି ନାରୀମାନେ ତାଙ୍କ ଜୀବନରେ କେବେହେଲେ ଜାଣିବେ ନାହିଁ,–ପ୍ରେମ ବିନା ଅନ୍ୟ କୌଣସି ବିଚାରରୁ ପୁରୁଷ ନିକଟରେ କିପରି ଆପଣାକୁ ଅର୍ପଣ କରାଯାଏ । ଅର୍ଥନୈତିକ ବିଚାର ବା ଧନସମ୍ପଦ ଆଦି ଦୃଷ୍ଟିରୁ ନିଜକୁ ଅର୍ପଣ କରିବା ନ କରିବା ଜିନିଷଟା ତାଙ୍କ ଚିନ୍ତାର ବହିର୍ଭୂତ ହେବ । ତେଣୁ ଆମେ ବର୍ତ୍ତମାନ ଯେଉଁମାନେ ବ୍ୟକ୍ତିଗତ ସମ୍ପତ୍ତିର ଆଧିପତ୍ୟ ଥିବା ସମାଜରେ ବଢ଼ିଛୁଁ, ଧନସମ୍ପଦର ଅଧିକାର ଦୃଷ୍ଟିରୁ ସବୁକଥାକୁ ବିଚାର କରୁ, ସେତେବେଳେ ସେମାନେ ଆମର ମତାମତକୁ ଗ୍ରହଣ କରିବାକୁ ଯିବେ ନାହିଁ । ଆମର ବର୍ତ୍ତମାନର ନୈତିକତା ଦୃଷ୍ଟିରୁ ଭବିଷ୍ୟତ ବଂଶଧରମାନେ କ’ଣ କରିବା ନ କରିବା ଉଚିତ ବୋଲି ଆମେ ଯାହା ବିଚାରୁ, ତାକୁ ସେମାନେ ଆଦୌ ଖାତିର କରିବେ ନାହିଁ । ସେମାନେ ତାଙ୍କ ନିଜର ଜୀବନ ଗଠନ ପ୍ରତି ଅଧିକ ଯତ୍ନ ନେବେ-। ତାଙ୍କର ନିଜର କାର୍ଯ୍ୟ ଅନୁସାରେ ତାଙ୍କର ସାମାଜିକ ମତାମତ ଠକ୍ କରିବେ । ତାହାହିଁ ହେବ ଏହି ସମସ୍ୟାର ଅବସାନ ।

Image

 

ସୁରାର ସାଗରରୁ

 

‘‘ଆପଣ ତ ଭଦ୍‍କା ପିଇଥିବେ’’ ? ରୁଷରୁ ଫେରିଲା ପରେ, ଏହା ହୋଇଛି ଗୋଟାଏ ସାଧାରଣ ପ୍ରଶ୍ନ । ବନ୍ଧୁମାନେ ଜାଣନ୍ତି ମୁଁ ମଦ୍ୟପାନ କରେ ନାହିଁ । କିନ୍ତୁ ଯେତେବେଳେ ରୁଷ ଯାଇଛି, ସେଠି କ’ଣ ତାହା ନ ପିଇ ଫେରିଛି ! ସତେ ଯେପରି ରୁଷ ଖାଲି ମଦରେ ଭରା, ସେଠାରେ ମଦ ନ ପିଇ କେହି ନାହିଁ, ଯିଏ ଯିବ ସେ ତାହା ଖାଇବାକୁ ବାଧ୍ୟ । ପୁରୀକୁ ଗଲେ ମହାପ୍ରସାଦ ସେବନ ଭଳି ।

 

ବାସ୍ତବିକ୍, ଏପରି ଧାରଣା ହେବା ଅସ୍ୱାଭାବିକ ନୁହେଁ । ମୋର ନିଜ ଅଭିଜ୍ଞତା, ଯେତେଠି ଅତିଥି ହୋଇଛି, ପ୍ରାୟ ବହୁ କ୍ଷେତ୍ରରେ ଆସିଛି ମଦ, ଜୋର ଜିଗର କରିଛନ୍ତି ପିଇବାକୁ, ଗାଁର ସାଧାରଣ ଲୋକଙ୍କ ଘରେ ଏ ଜୋରର ମାତ୍ରାଟା ଅଧିକ, ତାହା ତାଙ୍କର ଅତିଥିଙ୍କ ପତି ଆଦର ଗୌରବ, ସ୍ନେହଶ୍ରଦ୍ଧାର ଲକ୍ଷଣ । ଆଉ ସେ ବନ୍ଧୁତ୍ୱର ଅନୁରୋଧ ଏତେ ଟାଣ ଯେ ତା ଭିତରୁ ମୁକୁଳିବା କଷ୍ଟକର ।

 

ବୋଧହୁଏ ଏ ଦିଗରେ ମୋତେ ସାହାଯ୍ୟ କରିଛି ଗାନ୍ଧୀଜୀଙ୍କ ପ୍ରଭାବ । ତାଙ୍କର ଆଦର୍ଶରେ ଅସହଯୋଗ ଆନ୍ଦୋଳନରେ ବାନର ସେନା (ପିଲାମାନଙ୍କୁ ବାନର ସେନା କୁହାଯାଉଥିଲା) ହୋଇ, ମଦ ଦୋକାନ ଆଗରେ ପିକେଟିଂ କରି ମାଡ଼ ଖାଇଲା ଦିନୁ, ସେଥିପ୍ରତି ସ୍ୱତଃ ବିତୃଷ୍ଣା ସୃଷ୍ଟି ହୋଇଛି । ବଡ଼ ହେଲା ପରେ ତାର ଆବଶ୍ୟକତା କେବେହେଲେ ଅନୁଭୂତ ହୋଇ ନାହିଁ । କିନ୍ତୁ ସେଠାର ଚଳଣି ଆଉ ଭଦ୍ରତା, ‘‘ଟୋଷ୍ଟ’’ ସମୟରେ ଗ୍ଲାସ ଟେକି ଖାଲି କରି ଦେବାକୁ ହେବ । ସେମାନେ ତମ ଦେଶ, ତମ ନେତା ବା ତମ ସ୍ୱାସ୍ଥ୍ୟ ପ୍ରତି ଶୁଭକାମନା କଲେ, ପ୍ରତିବଦଳରେ ତମକୁ ମଧ୍ୟ ତାଙ୍କର ସେହିମାନଙ୍କ ପ୍ରତି ଶୁଭ ମନାସିବାକୁ ହେବ । ତା ନ କରିବା ଅର୍ଥ ବନ୍ଧୁଙ୍କ ପ୍ରତି ଅସମ୍ମାନ ଓ ଅଶ୍ରଦ୍ଧା, ସୌଜନ୍ୟତାର ଅଭାବ । ତେଣୁ ସବୁ ସ୍ଥଳରେ ମୁଁ ଫଳରସରେ କାମ ଚଳାଇ ଦିଏ । କିମ୍ୱା ମଦ ଗ୍ଲାସଟା ମୁହଁରେ ଲଗାଇ ଦେଇ ପୁଣି ଥୋଇ ଦିଏ । ଦିନେ ଧରାପଡ଼ିଗଲି । ଦେଖିଲି ମୋର ନିକଟରେ ଥିବା ରୁଷୀୟ ବନ୍ଧୁ ଜଣଙ୍କ ଠିକ୍ ତାହା ହିଁ କରୁଛନ୍ତି । ସେ ମୁହଁରେ ଲଗାଇ ରଖି ଦେଉଛନ୍ତି, ପିଉ ନାହାନ୍ତି, ଅଥଚ ମୁଁ ତାଙ୍କୁ ପୂର୍ବରୁ ପିଇବାର ଦେଖିଛି । ଏବେ ଅତିଥି ଯା ଖାଉ ନାହାନ୍ତି, ସେ ତା ପୁଣି ଖାଇବେ କିପରି ?

 

କିନ୍ତୁ ଯେତେବେଳେ ସେ ତ ସୁରା; ସୁରାଗଣ ବି ତାକୁ ଛାଡ଼ି ପାରି ନାହାନ୍ତି, ପୁଣି ଏ ଛାର ମଣିଷ, ସୁରା ପାତ୍ର ମୁହଁ ପାଖକୁ ନେଇ ପୁଣି ଫେରାଇ ଆଣିବ ! ପାନ ବିଡ଼ି ଖାଇଲା ଲୋକ ତ ଲୋଭ ସମ୍ଭାଳି ପାରୁ ନାହିଁ, ଏ ତ ପଦ୍ମପତ୍ରରେ ଜଳ ଭଳି, ବଡ଼ ଆଶ୍ଚର୍ଯ୍ୟ ଲାଗିଲା, ପୁଣି ଏଠି ଜନକ ମହର୍ଷିଙ୍କର ଆବିର୍ଭାବ ଘଟିଲା କି ?
 

 

କୌତୂହଳ ଜାତ ହେଲା, ଦେଖୁଛି ରୁଷରେ ମଦର ପ୍ରଚଳନ ବେଶ ଖୋଲାଖୋଲି । ସେଥିଲାଗି ଲାଇସେନ୍‍ସ ବା ପରମିଟ୍‍ର ଦରକାର ନାହିଁ, ଥଣ୍ଡା ଦେଶ, ତେଣୁ ସ୍ୱାଭାବିକ ଆବଶ୍ୟକତା ରହିଛି, କିନ୍ତୁ ଖାଇଲା ଲୋକ କ’ଣ ମୁହଁ ପାଖରୁ ଫେରାଇ ଆଣିପାରେ, ପୁଣି ସୁରା ଭଳି ପଦାର୍ଥକୁ !

 

‘‘ଆପଣ କ’ଣ ସୁରା ପାନ କରନ୍ତି ନାହିଁ’’ ? ପ୍ରଶ୍ନ କଲି ।

 

‘‘ହଁ କରେ, ଆମର ତା ଏଠି ନିଷେଧ ନୁହେଁ, ଯାର ଇଚ୍ଛା ହେଲା ଖାଇଲା ।’

 

‘‘ତେବେ ଆପଣ ଖାଇଲେ ନାହିଁ କାହିଁକି ?’’

 

ସେ ମୋତେ ଓଲଟି ପ୍ରଶ୍ନ କଲେ, ‘‘ଆପଣ ଖାଇଲେ ନାହିଁ କାହିଁକି ।’’

 

କହିଲି, ‘‘ମୁଁ ଖାଏ ନାହିଁ, କି ଖାଇବାର ଆବଶ୍ୟକତା ଅନୁଭବ କରେ ନାହିଁ । ଆମର ତ ପୁଣି ସେଠି ନିଶା ନିବାରଣ’’ ।

 

‘‘ଆମର ବି ଏଠି ନିଶା ନିବାରଣ ହୋଇଛି’’ ତାଙ୍କର ଉତ୍ତର ।

 

ତାଙ୍କ ମୁହଁରୁ ନିଶା ନିବାରଣ କଥାଟା ଶୁଣିଲାକ୍ଷଣି ମୁଁ ଜୋରରେ ଖେଁ କରି ହସି ପକାଇଲି ଅଜାଣତରେ, ରୁଷରେ ନିଶା ନିବାରଣ, ସେ ପୁଣି କଣ ? କଥାଟା ବଡ଼ ଅପସନ୍ଦ ଲାଗିଲା !

 

ଏବେ ବୁଝିବାକୁ ଚେଷ୍ଟା କଲି ରୁଷରେ ନିଶା ନିବାରଣର ଇତିହାସ । କାରଣ, ଆମ ଦେଶରେ ତ ନିଶା ନିବାରଣ ହେଉଛି । ଗାନ୍ଧିଜୀଙ୍କ ନେତୃତ୍ୱରେ କେବେଠାରୁ ତାହା ହେଲାଣି । ଗାନ୍ଧିଜୀଙ୍କ ନେତୃତ୍ୱରେ କେବେଠାରୁ ତାହା ହେଲାଣି । ଏହା ଆଗେ ଏକ ସମାଜ ସଂସ୍କାର ବିଷୟ ହୋଇ ନ ଥିଲା, ପ୍ରଥମେ ଏହା ଥିଲା ବିଟ୍ରିଶ ସରକାର ବିରୁଦ୍ଧରେ ସଂଗ୍ରାମର ଗୋଟାଏ ଅସ୍ତ୍ର । ତେଣୁ ଯିଏ ମଦ ନ ଖାଅ ବୋଲି କହୁଥିଲା, ସେ ମାଡ଼ ଓ ଜେଲ ଭୋଗୁଥିଲା । ସେଇଦିନୁ ଏ ପ୍ରଚାର ଚାଲିଛି । ଏଥିଲାଗି ବହୁ କମିଟି, କମିସନ, ସଂସ୍ଥା ଓ ସମିତିମାନ ଗଢ଼ାଯାଇଛି । ସ୍ୱାଧୀନତା ପରେ ତାହା କଂଗ୍ରେସ ସରକାରଙ୍କ ନୀତିରେ ପରିଣତ ହୋଇଛି । ସେ ଦିଗରେ ଆଇନ ହେଲା, ବହୁ କାନୁନ କଟକଣା ଜାରୀ ହେଲା, ଏବେ ଶେଷଫଳ ହେଲା ଯେ ନୀତି ହିସାବରେ ମଧ୍ୟ ତାହା କେବଳ ବହିରେ ରହିଗଲା !

 

ଏଇ ନିବାରଣ ଅବସ୍ଥାରେ ମଦର ବ୍ୟବହାର ଆଗ ଅପେକ୍ଷା ବଢ଼ିବାରେ ଲାଗିଛି । ଯେଉଁମାନେ ଆଗେ ତାହା ଛୁଉଁ ନ ଥିଲେ, ଏବେ ତାଙ୍କ ଭିତରୁ ଅନେକେ ତାହା ଧରୁଛନ୍ତି ଆଉ ଯେଉଁମାନେ ନିଶା ନିବାରଣ କଥା କହନ୍ତି, ସେଥିଲାଗି ଆଇନ ଗଢ଼ନ୍ତି, ସେମାନଙ୍କ ଭିତରୁ ଅନେକ ସୁରା ସେବନର ଧୁରନ୍ଧର । ସାଧାରଣତଃ ଚୋରା ଓ ଖୋଲା, ସବୁ ମନ୍ଦ କାରବାରୀ ହେଉଛନ୍ତି ଶାସକ ଦଳଙ୍କ ପ୍ରଧାନ ସମର୍ଥକ । ଅଧିକାଂଶ ରାଜ୍ୟ ସରକାର ନିଶା ନିବାରଣକୁ କାର୍ଯ୍ୟତଃ ଉଠାଇ ଦେଲେଣି । ସେମାନେ ଦେଖିଲେ ନିଶାର ତ ନିବାରଣ ହେଉନାହିଁ, ରାଜସ୍ୱ କ୍ଷତି ହିଁ ସାର ହେଉଛି-। ଅଳ୍ପ କେତେକ ମୁଷ୍ଟିମେୟ ଲୋକ ଅଛନ୍ତି, ଯେଉଁମାନେ କି ଅଭ୍ୟାସ ଦୋଷରୁ ନିଶା ନିବାରଣ କଥାଟାକୁ ମନ୍ତ୍ର ଭଳି ସମୟେ ସମୟେ ଉଚ୍ଚାରଣ କରୁଥାନ୍ତି । ସେଥିପ୍ରତି କିଏ ବା କର୍ଣ୍ଣପାତ କରିଛି ? ନିଶା ନିବାରଣର ବ୍ୟର୍ଥତା ଆଜି କାର୍ଯ୍ୟତଃ ସ୍ୱୀକୃତ-

 

ଅଥଚ ସମସ୍ତେ ସ୍ୱୀକାର କରନ୍ତି, ମଦ୍ୟପାନ ଏକ ସାମାଜିକ କଳଙ୍କ, ତାହା ପାପାଚାର, ଯୌନବ୍ୟାଧି ଓ ନାନାଦି ଅପରାଧ ବୃଦ୍ଧିରେ ସାହାଯ୍ୟ କରେ । ଅତିରକ୍ତ ମଦ୍ୟପାନ ନୈତିକ ଅଧୋଗତି ଡାକି ଆଣେ, ନୈତିକ ବଳ ଓ ଶାରୀରିକ ଶକ୍ତି ହ୍ରାସ କରେ । କଥାରେ ଅଛି ସରାପ ପାଣିରେ ବିବେକର ବିବେଚନା ଅତିଶୀଘ୍ର ମିଳେଇଯାଏ । ଏଥିସଙ୍ଗକୁ ତାହା ଅର୍ଥନୈତିକ ସର୍ବନାଶ ଘଟାଏ, ପାରିବାରିକ ସୁଖସ୍ଥ ଛନ୍ଦ୍ୟ ନଷ୍ଟ କରେ, ମଦ୍ୟପାନ ବିରୁଦ୍ଧରେ ଏଇପରି ବହୁ ବହୁ ଯୁକ୍ତି ଓ କାରଣ ରହିଛି, ଏହା ସମସ୍ତେ ଜାଣନ୍ତି ।

 

ଅଥଚ ଯୁଗ ଯୁଗ ହେଲା, ସବୁ ସମାଜରେ ତାହା ଚଳି ଆସୁଛି । କେବଳ ଆମ ଦେଶରେ ନୁହେଁ, ପ୍ରାୟ ସବୁ ଦେଶରେ ତାହା ଚାଲୁଛି । ଏହାକୁ ଦୂର କରିବା ଲାଗି ପୃଥିବୀର ବହୁ ଦେଶ, ବହୁ ସରକାର ନାନା ପ୍ରକାର ଆଇନ କଟକଣା ଓ ବ୍ୟବସ୍ଥା ଆଦି ଗ୍ରହଣ କରିଛନ୍ତି । ଶେଷରେ ସମସ୍ତେ ବିଫଳ ହୋଇ ହତାଶ ହୋଇଛନ୍ତି, ସ୍ୱର୍ଗର ଦେବତାଗଣ ଯେତେବେଳେ ସୁରାପାନରେ ବ୍ୟସ୍ତ, ମର୍ତ୍ତ୍ୟର ମାନବଗଣ ସେଥିରୁ ମୁକ୍ତ ହେବେ ବା କିପରି ? ଆଉ ହିନ୍ଦୁ ସମାଜ, ମଦ୍ୟପାନକୁ ତନ୍ତ୍ରପୂଜାର ଗୋଟାଏ ଅପରିହାର୍ଯ୍ୟ ଅଙ୍ଗରେ ପରିଣତ କରିଛି ।

 

ଦିନେ ଆମ ଦେଶଠାରୁ ବଳି ଶୋଚନୀୟ ଥିଲା ରୁଷର ଅବସ୍ଥା । ସେଠି, ମଦର ପ୍ରଚଳନ ପାଣି ଭଳି ଚାଲିଥିଲା । ଏପରିକି ସାନ ସାନ ପିଲାଏ ବି ମଦରେ ମାତିଥିଲେ । ଏସବୁ ଜାର ଅମଳରେ କଥା; ହେଲେ ବି ଜାର ମଧ୍ୟ ଏହାକୁ ଦୂର କରିବା, ନିଶା ନିବାରଣ ଲାଗି ଚେଷ୍ଟା କରିଥିଲା । ଆମ ଦେଶରେ ନିଶା ନିବାରଣ ହେଲାର ବହୁ ପୂର୍ବରୁ ରୁଷରେ ତାହା ଆରମ୍ଭ ହୋଇଛି-। ପ୍ରଥମେ ୧୮୧୯ରେ ନିଶା ନିବାରଣ ନେଇ କଣ୍ଟ୍ରୋଲ ଜାରୀ ହୁଏ । ଆଇନ ହେଲା ଯେ ସରକାରଙ୍କ ଛଡ଼ା ଅନ୍ୟ କେହି ମଦ କାରବାର କରିପାରିବେ ନାହିଁ । ତାହା ମାତ୍ର ଆଠବର୍ଷ ଚାଲିଥିଲା । ଦେଖାଗଲା ସରକାରଙ୍କ ଲାଭ ବଢ଼ୁଛି, କିନ୍ତୁ କଣ୍ଟ୍ରୋଲ ଫଳରେ ମଦ୍ୟପାନ କମୁ ନାହିଁ, ବଢ଼ି ବଢ଼ି ଚାଲିଛି । ମଦର ଚୋରା କାରବାର ଓ ନାନାଦି ଦୁର୍ନୀତି ବୃଦ୍ଧି ପାଉଛି, ପ୍ରକୃତ ଉଦ୍ଦେଶ୍ୟ ବ୍ୟର୍ଥ ହେଉଛି ।

 

ଏବେ ସରକାର ଅନ୍ୟ ଏକ ବାଟ ଧଇଲେ । ୧୮୨୬ରେ ମଦର କାରବାର ପୁଣି ବ୍ୟକ୍ତିବିଶେଷ ବ୍ୟବସାୟୀଙ୍କ ହାତକୁ ଛାଡ଼ିଦେଲେ ଓ ତା ଉପରେ ଖୁବ ଚଢ଼ା ହାରରେ ଟିକସ ବସାଇ ଦିଆଗଲା, ଯେପରି ମଦର ଦାମ ଖୁବ ବଢ଼ିଯିବ, ଲୋକେ ଆଉ ସହଜରେ କିଣି ପାରିବେ ନାହିଁ । ଦାମ ଅତିରିକ୍ତ ହେଲେ ମଦର ବ୍ୟବହାର ଛାଏଁ ଛାଏଁ କମିଯିବ, ଅନ୍ୟ ଦିଗରେ ବିକ୍ରିକର ଦ୍ୱାରା ସରକାର ମଧ୍ୟ ଅଧିକ ଲାଭବାନ ହେବେ । ଏ ହେଲା ନିଶା ନିବାରଣ ନୀତି, ଏକ ଅତି ସହଜ ବ୍ୟବସ୍ଥା ।

 

ଟିକସ ବୃଦ୍ଧି ପାଇଲା ସତ, କିନ୍ତୁ ମଦର ବ୍ୟବହାର କମିଲା ନାହିଁ । ତାହା ମଧ୍ୟ ବଢ଼ି ବଢ଼ି ଚାଲିଲା । ଲୋକଙ୍କ ଅଭ୍ୟାସ ଏମିତି ହୋଇଗଲା ଯେ ସେମାନେ ପଛେ ରୁଟି ଖାଇବେ ନାହିଁ କିନ୍ତୁ ନିଶ୍ଚେ ମଦ ପିଇବେ । ମଦର ଚୋରା କାରବାର ବ୍ୟାପିବାକୁ ଲାଗିଲା, ଫଳରେ ସରକାରୀ ରାଜସ୍ୱ ମଧ୍ୟ କମିଲା, ତେଣେ ସମାଜର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଉଠିଲା । ଶେଷକୁ ଏହା ଏତେଦୂର ଅସହ୍ୟ ହେଲା ଯେ ର୍ଗୀଜାର ପାଦ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଏହା ବିରୁଦ୍ଧରେ ସ୍ୱର ଉଠାଇଲେ, ଆନ୍ଦୋଳନ କଲେ । ଏ ପ୍ରବଳ ଚାପ ଫଳରେ ସରକାର ଚେଇଁ ଉଠିଲେ । ନିଶା ନିବାରଣ ସ୍ୱରୂପ ମଦ ତିଆରି କାରଖାନାକୁ ଏକଦମ୍ ବନ୍ଦ କରିଦେଲେ, ମଦ ଥିଲେ ସିନା ଲୋକେ ଖାଇବେ, ତେଣୁ ନିଶା ନିବାରଣ ଆପେ ଆପେ ହୋଇଯିବ । ଏତେ ଚିନ୍ତା କାହିଁକି ? ଏହା ଥିଲା ସରକାରଙ୍କ ଅଭିପ୍ରାୟ ।

 

କଥାରେ ଅଛି ସୁର ଆଉ ସୁରା, ଏ ଦୁହେଁ ଅମର, ଏମାନଙ୍କର ମୃତ୍ୟୁ ନାହିଁ । ଏବେ ଲୋକେ ଓ୍ୟାଇନ ଛାଡ଼ି, ଧଇଲେ ତାଠାରୁ ଆହୁରି କଡ଼ା ଜିନିଷ ଭଦ୍‍କା, କିନ୍ତୁ ଅନ୍ୟ ଦିଗରେ ନିଶା ନିବାରଣ ହେତୁ ମଦ ଦୋକାନ ସଂଖ୍ୟା କମିଲା, ଲାଇସେନ୍‍ସ ଓ ନିୟନ୍ତ୍ରଣ ଯୋଗୁ ତିନି ବର୍ଷରେ ଏହି ଦୋକାନ ସଂଖ୍ୟା ଅଢ଼େଇ ଲକ୍ଷରୁ ସାଢ଼େ ୧୫ହଜାରକୁ ଖସିପଡ଼ିଲା କିନ୍ତୁ ମଦର ବ୍ୟବହାର କମିଲା ନାହିଁ । ଭଦ୍‍କା ଅତି ମାତ୍ରାରେ ବୃଦ୍ଧି ପାଇଲା, ଶେଷରେ ଏମିତି ହେଲା ଯେ ଲୋକେ ମଦ ନ ପିଇଲେ କାମକୁ ଗଲେ ନାହିଁ । ମାଲିକମାନେ ବି ତାଙ୍କ ଶ୍ରମିକଙ୍କୁ ଅଧେ ମଜୁରୀ ପଇସାରେ ଓ ଆଉ ଅଧେ ମଜୁରୀ ମଦ ଆକାରରେ ଦେଲେ, ବିନା ମଦରେ କାମ ନାହିଁ–ଏଇ ହେଲା ସମାଜର ଅବସ୍ଥା ।

 

କିନ୍ତୁ ମଦୁଆ, ମାତାଲ ଲୋକ କି କାମ ବା କରିବ ? କାରଖାନାରେ କାମ ହେଲା ନାହିଁ, କାମ ସବୁ ଖଇଚା ଧଇଲା, ତାହା ଶିଳ୍ପକ୍ଷେତ୍ରରେ ବିଶୃଙ୍ଖଳା ସୃଷ୍ଟି କଲା, ଶିଳ୍ପପତିଙ୍କର ଘୋର କ୍ଷତି ଘଟିଲା । କେଉଁ ଶିଳ୍ପପତି ଏହା ସହ୍ୟ କରିବ ? ଏବେ ସେମାନଙ୍କ ପକ୍ଷରୁ ଆରମ୍ଭ ହେଲା ମଦ ବିରୁଦ୍ଧରେ ଅଭିଯାନ, ଏଥିରେ ମୁଖ୍ୟ ଭାଗ ନେଲେ ସମାଜସେବୀମାନେ ।

 

ଏ ମାତାଲ ଅବସ୍ଥା କେବଳ ସହରରେ ନ ଥିଲା, ତାହା ମଫସଲକୁ ମଧ୍ୟ ବ୍ୟାପିଥିଲା, କୃଷକମାନେ ସେଥିରେ ବୁଡ଼ିଥିଲେ । ଅତ୍ୟଧିକ ମଦ୍ୟପାନ ଯୋଗୁ କୃଷି ଉତ୍ପାଦନ ମଧ୍ୟ ହ୍ରାସ ପାଇଲା । ଜମିଦାର ସାଆନ୍ତ ଶ୍ରେଣୀ ଲୋକେ, ଯେଉଁମାନେ ଚାଷୀ ମୂଲିଆଙ୍କ ଉତ୍ପାଦନ ଉପରେ ବଞ୍ଚନ୍ତି, ସେମାନେ କ୍ଷତିଗ୍ରସ୍ତ ହେଲେ, ସାରା ଦେଶରେ ଏକ ସାଙ୍ଘାତିକ ଅବସ୍ଥା ସୃଷ୍ଟି ହେଲା । ଏବେ ସେଥିରୁ ଦେଶକୁ ରକ୍ଷା କରିବାକୁ ହେବ, ଆରମ୍ଭ ହେଲା ସେ ଦିଗରେ ଘୋର ଆନ୍ଦୋଳନ ।

 

ଏ ଆନ୍ଦୋଳନର ନେତୃତ୍ୱ ନେଲେ ଖୋଦ ଜାରଙ୍କ ପୁତୁରା ଆଲେକ୍‍ଜାଣ୍ଡର । ତାଙ୍କ ସହିତ ଜମିଦାର ସମ୍ଭ୍ରାନ୍ତ ଶ୍ରେଣୀର ଅନ୍ୟ ଲୋକେ ଯୋଗଦେଲେ । ଏବେ ନିଶା ନିବାରଣ କରିବା ଦିଗରେ ଲକ୍ଷ ଲକ୍ଷ ଟଙ୍କା ଢଳାଗଲା । ଗଗନ ପବନ କମ୍ପାଇ ଚାଲିଲା ମଦ ବିରୁଦ୍ଧରେ ପ୍ରଚାର । ଏଥିପାଇଁ ଶିକ୍ଷକ ପ୍ରଚାରକମାନେ ନିଯୁକ୍ତ ହେଲେ, ଗବେଷଣାଗାର ସବୁ ପ୍ରତିଷ୍ଠା ହେଲା, ସଭା, ସମିତି, ସମ୍ମିଳନୀମାନ ଡକାଗଲା, ଥିଏଟର ଓ ରଞ୍ଚମଞ୍ଚରେ ମଦ ବିରୋଧୀ ଅଭିନୟମାନ କରାଗଲା । ପ୍ରଚାରର କୌଣସି ମାଧ୍ୟମ ଆଉ ବାକି ରହିଲା ନାହିଁ । ଲୋକଙ୍କୁ ସବୁ ଦିଗରୁ ପ୍ରଭାବିତ କରିବାର ଉଦ୍ୟମ ହେଲା, ଦେଶର ଅନ୍ଧିସନ୍ଧି ସବୁ କୋଣରେ ଖେଳିଗଲା ମଦ୍ୟପାନ ବିରୋଧୀ ଆନ୍ଦୋଳନ, କିନ୍ତୁ ଚରମ ବିଫଳତା ହିଁ ହେଲା ତାର ଶେଷ ପରିଣତି ।

 

ଏଇ ନିଶା ନିବାରଣ କାଳ ଭିତରେ ଆଉ ଅଧିକ ଲୋକେ ନିଶା ଖାଇବାକୁ ଲାଗିଲେ । ଏବେ ସେମାନଙ୍କ ସଂଖ୍ୟା ୫୦୦ ଗୁଣରୁ ଅଧିକ ବଢ଼ିଗଲା, ଏପରିକି ପିଲାମାନେ ବି ସୁରାସକ୍ତ ହୋଇପଡ଼ିଲେ । ସ୍କୁଲ ପିଲାଙ୍କ ଭିତରୁ ଶହକେ ୮୦ଜଣ ମଦ ଧରିଲେ, ଝିଅଙ୍କ ଭିତରୁ ଶହକେ ଷାଠିଏ ହେଲେ ସୁରାଭକ୍ତ, ମଦ ନ ଖାଇଲେ ଆଉ କେହି ସ୍କୁଲକୁ ଗଲେ ନାହିଁ । ମସ୍କୋ ସହରରେ ଶହକେ ନବେ ଜଣ ହେଲେ ମଦ୍ୟପ । ଏହା ୧୯୧୪ ବେଳର ଘଟଣା । ନିଶାର ନିବାରଣ ସହିତ ବୃଦ୍ଧି ପାଇଲା ନିଶାପାନର ପ୍ରସାର–

 

ତେବେ ବି ଉକ୍ତ ଆନ୍ଦୋଳନର ନେତାମାନେ ସେଥିରେ ହତାଶ ହେଲେ ନାହିଁ । ସେମାନେ ନିବାରଣ ଜୋରସୋରରେ ଲାଗିପଡ଼ିଲେ । ସେମାନେ ନିଶା ପାନରୁ ଲୋକଙ୍କୁ ନିବୃତ୍ତ କରିବା ଲାଗି କେବଳ ପ୍ରଚାର କରୁ ନ ଥିଲେ; ବିନା ମୂଲ୍ୟରେ ଲୋକଙ୍କୁ ଖାଇବାକୁ ମଧ୍ୟ ଦେଉଥିଲେ; ବିନା ପଇସାରେ ଥିଏଟର ଦେଖାଉଥିଲେ, ଏହା ଫଳରେ ଲାଭବାନ ହେଲେ ମଦୁଆମାନେ । ସେମାନଙ୍କର ଖୋରାକ ପଇସାଟା ବଞ୍ଚିଗଲା, ସେମାନେ ତାକୁ ଲଗାଇଦେଲେ ଅଧିକ ଅଧିକ ପିଇବାରେ । ଦେଶରେ ଯେତେ ନିଶା ନିବାରଣ କମିଟି ଅଛି, ତାର ୭ଗୁଣ ରହିଛି ମଦ ଦୋକାନ, ଏ ହେଲା ଆନ୍ଦୋଳନର ଫଳ ।

 

ଏହାର ଆଲୋଚନା ଲାଗି ଏକ କଂଗ୍ରେସ ବା ବିରାଟ ସମ୍ମିଳନୀ ଡକାଗଲା । ପ୍ରସ୍ତାବ ହେଲା ମଦ ଦୋକାନ ସଂଖ୍ୟା କମାଯାଉ, କିନ୍ତୁ ତା ହୋଇ ପାରିଲାନାହିଁ । କାରଣ ଜାରଙ୍କ ଏକଚତୁର୍ଥାଂଶ ବ୍ୟୟ ଆସୁଛି ଅବକାରୀ ଟିକସରୁ, ତାହା ପୁଣି ଉଠିବ କିପରି ? ଶେଷରେ ଠିକ ହେଲା ଯେ ଭଦ୍‍କାର ବଳ ଶତକରା ୩୭ କୁ କମାଇ ଦିଆଗଲା । ସେଥିରେ କ’ଣ ନିଶା ନିବାରଣ ସମ୍ଭବ ? ଲୋକ କ’ଣ ଜାଣନ୍ତି ନାହିଁ କିପରି କଡ଼ା ମଦ ତିଆରି କରିବାକୁ ହୁଏ ?

 

ଏତେବେଳକୁ ପ୍ରଥମ ବିଶ୍ୱଯୁଦ୍ଧ ଲାଗି ଲାଗି ଆସୁଛି । ସେଥିଲାଗି ଶିଳ୍ପ ଉତ୍ପାଦନ ଓ ଅସ୍ତ୍ରଶସ୍ତ୍ର ତିଆରି ବୃଦ୍ଧି କରିବାକୁ ହେବ । କିନ୍ତୁ ଦେଶସାରା ଲୋକେ ତ ପ୍ରାୟ ସବୁ ମଦୁଆ ମାତାଲ-। ଏ ମଦୁଆଙ୍କ ଦ୍ୱାରା କେଉଁ କାମ ବା କରି ହେବ ? ଏବେ ଶିଳ୍ପପତିମାନେ ଧରି ବସିଲେ ମଦ ବିକ୍ରି ବନ୍ଦ କରିବାକୁ ହେବ । ଅବକାରୀ ଟିକସ କମାଇ ଦିଅ, ଅବକାରୀ ରାଜସ୍ୱ ପଛେ କମିଯାଉ, କିନ୍ତୁ ମଦ ବନ୍ଦ ହେଉ, ନ ହେଲେ ଉତ୍ପାଦନ ବୃଦ୍ଧି ହୋଇ ପାରିବ ନାହିଁ । ଏହାର ଚାପ ଜାରଙ୍କ ଉପରେ ପଡ଼ିଲା, କିନ୍ତୁ ଜାରଙ୍କ ଏକ ପ୍ରଧାନ ଆୟ ପନ୍ଥା ହେଲା ଅବକାରୀ ଟିକସ, ସେ ଅବା ତାକୁ ଛାଡ଼ୁଛନ୍ତି କେତେକେ ? ତେଣୁ ସେ ଘୋଷଣା କଲେ ଆଉ ମଦର ପ୍ରସାର ହେବ ନାହିଁ, ଅବକାରୀ ଟିକସ ବଢ଼ିବ ନାହିଁ । ତା’ମାନେ ଲୋକେ ଯେତିକି ମଦ ଖାଉଥିଲେ, ସେତିକିରେ ରହିବେ, ତାହା କ’ଣ ହୁଏ ? ପ୍ରାୟ ସମସ୍ତେ ତ ମଦକୁ ଆଶ୍ରା କରିଛନ୍ତି, ଫଳରେ ଗାଁ ଗାଁରେ ଚୋରା ମଦଭାଟି ଖୋଲିଗଲା, ସୈନ୍ୟମାନଙ୍କ ଭିତରେ ବି ମଦ୍ୟପାନ ପ୍ରବଳଭାବେ ବୃଦ୍ଧି ପାଇଲା, ସାରା ଦେଶଟା ମଦରେ ଭାସିବାକୁ ଲାଗିଲା ।

 

ଶିଳ୍ପପତିମାନେ ଦେଖିଲେ ଅବସ୍ଥା ଅତି ସାଂଘାତିକ, ଆଉ ସମ୍ଭାଳି ହେବ ନାହିଁ । ଏ ଅବସ୍ଥାରେ କଳକାରଖାନା କିଛି ଚାଲି ପାରିବ ନାହିଁ, ଯୁଦ୍ଧ ମଧ୍ୟ ହୋଇପାରିବ ନାହିଁ । ଶେଷରେ ସେମାନେ ଜାରଙ୍କୁ ଏକ ଚରମପତ୍ର ଦେଲେ–ମଦ କାରବାର ବନ୍ଦ କରିବାକୁ ହେବ । ଏବେ ଜାରଙ୍କ ଚେତା ପଶିଲା, ଅନ୍ୟ ଉପାୟ ନାହିଁ, ଶିଳ୍ପପତିଙ୍କୁ ଛାଡ଼ି ସେ ବା କିପରି ଯୁଦ୍ଧ ଚଳାଇବେ ? କିନ୍ତୁ ସବୁଠି ରାଜା ଗୋଜା, ସେ ତାଙ୍କର ହୁଙ୍କାପିଟା ଆଇନ ଜାରୀକରି ଦେଲେ–୧୯୧୬ ଜାନୁୟାରୀ ୧ ତାରିଖଠାରୁ ଭଦ୍‍କା ତିଆରି, ବିକ୍ରୟ ନିଷିଦ୍ଧ ହେଲା, ତା ଯିଏ କରିବ ଓ କଠିନ ଦଣ୍ଡରେ ଦଣ୍ଡିତ ହେବ ।

 

ଏ ହୁଙ୍କାପିଟା ଆଇନର ପ୍ରୟୋଗ ମଧ୍ୟ ସେଇପରି ଆହୁରି ହୁଙ୍କାପିଟା ରୀତିରେ ହେଲା-। ପୋଲିସ ଓ ସୈନ୍ୟମାନେ ଦେଶସାରା ଚତୁର୍ଦ୍ଦିଗରେ ଖେଦିଗଲେ । ମଦ ଭାଟି, କାରଖାନା, ଦୋକାନପତ୍ର ସବୁ ବଳପୂର୍ବକ ଭଙ୍ଗାଭଙ୍ଗି ଧ୍ୱସ୍ତ, ବିଧ୍ୱସ୍ତ କରିଦେଲେ–ଯେପରି କି ମଦର ଆଉ କୌଣସି ସତ୍ତା ନ ରହେ, ସମସ୍ତେ ମଦ ତିଆରି ଶିଳ୍ପ ଏକାଗାରେକେ ଧ୍ୱଂସ ପାଇଗଲା, ଏହା ଏପରି କ୍ଷିପ୍ର ବେଗରେ, କଡ଼ାକଡ଼ି ଓ ନିର୍ମମ ଭାବେ ପ୍ରୟୋଗ ହେଲା ଯେ ସେଥିରେ ଲୋକେ ସ୍ତମ୍ଭିତ ହୋଇଗଲେ, କାହା ମୁହଁରୁ କଥା ସ୍ପୁରିଲା ନାହିଁ । ସମସ୍ତେ କେବଳ ଅବାକ୍ ହୋଇ ଅନାଇ ରହିଲେ । ଇତିହାସରେ ଏପରି କଠୋର ନିର୍ମମ ନିଶା ନିବାରଣ ବୋଧହୁଏ ଏଇ ସର୍ବପ୍ରଥମ-

 

ଲୋକେ ଆଉ ଗୋଟାଏ ହେଲେ ଭଦ୍‍କା ପିଇବାକୁ ପାଇଲେ ନାହିଁ । ଯେଉଁମାନେ ମଦରେ ଭାସୁଥିଲେ, ସେମାନେ ବାଧ୍ୟ ହେଲେ ତା ଛାଡ଼ିବାକୁ । ରାଜ ଦଣ୍ଡର ଭୟରେ । ସେମାନଙ୍କ ସ୍ୱାସ୍ଥ୍ୟର ମଧ୍ୟ ଉନ୍ନତି ଘଟିଲା, ଯେପରି ଜଣାଗଲା ନିଶା ନିବାରଣ ଏଇଥର ସଫଳ ହୋଇଛି, କିନ୍ତୁ ତା ବେଶି କାଳ ସ୍ଥାୟୀ ହେଲା ନାହିଁ । ୯ ମାସ ମଧ୍ୟରେ ସମସ୍ତ ନିଶା ନିବାରଣ ପାଣିଫୋଟକା ଭଳି ମିଳେଇଗଲା । ଲୋକଙ୍କୁ ସତ୍‍ପଥରେ ପରିଚାଳିତ କରିବାର ମାର୍ଗ ସଙ୍ଗିନୀର ମୁନରେ ନାହିଁ-

 

ଯୁଦ୍ଧରେ ଜାରଙ୍କ ସୈନ୍ୟବାହିନୀ ପରାଜିତ, ପଛଘୁଞ୍ଚା ଦେଇ ହଟି ଆସୁଛନ୍ତି, ଜର୍ମାନୀ ମାଡ଼ି ମାଡ଼ି ଆସୁଛି । ଗାଁ ଗଣ୍ଡା ସହର ଦଖଲ କରିବାରେ ଲାଗିଛି, ଚାରିଆଡ଼େ ହତାଶ, ନୈରାଶ୍ୟ-। ଏ ଅବସ୍ଥାରେ ଏକମାତ୍ର ସୁରା ହିଁ ସର୍ବ ଦୁଃଖ ହରଣକାରୀ । ଦୁର୍ଦ୍ଦିନରେ ତାହାହିଁ କେବଳ ଭରସା-। ଏବେ ଲୋକେ ଭରସା କଲେ ମଦ ବୋତଲକୁ । ମଦହି ଅଚେତନ ଲୋକର ବ୍ୟର୍ଥତାରୁ ଉଦ୍ଧାରର ଏକମାତ୍ର ଉପାୟ । ଚୋରା ମଦ ତିଆରି ପୁଣି ଆରମ୍ଭ ହୋଇଗଲା । ଗାଁ ଗଣ୍ଡାରେ ଖୋଲାଗଲା ମଦଭାଟି, ତାକୁ ଦମନ କରିବାକୁ ଆଉ ଜାରର ବଳ ନାହିଁ ।

 

ଲୋକେ ଖାଦ୍ୟଶସ୍ୟ ଛାଡ଼ି ଆଳୁ ଚାଷରେ ମାତିଲେ । କାରଣ ଆଳୁରୁ ମଦ କରନ୍ତି ସେମାନେ । ତା’ପରେ ଏଇ ମଦକୁ ଅତି ସହଜରେ ବିକା ଯାଇପାରେ ତାକୁ ଅତିଶୀଘ୍ର ଟଙ୍କାରେ ପରିଣତ କରି ହେବ, ଆଉ ଜର୍ମାନୀମାନେ ମାଡ଼ି ଆସିଲେ ଟଙ୍କାରୁ ଥରି ଯେଣେ ଇଚ୍ଛା ତେଣେ ପଳାଇ ଯାଇପାରିବ, ମଦର ଅନ୍ୟାନ୍ୟ ଗୁଣ ସହିତ ଏହା ହେଲା ଯୁଦ୍ଧକାଳୀନ ଅତିରିକ୍ତ ଗୁଣ, ଏକ ନଗଦ ଦରକାରୀ ବିଷୟ ।

 

ରୁଷ ପୁଣି ଭାସିବାକୁ ଲାଗିଲା ମଦରେ । ମଦ୍ୟପାନ ସହିତ ଅନ୍ୟ ସବୁ ଅପରାଧ ବୃଦ୍ଧି ପାଇଲା । ପାପ ବ୍ୟଭିଚାର ଆଦି ପ୍ରସାରିତ ହେଲା, ସମସ୍ତ ପାପର ପ୍ରସାର ଘଟେ ଏଇ ଚୋରା ଜଗତରେ । ଚୋରା କାରବାର ଦଣ୍ଡନୀୟ ହେଲେ ବି ତାକୁ ଧରିବ କିଏ । ପୋଲିସର ବନ୍ଧୁକ ବି ଏବେ ଶକ୍ତିହୀନ; ସେମାନେ ମଧ୍ୟ ଏ ସବୁ କାରବାରରେ ଲିପ୍ତ, ଦେଖାଗଲା ଲୋକେ ସକାଳୁ ଉଠି ସୁରା ସେବନ କରନ୍ତି, ଦିନରେ ଯେତେ ଥର ଖାଆନ୍ତି, ସେତେ ଥର ତା ସହିତ ପିଅନ୍ତି ପୁଣି ରାତିରେ ବିଛଣା ଧଇଲା ପୂର୍ବରୁ ପିଇକରି ଶୁଅନ୍ତି । ମା’ମାନେ ପିଲାଙ୍କୁ ଖାଇବାକୁ ଦେଲା ବେଳେ ବି ମଦ ପିଇବାକୁ ଦିଅନ୍ତି, ମଦ, ଆଉ ମଦ–ଏହା ସବୁ ସ୍ଥାନରେ, ସବୁ ସମୟରେ ସବୁ ଘରେ । ପ୍ରତ୍ୟେକଙ୍କ ଘର ଗୋଟାଏ ଗୋଟାଏ । ମଦଭାଟି–ଏଇ ଅବସ୍ଥାରେ ଆସିଲା ୧୯୧୭ର ସର୍ବହରା ବିପ୍ଳବ ।

 

ପୂର୍ବର ଶାସନ ବ୍ୟବସ୍ଥା ଭାଙ୍ଗିପଡ଼ିଛି, ନୂଆ ବ୍ୟବସ୍ଥା ଜମି ନାହିଁ । ଗୃହଯୁଦ୍ଧ, ଆଇନଶୃଙ୍ଖଳାର ଅଭାବ, ଏହା ସବୁପ୍ରକାରର କାରବାର ଲାଗି ଅବାଧ ସୁଯୋଗ । ଲୋକେ ଖାଦ୍ୟଶସ୍ୟ ଉତ୍ପାଦନ ଛାଡ଼ି ଆଳୁ ଚାଷରେ ଲାଗିଛନ୍ତି । ସେଥିରୁ ମଦ ହେଉଛି, ତାହା ଅଧିକ ଲାଭଜନକ । ଅଥଚ ଏଣେ ଦେଶରେ ଘୋର ଖାଦ୍ୟ ଅଭାବ । ଦୁର୍ଭିକ୍ଷ ଅନାହାର ଅଧିକ ଅଧିକ ବ୍ୟାପିବାକୁ ଲାଗିଛି । ଏଇଭଳି ଏକ ଶୋଚନୀୟ ଅବସ୍ଥାର ଉତ୍ତରାଧିକାରୀ ହୋଇଛି ରୁଷର ନୂତନ ସର୍ବହରା ଶାସନ । କି ଭୀଷଣ ସେ ସମସ୍ୟା, ତାହା ତୁରନ୍ତ ସମାଧାନ କରିବାକୁ ହେବ ।

 

ସୋଭିଏତ୍ ସରକାର ଦେଖିଲେ ପୂର୍ବର ନିଶା ନିବାରଣ ଆଇନର କୌଣସି ମୂଲ୍ୟ ନାହିଁ । ସେପରି ଆଇନ ଦ୍ୱାରା କେବେହେଲେ ନିଶା ନିବାରଣ ସମ୍ଭବ ନୁହେଁ । ତାହା ଉକ୍ତ ନିଶା ନିବାରଣ ଆଇନକୁ ଏକଦମ ଉଠାଇ ଦେଲେ, ଏବେ ଯେକୌଣସି ଲୋକ ଅବାଧରେ ମଦ ତିଆରି କରିପାରେ, କାରବାର କରିପାରେ ଓ ଯେତେ ଇଚ୍ଛା ସେତେ ପିଇପାରେ, କୌଣସି ବାଧା କଟକଣା ନାହିଁ । ଏହା ହେଲା ନିଶା ନିବାରଣ ଦିଗରେ ପ୍ରଥମ ପଦକ୍ଷେପ । ଠିକ୍‍ ଏଇପରି ଗର୍ଭପାତକୁ ଆଇନସଙ୍ଗତ କରି ତାକୁ ବନ୍ଦ କରାଯାଇଛି, ଗଣିକାପ୍ରଥାକୁ ଆଇନସଙ୍ଗତ କରି ତାକୁ ଶେଷରେ ନିର୍ମୂଳ କରାଯାଇଛି ।

 

ଅନ୍ୟ ଦିଗରେ ସୋଭିଏତ ବଡ଼ ବଡ଼ ମଦକାରଖାନା ତିଆରି କଲା, ଉଦ୍ଦେଶ୍ୟ ହେଲା ମୁଖ୍ୟତଃ ଦୁଇଟି । ପ୍ରଥମତଃ ଲୋକଙ୍କ ସ୍ୱାସ୍ଥ୍ୟରକ୍ଷା କରିବା । କାରଣ ଚୋରାରେ ତିଆରି ମଦ ବିଷାକ୍ତ ପଦାର୍ଥର ସମିଶ୍ରଣରେ ତିଆରି, ଲୋକଙ୍କର ସ୍ୱାସ୍ଥ୍ୟ ନଷ୍ଟ କରୁଛି, ବିଶେଷକରି ଗରିବ ଲୋକଙ୍କର । ସର୍ବହରା ସରକାର ତାହା ସହ୍ୟ କରନ୍ତି କିପରି ? ଦ୍ୱିତୀୟରେ ଶସ୍ତାରେ ଭଲ ମଦ ପାଇଲେ, ଲୋକେ ଆଉ ନିଜେ ତିଆରି କରିବାକୁ ଯିବେ ନାହିଁ । ତେଣୁ ଆଳୁଚାଷ ଯୋଗୁଁ ଖାଦ୍ୟଶସ୍ୟ ଉତ୍ପାଦନ ଯେ କମୁଛି ତାହା ବନ୍ଦ କରାଯାଇପାରିବ । ଅତଏବ ଅନାହାର ଦୂର କରିବା ଦିଗରେ ମଧ୍ୟ ଏହା ସାହାଯ୍ୟକାରୀ ହୋଇପାରିବ ।

 

ଏହା ପ୍ରାଥମିକ ବ୍ୟବସ୍ଥା ଗ୍ରହଣ କରି ସୋଭିଏତ୍ ସରକାର ଚୁପ ହେଲା ନାହିଁ । ତାହା ମୌଳିକ ବିଷୟର ଭିତରକୁ ପ୍ରବେଶ କଲା, ପ୍ରଶ୍ନକଲା ଲୋକେ ମଦ ଖାଆନ୍ତି କାହିଁକି ? ସେଥିରୁ ସେମାନେ ନିବୃତ୍ତ ହେବେ କିପରି ? ଜାର୍ ଅମଳର ନିଶା ନିବାରଣ ଅଭିଜ୍ଞତାକୁ ପରୀକ୍ଷା କଲେ, ଅନ୍ୟାନ୍ୟ ତଥ୍ୟ ଓ ଘଟଣାବଳୀକୁ ଆଲୋଚନା କଲେ, ସିଦ୍ଧାନ୍ତରେ ପହଞ୍ଚିଲେ ଯେ ଜାର ଅମଳର ନିଶା ନିବାରଣ ଚଳିବ ନାହିଁ, ଲୋକର ନିଜର ଉପଲବ୍‍ଧି ନ ହେଲେ ବାଧ୍ୟତାମୂଳକ ଭାବେ, ଜୋରକରି ବନ୍ଦ କରି ହେବ ନାହିଁ । ନିଶା ନିବାରଣ ବିରୁଦ୍ଧରେ ପ୍ରଚାର କରି ଲୋକଙ୍କୁ ଶିକ୍ଷିତ କରିବା, ଏହା ତ ପୂର୍ବରୁ ହୋଇଛି । ଆଲେକ୍‍ଜାଣ୍ଡର ତାହା କରିଥିଲେ । ସେ ପ୍ରକାରର ପ୍ରଚାର ନିବେଦନ ଆବେଦନ କେବଳ ବ୍ୟକ୍ତିବିଶେଷଙ୍କ ପରି ଉଦ୍ଦିଷ୍ଟ । ତଦ୍ଦ୍ୱାରା ତାଙ୍କର ଭଲ ହେବ, ମଙ୍ଗଳ ହେବ, ଏହା କହିବା ଏକ ସ୍ୱାର୍ଥପର ନିବେଦନ । ଲୋକେ ତ ସେଇ ବ୍ୟକ୍ତିଗତ ସନ୍ତୋଷ, ପରିତୃପ୍ତି ପାଇଁ ମଦ ଖାଆନ୍ତି, ଖାଇଲା ଲୋକ ତାହା ଛାଡ଼ିବ କାହିଁକି ? ତାର ସନ୍ତୋଷ ପରିତୃପ୍ତି ଲାଗି ଅନ୍ୟ ବାଟ କ’ଣ ? ଲୋକ ଯେଉଁଥିରେ ଖୁସି, ଆନନ୍ଦ ଓ ସନ୍ତୋଷ ଲାଭ କରେ, ତାର ବିପରୀତ ଦିଗରେ ଯିବାକୁ କେବଳ ନିବେଦନ କରି କିଛି ଲାଭ ନାହିଁ । କେବଳ ଶିକ୍ଷା, ପ୍ରଚାର ନିବେଦନ ଦ୍ୱାରା ଏହା ହୋଇନାହିଁ କି କେବେହେଲେ ହୋଇ ପାରିବ ନାହିଁ, ତାହା ପ୍ରମାଣିତ ହୋଇ ସାରିଛି । ଦ୍ୱିତୀୟରେ ଧର୍ମର ଦ୍ୱାହି; ଧର୍ମର ପ୍ରଭାବ ଅଳ୍ପ କେତେକଙ୍କଠାରେ ଫଳପ୍ରଦ ହୋଇପାରେ, କିନ୍ତୁ ସବୁଠାରେ ହୋଇ ପାରିବ ନାହିଁ । କାରଣ ଅତି ଧାର୍ମିକ ଲୋକେ ବି ତ ମଦ ପିଅନ୍ତି, ଆଉ ଯେଉଁ ପାଦ୍ରୀ ପୁରୋହିତମାନେ ମଦ ବିରୁଦ୍ଧରେ ବାହାରେ କହନ୍ତି, ସେମାନେ ତ ଭିତରେ ଭିତରେ ନିଜେ ମଦୁଆ । ଧର୍ମ ତ ବହୁ ଯୁଗରୁ ନିଶା ନିବାରଣ କଥା କହୁଛି, ତାହା କ’ଣ ହେଲାଣି ନା କେବେ ହେବ ? ଅତଏବ ସେ ପଥର ବିଫଳତା ମଧ୍ୟ ପ୍ରମାଣିତ । ତା’ପରେ କେତେକ କହନ୍ତି ମନ ବଦଳିଗଲେ ଲୋକ ବଦଳିଯିବ । ତେଣୁ ମନୋବିଜ୍ଞାନ ଉପରେ ଜୋର ଦେବାକୁ ହେବ । ପ୍ରତ୍ୟେକ ଲୋକର ମନକୁ ପରୀକ୍ଷା କରିବାକୁ ହେବ, ଦେଖିବା କାହିଁକି ସେ ମଦ ଖାଉଛି, ସେଇ ଅନୁସାରେ ତାର ମାନସିକ ଚିକିତ୍ସା କରିବାକୁ ପଡ଼ିବ । ଏହା କ’ଣ ସହଜ ? ରୁଷ ଦେଶ କଥା ଛାଡ଼, କେବଳ ମସ୍କୋ ସହରରେ ଯେତେ ମଦ୍ୟପ ଅଛନ୍ତି ଯେ ତାଙ୍କୁ ପରୀକ୍ଷା କରିବାକୁ ହେଲେ ପୃଥିବୀର ସବୁ ମନୋବିଜ୍ଞାନୀ ବି ଅଣ୍ଟିବେ ନାହିଁ, ହେଲେ ମଧ୍ୟ ତା ଅଳ୍ପ କେତେକଙ୍କ ଲାଗି କାମ ଦେଇପାରେ, ସମସ୍ତ ମଦ୍ୟପଙ୍କ ପାଇଁ କାମ ଦେବ ନାହିଁ । କାରଣ, ମଦ ପିଉଥିବା ଲୋକେ ସମସ୍ତେ ମାନସିକ ବ୍ୟାଧିଗ୍ରସ୍ତ ନୁହନ୍ତି, ସେମାନେ ସାଧାରଣ ଲୋକ, ଆଉ ମଦ୍ୟପାନ କୌଣସି ଗୋଟାଏ ମାନସିକ ବ୍ୟାଧି ନୁହେଁ । ତାହା ଲୋକର ବ୍ୟକ୍ତିଗତ ଗୁଣ ବା ପ୍ରକୃତି ମଧ୍ୟରେ ନିହିତ ନୁହେଁ, ତାହା ତ ସମାଜର ପ୍ରତ୍ୟେକ ସ୍ତରରେ ସଞ୍ଚରି ଯାଇଛି । ତେବେ, ତା’ର ମୌଳିକ କାରଣ କ’ଣ ?

 

ରୁଷର ବୈଜ୍ଞାନିକମାନେ ଦେଖିଲେ, ଗରିବ ଶ୍ରେଣୀ ଭିତରେ ମଦର ପ୍ରଚଳନ ବେଶି । ସେମାନେ ଗରିବ, ଅଥଚ ମଦଖାଇ ଅଧିକ ଗରିବ ହୁଅନ୍ତି, ନିଜର ଶୋଚନୀୟ ଅବସ୍ଥାରୁ ରକ୍ଷା ପାଇବା ପାଇଁ, ତାକୁ ଭୁଲିବା ପାଇଁ ଅଧିକ ଶୋଚନୀୟତାକୁ ବରଣ କରନ୍ତି; ତାଙ୍କର ଜୀବନ ହତାଶା, ନୈରାଶ୍ୟରେ ପୂର୍ଣ୍ଣ ଜୀବନରେ ସୁଖ ସନ୍ତୋଷ ବୋଲି କିଛି ନାହିଁ । ସବୁ ଦିଗରୁ ପରିତୃପ୍ତିର ଅଭାବ–ସେଇ ପରିତୃପ୍ତି ପାଇଁ, ଦାରିଦ୍ର୍ୟ ଦୋଷରୁ ଲୋକ ଧରେ ମଦକୁ । ଆଉ ସରକାର ରାଜସ୍ୱ ବୃଦ୍ଧି ଲାଗି ମଦ ପିଆନ୍ତି ସାରା ଦେଶଟାକୁ । ଅତଏବ ଏହାର କାରଣ ସାମାଜିକ ଓ ଅର୍ଥନୈତିକ । ତେଣୁ ସେ ସାମାଜିକ, ଅର୍ଥନୈତିକ ଅବସ୍ଥାର ପରିବର୍ତ୍ତନ ଆବଶ୍ୟକ । ଯେଉଁ ଅବସ୍ଥା ମଦ୍ୟପାନ ସୃଷ୍ଟି କରୁଛି, ତାକୁ ଲୋପ କରିବାକୁ ହେବ । ଏପରି ଏକ ଅବସ୍ଥା ଆଣିବାକୁ ହେବ, ଯେଉଁଥିରେ କି ମଦ୍ୟପାନର କୌଣସି ଆବଶ୍ୟକତା ରହିବ ନାହିଁ । ସେଇପରି ବାସ୍ତବ ଅବସ୍ଥା ସୃଷ୍ଟି ନ କଲାଯାଏ, ସବୁ ପ୍ରକାରର ଧର୍ମବାଣୀ, ଶିକ୍ଷା, ପ୍ରଚାର ଓ ଏପରିକି ଦଣ୍ଡବିଧାନ ବଳପ୍ରୟୋଗ ଆଦି ସକଳ ବ୍ୟବସ୍ଥା ବ୍ୟର୍ଥ ହେଉଥିବ । ତେଣୁ ନିଶା ନିବାରଣ ଲାଗି ସର୍ବପ୍ରଥମ ଆବଶ୍ୟକ ଲୋକଙ୍କ ଅବସ୍ଥାର ଉନ୍ନତି, ଆଉ ପରିତୃପ୍ତ ଜୀବନଯାପନ ଦିଗରେ ସମସ୍ତ ସୁବିଧା ଯୋଗାଇଦେବା ।

 

ଏ କ୍ଷେତ୍ରରେ ସୋଭିଏତ୍ ସରକାର ତା’ର ପୂର୍ବର ନୀତି ଅନୁସରଣ କରିଛି, ବାସ୍ତବ ଅବସ୍ଥାର ପରିବର୍ତ୍ତନରେ ମଣିଷର ପରିବର୍ତ୍ତନ । ପ୍ରତ୍ୟେକଟି ପଦକ୍ଷେପ ଗ୍ରହଣ କରିଛି ବାସ୍ତବ ଅବସ୍ଥାର ପରିବର୍ତ୍ତନ ଅନୁଯାୟୀ । ତାହା ଯେପରି ଗର୍ଭପାତକୁ ଆଇନସଙ୍ଗତ କରିଦେଇ ଶେଷରେ ତାକୁ ନିର୍ମୂଳ କରିଦେଲା, ଠିକ୍ ସେଇପରି ଏବେ ସୋଭିଏତ୍ ଯେଉଁ ନୀତି ନେଲା, ଜଣାଯିବ ସତେ ଯେପରି ତାହା ଅବାଦ ମଦ୍ୟପାନର ପ୍ରଚାରକ, ତାକୁ ଉତ୍ସାହିତ କରୁଛି ।

 

ତାହା ଠିକ୍ କଲା ପ୍ରଥମ ମଦର ଚୋରା କାରାବାର ବନ୍ଦ କରିବାକୁ ହେବ, ଚୋରାକାରବାରୀଙ୍କୁ ଲୋପ କରିବାକୁ ହେବ । ଚୋରା କାରବାର ବହୁ ପ୍ରକାରର ଚୋରୀ, ଡକାୟତି, ଅପରାଧ ଓ ଗଣ୍ଡଗୋଳର ମୂଳ । ଏଥିଲାଗି ପ୍ରଥମ ଆଘାତ କଲା ଚୋରାକାରବାରକୁ । କିନ୍ତୁ ଆଘାତର ରୂପ ଭିନ୍ନ, ଅନ୍ୟସବୁ ସରକାରଙ୍କ ପନ୍ଥାଠାରୁ ସମ୍ପୂର୍ଣ୍ଣ ପୃଥକ । ଏଥିଲାଗି କୌଣସି ଆଇନ କି ଦଣ୍ଡର ବ୍ୟବସ୍ଥା ନାହିଁ । ଜାର କଲା ଭଳି ପୋଲିସ ବା ବଳପ୍ରୟୋଗ ନାହିଁ, ମଦ ଉପରେ ଟିକସ ବୃଦ୍ଧି ନାହିଁ । କାରଣ, ଦେଖାଯାଉଛି ପୋଲିସ ପ୍ରୟୋଗ ଦ୍ୱାରା ତ ତାହା ଭାଙ୍ଗି ନାହିଁ, ଆଉ ଟିକସ ବୃଦ୍ଧି କରିବା ଅର୍ଥ ସମସ୍ତ ଜାତି, ଦେଶଟାକୁ ମଦ ଖୁଆଇ ସେଥିରୁ ଲାଭ ଉଠାଇବା । ଏହା ଅର୍ଥନୈତିକତାର ପ୍ରସାର ଦ୍ୱାରା ଅର୍ଥ ଆଦାୟର ଉପାୟ, ଚରମ ନୀତିହୀନତା । ସୋଭିଏତ୍ ସରକାର କ’ଣ ସେ ପନ୍ଥା ଗ୍ରହଣ କରିପାରେ ?

 

ସୋଭିଏତ୍ ସରକାର ଠିକ ବିପରୀତ ପନ୍ଥା ନେଲା । ମଦ ଉପରୁ ସବୁ ପ୍ରକାରର ଟିକସ, ଲାଇସେନ୍‍ସ ଉଠାଇ ଦେଲା, ତା’ ସଙ୍ଗେ ସଙ୍ଗେ ମଦକୁ ଅତିମାତ୍ରାରେ ଶସ୍ତା କରିଦେଲା । ଲୋକ ଏଥିରେ ଅବାକ୍, ଆଶ୍ଚର୍ଯ୍ୟ ହୋଇଗଲେ । ବାସ୍ତବିକ, ଯେଉଁଦିନ ଘୋଷଣା ହେଲା ଯେ ମଦର ଦାମ କମିଗଲା, ସେ ଦିନ ଆଉ କିଏ କାହାକୁ ମାନେ, ସମସ୍ତେ ଆନନ୍ଦରେ ନାଚି ଉଠିଲେ । କିଏ ବା ଆଉ କାମକୁ ଯାଉଛି ? ସରକାରୀ ଛୁଟିଦିନ ନ ହେଲେ ବି ସମସ୍ତଙ୍କର ଛୁଟି, ଆନନ୍ଦରେ ମାତିଗଲେ ସମସ୍ତେ, ମଦ ନିଶାର ବିଭୋଗରେ,–ଶସ୍ତା ମଦ, ଉତ୍କୃଷ୍ଟ ଧରଣର ମଦ, ଖୋଲାଖୋଲି ବିକ୍ରି, ଯେତେ ଇଚ୍ଛା ସେତେ ପିଅ, ଏ ସୁଯୋଗ ଛାଡ଼େ କିଏ ? ଇତିହାସରେ କେବେ କାହାକୁ ଏ ସୁଯୋଗ ମିଳିଛି ?

 

ଏବେ ମଦ ଅତି ଶସ୍ତା, ଉତ୍କୃଷ୍ଟ, ପୁଣି ତାର ଅବାଧ ବିକ୍ରୟ; ଏହା ଫଳରେ ଏକାଦିନକେ ଭାଙ୍ଗିଗଲା ଚୋରା କାରବାର, ଭୁଷୁଡ଼ି ପଡ଼ିଲା ଚୋରା ମଦଭାଟି ସବୁ । ଏଣିକି ଆଉ କେହି ମଦ ତିଆରି କଲେ ନାହିଁ । ଶସ୍ତାରେ ଭଲ ଜିନିଷ ପାଇଲେ, କିଏ କାହିଁକି ଅନ୍ୟ ଆଡ଼କୁ ଯିବ, ଘରେ ବା ତିଆରି କରିବ ? ବହୁ ପ୍ରକାର ଆଇନ କଟକଣା, ବଳପ୍ରୟୋଗ ଓ ବିସ୍ତର ଅର୍ଥବ୍ୟୟ ଦ୍ୱାରା ଯାହା ସମ୍ଭବ ହୋଇ ନ ଥିଲା, ସେ ଚୋରା କାରବାର ଏବେ ଆପେ ଆପେ ଲୋପ ପାଇଗଲା । ଲୋକେ ଦେଖିଲେ ସରକାର ସେମାନଙ୍କୁ ମଦ ଖୁଆଇ ଲାଭ କରୁ ନାହିଁ । ମଦ ତିଆରି ଦ୍ୱାରା ଯାହା ସାମାନ୍ୟ ଲାଭ ହେଉଛି, ତା ତାଙ୍କରି ପାଇଁ ଶିକ୍ଷା ସ୍ୱାସ୍ଥ୍ୟ ଆଦି ଜନମଙ୍ଗଳ କାର୍ଯ୍ୟରେ ଖର୍ଚ୍ଚ ହେଉଛି-

 

ଧୀରେ ଧୀରେ ଥମିଗଲା ଉନ୍ମାଦନାର ଜୁଆର, ଲୋକେ ପ୍ରକୃତିସ୍ଥ ହେଲେ । ଏବେ ଆରମ୍ଭ ହେଲା ସୋଭିଏତର ଦ୍ୱିତୀୟ ପଦକ୍ଷେପ । ନିୟମ ହେଲା, କାରଖାନାମାନଙ୍କ ନିକଟରେ ମଦ ବିକ୍ରି ହେବ ନାହିଁ । ଛୁଟି ଦିନମାନଙ୍କରେ, ଆଉ ଯେଉଁଦିନ ଲୋକେ ଦରମା ବା ମଜୁରୀ ପାଆନ୍ତି ସେ ଦିନମାନଙ୍କରେ ମଦ ବିକ୍ରି ବନ୍ଦ ରହିବ । ସାନ ପିଲାଥିବା ନାରୀ ଓ ପିଲାମାନଙ୍କୁ ମଦ ବିକଯାଇ ପାରିବ ନାହିଁ । ଯଦି କୌଣସି ଲୋକ ତାହା କରେ, ତେବେ ସେ ଦଣ୍ଡନୀୟ ହେବ । ତାହା ଏକ ପୋଲିସ ଧର୍ତ୍ତବ୍ୟ ଅପରାଧ ।

 

ଅନ୍ୟ ଦିଗରେ ଚାଲିଲା ମଦର ଅପକାରିତା ବିରୁଦ୍ଧରେ ଶିକ୍ଷାର ପ୍ରଚାର, କୁହାଗଲା ତା ମନ ଓ ଶରୀର ଉପରେ ଖରାପ ପ୍ରଭାବ ପକାଏ । ଜୀବନ ପକ୍ଷରେ ତା ଅନାବଶ୍ୟକ, ତାର ବ୍ୟବହାର ଅବନତି ଡାକିଆଣେ, ଅବସାଦ ସୃଷ୍ଟିକରେ, ନାନା ପ୍ରକାର ଅପରାଧ ସଂଖ୍ୟା ବୃଦ୍ଧି କରେ ଇତ୍ୟାଦି । ଏ ଦିଗରେ ସିନେମା ଥିଏଟରକୁ ମଧ୍ୟ ବ୍ୟବହାର କରାଗଲା, ତା ଜରିଆରେ ବୁଝାଇ ଦିଆହେଲା ମଦର ମନ୍ଦ ପରିମାଣ, ସେ ସବୁରେ ମଦ୍ୟପ ଲୋକଙ୍କୁ ସମାଲୋଚନା କରାଯାଇଛି, କିନ୍ତୁ ତାଙ୍କୁ ନିନ୍ଦା କରାଯାଇ ନାହିଁ । ତାଙ୍କୁ ମୂର୍ଖ, ନିର୍ବୋଧ, ଏକ ହାସ୍ୟାସ୍ପଦ ବ୍ୟକ୍ତିଭାବେ ଚିତ୍ରଣ କରାଯାଇଛି । ମଦ ଖାଅ ନାହିଁ, ଏ କଥା କେଉଁଠି କୁହାଯାଇ ନାହିଁ । ଦର୍ଶାଯାଇଛି, ମଦ୍ୟପାନ କିପରି ନୂତନ ସମାଜ ନିର୍ମାଣର ପ୍ରତିବନ୍ଧକ, ମହତ ଆଦର୍ଶ ପୂରଣରେ ବାଧାଦିଏ, ମହାନ୍‍ ଲକ୍ଷ୍ୟପୂରଣ ଦିଗରେ ସଚ୍ଚୋଟ ଜୀବନଯାପନକୁ ବାଧାଦିଏ । ଏସବୁ ପ୍ରଚାର ଓ ଶିକ୍ଷାର ମୂଳ ବିଷୟ ହେଲା ଲୋକଙ୍କୁ ନିଜର ଜୀବନକୁ ପରୀକ୍ଷା ଓ ନିରୀକ୍ଷଣ କରିବାରେ ସାହାଯ୍ୟ କରିବା, ସେ ଯେପରି ଏକ ମାପକାଠି ପାଇଯିବ ନିଜ ଜୀବନକୁ ମାପିବା ଲାଗି–ସେ ନିଜେ ହେବ ନିଜ ଜୀବନର ବିଚାରକ, ତାର ସଚେତନ ନିୟନ୍ତ୍ରଣକାରୀ ।

 

କିନ୍ତୁ ଯେଉଁମାନେ ରୀତିମତ ପିଇଲାବାଲା, ମଦୁଆ ଲୋକ, ତାଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହେଲା । ସେମାନଙ୍କୁ କିନ୍ତୁ ଦୋଷୀ ଅପରାଧୀଭାବେ ଧରାଗଲା ନାହିଁ କି ସେମାନଙ୍କୁ ଘୃଣା ବା ନିନ୍ଦା କରାଗଲା ନାହିଁ । ସେମାନଙ୍କୁ ଜାତୀୟ ସ୍ୱାର୍ଥ ଓ କଲ୍ୟାଣର ପ୍ରତିବନ୍ଧକଭାବେ ଦେଖାଗଲା-। କାରଣ, ଜାତୀୟ ସ୍ୱାର୍ଥ ସେମାନଙ୍କୁ ସ୍ପର୍ଶ କରେ ନାହିଁ, ସେମାନେ ସବୁବେଳେ କେବଳ ମଦ ବୋତଲକୁ ଅନାଇଥାନ୍ତି, ତାହାହିଁ ସେମାନଙ୍କର ଏକମାତ୍ର ଧ୍ୟାନ ।

 

ସେଇ ଧ୍ୟାନ ଭାଙ୍ଗିବା ଲାଗି, ଯେଉଁଠି ମଦୁଆଙ୍କ ଆଡ଼୍ଡ଼ା ବା ଯେଉଁ ଅଞ୍ଚଳରେ ମଦୁଆ ପ୍ରବଳ, ସେଠାରେ ମଦ ନିଶା ନିବାରଣ କେନ୍ଦ୍ରମାନ ପ୍ରତିଷ୍ଠା ହେଲା । ଯେଉଁମାନେ ମଦୁଆ ଓ ମାତାଲ, ତାଙ୍କୁ ପୋଲିସ ବା ନିଶା ନିବାରଣ କର୍ମୀମାନେ ଧରନ୍ତି, ଏହା ଗିରଫଦାରୀ ନୁହେଁ, ଏଥିଲାଗି କୌଣସି ଦଣ୍ଡର ବ୍ୟବସ୍ଥା ନାହିଁ, ସେମାନେ ତାକୁ ଘେନିଯାନ୍ତି ନିଶା ନିବାରଣ କେନ୍ଦ୍ରକୁ, ସେଠାରେ ସେମାନଙ୍କୁ ଗାଧୋଇ ଦିଅନ୍ତି, ପରିଷ୍କାର ପରିଚ୍ଛନ୍ନ କରାନ୍ତି, ଡାକ୍ତର ଆସି ତାଙ୍କୁ ପରୀକ୍ଷା କରେ । ଦିନେ ଦୁଇଦିନ ତାକୁ ସେମାନେ ସେଠି ରଖନ୍ତି, ଶାନ୍ତ, ପ୍ରକୃତିସ୍ଥ କରାନ୍ତି । ତାପରେ ତାର ନାମଧାମ, ଠିକଣା ଓ କାର୍ଯ୍ୟସ୍ଥଳ ଇତ୍ୟାଦି ଟିପିରଖି ଛାଡ଼ି ଦିଅନ୍ତି । ତା’ପରେ ତା’ ସମ୍ୱନ୍ଧରେ ଏକ ପୂର୍ଣ୍ଣ ରିପୋର୍ଟ ପଠାଯାଏ ତାର ଟ୍ରେଡ଼୍ ଇଉନିଅନ ସଙ୍ଗଠନକୁ, ସେ ଯେଉଁ କାରଖାନା, ଅଫିସ ବା କୋଠଖମାରରେ କାମ କରୁଥାଏ, ସେ ସ୍ଥଳକୁ । ସେଠାରେ ସେ ଲୋକର କାର୍ଯ୍ୟ ସମ୍ୱନ୍ଧରେ ରିପୋର୍ଟ, ପୋଷ୍ଟର ଓ କାର୍ଟୁନ ଆଦି ଚାରିଆଡ଼େ ମାରି ଦିଆଯାଏ । ସେ ହୁଏ ସାରା ସମାଜରେ ଲଜ୍ଜା ଅପମାନର ପାତ୍ର । ଏଥିରେ କିଏ ବା ଆଉ ଥରେ ମାତାଲ ହେବାକୁ ଯିବ ? ସେଥିରେ ଯଦି ତା’ର ଅଭ୍ୟାସ ନ ବଦଳେ ତେବେ, ସେ ଯେଉଁ ଟ୍ରେଡ଼ ୟୁନିଅନ ଓ ସଂସ୍ଥାର ସଭ୍ୟ, ସେମାନେ ତା ବିରୁଦ୍ଧରେ ଶୃଙ୍ଖଳାଗତ ଶାସ୍ତିବିଧାନ କରନ୍ତି ।

 

ଦେଖାଗଲା ଧର୍ମ ଉପଦେଶ, ନୈତିକ ଶିକ୍ଷା ଆଦି ଦ୍ୱାରା ଯାହା ହୋଇ ପାରି ନ ଥିଲା, ଏବେ ତା ସମ୍ଭବ ହେଲା । ଏହାଦ୍ୱାରା ଲୋକ ସମାଜ ଆଗରେ ଛିଡ଼ା ହୁଏ ନୀଚ ସ୍ୱାର୍ଥପର ଭାବେ, ଦେଶର ଜାତିର ଉନ୍ନତ ଜୀବନ ଗଠନର ଶତ୍ରୁ ଭାବେ, ସେ ହୁଏ ଲଜ୍ଜିତ, ହୃଦୟଙ୍ଗମ କରେ ଆପଣାର ଦୋଷ । ସେ ଦୋଷ ସାରା ସମାଜ ଆଗରେ ପ୍ରକାଶ ପାଇବାଦ୍ୱାରା ତାର ଅବସାନ ଘଟେ । ଯାହା ଲୋକଚକ୍ଷୁର ଅନ୍ତରାଳରେ ଜନ୍ମ ନିଏ, ଗୋପନରେ ବୃଦ୍ଧି ପାଏ, ତାକୁ ସମସ୍ତଙ୍କ ଆଗରେ ଖୋଲିଦେଲେ, ତାହା ଆପେ ଆପେ ମରିଯାଏ ।

 

କିଛି କାଳ ପରେ ମଦ୍ୟପ ସମସ୍ୟା ଦୂର ହୋଇଆସିଲା । ରହିଗଲା ଜଣେ ଅଧେ ନିପଟ ମଦୁଆ ଲୋକ, ସେମାନଙ୍କୁ ସେହି ନିଶା ନିବାରଣ କେନ୍ଦ୍ରରେ ଅଲଗା କରି ରଖାଗଲା, ତାଙ୍କର ମାନସିକ ଶାରୀରିକ ଚିକିତ୍ସା ଲାଗି ।

 

ଇତି ମଧ୍ୟରେ ଦେଶର ଅବସ୍ଥା ବଦଳି ଗଲାଣି, ଦାରିଦ୍ର୍ୟ ଆଉ ନାହିଁ । ଜୀବନଧାରଣର ମାନରେ ଯଥେଷ୍ଟ ଉନ୍ନତି ଘଟିଛି । ଏତେବେଳେ ରୁଷ ଆଉ ଏକ ବ୍ୟବସ୍ଥା ଗ୍ରହଣ କଲା, ମଦ ଖାଇବା ଦିଗରେ ପ୍ରଚାର, ଏହା ଉପରକୁ ନିଶା ନିବାରଣର ବିରୋଧୀ କିନ୍ତୁ ପ୍ରକୃତରେ ତାର ଲକ୍ଷ୍ୟ ନିଶାର ନିବାରଣ । ଯେଉଁମାନେ ଦୋକାନ, ମଦଖଟି ବା ବାର୍ ପ୍ରଭୃତିରେ ମଦ ପିଉଛନ୍ତି, ତାଙ୍କୁ ବନ୍ଦ କରିବା ଏହାର ଉଦ୍ଦେଶ୍ୟ, ସେଠାରେ ଲୋକ ଖାଲି ମଦ ପିଏ, କିନ୍ତୁ ଖାଦ୍ୟ ସଙ୍ଗରେ ମଦ୍ୟପାନ ଦାରିଦ୍ର୍ୟତାର ଲକ୍ଷଣ । ସେଥିରେ ଦୃଷ୍ଟି କେବଳ ମଦ୍ୟ ଉପରେ ରହିଥାଏ, କେବଳ ପାନୀୟକୁ ଧରିବା ଫଳରେ ମଦ୍ୟପାନ ବୃଦ୍ଧି ପାଏ, ଲୋକଙ୍କୁ ମଦ୍ୟପ କରିଦିଏ । କିନ୍ତୁ ମନୋରମ ହୋଟେଲ ବା ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ଭିତରେ ନିଜର ପରିବାରବର୍ଗଙ୍କ ସହିତ ଖାଦ୍ୟ ସଙ୍ଗରେ ଏକ ପାନୀୟ ଭାବେ ମଦ୍ୟପାନରେ ଲୋକ କମ ଖାଏ, ସାବଧାନତାର ସହିତ ଖାଏ, ତାହା ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ନୁହେଁ ଏବଂ ଉତ୍କୃଷ୍ଟ ଧରଣର ମଦ୍ୟ ରହିଛି, ଯାହାକି ସ୍ୱାସ୍ଥ୍ୟ ପକ୍ଷରେ ଆବଶ୍ୟକ, ବିଶେଷକରି ଥଣ୍ଡା ଦେଶରେ । ବାସ୍ତବିକ ଦେଖାଗଲା ଯେ ଏହା ଫଳରେ ମଦ୍ୟପାନ ବହୁ ପରିମାଣରେ ହ୍ରାସ ପାଇଲା । ଲୋକେ ଦୋକାନ, ମଦଖଟି ଆଦିକୁ ଗଲେ ନାହିଁ । ତାହା ଆସ୍ତେ ଆସ୍ତେ ବନ୍ଦ ହୋଇଗଲାଣି ।

 

ତେଣୁ ସେଠାରେ ନିଶା ନିବାରଣ ଅର୍ଥ ଯେ ବିଲକୁଲ ମଦ୍ୟର ପ୍ରଚଳନ ନାହିଁ, ତା ନୁହେଁ; ସେମାନେ ଯେ ସବୁଦିନେ ଘରେ ପିଅନ୍ତି ତା ନୁହେଁ, ସାମୟିକ ଭାବେ ଖାଇଥାନ୍ତି । ଆଉ ବିଶେଷ ବିଶେଷ ପର୍ବମାନଙ୍କରେ ବେଶ ପିଇଥାନ୍ତି; କିନ୍ତୁ ମଦ୍ୟପ ନୁହନ୍ତି, ସବୁବେଳେ ସୀମାର ଭିତରେ, ସେଥିଲାଗି ଗ୍ଲାସ ମୁହଁ ପାଖକୁ ନେଇ ମଧ୍ୟ ଫେରାଇ ଆଣିପାରନ୍ତି ।

 

ତା’ପରେ ଅଙ୍ଗୁର ରସଠାରୁ ଆରମ୍ଭ କରି ବିଅର ପର୍ଯ୍ୟନ୍ତ ବହୁ ପ୍ରକାର ମଦ ରହିଛି । ଆମ ତାଲିକାରେ ସେ ସବୁଗୁଡ଼ାକ ମଦର ଅନ୍ତର୍ଭୁକ୍ତ, କିନ୍ତୁ ବାସ୍ତବରେ ତା ନୁହେଁ, କେତେଠାରେ ପାଣି ବଦଳରେ ବିଅର କେବଳ ପିଇବାର ଦେଖାଯାଏ, ଏହା ଅବଶ୍ୟ ମଦ୍ୟପାନ ଭିତରେ ଗଣ୍ୟ ନୁହେଁ ।

 

ସୋଭିଏତ୍ ସରକାର ମଦ୍ୟପାନକୁ ଆହୁରି ଆୟତ୍ତ କରୁଛନ୍ତି, ଏଥିଲାଗି ସକଳ ବ୍ୟବସ୍ଥା ପ୍ରୟୋଗ ହୋଇଛି । ମାତାଲ ହେବା ଦଣ୍ଡନୀୟ, ମଦ୍ୟ ଦରର ବୃଦ୍ଧି, ଏହା ଯେ ଏକ ଗୁରୁତର ଅସମାଜିକ କାର୍ଯ୍ୟ ସେ ସମ୍ପର୍କରେ ପ୍ରଚାର ଇତ୍ୟାଦି, କିନ୍ତୁ ସବୁଠାରୁ ବଡ଼ ଜିନିଷ ହେଲା ବାସ୍ତବ ଅବସ୍ଥାର ପରିବର୍ତ୍ତନ, ପରିତୃପ୍ତ ଜୀବନର ସୃଷ୍ଟି, ଯାହାର ଅଭାବରେ ଯେଉଁ ଦୈନନ୍ଦିନ ଯନ୍ତ୍ରଣାରୁ ମୁକ୍ତି ପାଇବା ଲାଗି ମଣିଷ ମଦ୍ୟପାନକୁ ଆଶ୍ରା କରିଥାଏ, ଏହି ଉନ୍ନତ ଜୀବନ ଆଣିବା ଦ୍ୱାରା ସେହି ସୁସ୍ଥ ମନ, ସୁସ୍ଥ ଶରୀର ସୃଷ୍ଟି ଦ୍ୱାରା ସେ ଏହି ସମସ୍ୟାର ସମାଧାନ କରିଛି ।

Image

 

ନୂତନ ମାନବର ସୃଷ୍ଟି

 

ପୂର୍ବ ଅଧ୍ୟାୟରେ ଆମେ ବିବାହ ବ୍ୟବସ୍ଥା, ଯୌନ ସମ୍ପର୍କ, ବ୍ୟଭିଚାର, ମଦ୍ୟପାନ ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଛେ, କିନ୍ତୁ ନୈତିକତା ଅନୈତିକତା କେବଳ ସେତିକି ଭିତରେ ଆବଦ୍ଧ ନୁହେଁ । ତାର ପରିସର ଆହୁରି ବେଶି । ସମାଜର ପ୍ରତ୍ୟେକଠାରେ, ପ୍ରତ୍ୟେକ କ୍ଷେତ୍ରକୁ ତାହା ବ୍ୟାପିଛି । ଅନ୍ୟକୁ ଠକିବା, ଦୁର୍ନୀତି କରିବା, ଲାଞ୍ଚ ନେବା, ନିଜେ ପରିଶ୍ରମ ନ କରି ଅନ୍ୟର ଶ୍ରମ ଉପରେ ପରାଙ୍ଗପୁଷ୍ଠ ହୋଇ ବସିବା, ମିଥ୍ୟା କହିବା, କୁତ୍ସା ରଟନା କରିବା ଇତ୍ୟାଦି ଯେତେ ଯେତେ ବିଷୟ ମଣିଷ ମଣିଷର ସମ୍ୱନ୍ଧକୁ ଦୂଷିତ ଓ କ୍ଷତିଗ୍ରସ୍ତ କରେ, ସମଗ୍ର ସମାଜ ପକ୍ଷରେ ଯାହା ଦୂଷଣୀୟ ଓ ଅନିଷ୍ଟକର, ସେ ସମସ୍ତ ଅନୈତିକତାର ଅର୍ନ୍ତଭୁକ୍ତ । ନୂତନ ସମାଜ ବିକାଶ, ନୂତନ ମାନବର ସୃଷ୍ଟି ଲାଗି ସେ ସବୁର ବିଲୋପ ଏକାନ୍ତ ଆବଶ୍ୟକ ।

 

ସୋଭିଏତ ବୈଜ୍ଞାନିକଙ୍କ ମତରେ ନୈତିକତା ହେଲା ସାମାଜିକ ଚେତନାର ରୂପ । ମଣିଷ ମଣିଷ ଭିତରେ କି ପ୍ରକାର ସମ୍ୱନ୍ଧ ରହିବ, ସମାଜ ପ୍ରତି ଲୋକର ଦାୟିତ୍ୱ ଓ କର୍ତ୍ତବ୍ୟ କ’ଣ ହେବ ଏ ସବୁର ପ୍ରଚଳିତ ମାନ ପ୍ରତିଫଳିତ ହୁଏ ନୈତିକତାରେ । ସମାଜର ବାସ୍ତବ ଅବସ୍ଥାର ପ୍ରତିଫଳନ; ତାହା ବଦ୍ଧମୂଳ ହୋଇ ମଣିଷ ଧ୍ୟାନ ଧାରଣାରେ ବସିଯାଏ । ସେହି ନୈତିକତା ଅନୁଯାୟୀ ହୁଏ ସାମାଜିକ ଚଳଣି ।

 

ସମାଜର ଆବିର୍ଭାବ ସହିତ ନୈତିକତାର ଉଦ୍ଭବ । କୌଣସି ନୈତିକତା ଏକ ଚିରନ୍ତନ, ସର୍ବକାଳ ସ୍ଥାୟୀ, ସୁପବିତ୍ର ନିୟମ ନୁହେଁ କିମ୍ୱା ଚିନ୍ତାରାଜ୍ୟର ନିର୍ମଳ ନ୍ୟାୟନିଷ୍ଠ ଭାବନାପ୍ରସୂତ ଅନ୍ତରର ବାଣୀ ନୁହେଁ । ତାହା ସେହି ନିର୍ଦ୍ଦିଷ୍ଟ ଅର୍ଥନୈତିକ ଓ ସାମାଜିକ ଅବସ୍ଥା ଭିତରୁ ଜାତ ଏବଂ ସେହି ଅବସ୍ଥାର ପରିବର୍ତ୍ତନ ସହିତ ତାର ପରିବର୍ତ୍ତନ । ଏହି ପରିବର୍ତ୍ତନର ଦୃଷ୍ଟାନ୍ତ ଅନ୍ତତଃ ଗୋଟିଏ ବିଷୟରେ–ବିବାହ, ଯୌନସମ୍ପର୍କ କ୍ଷେତ୍ରରେ ବିଶେଷଭାବେ ଆଲୋଚନା କରିଛୁ । ଅନ୍ୟସବୁ ଅନୈତିକତାକୁ ବିଲୋପ କରିବାରେ ରୁଷ ସେଇପରି ନିର୍ଦ୍ଦିଷ୍ଟ ସୁଚିନ୍ତିତ ପଦକ୍ଷେପ ନେଇଛି । ସେ ସବୁ ବିଷୟର ବିଶଦ ଆଲୋଚନା ଏଠାରେ ସମ୍ଭବପର ନୁହେଁ । ତେବେ ଗୋଟିଏ କଥା ଧ୍ରୁବ ସତ୍ୟ ଯେ ଅନୈତିକତାର ଅର୍ଥନୈତିକ ଓ ସମାଜିକ ଭିତ୍ତିକୁ ଲୋପ ନ କରି ତାକୁ ଲୋପ କରି ହେବ ନାହିଁ ।

 

କେବଳ ରୁଷ ନୁହେଁ, ଆମର ନିଜ ଅଭିଜ୍ଞତାରୁ ତାହା ଆଜି ପ୍ରମାଣିତ । ସମସ୍ତେ ସ୍ୱୀକାର କରନ୍ତି ଯେ ଦୁର୍ନୀତି ଏକ ଅନୈତିକ କାର୍ଯ୍ୟ । ଏହାକୁ ରୋକିବା ଲାଗି ଖୁବ୍‍ ପ୍ରଚାର ଆନ୍ଦୋଳନ ହେଉଛି, କଠୋର ଆଇନ କଟକଣା ଓ ଦଣ୍ଡର ବ୍ୟବସ୍ଥା ହୋଇଛି, ଏବଂ ସେହି ଦୁର୍ନୀତିକୁ ଧରିବା ଲାଗି ସ୍ୱତନ୍ତ୍ର ବିଭାଗ ମଧ୍ୟ ଖୋଲାଯାଇଛି, ଫଳରେ ତାହା ତ ଟିକିଏ ହେଲେ ଊଣା ହୋଇ ନାହିଁ, ବରଂ ବଢ଼ିବାରେ ଲାଗିଛି, ସମାଜର ପ୍ରତ୍ୟେକ ସ୍ତରକୁ ପ୍ରସରି ଗଲାଣି । ଯେଉଁମାନେ ନିଜେ ଆଇନ ଗଢ଼ୁଛନ୍ତି, ଦୁର୍ନୀତିକୁ ଧରିବାକୁ ଯେଉଁମାନେ ମୁତୟନ ହୋଇଛନ୍ତି ଏହା ସେମାନଙ୍କୁ ମଧ୍ୟ ଗ୍ରାସ କରିଛି । ଶେଷରେ ଏମିତି ହେଲାଣି ଯେ ଏକ ମନ୍ତ୍ରିମଣ୍ଡଳ ତାର ପୂର୍ବର ମନ୍ତ୍ରୀମାନଙ୍କ ବିରୁଦ୍ଧରେ ଦୁର୍ନୀତି କମିସନ ବସାଇବା ଗୋଟାଏ ଅତିସାଧାରଣ କାର୍ଯ୍ୟ ହେଲାଣି । ଏହା ପ୍ରକାଶ କରୁଛି ଯେ ଆମେ ଯେଉଁ ପଥ ଗ୍ରହଣ କରିଛୁ, ସେଥିରେ କୌଣସି ଅନୈତିକତାର ବିଲୋପ ସମ୍ଭବ ନୁହେଁ ।

 

ଗୋଟିଏ ଛୋଟ କଥା, ଦୁଧରେ ପାଣି ମିଶାଇବା । ଆମ ସମାଜରେ ଏହା ଅନୁଚିତ ବୋଲି ବିଚାର ହୁଏ । କିନ୍ତୁ ଏକ ଅନୈତିକ କାର୍ଯ୍ୟ ବୋଲି ଗଣ୍ୟ ନୁହେଁ । ତେଣୁ କେତେ ଦୁଧରେ କେତେ ପାଣି ମିଶାଇ ବିକିଲେ କେତେ ଟଙ୍କା ଲାଭ ହେବ, ଏପରି ପାଠ ପିଲାଦିନୁ ଶିକ୍ଷା ଦିଆହୁଏ-। ଏହା ହେବା ଅତି ସ୍ୱାଭାବିକ । କାରଣ ଏ ସମାଜର ଲକ୍ଷ୍ୟ ହେଲା କେମିତି ଲାଭ କରିବା, ଅଧିକରୁ ଅଧିକ ଲାଭ କରିବା, ତେଣୁ ତାର ଏକମାତ୍ର ଉପାୟ ହେଲା ଅନ୍ୟକୁ ଠକିବା, ଲୁଟିବା ଓ ଶୋଷଣ କରିବା । ସେଥିଲାଗି ସେଇଟା ଆଦୌ ଅନୈତିକ ନୁହେଁ । ବରଂ ସେସବୁ ଆଇନକାନୁନ ଦ୍ୱାରା ସୁରକ୍ଷିତ, ସାମାଜିକ ନ୍ୟାୟ ଦ୍ୱାରା ସମର୍ଥିତ । ତାହା ଯିଏ କରି ନ ପାରିଲା ସେ ଅତି ବୋକା, ଅପଦାର୍ଥ ବୋଲି ବିବେଚିତ ହୁଏ ।

 

କିନ୍ତୁ ରୁଷର ଚଳଣି ଓ ନୈତିକତାଟା ଠିକ ଏହାର ବିପରୀତ । ଏଠାଭଳି ଦୁର୍ନୀତିଗ୍ରସ୍ତ ଲୋକ ଓ ନୈତିକତାର ସ୍ଥାନ ସେଠି ନାହିଁ, ସେଠି ପିଲା ବୁଝିପାରିବ ନାହିଁ ଦୁଧରେ ପାଣି ମିଶିବ କାହିଁକି ? ଯାହା ମଣିଷ ଖାଉଛି, ସେଥିରେ ଅପମିଶ୍ରଣ, ତାହା ତାର କଳ୍ପନାର ବହିର୍ଭୁତ । ତାହା ସେ ବୁଝିବାକୁ ଅସମର୍ଥ ।

 

ଅତଏବ ଗୋଟାଏ ସମାଜରେ ଯାହା ନୈତିକ, ଅନ୍ୟ ସମାଜରେ ତାହା ଅନୈତିକ; ଗୋଟାଏ ସ୍ଥାନରେ ଯାହା ଅପରିହାର୍ଯ୍ୟ ଅନ୍ୟ ସ୍ଥାନରେ ତାହା ପରିତେଜ୍ୟ, କାହିଁକି ? ଏହାର ମୂଳ ବିଷୟକୁ ଯାଇଛି ସୋଭିଏତ୍ ରୁଷ, ତେଣୁ ଏ ପ୍ରଶ୍ନର ସମାଧାନ ତା ପକ୍ଷରେ ସମ୍ଭବ ।

 

ଜଗତରେ ସବୁ ଜିନିଷର ମୂଳ ହେଲା ଶ୍ରମ । ମଣିଷ ଶ୍ରମ କରେ, ଅର୍ଥାତ୍ ଶ୍ରମ ଦ୍ୱାରା ଉତ୍ପାଦନ କରେ, ପଶୁ କରିପାରେ ନାହିଁ । ଏହି ଶ୍ରମ ଦ୍ୱାରା ହିଁ ମଣିଷ, ପଶୁରୁ ମଣିଷ ହୋଇଛି; ଆଉ ସେହି ଶ୍ରମ କରିବା ଦ୍ୱାରା ଏହି ସମସ୍ତ ଧନ ସମ୍ପଦ, ସମାଜ, ସଭ୍ୟତା ସବୁ କିଛି ସୃଷ୍ଟି କରିଛି; ପ୍ରତିଦିନ ତାହା ବିକାଶ କରିବାରେ ଲାଗିଛି । ଅତଏବ ଯାହା ମଣିଷ ଓ ତାର ସମାଜକୁ ଜନ୍ମଦିଏ ଓ ଚଳାଏ, ସେହି ଶ୍ରମ, ତାକୁ ଯିଏ ନ କରେ, ଯିଏ ଅନ୍ୟର ସେହି ଶ୍ରମକୁ ଅପହରଣ କରେ, ସେ ସବୁଠାରୁ ଅମଣିଷ ଓ ଅସମାଜିକ କାର୍ଯ୍ୟ କରେ । ଅମଣିଷ କାର୍ଯ୍ୟ ହିଁ ହେଲା ଚୂଡ଼ାନ୍ତ ଅନୈତିକତା-। ଆଉ ଯେଉଁ ସମାଜ ତାକୁ ପ୍ରଶୟ ଦିଏ, ବୃଦ୍ଧି କରେ, ତାହା ଅନ୍ୟ ସମସ୍ତ ପ୍ରକାର ଅନୈତିକତାକୁ ଜନ୍ମ ଦିଏ ଓ ତାର ବାହକ ହୁଏ । ଏହାହିଁ ହେଉଛି ସବୁ ଅନୈତିକତାର ମୂଳ ।

 

ସୋଭିଏତ୍ ସମାଜ ଓ ପୁଞ୍ଜିବାଦୀ ସମାଜ ମଧ୍ୟରେ ଏଇ ହେଲା ଫରକ । ଅତଏବ ଏକ ସମାଜରେ, ଶ୍ରମର ଅପହରଣ ଦ୍ୱାରା–ଅନ୍ୟ ସମସ୍ତଙ୍କ, ସମଗ୍ର ସମାଜର ସ୍ୱାର୍ଥକୁ ହତ୍ୟାକରି ବ୍ୟକ୍ତିବିଶେଷଙ୍କ ସ୍ୱାର୍ଥ ବୃଦ୍ଧିପାଏ; ଅନ୍ୟ ଏକ ସମାଜରେ ଶ୍ରମର ଅପହରଣର ବିନାଶ ଘଟେ; ସେଠାରେ ଅନ୍ୟ ସମସ୍ତଙ୍କ, ସମଗ୍ର ସମାଜର ସ୍ୱାର୍ଥର ଉନ୍ନତି, ଉତ୍ତରୋତ୍ତର ଅଭିବୃଦ୍ଧି ଭିତରେ ହିଁ ବ୍ୟକ୍ତିବିଶେଷଙ୍କର ସମୃଦ୍ଧି ସାଧିତ ହୁଏ । ତେଣୁ ଶ୍ରମର ଅପହରଣ, ଓ ଶ୍ରମ ଅପହରଣର ବିଲୋପ–ଏ ଦୁଇପ୍ରକାରର ଦୃଷ୍ଟିକୋଣ, ଦୁଇ ପ୍ରକାର ସାମାଜିକ ବ୍ୟବସ୍ଥାରୁ, ଦୁଇ ପ୍ରକାର ନୀତି, ନ୍ୟାୟ, ନୈତିକତାର ଉଦ୍ଭବ ଘଟେ । ଆଉ ଏ ସବୁ ପରସ୍ପରର ବିରୋଧୀ ହେବାକୁ ବାଧ୍ୟ । ଗୋଟିଏ ହେଲା ଶୋଷକ ଶ୍ରେଣୀର ଦୃଷ୍ଟିକୋଣ ଅନ୍ୟଟି ଶୋଷିତ ଶ୍ରେଣୀ ଦୃଷ୍ଟିକୋଣ ।

 

ସୋଭିଏତର ସର୍ବହରା ବିପ୍ଳବ, ସେହି ଅନୈତିକତାର ମୂଳଭିତ୍ତିକୁ ଲୋପ କରିଛି । ସମାଜବାଦୀ ନିର୍ମାଣ ଭିତରେ ସେହି ନୂତନ ନୈତିକତାର ଭିତ୍ତି ନିର୍ମାଣ କରୁଛି, ତାକୁ ପ୍ରତିଦିନ ରୂପ ଦେବାରେ ଲାଗିଛି । ଏହା ଅତି କଠିନ ବ୍ୟାପାର । କାରଣ ସାମାଜିକ ଭିତ୍ତି ଲୋପ ପାଇଲେ ବି ସେହି ଅତୀତ ଧ୍ୟାନ ଧାରଣା ଓ ପ୍ରଭାବର ଅବଶେଷ ବହୁଦିନ ଯାଏ ମଣିଷ ମନରେ ରହିଥାଏ । ଆମେ ଏବେ ବି ଗାଈ ମାଙ୍କଡ଼କୁ ପୂଜା କରୁ, ଆଉ କଲେଜର ବିଜ୍ଞାନ ଅଧ୍ୟାପକ ପରିତ୍ସା ଘରକୁ ଗଲାବେଳେ କାନରେ ପଇତା ଦେଇ ବସନ୍ତି । ଏଇ ପୁରୁଣା ନୀତି ନୈତିକତାରୁ ଲୋକଙ୍କୁ ମୁକ୍ତ କରିବା ସମୟସାପେକ୍ଷ ।

 

ସୋଭିଏତ ରୁଷର ଲକ୍ଷ୍ୟ ହେଲା ସାମ୍ୟବାଦୀ ବା କମ୍ୟୁନିଷ୍ଟ ନୈତିକତାକୁ ବୃଦ୍ଧି କରିବା, ଏବଂ ଏପରି ସମୃଦ୍ଧ ଓ ବ୍ୟାପକ କରିବା ଯେ ଗୋଟାଏ ସମୟ ଆସିବ, ଯେତେବେଳେ କି ଶାସନ, ସରକାର, ପ୍ରଶାସନିକ ବ୍ୟବସ୍ଥା ଆଦିର କୌଣସି ଆବଶ୍ୟକତା ରହିବ ନାହିଁ । ଆଇନର ବାଧ୍ୟବାଧକତାକୁ ଲୋପକରି ମଣିଷ ଭିତରେ ନ୍ୟାୟସଙ୍ଗତ ଚେତନା ସୃଷ୍ଟି ହେଉଛି ସୋଭିଏତର ଉଦ୍ଦେଶ୍ୟ । ସେଠାରେ ଆଇନର ପ୍ରୟୋଗ ମଧ୍ୟ ଦିନକୁ ଦିନ କମିବାରେ ଲାଗିଛି, ଅଧିକ ଜୋର ଦିଆଯାଉଛି ନୈତିକତା ଉପରେ । ଧର ବିନା ଟିକେଟରେ ରେଲ ଯାତ୍ରା, ଯାହା ଆମ ସମାଜରେ ବହୁଳ ଭାବେ ପ୍ରଚଳିତ ଓ ଦଣ୍ଡନୀୟ, ସେଠାରେ ତାହା କେହି କରନ୍ତି ନାହିଁ, ବା ସେଥିଲାଗି କୌଣସି ଦଣ୍ଡର ବ୍ୟବସ୍ଥା ନାହିଁ । ନୈତିକତାର ବିକାଶରେ ହିଁ ତାହା ଆପେ ଆପେ ଲୋପ ପାଇଛି-। ଧର ଯଦି କିଏ କରେ ବା ଧରାପଡ଼େ, ତେବେ ସେ ସମାଜକୁ ଠକୁଛି, ଏକ ଅତି ଗର୍ହିତ, ଅସାମାଜିକ କାର୍ଯ୍ୟ କରିଛି ବୋଲି, ଲୋକସାଧାରଣ ଭିତରେ ତାର ଫଟୋ ସହିତ ପ୍ରଚାର କରିଦିଆଯାଏ । ସେମାନେ ସମାଜର ନୈତିକତାର ଚାପରେ ତାର ଅନୈତିକତାକୁ ସଂଶୋଧନ କରିଥାନ୍ତି ।

 

ଏଇପରି ନୈତିକତାର ପ୍ରସାର ଦ୍ୱାରା ଶେଷରେ ପୋଲିସ କୋର୍ଟ କଚେରୀ ଆଦି ସବୁ ପ୍ରଶାସନିକ ବ୍ୟବସ୍ଥା ଅଦରକାରୀ ହୋଇଉଠିବ । ଆଉ ଆଇନକାନୁନ ବାଧ୍ୟବାଧକତା ଦରକାର ପଡ଼ିବ ନାହିଁ । ଆଜି ଦୁଧରେ ପାଣି ମିଶାଇବା ଯେପରି କଳ୍ପନା ବହିର୍ଭୂତ ହୋଇଛି, ସେତେବେଳେ ସମସ୍ତ ଅନ୍ୟାୟ କାର୍ଯ୍ୟ ସେଇପରି କଳ୍ପନା ବହିର୍ଭୂତ ହେବ । ମଣିଷ ମଣିଷର ଓ ମଣିଷ ସହିତ ସମାଜର ସମ୍ପର୍କ ଏକମାତ୍ର ସେହି ଉଚ୍ଚ ନୈତିକ ବିଚାର ଦ୍ୱାରା ହିଁ ନିୟନ୍ତ୍ରିତ ହେବ । ଆଉ କ୍ରମଶଃ ସେ ନୈତିକତା ମଣିଷର ଏକ ଅବିଚ୍ଛିନ୍ନ ଅଙ୍ଗ ଓ ଅଭ୍ୟାସରେ ପରିଣତ ହେବ । ତାହାହିଁ ହେବ ନୈତିକତାର ସର୍ବଶ୍ରେଷ୍ଠ ବିକାଶ–ବର୍ତ୍ତମାନ ସୋଭିଏତ ସେଇ ଦିଗରେହିଁ ଆଗେଇ ଚାଲିଛି ।

 

ସୋଭିଏତ୍ ତାର ଯୋଜନା ଦ୍ୱାରା ଏହି ନୈତିକ ସମାଜ ଗଠନ କରୁଛି । ସବୁ ଦେଶର ଯୋଜନା ହେଉଛି ଧନ ସମ୍ପଦର ଅଭିବୃଦ୍ଧି ଲାଗି, ରୁଷର ଯୋଜନା କେବଳ ସେତିକିରେ ସୀମିତ ନୁହେଁ, ତାର ଲକ୍ଷ୍ୟ ମଣିଷର ମନୁଷ୍ୟତାର ବିକାଶ, ନୂତନ ସମାଜ ଓ ନୂତନ ମାନବର ସୃଷ୍ଟି, ଯେଉଁଠି କୌଣସି ପ୍ରକାର ଅନୈତିକତାର ସ୍ଥାନ ରହିବ ନାହିଁ । ଏ ଦିଗର ପଦକ୍ଷେପକୁ ଗଣିତର ସଂଖ୍ୟାଦ୍ୱାରା ଗଣି ହେବନାହିଁ, କି କୌଣସି ମାପଦଣ୍ଡରେ ମାପି ହେବନାହିଁ । ସମାଜର ଉତ୍କର୍ଷତା ହିଁ ତାର ପ୍ରମାଣ ।

 

ସେହି ଦୃଷ୍ଟିରୁ ଯେଉଁମାନେ ଆଜି କମ୍ୟୁନିଷ୍ଟ ସମାଜ ନିର୍ମାଣ କରୁଛନ୍ତି, ତାଙ୍କ ଲାଗି ସୋଭିଏତ୍ ଏକ ମରାଲ କୋଡ଼ ବା ନୈତିକ ନିୟମ ବାନ୍ଧି ଦେଇଛି । ଏହା ଅନ୍ୟ କୌଣସି ସମାଜର ଯୋଜନାରେ ଦେଖାଯାଏ ନାହିଁ, କି ହେବା ମଧ୍ୟ ସମ୍ଭବ ନୁହେଁ । ସେ ନୈତିକ ନିୟମ କହେ, ନୂତନ ସମାଜର ପ୍ରତ୍ୟେକ ନିର୍ମାଣକାରୀ କମ୍ୟୁନିଷ୍ଟ ଆଦର୍ଶ ପ୍ରତି ଅନୁରକ୍ତ ରହିବ । କାରଣ, ସେଥିରୁ ବିଚ୍ୟୁତ ହେବା ଅର୍ଥ ସମସ୍ତ ଅନୈତିକତା ଓ ବିଚ୍ୟୁତିକୁ ବରଣ କରିବା, ପ୍ରତ୍ୟେକ ନିଜର ସମାଜବାଦୀ ମାତୃଭୂମି ଓ ଅନ୍ୟସବୁ ସମାଜବାଦୀ ଦେଶକୁ ଭଲ ପାଇବ । ତା’ମାନେ ସେହି ନୂତନ ନୈତିକତାକୁ ସବୁମନ୍ତେ ରକ୍ଷା କରିବ । ସମାଜର କଲ୍ୟାଣ ଲାଗି ସଚେତନଭାବେ କାର୍ଯ୍ୟ କରିବ, ଯିଏ କାମ ନ କରିବ, ତାର ଖାଇବାର ଅଧିକାର ନାହିଁ, ଏଇ ନ୍ୟାୟସଙ୍ଗତ ନୀତି ଅନୁସୃତ ହେବ । ଅଥଚ ଅନ୍ୟ ସମାଜରେ ଯିଏ ଖଟେ ପରିଶ୍ରମ କରେ ସେ ସଦା ଅଭାବ ଅନାହାରଗ୍ରସ୍ଥ ହୋଇ ରହିଥାଏ, ଆଉ ଯିଏ କାମ ନ କରି ଅନ୍ୟର କାମର ଫଳ ଉପରେ ବଞ୍ଚେ, ସିଏ ଆରାମରେ କାଳ କାଟେ, ଏପରି ଅନୈତିକତା ସେଠି ଚଳିବ ନାହିଁ । ତାପରେ ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ଓ ଅଭିବୃଦ୍ଧି ଦିଗରେ ବିଶେଷ ଧ୍ୟାନ ଦେବାକୁ ହେବ । (ଏଠାରେ ଆମର ଯାହାକୁ–ସରକାରୀ ମାଲ ଦରିଆମେ ଡାଲ–ବୋଲି କହିଥାନ୍ତି) ତା ମାନେ ସର୍ବସାଧାରଣ ସମ୍ପତ୍ତିର ସମସ୍ତ ପ୍ରକାର ଅପବ୍ୟୟକୁ ବନ୍ଦ କରିବା, ଯେଉଁଠି ତାର କ୍ଷତି ଘଟୁଛି ଓ ଅପବ୍ୟୟ ହେଉଛି, ତାକୁ ବରଦାସ୍ତ ନ କରିବା ଇତ୍ୟାଦି । କାର୍ଯ୍ୟ କରିବାରେ ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚ କର୍ତ୍ତବ୍ୟପରାୟଣତା ଦେଖାଇବା, ଆଉ ସମସ୍ତଙ୍କ ସଙ୍ଗରେ ନିଜକୁ ଜଣେ ବୋଲି ଗଣିବା, ଭାଇ ଭାଇ ଭାବରେ ପରସ୍ପରକୁ ସାହାଯ୍ୟ କରିବା, ଯେଉଁଥିରେ ମଣିଷ ମଣିଷ ଭିତରେ ପ୍ରକୃତି ମାନବିକ ସମ୍ୱନ୍ଧ ଆସିବ; ବ୍ୟକ୍ତି ବିଶେଷଙ୍କ ପ୍ରତି ଶ୍ରଦ୍ଧା ସମ୍ମାନ ପ୍ରକାଶ ପାଇବ; ମଣିଷ ଅନୁଭବ କରିବ ସମସ୍ତେ ଜଣଙ୍କ ପାଇଁ ଓ ଜଣେ ସମସ୍ତଙ୍କ ପାଇଁ; ଆଉ ମଣିଷ ମଣିଷର ସମ୍ପର୍କ ହେବ, (ଅନ୍ୟ ସମାଜ ଭଳି ଶୋଷକ ଶୋଷିତ ବା ଖାଦ୍ୟ ଖାଦକର ସମ୍ପର୍କ ନୁହେଁ) ପ୍ରକୃତ ଭାଇବନ୍ଧୁ ସାଥିର ସମ୍ପର୍କ । ଆଉ ପ୍ରତ୍ୟେକେ, ତାଙ୍କର ସାମାଜିକ ଓ ବ୍ୟକ୍ତିଗତ ଜୀବନରେ ସାଧୁ, ସତ୍ୟନିଷ୍ଠ ହେବେ, ନିରଅହଙ୍କାର ଓ ବିନୟଭାବ ଆଚରଣ କରିବେ, ଓ ନିଷ୍କଳଙ୍କ ନୈତିକ ଜୀବନଯାପନ କରିବେ । ଅନ୍ୟଦିଗରେ ସମସ୍ତ ପ୍ରକାର ଅନ୍ୟାୟ ଅନୀତି, ଅସାଧୁତା ଓ ପରାଙ୍ଗପୁଷ୍ଠତା ବିରୁଦ୍ଧରେ ସାଲିସହୀନ ଭାବ ପୋଷଣ କରିବେ; ପରିବାର ଭିତରେ ପରସ୍ପରପ୍ରତି ସ୍ନେହଶ୍ରଦ୍ଧା ସମ୍ମାନ ପ୍ରଦର୍ଶନ କରିବେ, ସନ୍ତାନ ପାଳନରେ ବିଶେଷ ଯତ୍ନ ନେବେ, ଜାତି ଓ ସମ୍ପ୍ରଦାୟ ଭିତରେ କୌଣସି ପ୍ରକାର ଘୃଣାଭାବକୁ ପ୍ରଶ୍ରୟ ଦେବେ ନାହିଁ; ସବୁଜାତି ଓ ଲୋକଙ୍କ ପ୍ରତି ଭାତୃତ୍ୱର ଭାବ ପୋଷଣ କରିବେ; ଯେଉଁମାନେ କମ୍ୟୁନିଜିମ୍‍ର ପରିପନ୍ଥୀ, ଶାନ୍ତି ଓ ସ୍ୱାଧୀନତାର ଶତ୍ରୁ, ସେମାନଙ୍କ ସହିତ ସାଲିସହୀନ ଭାବ ନେବେ ଏବଂ ପୃଥିବୀର ସବୁ ଦେଶ, ସବୁ ଜାତିର ଶ୍ରମଜୀବୀ ଜନସାଧାରଣଙ୍କ ସହିତ ଭ୍ରାତୃତ୍ୱପୂର୍ଣ୍ଣ ସମ୍ପର୍କ ଓ ସଂହତିକୁ ସୁଦୃଢ଼ ସଂପ୍ରସାରିତ କରିବେ ।

 

ଏହା ନ ହେଲେ କେବଳ ଭୌତିକ ସମ୍ପତ୍ତିର ଅଭିବୃଦ୍ଧି ଦ୍ୱାରା ସାମ୍ୟବାଦୀ ସମାଜ ପ୍ରତିଷ୍ଠା ହୋଇପାରିବ ନାହିଁ; ସେଥିଲାଗି ମଣିଷର ସେହି ସର୍ବାଙ୍ଗୀନ ନୈତିକ ବିକାଶ ଆବଶ୍ୟକ । ସୋଭିଏତ୍ କେବଳ ଏହି ନୀତି ବୟାନକରି ନୀରବ ହୋଇ ରହି ନାହିଁ, ତାକୁ କାର୍ଯ୍ୟରେ ପରିଣତ କରିବା ଲାଗି ବାସ୍ତବ ଅବସ୍ଥା ସୃଷ୍ଟି କରିବାରେ ଲାଗିଛି । ତେଣୁ ଏଥର କମ୍ୟୁନିଷ୍ଟ ପାର୍ଟିର ୨୪ଶ କଂଗ୍ରେସରେ ବ୍ରେଜନେଭ ଘୋଷଣା କରିଛନ୍ତି, ‘‘ମଣିଷର ସୁସଙ୍ଗତ ଓ ସାମଞ୍ଜସ ବିକାଶ ବିନା ଏହା ସମ୍ଭବ ନୁହେଁ ।’’ ଏବଂ ସେଥିଲାଗି, ‘‘ଉପଯୁକ୍ତ ବୈଷୟିକ ଓ କାରିଗରି ଭିତ୍ତି ବିନା କମ୍ୟୁନିଜିମ୍ ପ୍ରତିଷ୍ଠା ଯେପରି ଅସମ୍ଭବ, ଉଚ୍ଚକୋଟିର ସଂସ୍କୃତି, ଶିକ୍ଷା, ନାଗରିକ ଚେତନା ଓ ମନୁଷ୍ୟର ଅନ୍ତରର ପରିପକ୍ୱତା ବିନା ସାମ୍ୟବାଦ ପ୍ରତିଷ୍ଠା ସେଇପରି ଅସମ୍ଭବ ।’’ –ଏଇ ହେଲା ରୁଷର ସଚେତନ ଓ ସକ୍ରିୟ ପଦକ୍ଷେପ–ନୂତନ ମାନବ ସୃଷ୍ଟି ଦିଗରେ ।

Image